ଭଲ ପାଇବାର ଶେଷକଥା
ଭଲ ପାଇବାର ଶେଷକଥା


ସାଇକେଲକୁ ଝାଉଁଗଛରେ ଆଉଜେଇଦେଇ ଅତନୁ ବସିପଡ଼ିଲା ସମୁଦ୍ରର ବିସ୍ତୀର୍ଣ୍ଣ ବେଳାଭୂଇଁରେ । ଘଡିକୁ ଚାହିଁଲା, ଶୁଭ୍ରା ଆସିବାକୁ ପନ୍ଦର ମିନିଟ ଡେରି ।
ଆଗରେ ଗର୍ଜୁଛି ସମୁଦ୍ର । ଅଶାନ୍ତ ସମୁଦ୍ରର ଲହରୀସବୁ ଉଠୁଛନ୍ତି ଉପରକୁ ,ଆହୁରି ଉପରକୁ , ଅଥଚ ପର ମୁହୂର୍ତ୍ତରେ ବେଳାଭୂଇଁରେ ପିଟି ହୋଇ ଚୁରମାର ହେଇଯାଉଛନ୍ତି, ଠିକ ଯେମିତି ମଣିଷର ଆଶା, ଉଚ୍ଚ।ଭିଳାଷ ବାସ୍ତବତାର ନିଷ୍ଠୁରତାରେ ପେଷିହେଇ ଧୂଳିସାତ ହେଇଯିବା ଭଳି ! ସନ୍ଧ୍ୟାର ଶୀତଳପବନ ଛୁଇଁ ଛୁଇଁ ଯାଉଛି ଦେହକୁ, କର୍ମକ୍ଲାନ୍ତ ମଣିଷ ମନରେ ଭରିଦେଇ ଅଜସ୍ର ଫୁର୍ତ୍ତି ।କ୍ଷତାକ୍ତ ମନରେ ବୋଲି ଦେଉଛି ସାନ୍ତ୍ବନାର ପ୍ରଲେପ ।ଦଳଦଳ ମଣିଷ, ଯୁବକଯୁବତୀ, ଶିଶୁକିଶୋରଙ୍କ ଖୁସି ବିଭୋରିତ କୋଳାହଳ ମିଳେଇଯାଉଛି ସମୁଦ୍ରର ଘୋ ଘୋ ଗର୍ଜନରେ ।
ସମୁଦ୍ରକୁ ଚାହିଁଲା ଅତନୁ ଏକଲୟରେ।
ତାର ଏକ ବିରାଟ ଆକର୍ଷଣ ସମୁଦ୍ର, ନଈନାଳ, ପୋଖରୀ ପ୍ରତି । ତା' ଗାଁର ନଈକୂଳରେ ଏକାଏକା ବସି କେତେ କଣ ଭାବିଯାଏ ସେ ।ଗାଁର ଶେଷମୁଣ୍ଡରେ ବହିଯାଉଥିବା ନଈର ଦି ପାଖରେ ବଢିଥିବା କଣ୍ଟାଗଛ, ଅନାବନା ଫୁଲ, କାଜୁ ଜଙ୍ଗଲ ,ଏକ ଆଦିମ ସୌନ୍ଦର୍ଯ୍ୟ ଓ କୌତୁହଳ ଭରିଦିଏ ତା ମନରେ। କେତେ ସମୟଧରି ସେ ବସିରହେ ସେ ଅପରୂପ ସୌନ୍ଦର୍ଯ୍ୟ ଭିତରେ ,କିଏ ଜଣେ ରାତି ହେଲାଣି ଘରକୁ ଯିବୁନି କି ,କହି ଚେତେଇ ଦେଲା ପର୍ଯ୍ୟନ୍ତ!
ସମୁଦ୍ରରେ କିନ୍ତୁ ଗାଁ ନଈର ଶାନ୍ତ, ନିଥର ବାତାବରଣ, ସ୍ନିଗ୍ଧ କୋମଳତା ଭରା ଅଜସ୍ର ନାମହୀନ ପକ୍ଷୀର କାକଳି ମିଳେନି,
ତଥାପି ସମୁଦ୍ର ସୁନ୍ଦର ତା ନିଜର ଭିନ୍ନ ଏକ
ନିଜସ୍ବତାରେ !
ସମୁଦ୍ରକୂଳିଆ ସନ୍ଧ୍ୟା ଜମି ଆସୁଥିବାବେଳେ ଅତନୁ ଘଡି ଦେଖି ଚମକି ପଡିଲା, ଶୁଭ୍ରା ଆସିବା ସମୟ ଗଡ଼ିଯାଇଛି ! ଏତେ ବିଳମ୍ବ କେବେ ତ ହୁଏନି ! ଅଥଚ ଆଜି ....?ତେବେ କଣ ଶୁଭ୍ରାର ଦେହ ଖରାପ? ଗତକାଲି ସେ ଦିହେଁ ଠିକ ଏଇଜାଗାରେ ବସିଥିଲେ ମୁହଁକୁମୁହଁ ଯୋଡି, ଗପିଥିଲେ କେତେକଥା, ଢେଙ୍କିଶାଳଠୁ ଢେଙ୍କାନାଳ ଯାଏ ।ଶୁଭ୍ରା କହିଥିଲା, ଅତନୁ ସମୁଦ୍ରକୁ ତମେ ଏତେ ଭଲ ପାଅ ଯେ ମୋତେ ବେଳେବେଳେ ଲାଗେ ସେ ମୋ ସଉତୁଣୀ ହେବନି ତ? ହସିଥିଲେ ଦିହେଁ ।
ଅତନୁ ବୁଝେଇଥିଲା ପାଣିକୁ ନେଇ ମଣିଷଙ୍କ ସାଇକୋଲଜି । ସେମାନେ ମିଶିକି ଦେଖୁଥିଲେ ସମୁଦ୍ର ଭିତରେ ମଣିଷର ଜଙ୍ଗଲ !
ନା' ଶୁଭ୍ରାର ଦେହ ଖରାପ ହେଇ ନ ପାରେ ।ତେବେ କଣ ସରପ୍ରାଇଜ ଦେବାପାଇଁ ଶୁଭ୍ରା ବିଳମ୍ବ କରୁଛି ଜାଣିଶୁଣି , କିନ୍ତୁ ଏମିତି ତ କେବେ ବିଳମ୍ବ ହୁଏନି ।ରୁଟିନ ଅନୁଯାୟୀ ତା ସାକ୍ଷାତ ନ ପାଇଲେ ଖୁବ ବିମର୍ଷବୋଧହୁଏ ଅତନୁକୁ ।
ଆଧୁନିକ ପରିପାଟିରେ ସଜ୍ଜିତ ଯୁବକ ଯୁବତୀ ଦି ଜଣ ଅତନୁର ସାମନାରେ ଚାଲିଗଲେ ।ଅତନୁ ଚାହିଁଲା ଓ ଖୁବ ନିସଙ୍ଗ ଅନୁଭବ କଲା ନିଜ ଭିତରେ ।ଶୁଭ୍ରାର ଅନୁପସ୍ଥିତିରେ ବିଚଳିତ ହୋଇପଡୁଥିଲା ସେ ।
ଇସ! ଅତନୁ ଚମକି ପଡିଲା , ଘଣ୍ଟାଏ ଡେରି !ଉଇଁ ଆସିଲାଣି ଚନ୍ଦ୍ର , ତାର ଉଜ୍ଜ୍ୱଳ , ଶୀତଳ କିରଣ ବିଛାଡି ହେଇ ପଡ଼ିଲାଣି ବେଳାଭୂଇଁରେ, ଝାଉଁ ବଣରେ । ତାକୁ ବସାକୁ ଫେରିବାକୁ ହେବ । ଅଗତ୍ୟା ସେ ଉଠିଲା ଭାରାକ୍ରାନ୍ତ ମନରେ । ସାଇକେଲ ଆଗକୁ ଆଗକୁ ଛୁଟି ଚାଲିଛି , ଅତନୁର ବସା ଅଭିମୁଖେ, ହେଲେ ଅତନୁର ମନରେ ଖୁବ ଦୁଃଖ ।ପୁଞ୍ଜି ପୁଞ୍ଜି ସ୍ମୃତି , ଶୁଭ୍ରାର
ପଶି ଆସୁଛି ମନକୁ ।
ଅତନୁ ଓ ଶୁଭ୍ରା ।
ଶୁଭ୍ରା ଓ ଅତନୁ ।ଇଣ୍ଟରମିଡ଼ିଏଟରୁ ଆରମ୍ଭ ହୋଇଥିବା ଦୁଇଟି ବିମୁଗ୍ଧ ବିଭୋର ତରୁଣ, ତରୁଣୀଙ୍କ ପ୍ରେମ କାହାଣୀ ସତେଜ ହୋଇ ଉଠୁଛି ଅତନୁର ମନରେ ।ଚିର ସବୁଜ , ରଙ୍ଗବୋଳା ସେ ସ୍ମୃତି । ଅତନୁର ମନେ ଅଛି, B.Sc ଆଡ଼ମିଶନ ବେଳର କଥା । ସେ ଫିଜିକ୍ସ ଅନର୍ସ ରଖିବାକୁ ଚାହୁଁଥିଲେ ବି ଶୁଭ୍ରାର ଅନୁରୋଧ ଏଡେଇନପାରି କେମିଷ୍ଟ୍ରି ନେଇଥିଲା । ଶୁଭ୍ରା ଥିଲା ଅତି ଦୁର୍ବଳ ଫିଜିକ୍ସରେ ।
କେମିଷ୍ଟ୍ରିରେ ଶୁଭ୍ରା ଓ ଅତନୁ B.Sc ଓ M.Sc ଶେଷକରି ପି.ଏଚ.ଡି ରେ ନାଁ ଲେଖେଇଥିଲେ ।
ଶୁଭ୍ରା ଓ ଅତନୁର ମନ ଓ ହୃଦୟ ଏକ ହୋଇଯାଇଥିଲା। ଶୁଭ୍ରାର ଶଙ୍ଖଶୁଭ୍ର ଦେହ, ଭସାଭସା ଆକ୍ଷି, ସବୁବେଳେ ଧାରେ ହସ ଲାଖିଥିବା ଓଠ କୁ କି ସହଜରେ ଏଡେଇହୁଏ?ଉଭୟେ ହସୁଥିଲେ, ବସୁଥିଲେ ଓ ଘୁରିବୁଲୁଥିଲେ ଆଖିରେ ଆକ୍ଷିଏ ସ୍ୱପ୍ନ ନେଇ ।କଳ୍ପନାର ସୌଧ ତୋଳିଥିଲେ ଦିହେଁ ଦିହିଙ୍କ ପାଇଁ !
ଅତନୁର ବିବେକ ଓ ମନ ଭିତରେ ସଂଘର୍ଷ ବି ହେଉଥିଲା , କେବେକେବେ । ବିବେକ ଚେତଉଥିଲା, ଅତନୁ ତୁ ଭୁଲ କରୁଚୁ ।ନାରୀ ମାୟାବିନୀ, ତାକୁ ସମ୍ପୂର୍ଣ ବିଶ୍ୱାସ କରିବା ଠିକ ନୁହେଁ ।ହୃଦୟ ଦେଇ ସମ୍ପୂର୍ଣ୍ଣ ସମର୍ପଣରେ ଭଲପାଇବା ଆଜିର ମେଟେରିଆଲିଷ୍ଟିକ ସମାଜରେ ଏକ ତୁଚ୍ଛା ଇମୋସ୍ନଲିଟି ବ୍ୟତୀତ ଅନ୍ୟ କିଛି ନୁହଁ !! ଅତନୁର ମନେ ପଡୁଥିଲା ଗାଁ, ଘର , ଯାବତୀୟ ଅସୁବିଧାର ଚଳଣି ।ପ୍ରାଇମେରୀ ସ୍କୁଲର ଟିଚର ବାପା, ସରଳ ବିଶ୍ୱାସୀ ପୁରୁଣା କାଳିଆ ବୋଉ , ଛୋଟ ଭାଇ ଭଉଣୀ ସମସ୍ତେ ତାକୁ ଅପେକ୍ଷା କରିଛନ୍ତି । ତା ଭବିଷ୍ୟତ ସେମାନଙ୍କ ପାଇଁ ନିରାପତ୍ତାର ପ୍ରତିଶ୍ରୁତି।
ଏ ସହରର ସମ୍ଭ୍ରାନ୍ତ ଘରର ଝିଅମାନେ ହୃଦୟ ଦେଇ କାହାକୁ ଭଲ ପାଆନ୍ତିନି ।ସେମାନେ ନିଜ ସ୍ୱାର୍ଥ ହାସଲ ପାଇଁ ତୋ ଭଳି ଇନୋସେଣ୍ଟ ମାନଙ୍କୁ ଭୁଲାଇ ନିଜ କାର୍ଯ୍ୟ ହାସଲ କରିନିଅନ୍ତି ।ତେଣୁ ତୋ ପାଇଁ ମଙ୍ଗଳ ହେବ , ଶୁଭ୍ରାକୁ ଭୁଲିଯିବାରେ , ତାଠୁ ଦୁରେଇଯିବାରେ! ମନ କିନ୍ତୁ ବିବେକ ସହ ଯୁକ୍ତି କରୁଥିଲା । ନା, ଶୁଭ୍ରା ଭଲ ଝିଅ, ତା ଛଡା ମୁଁ ତ ଗାଁ କି ଘରକୁ ଭୁଲିଯାଉନି, ଠିକ ଭାବେ ବି ପଢାପଢି କରୁଛି ।ତେବେ ଶୁଭ୍ରାକୁ ଭଲପାଇବାରେ ଭୁଲ କୋଉଠି ? ନା ନା ଶୁଭ୍ରା ଭଳି ଝିଅ ବିରଳ, ସେ କେବେ ବି ପ୍ରତାରଣା କରିବନି । ଏତେ ଶାନ୍ତ, ସରଳ ଛନ୍ଦୋବଦ୍ଧ ଝିଅଟି କଣ ଧୋକା ଦେଇପାରେ!!ଅଗତ୍ୟା ବିବେକ ଚୁପ ରହୁଥିଲା ।
***
ସମୟ ସହ ତାଳଦେଇ ସରିଆସୁଥିଲା ପି.ଏଚ.ଡି କାମ । ଥେସିସ ସଵମିଟ କରିବା ବାକି। ଦିନକର ସନ୍ଧ୍ୟା । ଲାବୋରେଟରୀ ରୁମ ଭିତରୁ କ୍ଲାନ୍ତ ମନ ନେଇ ଇଉନିଭରସିଟି ପାର୍କରେ ବସିଥିଲେ ଅତନୁ ଓ ଶୁଭ୍ରା ।ଶୁଭ୍ରା ହିଁ ପ୍ରଥମେ ଆରମ୍ଭ କଲା ,
--ଅତନୁ !
--ଉଁ, କଣ କହିବ, ଶୁଭ୍ରା?
--ତୁମେ ମୋତେ ଭଲପାଅ ଅତନୁ ?
ଅତନୁ ଚାହିଁଲା ଶୁଭ୍ରାର ମୁହଁକୁ ଓ ପୁଣି ଥରେ ଝାଉଁ ଗଛ ଫାଂକରୁ ଦେଖିଲା ଫେରି ଯାଉଥିବା ବର୍ଣିଳ ସୂର୍ଯ୍ୟଙ୍କୁ। ସ୍ୱାଭାବିକ ଭାବେ ଉତ୍ତର ଫେରେଇଲା, କଣ ବିଶ୍ୱାସ ହେଉନି ?
---ନ।ଇଁ ଯେ ! ଶୁଭ୍ରା ଚୁପ ରହିଲା ।
---ଶୁଭ୍ରା !
---ଉଁ
---ବୋଧେ ତୁମେ କିଛି କହିବାକୁ ଚାହୁଁଚ !
---ହଁ, ଅତନୁ ,ମୁଁ ନିଜ ଭିତରେ ଦୁଃଖୀ ପାଲଟି ଯାଉଛି।
---ମୁଁ ତ ଅଛି , ସାଥିରେ ।
---ଠିକ ଯେ, କିନ୍ତୁ....
----କିନ୍ତୁ ...??
---ଆଉ ଦି' ତିନି ମାସରେ ତ ତୁମେ ପି.ଏଚ.ଡି ପାଇଯିବ, ପ୍ରଫେସର କହୁଥିଲେ । ମୋର ତ କାମ ଠିକରେ ପ୍ରୋଗ୍ରେସ କରୁନି ।ତାପରେ ତୁମ ବିନା ମୁଁ କଣ ରିସର୍ଚ୍ଚରେ ଆଗକୁ ବଢି ପାରିବି! ତା' ଛଡା କେମିତି ମୁଁ ବିତେଇବି ଯେ ସମୟ ଏକାଏକା ତୁମ ଅନୁପସ୍ଥିତିରେ !
--ଓଃ, ଏଇ କଥା ? ପି.ଏଚ.ଡି ପରେ ବି ମୁଁ ଏଇଠି ରହିବି, ଏଇ ସହରରେ ମୋର ସେଇ ପୁରୁଣା ବସାଘରେ। ମୁଁ ତୁମ ପାଖରେ ଠିଆହେବି ସବୁକାଳେ , ସବୁ ପରିସ୍ଥିତିରେ ।
--- ମୋ କଥା ତ ଦେଖୁଛ , ଏ ପର୍ଯ୍ୟନ୍ତ ରିସର୍ଚ୍ଚର ଯାହା ଅବସ୍ଥା...
---ସେଥିରେ କଣ ଅଛି !ମୁଁ ତୁମକୁ ସାହାଯ୍ୟ କରିବିନି ?
--ସେ କଥ। କଣ ମୁଁ ମନା କରୁଛି ? ମୁଁ କହୁଛି କି ପିଏଚଡ଼ି ତୁମ ପାଇଁ କିଛି ବଡ଼ କଥା ନୁହଁ, ତମେ ଚାହିଁଲେ ,ଟିକେ ପ୍ରିପ।ର କଲେ
ଆଇଏଏସ ବି ପାଇପାରିବ ।ତେଣୁ ଗୋଟେ କଥା କହିବି , ମାଇଣ୍ଡ କରିବନି ତ?
ଅତନୁର ହାତ ଆଙ୍ଗୁଳିରେ ମୃଦୁ ଚାପ ଦେଲା ଶୁଭ୍ରା , ତା ଦେହ ଆଡକୁ ଆହୁରି ଲାଗି ଆସିଲା ।ଅତନୁ ଟିକେ ଉତ୍ତେଜିତ ହୋଇ ପଡ଼ିଲା, ତା ଦେହରେ ଶିହରଣ !
---ଶୁଭ୍ରା !
---ଅତନୁ !
---ମୋତେ ଖୋଲି କୁହ ଶୁଭ୍ରା ,ତମ ସବୁ କଥାରେ ମୁଁ ରାଜି ।ଥରିଲା ଥରିଲା ସ୍ୱର ଅତନୁର ।ଶୁଭ୍ରାର ଦେହରେ ଗୁଡେ଼ଇ ହେଇଯାଉଛି ଅତନୁ ।ଶୁଭ୍ରା ପାଟି ଖୋଲିଲା ସ୍ଥିର ସ୍ୱରରେ।
---ଅତନୁ, ଆମେ ମିଶିକି ଏକା ସମୟରେ ଥିସିସ ସଵମିଟ କରିବା , ସେ ପର୍ଯ୍ୟନ୍ତ ତୁମେ ମୋତେ ସହଯୋଗ କରିବ !
ଶୁଭ୍ରା କହିସାରିବା ପରେ ଅତନୁକୁ ଚାହିଁଲା । ଅତନୁ ଆଉ ନିଜ ଆୟତ୍ତରେ ନାହିଁ ! ଆଖପାଖରେ କେହି ନାହିଁ, ଲାବୋରେଟରୀ ରୁମ ବନ୍ଦ କରି ଅଟେଣ୍ଡାଣ୍ଟ ବୁଢା ବି ଚାଲିଗଲାଣି । ଝାଉଁଗଛ ଫ।ଙ୍କରୁ ଉଙ୍କିମାରୁଥିବା ଚନ୍ଦ୍ରକୁ ପିଠିକରି ଶୁଭ୍ରାର ମୁହଁ ନଇଁଆସିଲା ଅତନୁର ମୁହଁ ଆଡକୁ !!
***
ଧୀରେ ଧୀରେ ଅତନୁ ପଛରେ ପଡି ଯାଉଥିଲା । ଶୁଭ୍ରାର ଦେହର ଗନ୍ଧ ଆଛାଦିତ କରି ରଖିଥିଲା ତାକୁ ।ଆଗେଇଯାଉଥିଲା ଶୁଭ୍ରା ଅତନୁର ସହଯୋଗରେ ! ପ୍ରଥମେ ଶୁଭ୍ରାର ଥିସିସ ସବମିଟ ହେଲା । କି ଖୁସି ଶୁଭ୍ରାର !
କଂଗ୍ର।ଚୁଲେସନ ଜଣେଇଥିଲା ଅତନୁ ।
ଅତନୁ ଏବେ ବି ରିସର୍ଚ୍ଚ କରୁଛି , କେମିଷ୍ଟ୍ରିରେ !
ଶୁଭ୍ରା ତାକୁ ସାନ୍ନିଧ୍ୟ ଦଉଚି , ଖୋରାକ ଯୋଗାଉଛି !
ଅଥଚ ଆଜି ଶୁଭ୍ରା ଆସିଲାନି । ଏଇଟା ଯେ ଘୋର ବ୍ୟତିକ୍ରମ, ସୂର୍ଯ୍ୟ ନ ଉଇଁବା ଭଳି !
***
ସତରେ ସମୟର ଡେଣା ଅଛି ! ବିତିଗଲା ଅନେକ ଦିନରାତି ।ଅତନୁ ଖୋଜୁଥିଲା ଶୁଭ୍ରାର ସାନ୍ନିଧ୍ୟ । ଆସୁ ନ ଥିଲା ସେ, ଦିନ ପରେ ଦିନ କଟିଗଲା ଦି ମାସ ! ଅତନୁ ଫୋନ କଲା, ଚିଠି ଲେଖିଲା ଅଥଚ ଉତ୍ତର ନାଇଁ !ଅତନୁ ଉଦାସ ପାଲଟିଯାଉଥିଲା ଦିନକୁଦିନ । ଶୁଭ୍ରାର ସ୍ମୃତି ରୋମନ୍ଥନ କରୁକରୁ ରିସର୍ଚ୍ଚରେ ଆଗେଇ ପାରୁ ନଥିଲା ଅତନୁ ।
ଅତନୁ ଚିଠି ପାଇଲା ।ଶୁଭ୍ରାର ଚିଠି ଦେଖି ଆଶ୍ଚର୍ଯ୍ୟ ଓ ଆନନ୍ଦର ଫେଣ୍ଟ।ଫେଣ୍ଟି ଭାବ ତା' ମନରେ । ହଠାତ ଯେମିତି ତା ହୃଦୟରେ ପ୍ଲାବନ:ଶୁଭ୍ରାର ଚିଠିରେ ! ଅତନୁ ଚିଠି ଖୋଲିଲା ପୁଲକିତ ହୃଦୟରେ । ଅତନୁ ଚିଠି ଖୋଲିଲା ଭାବୁ ଭାବୁ, ଏତେଦିନ ଧରି ତେବେ କଣ ହେଇଥିଲା , ଶୁଭ୍ରାର !
ଅତନୁ !
ଦି' ମାସ ହେଇଗଲା, ଜାଣେ ମୋତେ ତମେ ଖୋଜୁଥିବ ଅତୀତକୁ ଜାବୁଡ଼ିଧରି, ଚନ୍ଦ୍ରକିରଣରେ, ସମୁଦ୍ରରେ ଅବା କ୍ୟାମ୍ପସର ଝାଉଁବଣରେ ! ଜାଣ ଅତନୁ , ଘରେ ମୁଁ ଏବେ ବନ୍ଦୀ । ମୋ ଚାରିପାଖରେ ଘୁରିଯାଉଛି ମୋ ବାପା ବୋଉ ତଥା ଆତ୍ମୀୟସ୍ୱଜନଙ୍କ ସଂଦେହୀ ଆକ୍ଷି! ହଁ ସେମାନେ ମୋର ପ୍ରତିଟି କଥା, ମୋ ଲେଖାପଢ଼ାଠୁ ଆରମ୍ଭ କରି ସମ୍ଭବତଃ ମୋ ମନର ଭାବନାପର୍ଯ୍ୟନ୍ତ ତନ୍ନତନ୍ନ କରି ପରୀକ୍ଷା କରୁଛନ୍ତି !ତୁମ ପାଖକୁ ଫୋନ କରିବା କିମ୍ବା ଚିଠି ଲେଖିବା ସମ୍ଭବ ହେଉନି । ହଁ କଥା କଣ ଜାଣ ! ସେମାନେ ମୋ ବାହାଘର ଠିକ କରିଦେଇଛନ୍ତି ଜଣେ ଇଞ୍ଜିନିଅରଙ୍କ ସହ ।ମୁଁ ପ୍ରତିବାଦ କଲି , ହେଲେ ସବୁ ନିଷ୍ଫଳ । ବୋଉର ଯୁକ୍ତି ଆଇ.ଏ.ଏସ ଖୋଜି ଖୋଜି ନୟାନ୍ତ ହେଲୁଣି,ଆଉ କେତେଦିନ ଝିଅକୁ ବୁଢ଼ୀ କରି ରଖିବୁ ! ସତରେ ମୁଁ କଣ ବୁଢ଼ୀ ହେଇଗଲିଣି ଅତନୁ !! ଛାଡ଼ , ତମ କଥା ବୋଉକୁ କହିଲି ।ତମେ ବେକାର ଅଛ ଶୁଣୁ ଶୁଣୁ ବୋଉ ତା' ଇଗୋତ୍ୱରେ ଅନ୍ଧ ହେଇ , କ୍ଲାସ ଫୋର, ଥ୍ରୀ, ଟୁ, ୱ।ନର ଗୋଟେ ଲମ୍ବା ଭାଷଣ ଶୁଣେଇଲା ।ମୁଁ ଜିଦ ଧରିବାରୁ ଏବେ କଡା ନଜରବନ୍ଦୀରେ । ଅସହାୟ ପିଞ୍ଜର।ବଦ୍ଧ ପକ୍ଷୀର କଣ ମୁକ୍ତିର ରାସ୍ତା ଅଛି ,ସତରେ ?
ପାରଯଦି କ୍ଷମା ଦେବ ।ମୋତେ ଭୁଲିଯାଇ ନୁଆଁ ଘରସଂସାର ଗଢ଼ିବ। ମୋଠୁ ଅନେକ ସୁନ୍ଦରୀ ଝିଅ ଏ ଦୁନିଆଁରେ ଅଛନ୍ତି । ବୁଢ଼ୀ ମା କଡ଼ ଲେଉଟାଇଲାଣି । ନିଦ ଭାଙ୍ଗିଗଲା କି କଣ ! ରାତି ଚାରିଟା ବାଜିଛି ଏଇନେ ।ଶେଷ ସମୟରେ ଦେଖା ହେଉନଥିବାରୁ ମୋ ଭିତରେ ଅଜସ୍ର ଦୁଃଖ । ମୋ ଜୀବନରେ ତୁମର ସାହାଯ୍ୟ ଓ ତ୍ୟାଗ ପାଇଁ ମୁଁ ଋଣୀ ।
ବିଦାୟ, ଅତନୁ !ଇତି।
---ଶୁଭ୍ରା
ଚିଠି ଶେଷ ହେବାବେଳକୁ ମୁଣ୍ଡ ଝାଇଁଝାଇଁ ମାରିଲାଣି ଅତନୁର ।ମନେହେଉଛି ଧସି ଯାଉଛି ପାଦତଳର ମାଟି ! ଅତନୁ ପାଗଳ ହେଇଯିବକି ଆଉ , କେମିତି ବଞ୍ଚିବ ସେ ଶୁଭ୍ରା ବିନା ! ଶୁଭ୍ରାବିନା ବଞ୍ଚିବା କଣ ସମ୍ଭବ ତା ପକ୍ଷରେ? ଠିକ ଯେମିତି ସୂର୍ଯ୍ୟକୁ ମନା କରାହଉଛି, ତୁ ଉଇଁଆସେନା ପୂର୍ବରେ, ଫୁଲକୁ ମନା କରାହଉଛି ବାସ୍ନା ନ ବାଣ୍ଟିବାକୁ , ନଈକୁ ମନା କରାହଉଛି କଳକଳ ହେଇ ବହିଯିବାକୁ!!
କେମିତି ବଞ୍ଚିବ ସେ ଶୁଭ୍ରାବିନା ! ସତରେ କଣ ଶୁଭ୍ରା ତାକୁ ଧୋକା ଦେଇଛି ? ବିଶ୍ୱାସଘାତକତା କରିଛି ତା'ସହ?? ସେ କଣ ଏଡେଇପାରିନଥାନ୍ତା ତା' ଡାଡି,ମମିଙ୍କ ନିଷ୍ପତିକୁ! ତେବେ ଆଜି ପର୍ଯ୍ୟନ୍ତ ଶୁଭ୍ରା କଣ ତା ସହିତ ଛଳନା କରୁଥିଲା ନିଜର ସ୍ୱାର୍ଥ ହାସଲପାଇଁ ?କିନ୍ତୁ ଶୁଭ୍ରା ପାଇଁ ସେ କଣ ତ୍ୟାଗ ନ କରିଛି, ସମୟ ଓ ସମ୍ମାନ ଏମିତିକି ପି.ଏଚ.ଡି ବି ତ୍ୟାଗ କରିଛି !କିଏ କଣ ଏତେ ପ୍ରତିଦାନ ଦିଏ ପ୍ରେମରେ, ଆଜିକାଲି ! କିନ୍ତୁ କେମିତି ବଞ୍ଚିବ ଅତନୁ ଶୁଭ୍ରା ବିନା ! ସତେଯେମିତି ଅପୂର୍ଣ ରହିଯିବ ଅତନୁର ସବୁକିଛି ଶୁଭ୍ରାକୁ ବାଦଦେଲେ !!
***
ବଜାରରୁ ଗୋଟେ ବିଷ କିଣି ଆଣିଲା ଅତନୁ ଅଧିକ ମୂଲ୍ୟଦେଇ ! ମରିବାପାଇଁ ବି ଲୋଡାପଡ଼େ କଳାବଜାରୀ !!ଅତନୁ ସେ ରାତିରେ ନିଜହାତରେ ରୋଷେଇ କଲା ପ୍ରିୟ ଖାଦ୍ୟ ବିରିୟାନି , ଚିକେନ୍ , ପେଟେ ଖାଇଲା ଓ ପେଟେଇ ପଡିଲା ବେଡ଼ଉପରେ ।
ଠିପି ଖୋଲିଲା ବିଷଶିଶିର ।ଏକ ଉତ୍କଟ ଗନ୍ଧ ଧକ୍କା ଖାଇଲା ତା' ନାକରେ । ସେ ତୀବ୍ରଗନ୍ଧ ସତେ ଯେପରି ଧକ୍କା ଖାଇଲା ଅତନୁର ବିବେକରେ ! ବିବେକ ଦ୍ୱାରଖୋଲି ଯେମିତି ଚେତେଇଦେଲା: ଅତନୁ, ତୁ କଣ କରିବାକୁ ଯାଉଛୁ?ଗୋଟେ ଝିଅ ପାଇଁ ଆତ୍ମହତ୍ୟା କରିବାଟା ମାନେ ହୁଏନା! ତୋ ଭଳି ଏକ ଜୁଏଲ ଏଭଳି ବୋକାମୀ କରିବା ଶୋଭାପାଉନି ! ବରଂ ତୁ ବଞ୍ଚି ରହି ପି.ଏଚ.ଡି ସାରି , ଆଇ.ଏ.ଏସ ପାଇଁ ଚେଷ୍ଟାକର ।
ଅତନୁ ପ୍ରକୃତିସ୍ଥ ହେଲା ! ବିଷ ଶିଶିକୁ ଢାଳିଦେଲା ଡ୍ରେନରେ ବଞ୍ଚିବାର ଆଗ୍ରହ ଭିତରେ , ଶୁଭ୍ରାକୁ ନିଜ ପାରିବାରପାଣିଆ ଦେଖେଇବା ଆଶାରେ !!
***
ଅତନୁ ପି.ଏଚ.ଡି ପାଇଲା । ଆଇ.ଏ.ଏସ ବି ପାଇଲା ।ତା ବୋଉ ଆଗରେ ଠିଆହେଲେ ଅନେକ ସୁନ୍ଦରୀଝିଅଙ୍କ ଡାଡି ,ମମି ମାନେ ।ତା ବାପାଙ୍କ ଆଗରେ ଗୋଡ଼ଭାଙ୍ଗି ଠିଆହେଲେ ସମ୍ଭ୍ରାନ୍ତ ବ୍ୟବସାୟୀମାନେ, ତା ବାପାଙ୍କ ସହ ଆଦରରେ ନାଲି ଚା' ପିଇଲେ ପଦସ୍ଥ ଅଧିକାରୀମାନେ କେବଳ ଅତନୁକୁ ପାଇବାପାଇଁ , ସେ ପ୍ରତିଯୋଗିତାରେ ଖର୍ଚ୍ଚହେଉପଛେ ଯେତେ ଟଙ୍କା, ଯେତେ ଦୀର୍ଘହେଉ ପଛେ ସେ ରାସ୍ତା !
ଅତନୁ ସବୁ ବୁଝିଲା ।ସେମାନେ ତାକୁ ଚାହୁଁନାହାନ୍ତି, ଚାହୁଁଛନ୍ତି ତା ଆଇ.ଏ.ଏସ ପଦବୀକୁ, ଯାହାବଳରେ ବ୍ୟବସାୟୀଙ୍କ ହାତ ଆହୁରି ପ୍ରସାରିତ ହେବ, ପଦସ୍ଥ ଅଫିସରଙ୍କ ବଢିବ ପ୍ରତିପତ୍ତି ଏବଂ ସୁନ୍ଦରୀଝିଅମାନଙ୍କ ଡାଡିମମି ମାନେ ଗର୍ବରେ ଛାତି ଫୁଲେଇ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିବେ ! ଅତନୁ କାହାକୁ କିଛି କହିଲାନି, ବ୍ୟସ୍ତ ନ ହେବାପାଇଁ ବୁଝେଇଲା ବାପାବୋଉଙ୍କୁ ।
ଅତନୁ ଶୁଭ୍ରାନିକଟକୁ ଚିଠି ଲେଖିବସିଲା ।
ଶୁଭ୍ରା,
ଦି ବର୍ଷ ବିତିଗଲା । ଜାଣେ, ତୁମେ ମୋତେ ଭୁଲିଯାଇଥିବ ଅନେକଦିନରୁ ।ଇଂଜିନିଅର ସ୍ୱାମୀର ନିରାପଦ ଛାତିରେ ତୁମେ ଭୁଲିଯାଇଥିବ ଆମ ଅତୀତର ସାକ୍ଷୀ ଝାଉଁବଣ, କୋଇଲି, ଚନ୍ଦ୍ର ଓ ସମୁଦ୍ରକୁ । ଏବେ ହୁଏତ ତୁମେ ଚନ୍ଦ୍ରକିରଣ ପାଇଁ ପାଗଳ ହୋଇ ଖୋଲୁ ନ ଥିବ ଘରର ଝରକା ପୁନେଇଁରାତିରେ ! ପବନ ବି ଏବେ ଆନମନା କରିପାରୁନଥିବ ତମକୁ ।ସତରେ ତୁମେ ଏବେ ଗୋଟେ ପରିପୂର୍ଣ୍ଣ ଜୀବନଭିତରେ ଅତୀତକୁ ସାଉଁଟି କି ଲାଭ ପାଇବ ଯେ !
କିନ୍ତୁ ଜାଣ ଶୁଭ୍ରା, ମୁଁ ତମକୁ ଭୁଲିପାରିଲିନି ! ଭୁଲିପାରିଲିନି ବୋଲି ତ ତୁମ କଥା ରଖି ପି.ଏଚ.ଡି ସାରିଲି, ଆଇ.ଏ.ଏସ ର ଗୋଟେ ପଦମର୍ଯ୍ୟାଦା ଭିତରେ ବାନ୍ଧି ହେଇଯିବାକୁ ପସନ୍ଦ କଲି !
ତେବେ, ଯଦିଓ ପ୍ରଚୁର ସୁବିଧା ହାତପାହାନ୍ତାରେ ତଥାପି ମୁଁ ତମ ଶେଷ ଇଚ୍ଛାକୁ ସମ୍ମାନଦେବାକୁ ଅସମର୍ଥ ।ବାସ୍ତବରେ ଅନେକ ସୁନ୍ଦରୀ ରାଜକୁମାରୀ ଗଜରାହାର ଧରି ଏବେ ଘୁରିବୁଲୁଛନ୍ତି ମୋ ପାଇଁ , କିନ୍ତୁ ମୁଁ କଣ କରୁଛି ଜାଣ ? ମୁଁ ଏବେ ବି ତମକୁ ଖୋଜୁଚି ସେଇ ରାଜକୁମାରୀମାନଙ୍କ ଭିତରେ, ଯଦିଓ ଭଲଭାବେ ଜାଣିଚି ସେଇ ନିଷ୍ଠୁର ସତ୍ୟକୁ ଯେ ତୁମକୁ ଆଉ ପାଇବାର ନାଇଁ ।।
ହଁ, ଏବେ ମୋ ଘରର ସମ୍ମାନ ଖୁବ ବଢିଯାଇଛି ଆମ ଅଂଚଳରେ !ପଦସ୍ଥ ଅଫିସର, ସମ୍ଭ୍ରାନ୍ତ ବ୍ୟବସାୟୀ ତଥା ପ୍ରତିଷ୍ଠିତ ରାଜନେତାଙ୍କ ଗହଳିଚହଳିରେ ମୋ ଘର ଉଠୁଛିପଡୁଛି।ସେମାନଙ୍କ ଵଶମ୍ବଦଭାବ ଦେଖି ମୁଁ ବାସ୍ତବରେ ଆଶ୍ଚର୍ଯ୍ୟଚକିତ ।ମୋ ପାଇଁ ଏବେ ଅନେକ ଖୋରାକ ହସିବାର , ନିଜ ଇଛାମୁତାବକ ରାଜକୁମାରୀଟେ ବାଛିନେବାର ପଥସୁଗମ ।
ତଥାପି ମୁଁ ନିରାସକ୍ତ, ବିଷର୍ଣ୍ଣ,କ୍ଲାନ୍ତ ହେଇପଡୁଛି କାହିଁକି ଯେ ? ବୋଉ ଜିଦ ଧରୁଛି ଏ ବର୍ଷ ମୋ' ବାହାଘର ସାରିଦେଵ !କିନ୍ତୁ ଜାଣ , ବୋଉର ଆଶା , ଆଶାରେ ହିଁ ରହିଯିବ ।ମୁଁ ବାହା ହେବିନି ! ଚମକି ପଡୁଛ କି ? କାହିଁକିର ଗୋଟେ ଉତ୍ତର ବି ଅଛି ।
ଏ ସ୍ୱାର୍ଥପର ଦୁନିଆଁରେ ମୋ ସ୍ଥାନ କେଉଁଠି ମୁଁ ଭଲଭାବେ ଜାଣିପାରୁଛି। ବୁଝିସାରିଛି ବି ସମାଜର ରୀତିନୀତି, ଚାଲିଚଳଣ ଓ ମିଛଲୋକାଚାରକୁ ! ସେଇଥିପାଇଁ ତ ମୁଁ ଚିରକୁମାର ରହି ଦେଶସେବା କରିବାକୁ ମନସ୍ଥ କରିଛି!!
ପିଞ୍ଜରାବଦ୍ଧ ପକ୍ଷୀର କଣ ମୁକ୍ତିଥାଏ ସତରେ? ତୁମେ ଠିକ ଲେଖିଥିଲ, ପିଞ୍ଜରାବଦ୍ଧ ପକ୍ଷୀର କେବେ ବି ମୁକ୍ତି ନ ଥାଏ । ଆକାଶ ଆଉ ନିର୍ଭୟ, ନିର୍ମେଘ ନୁହେଁ ଯେ ପକ୍ଷୀଟିଏ ଖୋଲିପାରିବ ତାର ମୁକ୍ତଡେଣା !
ସେଇଥିପାଇଁ ତ ପକ୍ଷୀକୁ ଏବେ ପିଞ୍ଜରାମୁକ୍ତ କରିଦେଲେ ବି ସେ ଉଡିଯାଏନାହିଁ ! ଏ ଆକାଶ ପ୍ରତି ତା' ମନରେ ପ୍ରଚୁର ଭୟ !!
ପାରଯଦି ଭୁଲିଯାଅ: ଏ କଥା ଲେଖିବାର ଆବଶ୍ୟକତା ମୋ ପାଇଁ ଏବେ ଅର୍ଥଶୂନ୍ୟ, ଅତଏବ ନିବୃତ୍ତ ରହୁଛି ସେଥିରୁ । ଇତି।
--ଅତନୁ ।
ଅତନୁ ମୁଦା ଲଫାଫା ଉପରେ ଠିକଣା ଲେଖିଲା ଶୁଭ୍ରାର ।ଗୋଟେ ତପ୍ତ ନିଃଶ୍ୱାସ ତା ହୃଦୟରୁ ବାହାରି ମିଳେଇଗଲା ଶୂନ୍ୟରେ !!