Siba Sankar Sahu

Classics Inspirational

3  

Siba Sankar Sahu

Classics Inspirational

ରୂପାନ୍ତର

ରୂପାନ୍ତର

6 mins
89



ଶଙ୍କର୍ଷଣ ହତଭମ୍ବ ପଲଟିଯାଉଛି ।ଠିଆହୋଇ ତା ଦେହ ବରଡ଼ା ପତ୍ର ଭଳି ଥରୁଛି ।ଏକ ଅସହାୟ କାକୁସ୍ଥ ଭାବ ସଂଚରି ଯାଉଛି ତା' ଦେହସାରା ।ମୁହଁରେ କରୁଣ ଭାବ ।ନିଜ ଭିତରେ ପ୍ରଚୁର ଅସହାୟତା ମାଡିବସୁଛି ତାକୁ ।ସମ୍ମୁଖରେ ତା' ଭାଇ ଗର୍ଜୁଛି, ସାକ୍ଷାତ ଯମ !ଆଉ ଟିକେ ପରେ ମାଡ଼ର୍ଷା କରିପାରେ ତା' ଉପରେ !

-- କିବେ ସତ କଥା କହୁଚୁ ନା କଣ ? ପୁଣିଥରେ ଦୋହରାଇଲା ଗୋପୀ । ତା' ସ୍ୱରରେ ମାଲିକ ପଣିଆର ଛାପ ।

ଶଙ୍କର୍ଷଣ କାକୁସ୍ଥ ହେଲା, ପୋଲିଓ ଯୋଗୁଁ ଦାନ୍ତକାଠି ସଦୃଶ ଦୁର୍ବଳ ତା'ର ଡାହାଣହାତ ପାପୁଲିକୁ ସେ ସୁସ୍ଥ ବାଁ ହାତ ପାପୁଲି ସହ ମିଶାଇଲା କରମର୍ଦ୍ଦନ କଲାଭଳି ।

ଡାହାଣ ଗୋଡ଼ ବି ପୋଲିଓ ପ୍ରଭାବିତ ।ଶରୀରର ଏଇ ଅସହାୟ ଅଙ୍ଗ ଦୁଇଟା ପ୍ରତି ଦୃଷ୍ଟି ଘୁରାଇନେଲା ଶଙ୍କର୍ଷଣ ।ଯୁପକାଠସ୍ଥ ବଳୀର ଅସହାୟତା ମୁଖମଣ୍ଡଳରେ ଖେଳାଇ ପୁଣି ଥରେ ସିଧା ଚାହିଁଲା ତା' ଭାଇର ମୁହଁକୁ ।ଗୋପୀ ମୁହଁରେ କ୍ରୋଧ ମିଶ୍ରିତ ତାସ୍ଛଲ୍ୟ ! 

ଶଙ୍କର୍ଷଣ ମୁହଁ ତଳକୁ କଲା ଯଥା ସମ୍ଭବ ମୁହଁ ତଳକୁ କରି କହିଲା , 'ଫେଲ ହେଇଗଲି'।

-'ଲାଜ ମାଡୁନି ତୋତେ ?କହିଲା କଣ ନା' ଫେଲ ହେଇଗଲି ' ଏକ ପୈଶାଚିକ ତାସ୍ଛଲ୍ୟ ଗୋପୀର ସ୍ୱରରେ ।

-ଆଉ କେତେ ଥରରେ ପାସ କରିବୁ ବେ , କହୁ କହୁ ଲାତଟିଏ ପକାଇଲା ଶଙ୍କର୍ଷଣର ଦେହରେ ।ପରେ ପରେ ଦି ଚାରିଟା ଚଟକଣି ବି ବସେଇଦେଲା ।

ଭୋ କରି କାନ୍ଦି ଉଠିଲା ଖଞ୍ଜ ଶଙ୍କର୍ଷଣ, ଅସହାୟ ଶଙ୍କର୍ଷଣ ।

''ପିଲାର ପେଖନା ଦେଖ ,ଫେଲ ହେଇଚି ପୁଣି କାନ୍ଦ ! କିରେ ମାଡକୁ ଯଦି ଏତେ ଡର ପାଠ ପଢୁନୁ ଠିକ ଠିକ, ପାସ କରିଯାଉନୁ ଠିକ ଠିକ । ସାତ କ୍ଲାସ ଉଠିବାକୁ ତ ଦି ବର୍ଷ ଲାଗିଥିଲା ପୁଣି ଆଠ କ୍ଲାସରେ ଫେଲ ! ଆହୁରି କୁକୁର ଭଳି ରଡି କରୁଛି !''

ଆଉ ଗୋଟିଏ ଲାତ ବସିଲା ଡାହାଣ ଗୋଡ଼ ଉପରେ । ଆଃ ! ଗୋଡଟା ସିଧା ବାହାରିଗଲା ଅଣ୍ଟାରୁ, ଠକ କରି । ରକ୍ତ ଯେ ରକ୍ତ ! ବୋଉ ଲୋ ....

ଧଡ଼କିନା ନିଦ ଭାଙ୍ଗିଗଲା ଶଙ୍କର୍ଷଣର । ସାରାଦେହ ଝାଳରେ ଓଦା। ଦେହ ଥରୁଚି ବରଡା ପତ୍ର ଭଳି ।ଅନ୍ଧାର ଭିତରେ ହିଁ ଅଣ୍ଡାଳି ପକେଇଲା ଡାହାଣ ଗୋଡ଼କୁ ।ଅଣ୍ଟାଠୁ ନେଇ ପାଦ ଆଙ୍ଗୁଳି ପର୍ଯ୍ୟନ୍ତ ହାତ ବୁଲାଇ ନେଲା ଅଛି ଅଛି ତା' ଗୋଡ଼ । ଅକର୍ମଣ୍ୟ ଗୋଡ଼ଟା ସେମିତି ହିଁ ଅଛି ! ସପନ କଥା ମନେ ପଡ଼ିଲା ଜଳଜଳ କରି ସବୁ ଦୃଶ୍ୟ! କେମିତି ଗୋଟେ ଭୟ ଲାଗିବାରୁ ସେ ଠିଆ ହେଲା ।କାନ୍ଥ ଅଣ୍ଡାଳି ଅଣ୍ଡାଳି ସୁଇଚ ଟିପିବା ବେଳକୁ ତା' ହାତ ଆଉ କାହା ହାତ ଉପରେ ପଡିଗଲା !

ଗୋପୀ ଠିଆ ହେଇଛି । 

କିରେ, ଏତେ ରାତିରେ କାଇଁ ବୋଉକୁ ଖୋଜୁଥିଲୁ ?

ତେବେ ତା ସପନର ଶେଷ ସଂଳାପ ଶୁଣିନେଇଛି ଗୋପୀ !

-ନାଇଁ, ଏମିତି ଗୋଟେ ସପନ ଦେଖିଲି ତ ।

-ତୁ ଟା ଦିନକୁଦିନ ଭାରି ଡରୁଆ ହେଇଗଲୁଣି । ଗୋପୀ ହାତଘଡି ବାହାରକରି ଦେଖିଲା ରାତି ତିନିଟା ।

-ହଉ ଶୋଇପଡେ । ଗୋପୀ ଲାଇଟ ବନ୍ଦ କରିଦେଲା ।

ଯା'ହେଉ , ସପନ ବିଷୟରେ କିଛି ପଚାରିନି ଗୋପୀ ।ଯଦି ସବୁକଥା ପଚାରିଥାନ୍ତା !

କି ସପନ ଦେଖିଲୁ, ସପନରେ କଣ ଡର କଥା ଦେଖିଲୁ ଯେ ବୋଉକୁ ଡାକିଲୁ -ଏ ସବୁର କି ଉତ୍ତର ଦେଇଥାନ୍ତା ସେ ! ଭଲ ହେଲା, ଛାଡ଼ ।

ସେ ପୁଣିଥରେ ଶୋଇବାକୁ ଚେଷ୍ଟାକଲା ।ନିଦ ଲାଗିଲାନି । ସପନ କଥା ମନେ ପଡୁଛି ବେଶୀ ବେଶି । 

ସେଇ ଅନ୍ଧାର ଭିତରେ ଭାବିବାକୁ ଲାଗିଲା ଗୋପୀ କଥା ।ଗୋପୀର ନିଦୁଆ ମୁହଁ ଭାରି ସୁନ୍ଦର ତେଣୁ ତାହା ଅସ୍ୱାଭାବିକ ମନେହୁଏ ଶଙ୍କର୍ଷଣକୁ ! ଅନ୍ୟ ସମୟର ରୁକ୍ଷ ମୁହଁ, ଘାଗଡା କଣ୍ଠସ୍ୱର ତଥା ସବୁବେଳେ ସଭିଙ୍କ ଉପରେ ଚିଡ଼ଚିଡ଼ ହେବା ଅଭ୍ୟାସ ହିଁ ତାର ସ୍ଵାଭାବିକତା, ଯାହାକି ସମ୍ପୂର୍ଣ୍ଣ ରୂପେ ଦୂରେଇଯାଏ ସେ ଶୋଇଥିବାବେଳେ ! ଅନେକ ଥର ଶଙ୍କର୍ଷଣ ଦେଖିଛି ଗୋପୀର ମୁହଁ ଶୋଇଥିବାବେଳେ। ସେ ମୁହଁ ସୁନ୍ଦର, ଭଦ୍ର , ଅଥଚ ଅନ୍ୟ ସମୟରେ ସେ ଏମିତି ରୁକ୍ଷ ଓ ଅଭଦ୍ର ପାଲଟେ କାହିଁକି ଯେ !!

ଗୋପୀ ଘୁଙ୍ଗୁଡ଼ି ମାରିଲାଣି ସମ୍ପୂର୍ଣ୍ଣ ହଜିଗଲାଣି ନିଦର କୋଳରେ !

ଗୋପୀ ଶଙ୍କର୍ଷଣର ସାନଭାଇ ଅଥଚ ତାର ମାଲିକ ପଣିଆ ଦେଖାଏ ଘରେ ସମସ୍ତଙ୍କ ଉପରେ ! ଶଙ୍କର୍ଷଣର ସବୁଠୁ ବେଶୀ ଭୟ ଗୋପୀକୁ ।ଭୟ କଥାଟା ମନକୁ ଆସିବା ମାତ୍ରେ ସପନଟା ପୁଣି ତାକୁ ଦେଖାଗଲା। ରାତି ପାହିଲେ ରେଜଲଟ । ସପନ କଥା ଯଦି ସତ ହେଇଯାଏ ! ନିଜ ଭାବନାରେ ନିଜେ ଶିହରିଉଠିଲା ଶଙ୍କର୍ଷଣ ! ସାତ କ୍ଲାସ ପାସ କରିବାକୁ ଦି' ବର୍ଷ ଲାଗିଥିଲା ।ସେ ଥର କେତେ ମାଡ଼ଗାଳି ସହିଛି ଘରୁ ! ଗୋପୀ ତ ଗୋଟେ ପାଞ୍ଚଣରେ ପିଟିଥିଲା, ସେ କାନ୍ଦି ବି କାନ୍ଦି ପାରିନଥିଲା !! ବୋଉ ବି ଗୋପୀକୁ କିଛି କହେନି। ବରଂ ତାକୁ ବୁଦ୍ଧିଆ , ଚାଲାକ ବୋଲି କହେ । ବାପା ଯାହା ଭଲ ଖାଇବା ଜିନିଷ ଆଣନ୍ତି, ବୋଉ ସେଥିରୁ ବଡ଼ଭାଗ ଦିଏ ଗୋପୀକୁ । ନୁଆଁ ନୁଆଁ ଡ୍ରେସପଟା ବି ହୁଏ ଗୋପୀପାଇଁ ଅଥଚ ସବୁ ଅବହେଳା ଶଙ୍କର୍ଷଣ ବେଳକୁ !! ଶଙ୍କର୍ଷଣ କିଛି ବୁଝିପାରେ ନାହିଁ ଏସବୁ କଥା ଭାବିଲେ ତା' ମୁଣ୍ଡ ଗୋଳମାଳ ହେଇଯାଏ ।ଆଖି ବଡ଼ ବଡ଼ ହେଇଯାଏ ଆଉ ସେଥିରେ ତା ଅସହାୟତା ଫୁଟିଉଠେ !

ଗୋପୀ ଭଲ ପଢେ । ବୋଉ କହେ , ଭଲ ପଢ଼ୁଥିବା ପିଲାଙ୍କୁ ସବୁକିଛି ଭଲ ଜିନିଷ ଦିଆଯାଏ, କାରଣ ସେମାନେ ଭଲ !

ଶଙ୍କର୍ଷଣ ବୁଝିପାରେ ନାହିଁ ।ଭଲପଢୁଥିବା ପିଲାମାନେ କଣ ଘରେ ଅଯଥାରେ ପାଟିତୁଣ୍ଡ କରନ୍ତି ! ବଡଭାଇ ଅସହାୟ ହେଇଥିଲେ ତାକୁ ପିଟନ୍ତି ? ମାଲିକପଣିଆ ଦେଖାନ୍ତି ? ତା' ନାଁରେ ମିଛସତ ଯୋଡି ବୋଉ ଓ ବାପାଙ୍କ ଠାରୁ ଗାଳିମାଡ଼ ଖୁଆନ୍ତି??

ଭଲପଢ଼ୁଥିବା ପିଲାଏ ଯେ ସବୁଦୃଷ୍ଟିରୁ ଭଲ, ବୋଉର ଏ କଥାକୁ ମନଭିତରେ ସମ୍ମାନଦେଇ ଗ୍ରହଣ କରିପାରେନି ଶଙ୍କର୍ଷଣ !

ଶଙ୍କର୍ଷଣ ଦ୍ୱାରା ଭଲ ପାଠ ହୁଏନି କିନ୍ତୁ ସେ ଜାଣେ ସାନମାନେ ବଡଙ୍କୁ ସମ୍ମାନ ଦେବା ଉଚିତ ।ହେଇ ଅଳ୍ପଦିନ ତଳେ ତାଙ୍କ ସ୍କୁଲ ଫଙ୍କସନରେ ଅତିଥିମାନେ କହିଲେ, ବାପା ମା'ଙ୍କୁ, ଗୁରୁଜନଙ୍କୁ, ବଡ଼ଭାଇଭଉଣୀଙ୍କୁ ସମ୍ମାନ ଦେବା ଉଚିତ। ସେମାନଙ୍କୁ ଭଦ୍ର ଓ ନମ୍ର ବ୍ୟବହାର ଦେଖାଇବା ଉଚିତ ।ସେମାନଙ୍କ ମନରେ କଷ୍ଟଦେବା ଉଚିତ ନୁହଁ ।ତା'ହେଲେ ଗୋପୀ ତାକୁ ପିଟେ କେମିତି ?ଗୋଟେ ଭଲ ଷ୍ଟୁଡେଣ୍ଟ ହୋଇବି କାହିଁକି ଗ୍ରହଣ କରେନି ବଡମାନଙ୍କ ଉପଦେଶ !!

ଶଙ୍କର୍ଷଣର ମନ ବିମର୍ଷରେ ଭରିଗଲା ।ଦିନକୁଦିନ ନିଜଭିତରେ କେମିତି ନିଃଶେଷ ହୋଇଯାଉଛି ସେ- ସଲିତାଟେ ଭଳି ! ବୋଉ ବାପା ତାକୁ କେବେ ଭଲ ପାଆନ୍ତିନାହିଁ, ଆଦରକରି କୋଳେଇ ନିଅନ୍ତିନି ।ସବୁ ସ୍ନେହ ଅଜାଡିଦିଅନ୍ତି ଗୋପୀଉପରେ , ସତେ ଯେମିତି ଶଙ୍କର୍ଷଣ ତାଙ୍କର ପୁଅ ନୁହେଁ !

ଚମକି ପଡିଲା ଶଙ୍କର୍ଷଣ !ସତେ କଣ ସେ ତାଙ୍କର ଜନ୍ମ କଲା ପୁଅ ନୁହେଁ । ନିଜ ଭିତରେ କେମିତି ଗୋଳେଇଘାଣ୍ଟି ହେଲା ମନଟା ।ମଥିତ ହେଇଗଲା ହୃଦୟ-ଖଞ୍ଜ ଶଙ୍କର୍ଷଣର !!

***

 ଛାତି ଧଡପଡ ହେଉଛି ଶଙ୍କର୍ଷଣର !ସେ ମୁଣ୍ଡପୋତି ଭୂଇଁରେ ଗାର ଟାଣୁଛି ।ବେଳେବେଳେ ମୁଣ୍ଡ ଉଠାଇ ପ୍ରଧାନଶିକ୍ଷକଙ୍କ ଆଡକୁ ଚାହୁଁଛି ।ହୃତସ୍ପନ୍ଦନ ବଢିଯାଉଛି ତାର ।କେତେବେଳେ ସାର ରେଜଲଟ ଘୋଷଣା କରିବେ , ସେ ପାସ କରିଯିବ ତ!

ପିଲାମାନଙ୍କ କୋଳାହଳ, ଫୁସଫାସ ସବୁ ବନ୍ଦ ।ପ୍ରଧାନଶିକ୍ଷକ ପଢି ଚାଲିଛନ୍ତି ପାସ କରିଥିବା ପିଲାଙ୍କ ନାଁ । ଶଙ୍କର୍ଷଣ କାନେଇଛି ।

ପ୍ରଧାନଶିକ୍ଷକଙ୍କ ସ୍ୱର ବ୍ୟତୀତ ଆଉ କିଛି ଶୁଣାଯାଉନି ତାକୁ ।ସତେ ଯେମିତି ତା' ପାଇଁ ବନ୍ଦ ହୋଇଯାଇଛି ପୃଥିବୀର ସବୁ ସ୍ୱର, ସବୁ କୋଳାହଳ ! ପାସ କରିଥିବା ପିଲାଙ୍କ ଖୁସିଗପ, ଶିକ୍ଷକମାନଙ୍କ ଗମ୍ଭୀରଭାବ, ନିକଟସ୍ଥ ପାନଦୋକାନରୁ ଭାସି ଆସୁଥିବା ଟେପରେକର୍ଡର ସଙ୍ଗୀତ -କୌଣସିଟି କଥା ପଶୁନି ତା ମୁଣ୍ଡରେ ।

-ଶଙ୍କର୍ଷଣ ଦାସ, ସତେଇଶି ।

ଦୀର୍ଘଶ୍ଵାସଟିଏ ବାହାରିଗଲା। ତା ଉପରେ ଛବିଶି ପିଲା ଥାଆନ୍ତୁ ପଛେ, ସେ ତ ପାସ କରିଛି ! ଗୋପୀର ମାଡ଼, ବୋଉର ଗାଳିଠୁ ତ ରକ୍ଷା ମିଳିଛି ! ଶଙ୍କର୍ଷଣ ମୁହଁରେ ସ୍ଵାଭାବିକତା ଫୁଟି ଉଠିଲା । ତା ଚାରିପଟେ ଏବେ ପୃଥିବୀଯାକର କୋଳାହଳ !! 

ଆଗରୁ ଘରେ କିଏ ଖବରଟା ଦେଇଯାଇଛି ! ଗୋପୀ ମୁହଁରେ ଅସ୍ୱାଭାବିକ ନୀରବତା ।

ମା' ବାରିପଟେ କାର୍ଯ୍ୟବ୍ୟସ୍ତ ।ଘରଭିତରେ ପାଦ ରଖିଲା ଶଙ୍କର୍ଷଣ । ଗୋପୀ ମୁହଁକୁ ଚାହିଁଲା । ମନେହେଲା, ସେ ପାସ ହେଇଥିବାରୁ ଗୋପୀ ଖୁସି ନୁହେଁ ।ଗୋପୀ ବୋଧେ ଭାବିଥିବ-ଶଙ୍କର୍ଷଣ ନିଶ୍ଚେ ଫେଲ ହେବ ଏବଂ ତାକୁ କେମିତି ଧମକାଇବ ଯୋଜନା କଲାବେଳକୁ ଶଙ୍କର୍ଷଣର ପାସ ଖବର ନିଶ୍ଚୟ ତାକୁ ଉଦାସ କରିଦେଇଛି!

ଶଙ୍କର୍ଷଣ ବି ଉଦାସ ପାଲଟିଗଲା ।ଗୋଟେ ଭୟଙ୍କର ନୀରବତା ତା' ପଛେପଛେ ଗୋଡଉଛି ଯେମିତି ! ନିଜ ଭିତରେ ଖୁସି ଅନୁଭବ କରିପାରୁନି ସେ !!

-ବୋଉ !

-କଣ ହେଲା କି'ରେ?

-ମୁଁ ପାସ କରିଛି ବୋଉ । ଯଥାସମ୍ଭବ ସ୍ୱାଭାବିକ ସ୍ୱରରେ କହିଲା ଶଙ୍କର୍ଷଣ ।

- କଣ ହେଇଗଲା ସେଇଠୁ, ଏମିତି ହିନୀମାନିଆ ପାସ ତ କେତେ ହେଇଥିବେ ।

ସବୁ ଉତ୍ସାହ ମଉଳିଗଲା ଶଙ୍କର୍ଷଣର ।ଡହକୁଥିବା ଅଙ୍ଗାରରେ କିଏ ଯେମିତି ପାଣି ଛାଟିଦେଲା !

ଶଙ୍କର୍ଷଣ କ୍ଷଣେ ଚୁପ ରହିଲା । 

ନା' ଆଉ ନୁହେଁ ।

ଗୋଟେ ସମାଧାନ ଦରକାର। ନିଜକୁ ପ୍ରସ୍ତୁତ କଲା , ଝଡକୁ ସାମନା କରିବାର ଦମ୍ଭ ତା' ମୁହଁରେ !

- ବୋଉ ! ଶଙ୍କର୍ଷଣର ଭିନ୍ନଏକ ସ୍ୱରରେ ଥମକି ଠିଆହେଲା ତା' ବୋଉ ।ଚାହିଁଲା ଶଙ୍କର୍ଷଣର ମୁହଁକୁ ।ଗୋଟେ ଆଲୁଅ ଛାଇ ଯାଉଛି ତା'ମୁହଁସାରା ! ଫୁଟନ୍ତା ତେଜରେ ଜଳିଯିବ କି ସେ !!

- ସତେ କଣ ମୁଁ ତୋ' ପୁଅ ନୁହେଁ ? ଅନେକଦିନର ପୁଞ୍ଜିଭୁତ ବେଦନା ସାହସର ରୂପନେଲା ଶଙ୍କର୍ଷଣର ମୁହଁରେ। ତା ବୋଉ ଚାହିଁଲା ଓ ଅନୁଭବ କଲା ଏକ ଅଜଣା ଭୟ ନିଜଭିତରେ।

ଶଙ୍କର୍ଷଣର ପ୍ରଶ୍ନବାଣ ଜର୍ଜ୍ଜରିତ କରୁଛି ତାକୁ ।ନିଜକୁ କେମିତି ଛୋଟ ମନେହେଲା। ଏ ହୀନମନ୍ୟତା ପାଇଁ ସେ ନିଜେ ହିଁ ଦାୟୀ ।ସେ ଯେ ଗୋପୀକୁ ସବୁଥିରେ ଅଗ୍ରାଧିକାର ଦିଏ ଓ ଶଙ୍କର୍ଷଣକୁ ଅବହେଳା କରେ-ଏ କଥା ଭାବି ତା ମୁଣ୍ଡ ଲାଜରେ ତଳକୁ ହେଇଗଲା ।

ଶଙ୍କର୍ଷଣର ପ୍ରଶ୍ନ ଘାଇଲା କରୁଛି ତାକୁ । ଏଥିରୁ ମୁକ୍ତି ପାଇବାକୁ ଶଙ୍କର୍ଷଣର ହିଁ ଆଶ୍ରୟ ଦରକାର ।ହଁ, ଶଙ୍କର୍ଷଣକୁ ଫେରେଇବାକୁ ହେବ ତା ଅଧିକାର । ବିଚଳିତ ହେଇପଡ଼ିଲା ସେ ।ଅନୁଭବ କଲା ପ୍ରକୃତ ମା'ର ସ୍ୱରୂପ ! 

ଦି' ପୁଅଙ୍କୁ ନେଇ ପକ୍ଷପାତ ବ୍ୟବହାର-ଏ କଥା ଭାବି ହଠାତ ତା ମୁଣ୍ଡ ତଳକୁ ହୋଇଗଲା ।ଅନୁଭବ କଲା ସେ ' ଏତେଟିକେ ହେଇଯାଉଛି , ନିଜ ଭିତରେ!!

- ହଁ ହଁ , ତୁ' ମୋ' ପୁଅ । ମୋ ଜନ୍ମ କଲା ପୁଅ । ଆଜି ମୁଁ ବୁଝୁଛି ମା ଅର୍ଥର ବ୍ୟାପକତା। ତା'ବୋଉର ଆକ୍ଷିରେ ଅଜସ୍ର ଲୁହର ଧାରା ।

-'ବୋଉ' - ଶଙ୍କର୍ଷଣ ଲୋଟିପଡ଼ିଲା ବୋଉର ସ୍ନେହସିକ୍ତ କୋଳରେ । ତା' ହୃଦୟରେ ଭିନ୍ନଏକ ପୃଥିବୀରେ ପହଞ୍ଚିଯାଇଥିବାର ଅସରନ୍ତି ସୁଖ ।



Rate this content
Log in

Similar oriya story from Classics