ଭିନ୍ନ ଏକ ପ୍ରେମ ଦିବସ
ଭିନ୍ନ ଏକ ପ୍ରେମ ଦିବସ


ସେଦିନ ବସ୍ ଭିତରେ ଯୁବକଯୁବତୀ ମାନେ ନାହିଁ ନ ଥିବା ଉତ୍ପାତ କରିବାରେ ଲାଗିଥିଲେ। ପରସ୍ପର କୁ ଥଟ୍ଟାତାମସା କରିବା ସହିତ ଗୋଲାପ,ଚକୋଲେଟ୍ ଆଦି ଉପହାର ଦେଇ ନିଜ ପ୍ରେମର ଅଭିବ୍ଯକ୍ତି କରିବାରେ କୌଣସି ପ୍ରକାରରେ ଅବହେଳା କରିବାପରି ଲାଗୁ ନ ଥିଲା। ସତେକି, ପ୍ରେମସମୁଦ୍ରରେ ନିଜକୁ ବୁଡାଇ ନିଶ୍ଚିହ୍ନ କରିଦେବାକୁ ସେମାନେ ବଦ୍ଧପରିକର ଥିଲେ।
ଜଣେ ଯୁବତୀ ବୃଦ୍ଧଡ୍ରାଇଭରଙ୍କୁ ଆକ୍ଷେପ କରି କହିଲା- - ହୋଃ ମଉସା, ତୁମେ କଣ ଜାଣିନ କି ? ଆଜି ପରା ଭାଲେଣ୍ଟାଇନ୍ ଡେ, ମାନେ ପ୍ରେମଦିବସ। ପରସ୍ପର ପ୍ରତି ପ୍ରେମଭାବ ପ୍ରଦର୍ଶନ କରିବାର ଏକମାତ୍ର ଦିବସ। ଆମେ ସବୁ ଏତେ ରୋମାଣ୍ଟିକ୍ ମୁଡ୍ ରେ ଏନଜୟ କରିବାକୁ ଭାବିଲା ବେଳକୁ, ଏ ପୁରୁଣାକାଳିଆ ଗୀତ ଲଗାଇ କାହିଁକି ବୋର୍ କରୁଛ? " ଏ ମେରେ ବତନ୍ କି ଲୋଗୋ " ଗୀତ ତ ସ୍ବାଧିନତା ଦିବସ ବା ସାଧାରଣତନ୍ତ୍ର ଦିବସ ରେ ବାଜିବା କଥା, ଆଜି କାହିଁକି ବଜାଉଛ? ଗୋଟେ ଜମାଣିଆ ଆଧୁନିକ ପ୍ରେମ ସଙ୍ଗୀତ ବଜାଇ,ଏ ଭାଲେଣ୍ଟଇନ୍ ଦିବସ କୁ ସାର୍ଥକ କରିଦିଅ। ସେ ଯୁବତୀ ସାଙ୍ଗରେ ଅନ୍ଯ ଯୁବକଯୁବତୀ ମାନେ ପାଳି ଧରି ଗୀତ ବଦଳାଇବାକୁ ଚିତ୍କାର କରିବାକୁ ଲାଗିଲେ।
ରାସ୍ତାକଡରେ ବସ୍ ଛିଡା କରିଦେଇ ବୃଦ୍ଧ ଡ୍ରାଇଭର ଜଣକ ଧିର ପଦକ୍ଷେପରେ ସେମାନଙ୍କ ପାଖକୁ ଆସି କହିଲେ- -- ମୋତେ କ୍ଷମା କରିବ ପିଲାମାନେ। ତୁମମାନଙ୍କୁ ବିରକ୍ତ କରିବା ଲକ୍ଷ୍ଯରେ ମୁଁ ଏ ଗୀତ ବଜାଉନି। କଥା କଣକି, ଆଜିଦିନରେ ମୋର ଏକମାତ୍ର ପୁଅ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ଶହୀଦ ହୋଇ ଯାଇଥିଲା। ତୁମରି ବୟସର ହୋଇଥିଲା ସେ। ତୁମମାନଙ୍କୁ ଦେଖି ମୋ ପୁଅ କଥା ମନେ ପଡିଗଲା ତ, ସେଥିପାଇଁ ତା ମନପସନ୍ଦର ଗୀତ ବଜେଇଦେଲି। ତୁମେ ବ୍ଯସ୍ତ ହୁଅନି, ଏଇ ସାଙ୍ଗେସାଙ୍ଗେ ମୁଁ ଗୀତ ବଦଳାଇ ଦେଉଛି।
ଏତିକି କହିବା ବେଳକୁ, ବୃଦ୍ଧଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା ଓ ଶୁଷ୍କ ଶ୍ମଶୃପୂର୍ଣ୍ଣ ମୁଖମଣ୍ଡଳରେ ଅସହ୍ଯ ଦୁଃଖ ଓ ବେଦନାର ଚିହ୍ନ ସ୍ପଷ୍ଟ ଦିଶି ଯାଉଥିଲା।
ଲୁହ ଛଳଛଳ ଆଖିରେ ବୃଦ୍ଧ ଡ୍ରାଇଭର ଗାଡିରୁ ଓହ୍ଲାଇବାକୁ ଉଦ୍ଯତ ହେବା ସମୟରେ ସେହି ଯୁବତୀ ତାଙ୍କ ଗୋଡ ତଳେ ଏକ ଗୋଲାପଫୁଲ ରଖି ପ୍ରଣାମ କଲା ଓ ତାଙ୍କ ପକେଟ୍ ରେ ଏକ ଚକୋଲେଟ୍ ପ୍ଯାକେଟ୍ ରଖି, ନିଜର ସମସ୍ତ ଶକ୍ତି ଖଟାଇ ହୁଁକାର ନାଦକଲା- - ଭାରତ ମାତା କି ଜୟ....ପୁଲଓ୍ବାମା ଶହୀଦ୍ ଅମର ରହେ...ବନ୍ଦେ ମାତରମ୍। ଯୁବତୀର ସ୍ବରରେ କି ଯାଦୁଥିଲା କେଜାଣି, ବସ୍ ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଏକସ୍ବରରେ ଘୋଷଣା କରିବାକୁ ଲାଗିଲେ- - ଭାରତମାତା କି ଜୟ....ଫୁଲଓ୍ବାମା ଶହୀଦ୍ ଅମର ରହେ...ବନ୍ଦେ ମାତରମ୍।
ଶହୀଦ୍ ଜଓ୍ବାନ୍ ଓ ଦେଶମାତୃକା ପ୍ରତି ଥିବା ଅନାବିଳ ପ୍ରେମ ଓ ଭକ୍ତି ପ୍ରଦର୍ଶନପୂର୍ବକ ବସ୍ ରେ ଉପସ୍ଥିତ ଯାତ୍ରୀମାନେ ସେଦିନ ପାଳିଥିଲେ ପ୍ରେମଦିବସ ଏକ ନିଆରା ଢଙ୍ଗରେ । ଜଣଜଣ କରି ଭେଟି ଚାଲିଥିଲେ ପ୍ରେମର ନିଦର୍ଶନ ସ୍ବରୂପ ଗୋଲାପଫୁଲ ସେହି ଅମର ଶହୀଦ୍ ଙ୍କ ଫଟୋଚିତ୍ରରେ, ଯାହା ବୃଦ୍ଧ ଡ୍ରାଇଭର ବସ୍ ର କ୍ଯାବିନ୍ ଭିତରେ ଯତ୍ନ ସହକାରେ ରଖିଥିଲେ।
ତା ସହିତ ତାଳ ଦେଇ ବାଜି ଚାଲିଥିଲା " ଏ ମେରେ ବତନ କେ ଲୋଗୋ” ଗୀତ, ଯାହା ପଥର ଆଖିରୁ ମଧ୍ଯ ଲୋତକବର୍ଷା କରାଇ ଦେବାର କ୍ଷମତା ଧାରଣ କରେ।