ଭିକାରୀ ବୁଢା
ଭିକାରୀ ବୁଢା




ବାବୁ ! ବାବୁ ! ବାବୁ ! “- କାହାର ଦରଦଭରା କ୍ରନ୍ଦନଭରା ଡ଼ାକରେ ସମୀର ସାରଙ୍କ ସୁଖ ନିଦ୍ରାରେ ବିରାମ ଘଟିଲା । ରାଗ ଆସୁଥିଲେ ବି ଆଖିକୁ ମଳି ମଳି କଣେଇ ଦେଖିଲେ ଜଣେ ବୁଢା ଅଧା ଫୁଙ୍ଗୁଳା ଧୋବ ଫରଫର ନୁଖୁରା ବାଳଧାରୀ ଏକଦମ ତନୁ ପାତଳା ରୋଗା ଗଳିତ ଚର୍ମଚାରି ଗାଁର ବୁରୁନ୍ଦା ମାମୁଁ ପରି ଲମ୍ବା ଲମ୍ବା ପାପୁଲିକୁ ପ୍ରସାରୀ –ପତେଇ ବସିଛି । ମା’ର କଥା ମନେ ପଡିଲା ଯାହା ସେ ସବୁବେଳେ ସାନ ଭାଇ ଭଉଣୀ ମାନଙ୍କ ଆଗରେ ଗର୍ବରେ ବର୍ଣ୍ଣନା କରୁଥାଏ ।” ସମୀର ଶୋଇଥିଲେ ହସୁଥାଏ । ତା’ର ହସକୁରା ନିଦଭରା ମୁଁହକୁ ଦେଖିଲେ ଭିକାରୀର ବି ମନ ପୁରିଯିବ ।”
ମନେ ହେଲା ମା’ର କାଳ୍ପନିକ କଳ୍ପନା ଜଳ୍ପନା ବୁଢା ଭିକାରୀକୁ କେମିତି ଜଣା ?ଶୋଇଥିବା ସମୀର ସାରଙ୍କ ଶାନ୍ତ ପ୍ରଶାନ୍ତ ମୁଖମଣ୍ଡଳରୁ ବୁଢା ଭିକାରୀଟା କ’ଣ ଯେମିତି ମନା ନ କରିବାର ସୁରାକ ପାଇଛି ପ୍ରାୟ । ଦୁନିଆ ଜାକର ଲୋକେ ମନା କରୁଥିବା ବେଳେ ଶୋଇଥିବା ସମୀର ସାରଙ୍କ ବଦାନ୍ୟତାର ଜଣେ ବିଦଗ୍ଧ ମାନସ୍ତ୍ଵତବିତ । ପୁଣି ମନକୁ ଆସିଲା ଏ ବିଶାଳ ହଟିଆ ରେଳ ଷ୍ଟେସନରେ ଅଗଣିତ ଯାତ୍ରୀଙ୍କ ଭିତରେ ସେ ଜଣେ ଦାମୀ ନାମୀ ବାଦଶାହା .......
ନିଜ ଭାବନାବେଗକୁ ଲଗାମ ସାର ଦେଲେ । ଏୟାର ବ୍ୟାଗରୁ ଅଣ୍ଡାଳି ଅଣ୍ଡାଳି ପାଞ୍ଚ ଟଙ୍କା ଦେଲେ । ଦେଲା ବେଳେ ଭାବୁଥିଲେ ଟଙ୍କେ ଦେଇଥିଲେ ଚଳିଥାନ୍ତା । ମାତ୍ର ରାଗ ବି ଲାଗିଲା । ଟଙ୍କା କିଆ କଏନ ଟା ହାତରେ ପଡିଲାନି । ଖୁଚୁରା ପଇସାର ଘୋର ଅଭାବ । ରାଗ ବି ଲାଗିଲା ସରକାର ଆଉ ଆରବିଆଇର ମୁଦ୍ରା ନୀତି ଉପରେ ।
ବୁଢା ଭିକାରୀ ଖୁସି ଖୁସି କେତେ କ’ଣ ଆଶୀର୍ବାଦଭିଜା ହିନ୍ଦୀ ବାକ୍ୟ ସବୁ କହି କହି ଚାଲିଗଲା । ସାର ଭି ମୁଁହ ଧୋଇବାକୁ ଇଉଜ ଏଣ୍ଡ ପେର ଶୁଲଭ ଶୌଚାଳୟ ଆଡ଼କୁ ଗଲେ ।
ସମୀର କୁମାର ସିଂହ ଜବାହାର ନବୋଦୟ ବିଦ୍ୟାଳୟ, ସରାଙ୍ଗ ଢେଙ୍କାନାଳରେ ସ୍ନାତକୋତ୍ତର ଶିକ୍ଷକ- ବାଣିଜ୍ୟ ହିସାବରେ କାର୍ଯ୍ୟରତ । ବିଦ୍ୟାଳୟର ପିଲାମାନଙ୍କୁ ମାଇଗ୍ରେଶନ ପଲିଶି ନାମରେ ତପସ୍ଵିନୀ ଏକସ୍ପ୍ରେଶରେ ତାଳଚେରରୁ ଆସି ହଟିଆ ଷ୍ଟେସନରେ ସବୁ ପିଲାଙ୍କୁ ମଧ୍ୟାନ ଭୋଜନ ଇତ୍ୟାଦିର ବ୍ୟବସ୍ଥା କରିସାରି ୱେଟିଙ୍ଗ ରୁମରେ ତଳେ ଚାଦର ମେଲେଇ ଶୋଇ ପଡିଥିଲେ । ଭିକାରୀବୁଢାର ବାବୁ ବାବୁ ଡ଼ାକରେ ତାଙ୍କ ନିଦ ଭାଙ୍ଗିଛି ।
ତନ୍ଦ୍ରାଜଡିତ ଅଳସ ପାଦକୁ ନେଇ ନେଇ ବେଶିନ ପାଖକୁ ସାର ଗଲେ । ଦୁଇ ଚାରି ଆଞ୍ଜୁଳା ପାଣି ମୁଁହକୁ ମାରିଲେ , ଆଇନାରେ ନିଜ ନିଦୁଆ ମୁଁହକୁ ଝାପସା ଝାପାସା ଦେଖିଲେ ବୟସର ଛାପ କାନ ଉପରେ ଅଳ୍ପ ଅଳ୍ପ ଗଜରୁଥିବା ଧଳା ବାଳରୁ ସଠିକ ବାରି ହୋଇପଡୁଥିଲା । ଆଖି ତଳ ପୁରା କଳା,ଗାଲ ସବୁ ପଶି ଧୂକୁଡି ଯାଇଛି .... ତ୍ରସ୍ତ-ପରାସ୍ତ –କ୍ଳାନ୍ତ –ଶ୍ରାନ୍ତ ପଥିକ ପରି ଲାଗୁଥାନ୍ତି ।
ହଠାତ ବୁଢା ଭିକାରୀଟା ମନ ଆଇନାରେ ଉଦ୍ଭାସିତ ହେଲା ।
ଭିକ ମାଗିବା, ନେହୁରା ହୋଇ ଟଙ୍କାଏ ଟଙ୍କାଏ ମାଗିବା,ଗୀତ ଗାଇ ବାଜା ବଜେଇ ପଇସା ମାଗିବା,ଭଜନ –ଜଣାଣ କଣ୍ଠ ଫଟେଇ ବୋବାଳି ଛାଡି ବେସୁରା ବୋଲି ଟ୍ରେନରେ ମାଗିବା ବହୁତ ଖରାପ ହୋଇଥିଲେ ବି ଲମ୍ବା ଛ’ ଫୁଟିଆ ଖାନ୍ ଦାନିଆ ବୁଢାଟା କାହିଁକି ପଇସା ମାଗୁଛି ? ସିଏ ବି ତ କାହାର ବାପ ହୋଇଥିବେ ? ତା’ ପିଲାମାନେ କ’ଣ ତାକୁ ଘରୁ ତଡିଦେଇଛନ୍ତି ? ଅନାଥାଶ୍ରମ ନ ଯାଇ ବୃଦ୍ଧାଶ୍ରମରେ ନ ରହି । ସେ କାଁହି ଏମିତି ହୀନ କାମ କରିବାକୁ କୁଣ୍ଠାବୋଧ କରୁନି ? ଏମିତି କିମ୍ଭୁତ କିମ୍ଭାକାର ଅସମାହିତ ପ୍ରଶ୍ନବାଣ ସମୀର ସାରଙ୍କୁ ଗୋଲକ ଧନ୍ଦାରେ ପକେଇଦେଲା ।
ସାର ମୁଁହ ହାତ ଧୋଇ ଫ୍ରେସ ହେଲେ । ବ୍ୟାଗରୁ ଖୋର୍ଦ୍ଧା ପାଚିଲା ନାଲି ଗାମୁଛା ବାହାର କରି ପୋଛି ହେଲେ । କିନ୍ତୁ ମନରେ ଭିକାରୀ ବୁଢାର ନକସା ଫେଭିକଲ ପରି ଚିପି ଯାଇଥିଲା ପରି ଲାଗିଲା ।
କ’ଣ କରିବା !ଗୀତ ଶୁଣିଲେ କେମିତି ହୁଅନ୍ତା ।ସ୍ମାର୍ଟ ଫୋନରୁ ମ୍ୟୁଜିକ ଷ୍ଟୋରଖୋଲି ଜଗନ୍ନାଥ ଭଜନ .....
“ମୁଠେ ପଖାଳରେ ପେଟ ପୁରେ ମୋର
ଛପନ ଭୋଗରେ ନାହିଁ ତ ଲୋଭ
ମାଧବ ହେ ମାଧବ “ ....ଭଜନ ସମ୍ରାଟ ଅନୋପ ଜଲୋଟାଙ୍କର ସୁଲଳିତ ସ୍ଵର ଅରୁଣ ମନ୍ତ୍ରୀଙ୍କ ଶବ୍ଦକୁ ବେଶ ରୁଚିକର କରିଛି । ମନେ ମନେ ଗୀତ ସହିତ ଗୁଣୁ ଗୁଣୁଇଲେ ଓ ରାହା କରି ଗାଇଲେ ।
ପୁଣି ଭିକାରୀ ବୁଢାଟାର ପାଣ୍ଡୁରା ମୁଁହଟା ଉଙ୍କି ମାରିଲା । ଧେତ ତେରିକା । କ’ଣ ଛାଇ ପରିକା ଗୋଡେଇ ଚାଲିଛି ?
ଆଉ କ’ଣ କିଛି କହିବାକୁ ଚାହୁଁନି ତ ? ନୂଆ ଗୁମର କଥାର ନଥା କିଛି ଖୋଲିବ ନି ତ ? ସମୀର ସାର ଅତୀତର ପୃଷ୍ଠା ଓଲଟେଇଲେ । ଜ୍ଞାନଚକ୍ଷୁ ଫୁଟିବା ଦିନରୁ ଯେତିକି ଭିକାରୀ ବୁଢା ସମ୍ପର୍କରେ ଆସିଛନ୍ତି , ସମସ୍ତଙ୍କୁ ଗୋଟି ଗୋଟି ସାଉଣ୍ଟିବାକୁ ଲାଗିଲେ ,ସ୍ମୃତିର କବରରୁ ଜୀବନ୍ତ କରିବାକୁ ଚେଷ୍ଟା କଲେ,ମନ ଗହନର ପିରାମିଡରୁ ଆରକିଉଲୋଜିଷ୍ଟ-ପ୍ରତ୍ତ୍ନତତ୍ତ୍ଵବିତ ପରି କାର୍ବନ ଡ଼େଟିଙ୍ଗ କରିବାକୁ ଲାଗିଲେ ।
ଟାଟାନଗର ରେଳ ଷ୍ଟେସନ । ୨୦୦୨ ମସିହା ରବିବାର ଜୁନ ମାସ ୨୫ ତାରିଖ ସକାଳ । ବଡ଼ ମାମୁଁ ସୁଦର୍ଶନ ବିଶ୍ଵାଳଙ୍କୁ ସାଥିରେ ଧରି ମସ୍ତବଡ ମୁଢି ବୁରା ନେଇ ମାମୁଁ –ଭଣଜା ପୁରୁଷୋତ୍ତମ ଏକ୍ସପ୍ରେସରେ ଭୋର ଭୋର ଉଲ୍ହେଇଲେ । କାରଣ ଗନ୍ତ୍ୟବ ସ୍ଥଳ ବରକାକାନା ଡି॰ଏ॰ଭି॰ ସ୍କୁଲ । ତିନି ତିନିଟା ବସ ମାଙ୍ଗୁ –ବୋଟି ମୋଡ଼-ରାଞ୍ଜୀ-ରାମଗଡ ଦେଇ ବଦଳେଇବା ଅପେକ୍ଷ୍ୟା ଦିନ ୧.୨୦ରେ ପଠାନକୋଟ ଏକ୍ସପ୍ରେସରେ ଗଲେ ଚଳିବ ।ତେଣୁ ୱେଟିଙ୍ଗ ରୁମରେ ଗାଧୋଇ ଫ୍ରେସ ହୋଇ ଜଳଖିଆ ଭାତ ଖାଇ ତାଜା ତନ୍ଦରୁସ୍ତ ହୋଇ ଟ୍ରେନରେ ଯିବାକୁ ମନସ୍ଥ କରିଥିଲେ ।
ଯେମିତି ୱେଟିଙ୍ଗ ରୁମ ଆଡକୁ ବଡ ମୁଢି ବୁରାକୁ ଧରି ସମୀର ସାର ଆଗେଇଲେ , ଭିକାରୀ ବୁଢାଟା ଆସି ଆଗରେ ବାଟ ଉଗାଳିବା ଆଳରେ ହାତରେ ଅଙ୍ଗ ଭଙ୍ଗ କରି ମୁଢି ମାଗିଲା । ହାତକୁ ଅଞ୍ଜୁଳା କରି ଅଳ୍ପ କିଛି ଦେବାକୁ କହିଲା । ପେଟରେ କିଛି ନାହିଁ, କିଛି ବି ଖାଇନି ଇତ୍ୟାଦି ଇତ୍ୟାଦି ...... ନେହୁରା ହେଲା । ଏୟାର ବ୍ୟାଗ ସାଙ୍ଗକୁ କାନ୍ଧରେ ବଡ ମୁଢି ବୁରା ଆଉ ହାତରେ ବୁଢା ବଡ ମାମୁଁଙ୍କ ହାତ । ଝାଳ ଗମ ଗମ ବୋହି ଯାଉଛି ବୋଲ ନ ମାନି । ପୋଛିବାକୁ ହାତ କାଁହି ? ଏମିତି ଘଡ଼ି ସନ୍ଧି ବେଳେ , ଏମିତି ଆଖାଡୁଆ ଅବାଗିଆ ତାଳେ ,ଏମିତି ଜୋର ଜୋର କଦମ ତାଳ ବେଳେ କ’ଣ ନା ଏ ବେହିଆ ବୁଢା ଭିକାରୀ ମାଗୁଛି ମୁଢି ? ଦେଖା ଯାଉନି ନା କ’ଣ ? ଅନ୍ଧ ଅବିବେକୀ ......ବୁଢା ଧୁଡା ଶଢା .... ଏମିତି ବହେ ଗାଳି ମନେ ମନେ ଦେଉ ଦେଉ ୱେଟିଙ୍ଗ ରୁମ୍ ରେ ଯାଇ ହାଜର ହେଲେ , ଦମ ମାରିଲେ ।
“ବାବୁ .... କିଛି ଦିଅ ? ଦୁଇ ଦିନ ହେଲା ପେଟକୁ ଦାନା ଗଣ୍ଡେବି ଯାଇନି “- ଭିକାରୀ ବୁଢାଟା ପଛରେ ଆସୁ ଆସୁ କାକୁତି ମିନତି ହେଲା ।
ସମୀର ସାର ଦମ ବି ମାରି ନାହାନ୍ତି , କ୍ଳାନ୍ତି ବି ମେଣ୍ଟେଇ ନାହାନ୍ତି ---“ ନା ...କିଛି ବି ମିଳିବନି , ଯା...ଯା “ କହି ତାକୁ ଘୌଡ଼େଇଦେଲେ।
ବ୍ୟାଗରୁ ପ୍ଲାଷ୍ଟିକ ମଗ ବାହାର କରି ଅଗତ୍ୟା ବାଥରୁମକୁ ଫ୍ରେସ ହେବାକୁ ବାହାରି ଗଲେ । ୧୫ -୨୦ ମିନିଟ ପରେ ଆସିଲେ । ଭିକାରୀ ବୁଢାଟା ମଇଳା ଗାମୁଛା ଉପରେ ପେପର ରଖି ପାଛିଏ ପରିମାଣର ମୁଢି ଗଦେଇ କଳେ କଳେ ଚୋବେଇ ଚୋବେଇ ତରବରିଆ ଭାବରେ ଗପ ଗାପ ଖାଇ ଚାଲିଛି । ମାମୁଁ ବୁରାର ଦଉଡି ଗଣ୍ଠି ପକାଉଛନ୍ତି । ସାରଙ୍କୁ ବୁଝିବାକୁ ଆଉ ବାକି ରହିଲା ନାହିଁ ।
ମାମୁଁଙ୍କ ଉପରେ ଭାରି ରାଗ ଲାଗୁ ଥିଲେ ବି ଗୁରୁଜନଙ୍କୁ ଉତ୍ତର କାହିଁ ନ୍ୟାୟରେ ଦାନ୍ତ କାମୁଡି ରହିଲେ । ରାଗକୁ ବାଟି ପିଇଦେଲେ , ଉଦରସ୍ଥ କଲେ। ଧେତ ତେରିକା । ପାରି ହେବନି ।
ଅଧ ଘଣ୍ଟାଏ କାଳ ମୁଢି ଖାଇଲା ପରେ ଟ୍ୟାପରୁ ପେଟେ ପାଣି ପିଇ ଆସିଲା । ଏବଂ ବଡ ମାମୁଁଙ୍କୁ ମୁଣ୍ଡିଆ ମାରି କଟା ଛଟା ହିନ୍ଦୀରେ କହୁଥିଲା ଯାହା ବେବଳ ଓଡିଆ ଜାଣିଥିବା ବଡ ମାମୁଁ ବୁଝିପାରୁ ନଥିଲେ ମାତ୍ର ଅପରାଧୀ ଭଣଜା ସମୀର କୁମାର ସିଂହ ସ୍ଥାଣୁ ହୋଇ କଥାର ଭାବକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲେ , ତତ୍ତ୍ଵର ଗୁରୁ ଗମ୍ଭୀର ସମୀକରଣକୁ ହୃଦୟଙ୍ଗମ କରୁଥିଲେ , ଆଢୁଆଳରେ ଲୁଚିଥିବା ମହାମାନବୀୟ ଫଲଗୁ ଧାରାର ପୀୟୂଷକୁ ଆକଣ୍ଠ ପାନ କରୁଥିଲେ .........।
“ବାବୁ ! କୋଟି କୋଟି ଦଣ୍ଡବତ । ମୋ ଜୀବନଟା ବଞ୍ଚେଇ ଦେଲୁ --ଚାରି ଦିନ ହେଲା ମୁଠାଏ ଦାନା ପେଟକୁ ଯାଇ ନଥିଲା । ଦାତା ତୋର ଭଲ କରିବେ । ଭୋକିଲା ବୁଢାର ପେଟର ଦର୍ଦକୁ ଜାଣିପାରି ତାକୁ ମରଣ ମୁଁହରୁ ଫେରେଇ ଆଣିଲୁ ବାବୁ ....କୋଟି କୋଟି ପରମାୟୁ ପାଇଥା ବାବୁ ପାଇଥା.”......ଇତ୍ୟାଦି କେତେ କେତେ ବିଶେଷଣ ଲଗେଇ ହୃଦୟର ସହିତ ଆଶୀର୍ବାଦର ଧାରା ବୁହାଇ ଚାଲିଥାଏ । ମାମୁଁ – ଭଣଜା ଉଭୟ ଉଭୟଙ୍କୁ ଚାହୁଁ ଥାନ୍ତି ବୁଝୁଥାନ୍ତି ...ମାତ୍ର କିଛି କହି ପାରୁ ନ ଥାନ୍ତି । ମର୍ମେ ମର୍ମେ ହେଜୁ ଥାନ୍ତି ମାତ୍ର ପାଟି ଫିଟେଇ ଭାଷା ଆଳରେ କେହି କାହାରିକୁ ଉଁ କି ଚୂଂ କହି ପାରୁ ନ ଥାନ୍ତି ।
ଭିକାରୀ ବୁଢା ମୋ ବଡ ମାମୁଁ ଭିତରେ ଯେଉଁ ଦରଦୀ ମହାମାନବର ମହନୀୟତା ଦେଖେଇ ଦେଇଥିଲା ।ଯେଉଁ ଅନିର୍ବଚନୀୟ ନୈସର୍ଗିକ ଅନାବିଳ ମାନବିକ ମୂଲ୍ୟବୋଧର ଜଣେ ମହା ମନୀଷୀ ବୋଲି ବଡ ମାମୁଁଙ୍କୁ ଦର୍ଶାଇ ଦେଲା ପାଠ ପଢୁଆ ଚାକିରି କରିଥିବା ମାଷ୍ଟର ଭଣଜା ଜ୍ଞାନ ବାଣ୍ଟିବାର ମିଛ ଡିଣ୍ଡିମଟାକୁ ଫଟା ଢୋଲରେ ପରିଣତ କରିଦେଲା --- ହିନ୍ଦୀ ଜାଣି ନଥିବା ମଫସଲିୟା ପାଚିଲା ବାଳିଆ ବୁଢା ମାମୁଁ କେମିତି ବୁଝିଲା ଯେ ଦୁଃଖୀ ଭିକାରୀ ବୁଢାର ପେଟ କଥା । ମାନବିକତା ପାଇଁ ଭାଷାର ଆବଶ୍ୟକତା ନ ଥାଏ ବୁଝିବାର ଦରକାର ପଡେନି..... ମଣିଷକୁ ଆଉ ଜଣେ ମଣିଷ ଦୟା –କରୁଣାର ତରାଜୁରେ ତଉଲିଲେ କଥା ସରିଲା । ପେଟର କଥା ବୁଜିବା ପାଇଁ ଭାଷା ଠାରୁ ବେଶୀ ଜରୁରୀ ଅଟେ ସରଳ-ନିଷ୍କପଟ –ଦରଦୀ- ଶରଧା ଆଉ ମମତାରେ ସିକ୍ତ ଗୋଟେ ସଛା ହୃଦୟ ଯାହା ଉଚ୍ଛଶିକ୍ଷିତ ଫଟା ଫଟ ଇଂଲିଶ କହୁଥିବା ଭଣଜା ପାଖରେ ନାହିଁ ମାତ୍ର ଆଦୌ ସ୍କୁଲ ପିଣ୍ଡା ମାଡିନଥିବା ପାଠ – ଶିକ୍ଷା ଠାରୁ କୋଶୋ ଦୂର ବୁଢା ମାମୁଁ ପାଖରେ ଭରପୁର ।
ସମୀର ସାର ସେଇଠି ମନେ ମନେ ପଣ କଲେ, ତ୍ରିବାର ସତ୍ୟ କଲେ , ଭିକାରୀଙ୍କୁ ମନା କରିବେନି । ସେ ତା’ର ମଦ ପିଇଲା , ବିଡି ଟାଣିଲା , ଗଞ୍ଜା ଫୁଙ୍କିଲା .....ସେଟା ତା’ର ଧର୍ମ । ଗୋଟେ ଅଧେ ଟଙ୍କା ପାହୁଲା ଦେଇ ଦେଲେ କ’ଣ ସରି ଯାଉଛି । ଅସରନ୍ତି ଭଣ୍ଡାରରୁ ତ କମ ପଡୁନି ? ଟଙ୍କେ ଦେବା କି ନାହିଁ ମାତ୍ର କଥା କହିବା କୋଟିଏ ଟଙ୍କାର । ମା’ର ସେହି ଦେଇଥିଲେ ପାଇ ନ୍ୟାୟରେ ୨୦୦୨ ଠାରୁ ଦେଇ ଚାଲିଛି ....।
ମାତ୍ର ମୋ ପଣ କଥା ହଟିଆ ଷ୍ଟେସନର ଭିକାରୀ ବୁଢାଟା ଜାଣିଲା କେମିତି ? କପାଳରେ ହାତ ଆପଣା ଆପେ ଉଠିଗଲା । ଡାକବାଜି ଯନ୍ତ୍ରରେ ଅନାଉନ୍ସ୍ ମେଣ୍ଟ ହେଲା ହଟିଆ –ଗୋରଖପୁର ମୋର୍ଯା ଏକ୍ସପ୍ରେସ ତିନି ନମ୍ବର ପ୍ଲାଟଫର୍ମରୁ ଅଳ୍ପ ସମୟ ମଧ୍ୟରେ ଛାଡିବ ....।
ସାର ପିଲାଙ୍କୁ ଏକଜୁଟ କରି ଆଗରେ ଆଗରେ ପ୍ଲାଟଫର୍ମ ଆଡକୁ ଚାଲିଲେ । ହଟିଆ ନୀଳ ଆକାଶରେ ଖଣ୍ଡି ଖଣ୍ଡି ଧଳା ବଉଦ ଭିକାରୀ ବୁଢାର ନୁଖୁରା କେଶରାଶି ପରି ସମୀର ସାରଙ୍କୁ ପ୍ରତିୟମାନ ହେଉଥିଲା ।
ଫୁଟ ଉଭାରବ୍ରିଜରେ ଷ୍ଟେପ ଚଢୁ ଚଢୁ ଭାବୁଥିଲେ ପାଞ୍ଚ ଟଙ୍କା ନ ଦେଇ ପଚାଶ ଟଙ୍କା ଦେଇଥିଲେ ଆଉ ଟିକେ ଭଲ ଲାଗିଥାନ୍ତା । ଏ ଥର ତ ହେଲାନି ...ଆର ଥରକୁ ଦେଖିବା !!!