ଭାଇ ଭଉଣୀ ର ପବିତ୍ର ପ୍ରେମ ବହନ କରୁଥିବା ପ୍ରମାଣ ଟିଏ
ଭାଇ ଭଉଣୀ ର ପବିତ୍ର ପ୍ରେମ ବହନ କରୁଥିବା ପ୍ରମାଣ ଟିଏ
ପୂଜନୀୟା ଅପା
ମୋର ଭୂମିଷ୍ଠ ପ୍ରଣାମ ।ଅପା କହିଲେ ସମସ୍ତେ ବଡ଼ଭଉଣୀ ବୋଲି ଭାବିନେବେ ,କିନ୍ତୁ ତୁ ମୋ ପିଇସୀ ଅପା ।ମୋ ବାପାଙ୍କ ବଡ଼ ଚାରି ଭଉଣୀ ଭିତରେ ତୁ ସାନ ।ବାପାଙ୍କଠୁଁ ତିନି ବର୍ଷ ବଡ଼ ହେଲେ ବି ମାଆ ପରି ଭଲପାଉ ବାପାଙ୍କୁ ।କେବେହେଲେ ପୂର୍ଣ୍ଣ ନଡାକି ଡାକୁ କୁନିଆଁ ।ବାପାଙ୍କୁ ଏତେ ଭଲପାଉ ଯେ ,ତାଙ୍କ ପାଇଁ କାର୍ତ୍ତିକ ମାସରେ ହବିଷଭାତ ଓ ହବିଷଡାଲମା କରି ନେଇଆସୁ ,ଆଉ ଆଣିଥାଉ ନଡ଼ିଆ ,ଆମ୍ବ ।
ତୁ ଆମ ଘରକୁ ଆସିଲେ ,ସବୁଠୁ ବେଶି ଖୁସି ମୁଁ ହୁଏ କାରଣ ତୁ ଗପ କହୁ ,ଗୀତ ଶୁଣାଉ ।ସେ ଗପ ସବୁ ସତ ଗପ ,ଅଙ୍ଗେଲିଭା କଥା ,ଆଉ ସେ ଗୀତ ସବୁ ମଧ୍ୟ ମୋ ବାପା ଲେଖିଥିବା ଗୀତ ।ମୋ ଜେଜେ ବହୁତ ରାଗି ଥିଲେ ଆଉ ମାଆ ଥିଲା ଧର୍ମପରାୟଣ ।ଚାରିଝିଅ ଜନ୍ମ ହେବାରୁ,ଜେଜେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଅନ୍ତି ଜେଜେମାକୁ ,ଆଉ ତା ପରେ ପରେ ଜନ୍ମ ହୁଅନ୍ତି ମୋ ବାପା ,ପୂର୍ଣ୍ଣ ଆଶା ରୁ ଜେଜେମା ତାଙ୍କ ନାମ ପୂର୍ଣ୍ଣ ରଖିଥିଲେ ,ଏସବୁ କଥା ତୋଠୁ ଶୁଣିବାକୁ ମୁଁ ଖିଆପିଆ ,ପାଠପଢା ଭୁଲିଯାଏ ।ଜେଜେମା ବହୁ କଷ୍ଟ ପାଇସାରିଥାଏ ତ କାଳେ ଜେଜେଙ୍କ ପ୍ରକୃତିର ବଶବର୍ତ୍ତୀ ହୋଇ ମୋ ବାପା ,ତା ପୁଅ ତାକୁ ସେହିଭଳି ବ୍ୟବହାର କରିବାର ଡର ଖାଲି ଜେଜେମାର ନୁହେଁ ,ତୁମ ଚାରିଭଉଣୀଙ୍କ ଭିତରେ ବି ଥିଲା ତ ମୋ ତୃତୀୟ ପିଇସୀ ହେମ ଅପା ଗୋଟେ ସୁନ୍ଦର କବିତା ବାପାଙ୍କ ପାଖକୁ ଲେଖିଥିଲା ,ସେ କବିତାର ପ୍ରଥମ ଧାଡ଼ିଟି ଏବେବି ମୋ ମନ ହୃଦୟରେ ଝଂକାରେ ଝଙ୍କୁରିତ ,"ପୂର୍ଣ୍ଣମୀ ଶଶୀ କେବେ ହେବୁତୁ ବଡ ।।ଗଣା ହେବୁରେ ବାବୁ ମଣିଷ ମଧ୍ୟେ । ତୋ ଲାଗି ବୋଉ କେତେ ଦୁଃଖ କଷ୍ଟ ସହିଛି ।ଦେବୁନାହିଁଟି ଧନ ବୋଉକୁ ଗାଳି । ବୋଉର ତୁ ଅଟୁ ଧନ ସଙ୍ଖାଳି ",ଏମିତି କବିତା ଟିକୁ ସୁନ୍ଦର ଭାବେ ଗାଉ ନା ଅପା ତୁ ,ଆଉ ମୁଁ ଥରକୁ ଥର ଶୁଣେ ତୋଠୁ ,ସେଇଥିପାଇଁ ବୋଧେ ଆଜି କବୟିତ୍ରୀ ପରିଚୟ ଭିତରେ ତୋ ପ୍ରେରଣା ନିହିତ ବୋଲି ମୋର ମନେହୁଏ ,ଯାହା ତତେ କହିବା ପୁର୍ବରୁ ତୁ ଆଉ ନାଂହୁ ।
ସବୁ ସଂସାର ଜଞ୍ଜାଳ ଭିତରେ ବି ତୁ ତୋ ଭାଇ ମାନେ ମୋ ବାପାଙ୍କୁ ବହୁତ ଭଲପାଉ ,ବାପା ଅଥସ୍ତରି ବର୍ଷ ରେ ହୃଦଘାତରେ ଚାଲିଗଲେ ,ତତେ ସେତେବେଳକୁ ଅଶୀ ।ହେଲେ ସେଇ ବୟସରେ ତୁ କି ବାଡେଇ ଛାଟି ହେଲୁ ଯେ କୁନିଆଁ ଚାଲିଗଲା ମୁଁ ବଞ୍ଚିଛି ଆଉ ସେଇଥି ପାଇଁ କି କଣ ବାପା ଯିବାର ତିନିଟା ବର୍ଷ ରେ ଚାଲିଗଲୁ ତୁ ।ଆଗରୁ ଅନ୍ୟ ପିଇସୀ ଅପାମାନେ ଚାଲିଯାଇଥିଲେ ହେଲେ ତୁ ଚାଲିଯିବାର ଦୁଃଖ ହରେଇବାର ବହୁ ନିଆରା ଅନୁଭୂତି ଆଣି ଦେଇଥିଲା ।ତୋ ଠାରୁ ଅନେକ କଥା ଶିଖିଛି ,ତାହା ସଣ୍ଠଣା ।ଆକଟ କରୁ ,ଗାଳିଗୁଲଜ ବି କରୁ ସାମୟିକ ଶିଖାଇବା ପାଇଁ ,ପରବର୍ତ୍ତୀ ଜୀବନକୁ ଶୃଙ୍ଖଳିତ କରିବା ପାଇଁ ,ସେଇଥିପାଇଁ ଅପା ମୁଁ ଭାରି ଗର୍ବିତ ଯେ ମୋ ବାପା ଆଉ ତୁ ମୋ ପ୍ରିୟ ପିଇସୀ କମଳୀ ଅପାଙ୍କ ଅନୁଶାସହନ ଭିତରେ ପରବର୍ତ୍ତୀ ଜୀବନ ପାଇଁ ଶୃଙ୍ଖଳା ଶିକ୍ଷା ।ଆଜିକାଲି ପିଲା ମାନଙ୍କୁ କିଛି କହି ହେଉନି ,ତୁଛାରେ ଟେକି ଟାକି ପ୍ରଶଂସା ନକଲେ ଚଳୁନି ,ଯୁଗ କେତେ ବଦଳି ଗଲା ଅପା !
ତୋ ଠୁ ଶିଖିଥିବା ସଣ୍ଠଣା ହିସାବରେ ବଡି ପକା ,ଶାଗ କଟା ,ଝୋଟି ଚିତା ,ମୁରୁଜ ପକା ସହ ପୂଜା ଵିଧି ବିଧାନ ମତେ ବୋହୁ ହେଲାବେଳେ ଭଲ ବୋହୂର ପରିଚୟ ଦେଇଛି ।ମୋ ବଡି ଶାଶୁଙ୍କୁ ବହୁତ ପସନ୍ଦ ,ଖୁଡି ଶାଶୁ ପଚାରି ବସନ୍ତି କଣ ସବୁ ବଡ଼ିରେ ପକାଉଛୁ ଭାରି ସୁଆଦ ତୋ ବଡି ,ତ ମୁଁ କୁହେ ମୋ ପିଇସୀ ଅପାଙ୍କଠୁ ଶିଖିଥିବା ବିରିବଟାରେ ଜିରା ହେଙ୍ଗୁ ଦେଇ ଯେତେ ଫେଣେଇବ ସେତିକି ନରମ ହେବ,ବଡି ଆଉ ହେବ ସ୍ୱାଦିଷ୍ଟ ।ସେମାନେ ହସିଦିଅନ୍ତି ,ପ୍ରଶଂସା କରନ୍ତି ହେଲେ ଆମ ଘରେ ତୋ ସହ କେତେ ସାହାଯ୍ୟକାରୀ ଥିଲେ ବି ତୁ କେମିତି ମତେ ଏସବୁ ଶିଖେଇପାରୁ ଅପା ? ଆଜିକାଲି ଝିଅମାନେ ବସିରହି ଏସବୁ ଶିଖିବେ କି ? ସେମିତି ଚୁନା ଚୁନା ଶାଗ କାଟି ପ୍ରକୃତ କରଣ ଘର ଝିଅ ବୋଲି ଯୋଉ ପ୍ରଶଂସା ଟିକେ ପାଇଛି ,ତାହା କେବଳ ତୋ ପାଇଁ ।ଖାଲି ତୋଠୁ ନୁହେଁ ,ତୋର ତିନି ଝିଅ ଓ ଗୋଟେ ପୁଅ ,ମୋ ଅପା ଓ ଭାଇ ତଥା ପିଇସାଙ୍କ ଠୁ ପାଇଥିବା ଅନାବିଳ ନିସ୍ଵାର୍ଥପର ସ୍ନେହ କଣ ଭୁଲିହୁଏ ??
ହଁ ତୋର ଭାଇ ଓ ବାପାଙ୍କ ପ୍ରେମ ନିଆରା ।ବାପା ବୋଉଙ୍କଠୁ କିଛି ଶୁଣିନଥିଲେ ମଧ୍ୟ ତୋଠୁ ବାପା ବୋଉଙ୍କର ପ୍ରଥମ ବୈବାହିକ ଜୀବନ ଯେ ଭ୍ଲାନଥିଲା ,ସେସବୁ ଶୁଣି ବାପା ବୋଉଙ୍କ ପ୍ରତି କର୍ତ୍ତବ୍ୟବୋଧ ଓ ସମ୍ମାନ ବଢିଯାଏ ,ଏଇଥିପାଇଁ ଯେ ,ଜେଜେଙ୍କ କ୍ରୋଧରେ ମୋ ବାପା ବୋଉଙ୍କ ଜୀବନ ଭଲରେ କଟୁ ନଥିଲା ।ବାପା ପୀୟୂ ପଢ଼ୁଥିବା ବେଳେ ,ଜେଜେମା ଜଗନ୍ନାଥ ଦର୍ଶନ କରିବାକୁ ଯାଇ ଗହଳିରେ ପଡି ଯାଇଥିଲା କିନ୍ତୁ ଜେଜେ ତାର ସେବା ଯତ୍ନ ନକରି ତାକୁ ବିରକ୍ତ ହେଇଥିଲେ ମନ୍ଦିରକୁ କାହିଁ ଯାଉଥିଲୁ ଆଉ କ୍ରୋଧରେ ଉପଚାର କରିବା ବଦଳରେ ଅଣହେଳା କରିବା ମୋ ବାପା ସହି ନପାରି ପଢାରେ ଅଳ୍ପ ଧ୍ୟାନ ଦେଇ ମାଆର ସେବା ଶୁଶ୍ରୁଷା କରୁ କରୁ ମାଆ ଚାଲିଯାଇଥିଲା ଆଫେରା ରାଜ୍ୟକୁ ,ତାକୁ ଝୁରି ଝୁରି ପାଠ ପଢ଼ାରେ ସେତେଟା କୃତିତ୍ୱ ଅର୍ଜ୍ଜନ କରିପାରିନଥିବା ବାପାଙ୍କୁ ମାତ୍ର ଅଠର ବୟସରେ ବିବାହ କରିବାକୁ ପଡିଥିଲା ପନ୍ଦରବର୍ଷର ରଥ ସାହି ଝିଅ,ମୋ ବୋଉକୁ ,କିନ୍ତୁ ସହୁଥିଲେ ଦୁହେଁ ଜେଜେଙ୍କ ଗଞ୍ଜଣା ,ଏମିତିକି ମୁଁ ବହୁତ ଡେରିରେ ,ପ୍ରାୟେ ସାତ କି ଆଠ ବର୍ଷ ପରେ ଜନ୍ମ ହେବାରୁ ବୋଉ କୁ ବାଂଝ ଆଖ୍ୟା ମିଳୁଥିଲା ଜେଜେଙ୍କ କଟୁ ପୂର୍ଣ୍ଣ ବ୍ୟବହାର ଭିତରେ ,ଖାଲି ସେତିକି ନୁହେଁ ବାପା ଙ୍କୁ ପରବର୍ତ୍ତୀ ଜୀବନରେ ଜେଜେ ବହୁ ହଇରାଣ କରିଥିବାରୁ ଯଥା ପୈତୃକ ପୁରୀ ସହର ଘର ବିକ୍ରୀକରିଦେବା ,ମାମୁଁଘରୁ ଗୋଟେ ଘର ଯୌତୁକ ରୂପେ ଆଣିବାକୁ ପ୍ରବର୍ତ୍ତାଇବା ,ତଥା ବାପାଙ୍କ ବିରୁଦ୍ଧରେ ବିଜୁ ପଟ୍ଟନାୟକଙ୍କୁ ଦେଖା କରି ତାଙ୍କୁ ଚାକିରିରୁ ବହିସ୍କୃତ କରିବାକୁ କହିବା ଭଳି ଦୃଷ୍ଟାନ୍ତମୂଳକ କଥା ସବୁ ମୁଁ ତୋଠୁ ଶୁଣିଛି ,ବାପା ବୋଉଙ୍କଠୁ କେବେ ନୁହେଁ ,ଏମିତିକି ମୋ ତଳକୁ ତଳ ତିନି ଭଉଣୀ ଓ ଦୁଇ ଭାଇ ଯେତିକି ତୋଠୁ ଶୁଣିଛନ୍ତି ।କଥା ସେଠି ସରିନଥିଲା ,କ୍ଵାଟରରେ ,କଲୋନୀ ଭିତରେ ଜେଜେଙ୍କ କେଳେଙ୍କାରୀରୁ ମୁକ୍ତ ରଖିବାକୁ ବାପାଙ୍କୁ,ଜେଜେଙ୍କୁ ଅର୍ଥାତ ନିଜ ବଦରାଗୀ ବାପାଙ୍କୁ ନେଇ ତୁ ରଖିଥିଲୁ ପାଖରେ ,ମୋର ସମ୍ଭବତଃ ତୃତୀୟ ଶ୍ରେଣୀ ହୋଇଥିବ ସେତେବେଳେ ,ଆମେ ଯାଉ ସବୁ ପୂଜା ଛୁଟି ଓ ଧାନକଟା ଛୁଟିରେ ତୋ ପାଖକୁ ,ଅଳ୍ପ ଅଳ୍ପ ମନେଅଛି ,ଜେଜେଙ୍କ ଦାଉ ଭିତରେ ,ଅପାଭାଇ (ତୋ ପୁଅ ଝିଅ )ମାନଙ୍କ ଜଞ୍ଜାଳ ଓ ପିଇସାଙ୍କ ପ୍ରତି କର୍ତ୍ତବ୍ୟବୋଧ ଭିତରେ ବି ଚିତଉ ,ଆରିଷା ,କାକେରା ,ସରୁଚକୁଳି ,ଛୁଞ୍ଚିପତର ପିଠା ସାଙ୍ଗକୁ ପଣସ ରସ ରେ ମୁଢି ପକାଇ ଖାଇବା ମଜ୍ଜା ସବୁ ତୋ ଘରୁ ମିଳେ ଆମକୁ ।ଜେଜେଙ୍କ ସହ ମୋ ବୋଉ ,ତୋ ଭାଉଜ ,ତୁ ଯାହାକୁ ପମା ଡାକୁ ସ୍ନେହରେ ,ତା ହଇରାଣ କଲବଲ ଦେଖି ମୋ ତୃତୀୟ ଭଉଣୀ ମାମିନାକୁ ମଧ୍ୟ ବର୍ଷକ ଦିନରୁ ରଖିଥିଲୁ ତୁ ।ଆଜିକାଲି ନିଜ ମାଆ ବାପା ପିଲା ବଢେଇବା କଷ୍ଟରୁ ତ୍ରାହି ତ୍ରାହି ଡାକି ଗୋଟିଏ ସନ୍ତାନର ବାପା ମାଆ ହେଉଥିଲା ବେଳେ ,ଭାଇଭାଉଜଙ୍କ କଷ୍ଟ ଲାଘବ କରିବାକୁ ତୁ ନିଜ ବାପାଙ୍କୁ ଝିଅ ହୋଇ ରଖିବା ସହ ତାଙ୍କ କ୍ରୋଧର ଶୀକାର ହୋଇବି ଭାଉଜର କଷ୍ଟ ଲାଘବ ପାଇଁ ତାର ଝିଅକୁ ବି ଲାଳନ ପାଳନ କରୁଥିଲୁ ନା ଅପା ।ତୁ ସମାଜ ର ଏକ ଦୃଷ୍ଟାନ୍ତ ,ପିତୃ ସେବା ସହ ଭାଇ ଭାଉଜଙ୍କ ସହ ସ୍ନେହ ସମ୍ପର୍କr ଆପଣାପଣ ତୋର ସୁଦୂର ପ୍ରସାରୀ ।
ମୁଁ ଶୁଣିଛି ବାପାଙ୍କ ସହଯୋଗ ଓ ସହାୟତା ରେ ପିଇସା ସରକାରୀ ଚାକିରୀ ପାଇଥିଲେ ,ଯେଉଁଟା ତାଙ୍କ ରିଟାୟାରମେଣ୍ଟ ପରେ ତାଙ୍କ ପୁଅ ମୋ ବୁବୁନା ଭାଇ ପାଇଥିଲେ ,ହେଲେ କର୍ତ୍ତବ୍ୟ ବୋଧ ଭିତରେ ଯେଉଁ ପ୍ରଗାଢ଼ ଭଲ ପାଇବା ଆଜି କେତେଟା ନଣନ୍ଦ ଭାଉଜ ଭିତରେ ଅଛି ବା ରହୁଛି ନା ରହିବ ,ସତରେ କି ସ୍ବର୍ଗୀୟ ସେ ପ୍ରେମ ,କି ନିର୍ମଳ ପ୍ରେମର ମନ୍ଦାକିନୀ ଧାରା ଟିଏ ସତରେ ତୁମ ଭାଇ ଭଉଣୀ ଭିତରେ !ଜାଣିଛୁ ଅପା ,ବାପା ଯିବା ପରେ ବୋଉ ଖାଲି ତତେ ଖୋଜିଲା ,ଆଉ ସେ ତ ଏଵେ ଆର୍ଲଜାଇମର ପେସେଣ୍ଟ ,ଆଉ ମୋ ପୁଅ ତା ନାତିକୁ ସେ କଣ ବୋଲି ଛିଂହୁଛି କହିଲୁ ,କହୁଛି ମୋ ଭଣଜା ବୁବୁନା ,ଆଉ ମତେ କହୁଛି କମଳୀ ଅପା ।
ତୋ ସହ କଥା ହେବାକୁ ଆହୁରି ଅନେକ ବାକି ,ବୋଉ ଏବେବି ଜାଣିନି ତୁ ଚାଲିଗଲୁଣି ବୋଲି ,ସେ ଏବେବି କହୁଛି କମଳୀ ଅପା ଭଲ ଅଛନ୍ତି ଟି ?,ଯଦିଓ ତୁ ଚାଲିଯିବା ବର୍ଷେ ପାଖାପାଖି ହେଇଯିବ ଏ ଭିତରେ ।ବର୍ଷିକିଆ କୁ ବୁବୁନାଭାଇ ଡାକନ୍ତୁ କି ନଡାକନ୍ତୁ କିନ୍ତୁ ତୋ ସ୍ମୃତି ଚାରଣ କରୁ କରୁ ,ତୋ ବିଷୟରେ ପାଇଥିବା ଦିଗଦର୍ଶନକୁ ଏହି ଚିଠିପତ୍ର କାର୍ଯ୍ୟକ୍ରମ ରେ ଉପସ୍ଥାପନ କରି ଦୁନିଆଁ କୁ କିଛି ଶିକ୍ଷା ଦେଇଯିବି ବୋଲି ମୋର ଇଛାକୁ ପ୍ରତିଲିପି ପ୍ଲାଟଫର୍ମ ଜରିଆରେ ଭାବି ,ପାଇଥିବା ,ଏହି ସୁଯୋଗକୁ ହାତଛଡା କରୁନି ସତ ,ହେଲେ ଅନେକ କଥା ବାକି ରହିଗଲା ,ଭାବୁଛି ଆରଥର କୁ ଲେଖି ନେବି ,ଶେଷରେ ଆଶୀର୍ବାଦ ଟିକେ ମାଗୁଛି ସୌଭାଗ୍ୟବତୀ ହୋଇ ସିନ୍ଦୁର ନାଇ ଆଗ ସଂସାରରୁ ବିଦାୟ ନେବାର ଆଶିଷ ଦେ ଅପା ।
ଇତି
ରେବା
