ବୈରାଗୀ
ବୈରାଗୀ


ମୋ ଗାଆଁ ଛାଡି, ଖାସ ତୁମରି ପାଇଁ ମୁଁ ଧାଇଁ ଆସିଥିଲି ତୁମ ସହରକୁ । ତୁମ କମନୀୟ ରୂପର ମୋହରେ ମୁଁ ମୋ ଗାଆଁ ଭିଜାମାଟିର ସେଇ ମିଠା ମହକକୁ ଭୁଲିଗଲି । ତୁମର ଛଳନାକୁ ତୁମର ପ୍ରେମ ଭାବିନେଲି । ତୁମେତ ଖେଳି ଜାଣିଥିଲ, ମନକୁ ନେଇ ଲୁଚକାଳି ଖେଳିଲ । ଖୁବ୍ ଭଲ ଖେଳିଲ, ଖେଳନା ଭାଙ୍ଗିବା ପର୍ଯ୍ୟନ୍ତ ତା ସହିତ ମନଭରି ଖେଳିବା କଥା କିନ୍ତୁ ଖେଳ ସରିଗଲା ବୋଲି ଖେଳନା ଫୋପାଡି ଚାଲିଗଲ, ଖେଳନା ଭାଙ୍ଗିବା ଆଗରୁ ଫୋପାଡି କିପରି ଚାଲି ଆସିଲ ?
ତୁମେ ମୋ ପ୍ରେମର ପ୍ରତିଦାନରେ ଏ କଣ ଦେଲ ? ସେଦିନ ତୁମ ଘର ସାମ୍ନାରେ ବତୀଖୁଣ୍ଟକୁ ଆଉଜି ସେଇଠି ସେମିତି ସାରା ରାତି ଠିଆହୋଇ ଚାହିଁ ରହିଥିଲି । ଭାବୁଥିଲି ତୁମ ପାଇଁ ମୋ ମନ ଯେପରି ବ୍ୟାକୁଳ ହେଉଛି, ତୁମ ହୃଦୟରେ ମଧ୍ୟ ମୋ ପାଇଁ ସେମିତି ପ୍ରେମର ହିଲ୍ଲୋଳ ଉଠୁଥିବ । ପ୍ରେମର ନିଆଁ କୁଆଡେ ଦୁଇ ହୃଦୟରେ ଏକାବେଳ ଜଳିଉଠେ । ଦୁଇଟି ମନକୁ ଏକାବେଳେ ମତୁଆଲା କରିଦିଏ, ଏଇ ଟିକକ ଆଶାରେ ମୋ ଆଖି ପଲକ ପକାଇବା ଭୂଲିଗଲା, ତୁମ ଘରର ବାଲକୋନୀରେ ସେମିତି ଅଟକି ରହିଥିଲା ।
ସକାଳ ହେଲା, ତୁମେ ତୁମ ବାଲକୋନୀର କବାଟ ଖୋଲିଲ । ସେଇଠି ଠିଆ ହୋଇ ଅଳସ ଭାଙ୍ଗିଲ, ଥରେ ଆକାଶକୁ ଦେଖିଲ, ଦୂର ଦିଗବଳୟରେ ଉଇଁ ଆସୁଥିବା ନାଲିଆ ସୂର୍ଯ୍ୟକୁ ଦେଖିଲ, ତାପରେ ବହୁତ ଡେରିରେ ଥରେ ତଳକୁ ଚାହିଁଲ । ତୁମ ନଜର ମୋ ଉପରେ ପଡିଲା । ମୁଁ ଭାବୁଥିଲି ତୁମେ ମୋତେ ଦେଖି ଚମକି ପଡିବ, ଆଶ୍ଚର୍ଯ୍ୟ ହୋଇଯିବ, ବଡ ପାଟିକରି ମୋତେ ପାଖକୁ ଡାକିବ। ହେଲେ ତୁମେ ନିରବ ଥିଲ। ମୋତେ ଦେଖି ଟିକେ ହସିଦେଲ ସିନା ଥରଟିଏ ପଚାରିଲ ନାହିଁ, ମୁଁ କେତେବେଳେ ଆସିଲି, ସେଇଠି ଠିଆ ହୋଇ କଣ କରୁଛି ।
କିଛି ନଦେଖିଲା ପରି ତୁମେ ଘର ଭିତରକୁ ଚାଲିଗଲ । ସେଠାରେ ମୋର ଉପସ୍ଥିତି ତୁମ ପାଇଁ ହୁଏତ ସେମିତି କିଛି ବିଶେଷ ଘଟଣା ନଥିଲା । କବାଟ ବନ୍ଦକରି ତୁମେ ନିଜ କାମରେ ଲାଗିଗଲ । ତୁମେ ଭୁଲିଗଲ, କେହି ଜଣେ ତୁମ ପାଇଁ ତଳେ ରାସ୍ତା ଉପରେ ଅପେକ୍ଷା କରି ଠିଆ ହୋଇଛି। ମୁଁ ଭାବୁଥିଲି ପ୍ରେମ ପାଗଳୀ ରାଧା ପରି ତୁମେ ହୁଏତ ସୁଧବୁଧ ହରାଇ ଧାଇଁ ଆସିବ ମୋ ପାଖକୁ । ବତୀଖୁଣ୍ଟକୁ ଆଉଜି, ତ୍ରୀଭଙ୍ଗି ଠାଣିରେ ଠିଆ ଏଇ ଗାଉଁଲୀ ପ୍ରେମିକକୁ କୁଣ୍ଢେଇ ଧରିବ, ହେଲେ ମୋ ଭାବନା, ଭାବନାରେ ହିଁ ରହିଗଲା । ବେଳ ଉଛୁର ଯାଏ ସେଇଠି ଅପେକ୍ଷା କଲି, କିନ୍ତୁ ତୁମେ ଆସିଲନି ।
X X X X
ମୋ ପ୍ରେମ ପାଇଁ ମୁଁ ମୋ ଗାଆଁ ଭୂଲିଗଲି, ଗାଆଁ ଛାଡିଦେଲି, ବାପା ମାଆ ଘର ପରିବାର ସବୁ ଭୂଲିଗଲି। ହେଲେ ତୁମେ ତୁମ ସହର, ତୁମ ଆଭିଜାତ୍ୟ, ତୁମର ଉତୁଙ୍ଗ ଅଟ୍ଟାଳିକା, ତମର ସ୍ୱପ୍ନ ପାଇଁ ମୋ ପ୍ରେମକୁ ଭୂଲିଗଲ । ଏତେ ସବୁ ଦେଖି ବୁଝି କଣ କିଏ ପ୍ରେମ କରେ ? କହନ୍ତି ପ୍ରେମ ଅନ୍ଧ, ପ୍ରେମ ଅନ୍ଧ ନୁହେଁ ବରଂ ପ୍ରେମର ବଡ ବଡ ଦୁଇଟି ଆଖିଥାଏ, କିନ୍ତୁ ଆବେଗର ସେଇ ଆଖିଝଲ୍ସା କିରଣରେ ପ୍ରେମିକର ଆଖି ଜଳକା ହୋଇଯାଏ । କିଛି ଦେଖି ପାରେନା, କିଛି ବୁଝି ପାରେନା । ମୁଁ ଠିକ୍ ସେମିତି ଅନ୍ଧ ହୋଇଯାଥିଲି, କପଟି ମାଲ୍ୟାଣୀର କୁହୁକର ଇନ୍ଦ୍ରଜାଲରେ ।
ମନ ଭାବୁଥିଲା ଆଖିର କଥା, ଆଖି ଭାବୁଥିଲା ମନର କଥା । ଆଖି ଭାବୁଥିଲା, କେମିତି ବୁଝେଇଦେବ ଏଇ ପାଗଳା ମନକୁ, ଆରେ ପାଗଳା, ସବୁ ଆଖି ଦେଖା ସତ ନଥାଏ, ସବୁ ସତ ବି ଆଖିକୁ ଦିଶେନା । ଥରେ ଆଖିରେ ଆଖି ମିଶିଗଲେ କାହାକୁ ପ୍ରେମ ହୋଇଯାଏନା । ତୋତେ ଦେଖିକି କିଏ ଥରେ ହସି ଦେଲା, ତା ମାନେ ନୁହେଁ ସେ ତୋତେ ତା ହୃଦୟ ଦେଇଦେଲା । ପ୍ରେମ ଏମିତି ହୁଏନା । କିନ୍ତୁ ପ୍ରେମ କେମିତି ହୁଏ ସେ କଥା କେହି ଜାଣିନି । ସେ କେମିତି ଗଣିତ, କଣ ତାର ଫର୍ମୁଲା ସେ କଥା କେହି ଜାଣେନା । ହେଲେ ଅବୁଝା ମନ, ଭାରି ମନୁଆ, ମରିଚିକାକୁ ଦେଖି ପାଣି ବୋଲି ଭାବିନେଲା ।
ମନ ଭାବୁଥିଲା ଆଖିର କଥା, ଆଖି ସବୁ ଦେଖେ କାହିଁକି? ଦେଖିକି ବିଶ୍ୱାସ କରେ କାହିଁକି? କାହିଁକି ଆଖିର ରାସ୍ତା ଖୋଲା ରହିଯାଏ । ହରିଣୀର ତିରଛା ନଜରର ତୀର ସିଧାଯାଇ ହୃଦୟକୁ ଘାୟଲ କାହିଁକି କରେ । ଆଖି ଦେଖାକୁ ସତ ମଣିବିନି ଯଦି ତେବେ ଦୁନିଆଁ କାହିଁକି କହେ, "ଯାହା ନ ଦେଖିବ ବେନି ନୟନେ ବିଶ୍ୱାସ ଯିବନି ଗୁରୁ ବଚନେ" ! କଣ ସତ, କଣ ମିଛ, କିଏ କହିଦେବ ମୋତେ । ମନ କହୁଥିଲା ତାର ସେଇ ପ୍ରଥମ ଦେଖା ପ୍ରେମ ଥିଲା, ଯେବେ ଆଖିରେ ଆଖି ମିଶିଲା ସେତେବେଳେ ହୃଦୟ ବୀଣାରେ ଯେଉଁ ଝଙ୍କାର ଶୁଭିଥିଲା, ସେଇତ ପ୍ରେମ ଥିଲା । ତାର ସେଇ ଲାଜୁକୀ ହସ ସତେ କହିଗଲା ସେ ମୋତେ ପ୍ରେମ କରେ । କିନ୍ତୁ ଏତେସବୁ ଘଟଣାକୁ କେବଳ ଗୋଟିଏ ଘଟଣା ବୋଲି ମାନିନେବାକୁ ମନ ପ୍ରସ୍ତୁତ ନଥିଲା । ପ୍ରେମ ଗୋଟାଏ ଘଟଣା ଅବା ଦୁର୍ଘଟଣା କିଛି ବୁଝି ପାରୁନଥିଲା ।
ପ୍ରେମ ସତେ ଯେମିତି ଗୋଟାଏ ସମ୍ମୋହନ, ଗୋଟାଏ ସ୍ୱପ୍ନ । ରାତି ପାହିଯାଏ, ସ୍ୱପ୍ନ ଭାଙ୍ଗିଯାଏ, ମନ କିନ୍ତୁ ସ୍ୱପ୍ନକୁ ସ୍ୱପ୍ନ ବୋଲି ମାନିନେଇ ପାରେନା । ସ୍ୱପ୍ନକୁ ସତ ମଣିନିଏ । ପ୍ରେମ ଗୋଟାଏ ମାୟା, ଆଉ ମନ ସେଇ ମାୟା ମୃଗର ପଛେ ପଛେ ଅଣନିଶ୍ୱାସୀ ହୋଇ ଧାଇଁ ବୁଲେ । ମାୟା ଭଲ ଲାଗେ, କିନ୍ତୁ ମାୟାରୁ ଖସି ଚାଲିଯିବା ପାଇଁ ବୈରାଗ୍ୟ ବାରମ୍ବାର ହାତଠାରି ଡାକେ । ପ୍ରେମର ପଙ୍କରେ ମନ ଯେପରି ଫସିଯାଇଛି । ଗୋଟିଏ ହାତ ଧରି ମାୟା ଟାଣୁଛି ଅନ୍ୟ ହାତଟିକୁ ବୈରାଗ୍ୟ ଟାଣିଧରିଛି । ଗୋଟେ ଦିଗରେ ନିରାଶାର କଳା ଅନ୍ଧକାର, ଅନ୍ୟ ଦିଗରେ ଆଶାର ଉଜ୍ବଳ ଆଲୋକ ।
ମନ ଯାହାକୁ ପ୍ରେମ କରୁଛି ସେ ଏଇ ମନକୁ ପ୍ରେମ କରେ କି ନାହିଁ କେହି ଜାଣେନା, କିନ୍ତୁ ଯିଏ ମୋତେ ଭଲପାଏ, ମୋତେ ତାର ନିର୍ଭୟ ଅଫୁରନ୍ତ ପ୍ରେମାଲିଙ୍ଗନରେ ସାଉଁଣ୍ଟି ନେବାପାଇଁ ବାହୁ ପଶାରି ବ୍ୟାକୁଳ ଭାବରେ ଅନାଇ ବସିଛି, ତାର ଆମନ୍ତ୍ରଣକୁ କିପରି ଆଣଦେଖା କରିଦେବି ? ବୈରାଗ୍ୟର ହାତ ଛାଡି ମାୟାର ଘନ ଅନ୍ଧାରରେ କେମିତି ବାଟବଣା ହୋଇଯିବି ? ଅନୁରାଗ ଅପେକ୍ଷା ବୈରାଗ୍ୟ ହିଁ ସ୍ରେୟଂ ।
ବୈରାଗ୍ୟ ପଚାରିଲା, ପ୍ରେମିକାର ପ୍ରେମ ନପାଇ ତୁମକୁ ଦୁଃଖ ଲାଗୁନି ?
ମନ କହିଲା, ମୋତେ କାହିଁକି ଦୁଃଖ ଲାଗିବ? ମୁଁ ଏମିତି ଜଣକୁ ହରାଇଲି, ଯିଏ ମୋତେ ପ୍ରେମ କରୁ ନଥିଲା । କିନ୍ତୁ ସେ ତାର ଅଜାଣତରେ ଏପରି ଜଣକୁ ହରାଇ ବସିଲା, ଯିଏ ତାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲା, ଦୁଃଖ ତାକୁ ଲାଗିବା କଥା ।
ବୈରାଗୀବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ ।