ବାପା ତମେ
ବାପା ତମେ
-" କଣ ଭଳିଆ ପାଇଛୁ କି ମୋତେ ? ବେଶି ବଡ଼ି ବଡ଼ି କଥା ହେଉଛୁ ? "
କାଲି ବାପା ଏକଦମ୍ ରାଗି ଯାଇଥିଲେ ମୋ ଉପରେ , ବାପା ଙ୍କ ସହ ପ୍ରବଳ ଝଗଡା ହେଲା । ବାପା ଆଉ ମୋ ଭିତରେ ବେଶ୍ ଯୁକ୍ତିତର୍କ କଥା କଟା କଟି ହେଲା ।
ଯାଉଁ ଯାଉଁ ବୁଢ଼ା ହେଉଛନ୍ତି ତାଉଁ ତାଉଁ ପିଲାଳିଆମୀ ବଢୁଛି । କିଛି କଥା ବୁଝିବାର ନାହିଁ ସୁଝିବାର ନାହିଁ ପ୍ରତ୍ୟେକ କଥାରେ ଚିଡ୍ ଚିଡ୍ ପ୍ରତ୍ୟେକ ଜିନିଷ ରେ ଭୁଲ୍ ବାହାର କରିବା । ଖାଦ୍ୟ ଜିନିଷ ଔଷଧ ଫିଙ୍ଗା ଫୋପଡା କରିବା , ଇଏ ଗୋଟେ କି ଅଭ୍ୟାସ ଯେ ? ନ ଖାଆନ୍ତୁ ଶୁଅନ୍ତୁ ସେମିତି ଭୋକ ହେଲେ ବଳେ ଖାଇବେ ।
ବାପା କାଲି ରାତି ରେ ଖାଇଲେନି । ଯିଏ ଡାକିଲେ ତାଙ୍କୁ ମାର୍ ମାର୍ ଦୁର୍ ଦୁର କଲେ । ମୋର ବି ରାଗ ଶାନ୍ତ ହୋଇ ନଥିଲା ବାପା ଙ୍କ ଠାରୁ , ମୁଁ ବି ଡାକିଲିନି ଖାଇବାକୁ । ସେମିତି ରୁଟି ଦିଇ ପଟ ଲେଖା ଆମେ ସମସ୍ତେ ଖାଇକି ଶୋଇଲୁ ।
ସକାଳୁ ବଡ଼ି ଭୋରୁ ବାପା ବାହାରକୁ ଉଠନ୍ତି ସକାଳ ନିଜ ନିତ୍ୟକର୍ମ ସାରି ଅନ୍ୟ କାମ ରେ ମନ ଦିଅନ୍ତି । ଆଜି ବି ଉଠିଲେ କିନ୍ତୁ ନିତ୍ୟକର୍ମ ସାରି ପୁଣି ଶୋଇ ପଡିଲେ । ବୋଉ ଡାକିଲା ଶୁଣିଲେନି କି ପତ୍ନୀ ମୋଡିବାକୁ ଗଲା ପାଦ ଦେଖାଇଲେନି ଛାଟିଦେଲେ । ଆଉ ଟିକେ ପରେ ପତ୍ନୀ ଚାହା ଆଣି ଦେଲା କଂସା ରେ , ବାପା କଂସା ସହ ସେ ଚାହା କୁ ବାହାରକୁ ଫୋପାଡ଼ି ଦେଲେ । କଂସା ଅଗଣା ରେ ଗଡ଼ି ଗଡ଼ି ଯାଇ ଗୋଟେ ବିରକ୍ତିକର ଆବାଜ୍ ଝାଉଁ ଝାଉଁ ଶବ୍ଦ କରି ନଉଟି ପଡ଼ିଲା ।
ମୋର ରାଗ ଆହୁରି ଚିଡିଲା -" ସେ ରୋଲ୍ ତମର ସେତିକି ଥାଉ ବହୁତ ଦେଖିଛନ୍ତି ଆଉ ସେ ରୋଲ୍ ଦେଖାଅନା "
-" ପୁଣି ବଡ଼ି ବଡ଼ି କଥା ହେଉଛୁ ? ଚାଲି ଯାଅ ସବୁ ମୋ ପାଖରୁ ମୋ ଖାଇବା ପାଇଁ ଏତେ ଚିନ୍ତା ତମର ? କାଲି ରାତିରେ କୁଆଡେ ଯାଇଥିଲ ସବୁ ? "
-" ନଖାଅ ତମେ , କାହାର କିଛି ଅସୁବିଧା ହେବନି , ନିଜେ ଭୋଗିବ "
ମୋ କଥା ଶୁଣି ବାପା ଆହୁରି ରାଗିକି ପଞ୍ଚମ ହୋଇଗଲେ । ମୋ ଉପରକୁ ମାରିବାକୁ ଚିହିଁକି ଉଠିଲେ । ପାଖରେ ଥିବା ଟର୍ଚ୍ଚ ଧରିକି ଫୋପାଡି ଦେଲେ ଦଶ ଟୁକୁଡା ହୋଇ ୟାଡେ ସ୍ୟାଡେ ବିଛାଡି ହୋଇ ପଡ଼ିଲା ବାପା ଙ୍କ ରାଗ ନମୂନା ସ୍ଵରୁପ । ମୋ ଗାଲରେ ଚାପୁଡା ମାରିବା ପରି ଲାଗିଲା ଏ ଟର୍ଚ୍ଚ ଫୋପଡା କାମ ଟି । ମୋତେ ଭଲ ଲାଗିଲାନି ବାପାଙ୍କ ଏଇ ପ୍ରତିକ୍ରିୟା । ମୁଁ ଯାଇ ମୋ ରୁମ୍ ଖଟ ଉପରେ ଗଡ଼ି ପଡ଼ିଲି । ଢେର୍ ସମୟ ଯାଏଁ ଚିତ୍ ହୋଇ ଶୋଇଲି ଦୁଇ ଆଖି ଉପରେ ହାତ ଟାକୁ ଢାଙ୍କି ଦେଇ , ବାପାଙ୍କ ପ୍ରତି ଥିବା ମୋର ଅସନ୍ତୋଷ କୁ ଅଣଦେଖା ଓ କ୍ରୋଧ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲି ବାରମ୍ବାର ।
' ଯେତେ ଯାହା ହେଲେ ବି ସେ ଆମ ବାପା , ତାଙ୍କର ଯେତେ ଭୁଲ୍ ଥିଲେ ବି ତାଙ୍କ ଉପରେ ଚଢ଼ି ଉଚ୍ଚ ସ୍ବର ରେ କଥା କହିବା କ’ଣ ଠିକ୍ କି ? ପୁଅ ପାଖେ ବାପା କେତେ ସମୟ ରାଗିବେ ଯେ ? ବାପା ଙ୍କ ପାଖେ ଟିକେ ମୁଣ୍ଡ ନୋଇଁ ଛୋଟ ହୋଇଗଲେ କଣ କିଛି ଅସୁବିଧା ଅଛି ? '
ଖଟ ଉପରେ ଗଡପଡ ହେବା ଭିତରେ ଆଖି କୋଣରେ ଲୁହ କୋଉଠୁ କେଜାଣି ଜକେଇ ଆସିଲା । ବାପା କାଲି ରାତିଠୁ ଖାଇ ନାହାନ୍ତି ଆଉ ସମ୍ଭାଳି ହୋଇ ରହି ପାରିଲିନି । ବାପା ଶୋଇଥିଲେ ( ସତ କଥା ହେଉଛି ଶୋଇବାର ଅଭିନୟ କରୁଥିଲେ , ନହେଲେ ଭୋକରେ କେହି ଲୋକ କଣ ଶୋଇ ପାରେ ? )
ସିଧା ଯାଇ ପାଦ ପାଖରେ ବସିଲି , ମୋଡିବାର ବାହାନା କରି ପାଦରେ ହାତ ଦେଇଛି ତ ବାପା ଚିହିଁକି ଉଠିଲେ " ଯା ପଳା ଏଠୁ "
ମୁଁ ଜବରଦସ୍ତି ବାପାଙ୍କ ପାଦ ଜାବୁଡ଼ି ଧରି ମୋଡିବା ସହ କହି ପକାଇଲି -" ଭୁଲ୍ ହୋଇ ଯାଇଛି ବାପା , ଆସ ଖାଇବ "
ବାପା ପାଦ କୁ ଛାଟି ଦେଇ ସେଠାରୁ ଉଠି ଚାଲି ଯାଉ ଯାଉ କହିଲେ -" ଶଳା ମଣିଷ ଚବିଶ ଘଣ୍ଟା ହେଲା ଖାଇନି .. ଏବେ ଯାଇ ମନେ ପଡିଲା ?"
ପୁଣି ପତ୍ନୀ କୁ କହିଲି -" ଏଇ ଜଳଖିଆ ଦେ "
ବାପା ଆହୁରି ରାଗିଲା ଭଳି ସ୍ବର ରେ କହିଲେ - " ବୁଲେଇ ଫୋପାଡି ଦେବି ସବୁ ପୁଣି ମୁଣ୍ଡ ଖରାପ କରୁଛୁ, ଜାଣିଛୁ କିଏ .. ?"
ପତ୍ନୀ ପୁଣି ଚୁଡ଼ା ମୁଢି ବିସ୍କୁଟ ଚିନି ଅମୁଲୁ ମିଶେଇ କି ( ବାପାଙ୍କ ନିତି ଦିନ ସକାଳ ଜଳଖିଆ ) ଆଉ ଗୋଟେ କଂସା ରେ ବାପା ଙ୍କୁ ଦେଉଛି ବାପା ପୁଣି ଫୋପାଡି ବାକୁ ଉଦ୍ୟତ ହେଉଛନ୍ତି , ତ ମୁଁ ବାପା ଙ୍କ ହାତରୁ କଂସା ଟି ଛଡେଇ ନେଇ ବାପା ଙ୍କୁ କୁଣ୍ଢେଇ ଧରି ହସିକି କହିଲି ।
-" ବାପା କାଇଁ ସେମିତି ଗୋଟେ ହେଉଛ କହିଲ ?"
-" ଛାଡ଼୍ ମୋତେ କୁହୁଛି ନହେଲେ .."
-" ନହେଲେ କଣ ? ମାରିବ .. ? ମାରିବ.. ତ ... ? ମାରୁନ ଦିଇ ଚାରି ଚାପୁଡ଼ା , କିଛି କଥା ନାହିଁ , ଖାଇ ଦିଅ ତମେ ଆଗ । "
-" ଛାଡ୍ କହୁଛି "
--" ଜମା ନୁହେଁ ଆଗ ଖାଇବ କୁହ ଛାଡ଼ିବି ନହେଲେ ନାହିଁ "
--" ଚିହ୍ନିଛୁ କିଏ ମୋତେ ? ଦେଖିବୁ ଏବେ "
ଏତିକି କହି ନିଜକୁ ମୋ ଠାରୁ ମୁକୁଳେଇବା କୁ ଚାହୁଁଥିଲେ । ମୁଁ ବାପା ଙ୍କୁ ଆହୁରି ଜୋର୍ ସେ ପାଖକୁ ଚାପି ଧରି ହସିକି କହିଲି
--" ବାପା କାଇଁ ସେମିତି ହେଉଛ କହିଲ ? ହେଇଥାନ୍ତ ସେମିତି ମୋଟା ସୋଟା.. କଣ ଗୋଟେ ହୋଇଥାନ୍ତା .. ତମେ ତ ଦୁର୍ବଳିଆ ମୋତେ ପାରିବନି ବିଲକୁଲ ।"
--" ଚିହ୍ନିଚୁ ନାଁ ପୁଣି... ? " ବାପା ସିନା ସେତେବେଳ କୁ ରାଗିଛନ୍ତି ବୋଲି ଦର୍ଶାଉ ଥିଲେ କିନ୍ତୁ ତାଙ୍କ ଅନ୍ତରର ଖୁସି ଓଠରେ ହସ ହୋଇ ମୁହଁ ରେ ଉତୁରି ସାରିଥିଲା ।
ଆଉ ବୋଉ , ବୋଉ ଚୁଲି ମୁଳେ ବସି ଆଖିରୁ ଖୁସି ର ଲୁହ ପୋଛୁଥାଏ ଲୁଗା କାନିରେ ।
