ବାପା ବୋଉ ଓ ପିଲାଦିନ
ବାପା ବୋଉ ଓ ପିଲାଦିନ
ସମସ୍ତଙ୍କ ପିଲାଦିନ ପରି ରୁବିଙ୍କ ପିଲାଦିନ ନଥିଲା. ହସି ଖେଳି ନାଚି ଗାଇ ସମୟ କାଟିବା ପରିବର୍ତ୍ତେ କେବଳ କଟକଣା ହିଁ ଥିଲା. ତଥାପି ସେହି କଟକଣା ଭିତରୁ ଯେଉଁ ସ୍ନେହ ଶ୍ରଦ୍ଧା ମମତା ସେ ପାଇଥିଲେ ଆଜି ଯାଏଁ ତାକୁ ହିଁ ଝୁରନ୍ତି ସେ. ଠିକ ସମୟରେ ସକାଳୁ ଉଠିବା, ନିତ୍ୟକର୍ମ କରିବା ପରେ ବାପା ନେଇଯାଆନ୍ତି ମାର୍କଣ୍ଡ ପୋଖରୀକୁ ଗାଧେଇବା ପାଇଁ. ଗାଧେଇ ପାଧେଇ ପାହାଚ ଉପରେ ଠିଆ କରି ନିଜେ ଗାଧେଇବା ବେଳେ ଟିକେ ବି ହଲଚଲ ହୁଅନ୍ତି ନାହିଁ ରୁବି କାରଣ ବାପା କହିଥାନ୍ତି ପଡ଼ିଯିବୁ. ପାହାଚ ସାରା ଶିଉଳି ଓ ଖସଡ଼ା. ଏଇଥିପାଇଁ ଜୀବନ ସାରା ଶିଉଳି ବା ପଙ୍କକୁ ସେ ଡରନ୍ତି ଆଉ ଶିଖିଛନ୍ତି ପଙ୍କକୁ ଯିବେ କାହିଁକି ଯେ ଗୋଡ଼ ଧୋଇବେ, ଶିଉଳିରେ ପାଦ ରଖିବେ କାହିଁକି ଯେ ପଡିଯିବାର ଭୟ ରହିବ! କିନ୍ତୁ ଶିଉଳି ପରି ଅନେକ ଖସଡ଼ାରେ ସେ ପଡିଛନ୍ତି ନିଜର କିଛି ବି ଭୁଲ ନଥାଇ, ଖସଡ଼ାରେ ଖସିଛନ୍ତି ହୁଏତ ଭାଗ୍ୟର ଲିଖନ ପାଇଁ.ବାପା ତାଙ୍କ ଦେହରେ ପକେଇଦେଇଥିବା ଓଦା ଚୁପୁଡ଼ା ଗାମୁଛା ଭିତରେ କି ଶୀତ କି ବର୍ଷା କି ଖରା ତାଙ୍କୁ ଏକାପରି ଲାଗେ କାରଣ ବାପା ତାଙ୍କୁ କାଖ କରି ମାର୍କଣ୍ଡ ଯାଏଁ ଆଣି ନିଜ ସହ ଗାଧେଇବା ଓ ଫେରିବା ବେଳେ ଶିବ ତାଣ୍ଡବ, ଜଟା ଟଵୀ ଗଳ ଜ୍ୱଳ ଲାଲ୍ଲଟ ପଟ୍ଟ ପାବକେ.. ସ୍ତୋତ୍ରଟି ବୋଲି ବୋଲି ଆସିବାର ଆନନ୍ଦ ଜୀବନରେ ଆଉ କେବେ ମିଳିନି ଯଦିଓ ସେଇ ଜଣାଣଟି ତାଙ୍କର ଅତି ପ୍ରିୟ. ପ୍ରତି ରବିବାର ବାପା ନଖ କାଟି ଦିଅନ୍ତି. ସପ୍ତାହ ସାରା ମଇଳା ଡ୍ରେସ ସଫା କରନ୍ତି ତ ଏଯାଏଁ ରୁବିଙ୍କର ସେହି ଅଭ୍ୟାସ. ରବିବାର ନଖ କାଟି ଅଳତା ଦିପାଟି ଲଗେଇ ପକେଇଲେ ଯୋଉ ଶାନ୍ତି ଆଉ କୋଉଥିରେ ନଥାଏ. ବାପା ଶୁଣନ୍ତି ରେଡ଼ିଓରୁ ଭିକାରୀ ବଳ ଓ ଅକ୍ଷୟ ମହାନ୍ତି ତଥା ଶ୍ୟାମାମଣୀ ଦେବୀଙ୍କ ସହ ତାଙ୍କ ସାଙ୍ଗ ପ୍ରଫୁଲ୍ଲ କରଙ୍କ ଭଜନ ଓ ଆଧୁନିକ ଗୀତ . ଗୁଣୁଗୁଣାଉ ଥାଆନ୍ତି କମଳ ଦେଶ ରାଜ କୁମାର ମୁଁ ହାତରେ ପୁଷ୍ପ ଧନୁ ଗୀତଟିକୁ. ରୁବିଙ୍କୁ ରେଡ଼ିଓରୁ ପ୍ରତି ରବିବାର ଶିଶୁ ସଂସାର ଶୁଣିବାକୁ, ନଦିଆ ବିହାରୀ ମହାନ୍ତି କହୁଥିବା କଥା ବୁଝିବାକୁ ସୁଯୋଗ ଦେଇଥିବାରୁ ଆଜି ଅପରାହ୍ନ ଟପି ସାୟାହ୍ନର ପ୍ରଥମ ପାହାଚରେ ପହଞ୍ଚିଥିଲେ ବି ଷ୍ଟାର ମେକରରେ ହେଉ ବା କୌଣସି ବି ପାରିବାରିକ ଉତ୍ସବରେ ହେଉ ରୁବି ଗାଇଦିଅନ୍ତି ଆଧୁନିକ ଗୀତ ଗୋଟେ ଅଧେ, ଯିଏ ଯାହା ବି ଭାବୁ ପଛେ.
ସେମିତି ବାପାଙ୍କ ସଙ୍ଗେ ପିଲାଦିନେ ତାଙ୍କ ଆଙ୍ଗୁଠି ଧରି ଜଗନ୍ନାଥ ଦର୍ଶନ ପାଇଁ ମନ୍ଦିର ଯିବା ଓ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ..ବାପା ଗାଉଥିବା ବେଳେ ସେହି ପିଲାଦିନୁ ସେହି ଜଣାଣଟି ତାଙ୍କର ଅତି ପ୍ରିୟ ପୁଣି ବାପା ଯେବେ ଗାଉଥାଆନ୍ତି ଓଜଶୀଳ ଭୋଜ ଗଜ ତହିଁକି ଆଦି ଭଜନ, ସ୍ତବ୍ଧ ହୋଇ ଶୁଣୁଥାଆନ୍ତି ରୁବି. ସେଇଥି ପାଇଁ କି କଣ କେଜାଣି ଆଧୁନିକ ଭଜନ ସହ ଗାଇଥିବା ଶିଳ୍ପୀ ଓ ଲେଖିଥିବା ସ୍ରଷ୍ଟାଙ୍କୁ ସେ ବାପାଙ୍କଠୁ ଶୁଣି ଶୁଣି ମନେ ରଖିଛନ୍ତି ଏଯାଏଁ. ସେମିତି ପୁରୁଣା ପିଲାଦିନର ଆଲବମରେ ଥିବା ତାଙ୍କ ପିଲାଦିନର ଫୋଟୋ ମଧ୍ୟ ବାପାଙ୍କ ସଙ୍ଗେ, ପୁଣି କବି ସମ୍ମିଳନୀରେ. ସେଇ ପିଲାଦିନର କୋଉ ଅଜଣା ଶୀହରଣରୁ କି କଣ କେଜାଣି ଆଜି ବି ଅନେକ କବି ସମ୍ମିଳନୀରେ ତାଙ୍କର ଉପସ୍ଥିତି ସହ କବିତା ପଦେ ଗାଇଦେବାରେ କି ଉତ୍ସାହ ସତରେ!ଆଉ ଖେଳ କୁଦ ମଧ୍ୟ ବାପାଙ୍କ ଗାଇଡାନ୍ସ ଭିତରେ. କଲୋନୀର ସମସ୍ତ ପିଲାମାନଙ୍କୁ ଡାକି ବାପା ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୌଡ଼, ପୁଚି, ଦଉଡିଡିଆଁ ଖେଳେଇବା ସହ ଘରେ କ୍ୟାରାମ, ଲୁଡୁ, ଚେସ ଓ ତାସ ଖେଳିବାକୁ ଅନୁମତି ଦିଅନ୍ତି. ସେଇଥି ପାଇଁ କି କଣ କେଜାଣି ପ୍ରତି ବର୍ଷ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବେଳେ ବଡ଼ଗୁରୁମା ରୁବି ମଧ୍ୟ ପିଲାଙ୍କ ସଙ୍ଗେ ଓ ଷ୍ଟାଫଙ୍କ ସହ ଦୌଡ଼ରେ ଜିତିଯାଆନ୍ତି କେବେ କେବେ ଓ ଜାଭେଲିନ ଥ୍ରୋରେ ନଜିତିଲେ ବି ଆଖିଦୃଶିଆ ପଦର୍ଶିତ କରିପାରନ୍ତି. ଖାଲି କଣ ସେତିକି ବାପାଙ୍କ ବିନାକା ପ୍ରୋଗ୍ରାମ ଶୁଣାରୁ ହିନ୍ଦି ଗୀତ ପ୍ରତି ଆକର୍ଷଣ ମଧ୍ୟ ଖୁବ. ସେଇ ପିଲାଦିନୁ ଚିହ୍ନିଥାନ୍ତି ରୁବି କିଶୋର କୁମାର, ମହମ୍ମଦ ରଫି, ମାନ୍ନା ଦେ ଇତ୍ୟାଦିଙ୍କ ସହିତ ଲତା ମଙ୍ଗେସକର ଓ ଆଶା ଭୋନ୍ସଲେ ଇତ୍ୟାଦିଙ୍କୁ. ରେଡ଼ିଓରେ ଶୁଣୁଥିବା ନିର୍ମଳା ମିଶ୍ରଙ୍କ କଣ୍ଠ ଭଳି ନିଜର କଣ୍ଠସ୍ୱର କରିବାକୁ ପ୍ରେରଣା ମିଳେ ପିଲାଦିନୁ . ସାହିତ୍ୟ ଆସର ବା କବିତା ଆସରରେ କେବେ କେବେ ଏଯାଏଁ ଗାଇବାକୁ ପଛେଇନାହାନ୍ତି ରୁବି ମହାନ୍ତି ।
ଏହିସବୁ ପିଲାଦିନର ଅନୁଭବ ଓ ପଡିଥିବା ପ୍ରଭାବ ପାଇଁ ରୁବି ନିଜ ଭିତରେ ଆତ୍ମ ସନ୍ତୋଷ ପ୍ରକାଶ କଲା ବେଳେ ନୂଆପିଢ଼ି ତାଙ୍କୁ ସମାଲୋଚନା ବା ଅଣଦେଖା କରିବା ଦେଖି ମଧ୍ୟ ସେ ନଦେଖିଲା ପରି ନିଜ ଭିତରେ ନିଜ ପିଲାଦିନକୁ ଏଯାଏଁ ଜାବୁଡି ଧରିଛନ୍ତି. ମୋବାଇଲର ୟୁଟୁବ ଖୋଲି ଘରେ ଝିଅ କି ବୋହୁ ରଙ୍ଗୋଲି କରୁଥାନ୍ତି ତ କିମ୍ଭୁତ କିମାକାର ସେ ରଙ୍ଗୋଲିରେ ବାଧ୍ୟ ହୋଇ ଖୁସି ପାଆନ୍ତି ସିନା ମନରେ ଭରେନି ସନ୍ତୁଷ୍ଟତା.ସକାଳୁ ଉଠି ନିତ୍ୟକର୍ମ ଛିଣ୍ଡେଇ ପୂଜା ସାରି ସକାଳ ଜଳଖିଆ ପ୍ରସ୍ତୁତି ସରିବା ଯାଏଁ ଝିଅ ବୋହୁଙ୍କର କବାଟ ଫିଟି ନଥିବା ଦେଖି କିଛି କହିଲେ ମହାଭାରତ ଆଉ ନକହିଲେ ନିଜ ଭିତରେ ମନେ ପଡେ ସେହି ପିଲାଦିନ. ଟିକେ ଡେରି ହେଲେ ଉଠିବାକୁ ବୋଉ କୁହେ ଯେତେ ବଡ଼ ହୁଅ ଧନ କି ଜନ ଅବା ମାନ ସମ୍ମାନରେ,ବାପ ଘର ଝିଅ ଭବିଷ୍ୟତର ବୋହୁ ଅର୍ଥାତ ନାରୀଟିଏ ହୋଇ ନିଜ ସ୍ବାମୀ, ସନ୍ତାନଙ୍କ ସହିତ ଶାଶୁ ଶଶୁର ଓ ନଣନ୍ଦ ଦିଅର ଆଦିଙ୍କର କିଛି କର୍ତ୍ତବ୍ୟ କରିବାକୁ ପଡିବ ବୋଲି ଭୁଲିଯିବା ଉଚିତ ନୁହେଁ. ବାପା ମଧ୍ୟ ପାଣିଢାଳ ଆଣି ଆସିଯାଆନ୍ତି.ଏମିତିକି ବୋଉ କହୁଥାଏ ଏ ଅଭ୍ୟାସ ଥିଲେ ତ ସକାଳୁ ଉଠିଲେ ରାତି ସାରା ଶୋଇନଥିବା ପରି ଅନୁଭବରେ ପାଦ ପଡୁଥିବ ବଙ୍କା, ଆଉ ଅନ୍ୟର କି ସେଵା କରିବ !ବାପା ମଧ୍ୟ କଲୋନୀର ଦୁଇ ତିନି ଜଣ ସମସାମୟିକ ସାଙ୍ଗ ଡାକି ଦେଖେଇ ଦେବାକୁ ପ୍ରସ୍ତୁତ ଯେ ଦେଖ ତୋ ସାଙ୍ଗ ଏତିକି ବେଳ ଯାଏଁ ଶୋଇରହିଛି. ସେଇ ପିଲାଦିନର ଏହି କଟକଣା ଜନିତ ସ୍ନେହ ଶ୍ରଦ୍ଧାର ସଂସ୍କାର ତାଙ୍କୁ ଏ ପର୍ଯ୍ୟନ୍ତ କୋଉଠି ହରାଇ ନଥିବା ବେଳେ ସେ ଅନ୍ୟର ଦୋଷ ତ୍ରୁଟିକୁ ନିର୍ବିକାର ରୂପେ ହଜମ କରିବାକୁ ବାଧ୍ୟ ହେଉଛନ୍ତି କାହିଁକି? ଏହାହିଁ ବୋଧେ ତାଙ୍କ ପିଲାଦିନର ପିତୃମାତୃ ଦତ୍ତ ଆଶୀର୍ବାଦ.ନହେଲେ ଏ ଯୁଗର ଜିମ ଯାଉଥିବା, ଅଗାଧୁଆ ଆମିଷ ଖାଉଥିବା, ଶାଶୁ ଶଶୁରଙ୍କ ଆଗେ ମ୍ୟାକ୍ସି ପିନ୍ଧି ଘରକୁ କିଏ ଆସିବା ସୂଚନା ପାଇ ଘଣ୍ଟା ଘଣ୍ଟା କବାଟ କିଳି ନିଜକୁ ସଜେଇ ଶାଢ଼ୀ ପିନ୍ଧି ସଂସ୍କୃତି ପଦର୍ଶିତ କରୁଥିବା, ବାଧ୍ୟ ବାଧ୍ୟକତାରେ ବୟସର ହିସାବ ନଥାଇ ଦୟାରେ ପୁଅର ପ୍ରେମ ବିବାହକୁ ପ୍ରଶୟ ଦେଇ ଓଦ୍ଧତ୍ୟକୁ ସହୁଥାଆନ୍ତେ କେମିତି ରୁବି! କେବଳ ସେହି ପିଲାଦିନର ବାପା ବୋଉଙ୍କ ସଂସ୍କାର.ଅଜାଗା ଘା ଦେଖାଇ ହୁଏନି କି କଷ୍ଟ ସହିହେଉନଥିବା ବେଳେ ରୁବିଙ୍କର ମନେ ପଡେ ଫେରିଆସନ୍ତାକି ସେହି ପିଲାଦିନ ।
