STORYMIRROR

Aravinda Das

Inspirational Tragedy

5.0  

Aravinda Das

Inspirational Tragedy

ଅସୁସ୍ଥ ସମୟ

ଅସୁସ୍ଥ ସମୟ

3 mins
1.5K


ନିଶାପ ବସିଥିଲା ଗାଁରେ।

ଆକାଶକୁ ଅନେଇ ଅନେକ କଥା ଭାବୁଥିଲା ମନୋଜ।

ନିଜ ଲୋକ କେମିତି ଏମିତି ବଦଳି ଯାଆନ୍ତି ?ସମ୍ପର୍କ ତିକ୍ତତାର ରଙ୍ଗ ଏତେ ଭୟଙ୍କର ? ଏମିତି ବଦଳି ଗଲା ବୋଉ ?

- ବାପାଙ୍କ ଜାଗା ରେ ଚାକିରୀ ତୁ କଲୁ।ତେଣୁସେଇ ଜମିରେ କରିଥିବା ଘର ଟା ତୋ ସାନ ଭାଇ ନାଁରେ କରିଦେ।ଆଉ ତୋ ଆକାଉଣ୍ଟରେ ଥିବା ଟଙ୍କା ଦୁଇଭାଗ ହେବ।

ଗାଁ ମୁଖିଆଙ୍କ ନିଶାପ କମିଟି ଆଗରେ ବୋଉର ଏଇ ବୟାନ !କିନ୍ତୁ କାହିଁକି ଏମିତି ବ୍ୟବହାର କରୁଛି ବୋଉ ?ମନୋଜ ଯାହାକୁ ଆଜିଯାଏଁ ଦେଵୀ ବୋଲି ମାନି ଆସିଛି, ସେ କଣ ତାର ପରୀକ୍ଷା ନେଉଛି ?ହସପିଟାଲରୁ ତିନିଦିନ ହେଲା ଡିସଚାର୍ଜ ହୋଇଛି ମନୋଜ।

- ମୁଁ ତମକୁ ସବୁବେଳେ କହେ, ମୋ କଥା ଶୁଣିଲନି,ଏବେ ଦେଖ ତମ ବୋଉ ଓ ସାନ ଭାଇର ଅସଲି ଚେହେରା।" ସ୍ତ୍ରୀ ପୁଷ୍ପା ଖୁଣ୍ଟାଦେଇ କହୁଥିଲା।

ବାପା'ଙ୍କ ଆକସ୍ମିକ ବିୟୋଗ ପରେ ପାଠପଢ଼ା,ନିଜ ଅନିଚ୍ଛା ସତ୍ୱେ କ୍ୟାରିୟର ସ୍ବପ୍ନକୁ ଅଧାରେ ଛାଡି ବାପାଙ୍କ ଅଫିସରେ ଅନୁକମ୍ପାମୂଳକ ଚାକିରୀରେ ଜଏନ କରିବାକୁ ବାଧ୍ୟ ହୋଇଥିଲା ମନୋଜ,ତାହା ବି ବୋଉ ଓ ପରିବାର ଲୋକଙ୍କ ଚାପରେ।

ବୋଉ ନେହୁରା ହୋଇ ତାକୁ କହିଥିଲା,

- ବାବୁ ,ତୁ ପାଠ ପଢିଛୁ।ମୁଁ ତ ପଞ୍ଚମ ପାସ ବି କରିନି।ମୁଁ ପିଅନ ହେବା ଅପେକ୍ଷା , ତୁ କିରାଣୀ ହୋଇ ଜଏନ କର।ସାନ ଭାଇର ପାଠପଢ଼ା ଓ ପରିବାର ଦାୟିତ୍ୱ ଆଜିଠୁ ତୋ ଉପରେ।"

ବାସ୍ ,କଲେଜ ପାଠ ପଢ଼ାରେ ଡୋରି ବାନ୍ଧି ନିଜ କାନ୍ଧକୁ ଶକ୍ତ କରିଥିଲା ମନୋଜ ପରିବାର ପାଇଁ ।ସାନ ଭାଇ ଉପରେ ସବୁ ସ୍ନେହ ଓଜାଡ଼ି ଥିଲା।ହେଲେ ସନ୍ତୋଷ ପାଠ ପଢା ଅପେକ୍ଷା ଅନ୍ୟ ସଉକରେ ମାତିଥିଲା।ବୋଉ ରାଗୁଥିଲା।

- ତୋ ଗେଲ୍ହା ଯୋଗୁଁ ସାନ ଭାଇଟା କୁସଙ୍ଗରେ ପଡୁଛି।କାମ ଦାମ ନକରି ତୋ ପଇସା ଉଡାଉଛି।

- ପିଲା ଲୋକ,ଟିକେ ମସ୍ତି ମଜା କରୁ।ବଡ଼ ହେଲେ ଦାୟିତ୍ୱ ଶିଖିଯିବ।

ସାନ ଭାଇ ସନ୍ତୋଷ ଲଭ ମ୍ୟାରେଜ କରିଥିଲା ବୋଲି ରାଗିଥିଲା ବୋଉ।

- ସେ ଟୋକା ଚାକିରୀ ବାକିରି ନକରି ନିଜ ଇଛାରେ ଅନ୍ୟ ଜାତିରେ ବାହା ହୋଇଛି।ସେମାନଙ୍କୁ ମୁଁ ଘରେ ପୁରାଇବି ନାହିଁ।"

ମନୋଜ ବୁଝାଇ ସୁଝାଇ ବାହାଘର କରିଥିଲା।ହେଲେ ଚାକିରିଆ ସାନ ବୋହୁ ଅଲଗା ରହିବ ବୋଲି ଜିଦି ଧରିଥିଲା ଓ ରହିଲା ବି।ବୋଉ ଜମା ଯାଉନଥିଲା ସନ୍ତୋଷ ଘରକୁ।ହେଲେ ନାତି ହେଇଛି ବୋଲି ଜାଣିଲା ପରେ,ବୋଉ ନିଜେ ପହଞ୍ଚି ଥିଲା ସନ୍ତୋଷ ଘରେ।ଏକୋଇଶିଆ ପର୍ଯ୍ୟନ୍ତ ରହିବ କହି ଅଟକିଥିଲା।ଏତେ ବର୍ଷ ହେଲାଣି ବଡ଼ ପୁଅ ବୋହୁଙ୍କ ପାଖରେ ରହି କିଛି କାମ କରୁନଥିବା ବୋଉ,ସେଠି ଆପେଆପେ ମେସିନ ଭଳି ଖଟୁଥିଲା,ବିନା ପ୍ରତିବାଦରେ।

ମନୋଜ କିନ୍ତୁ ଖୁସିଥିଲା,ଯାହାହେଉ ବୋଉ କ୍ଷମା କରିଦେଇଛି ସାନ ଭାଇକୁ।

ଆଉ ସେଦିନ ବୋଉ ର ସେଇ କଥା ପଦକ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ମନୋଜ।

- ତୁ ଆଉ ବୋହୁ ଦୁଇଜଣ ଚାକିରୀ କରୁଛ।ସନ୍ତୋଷର ଚାକିରୀ ନାହିଁ।ଚଳିବାକୁ ଅସୁବିଧା।ପିଲାଟିଏ ତା ଘରକୁ ଆସିଲାଣି।ମୁଁ ସେ ଘରଟା ସାନ ନାଁ ରେ କରିଦେବି ।ବାପାଙ୍କ ପଇସାରେ ତ ଜାଗା କିଣି ଘର କରିଥିବୁ।

-ବାପାଙ୍କ ପେନ୍ସନ ପଇସା ତ ସବୁ ତୋ ଆକାଉଣ୍ଟରେ ଜମା ଥିଲା ବୋଉ।ନିଜ ପଇସାରେ......

ନିଜ ଝାଳନାଳ ପଇସାରେ ଜାଗାଟେ ବୋଉ ନାଁରେ କିଣି ଘରଟେ ବନାଇଥିଲା ମନୋଜ।।

ସକାଳେ ସନ୍ଧ୍ୟାରେ ଟିଉସନ ବି କରୁଥିଲା ମନୋଜ। ନିଜ ପେଟରୁ କାଟି, ପଇସା ସଞ୍ଚୟ କରି ଘର ବନାଇଲା ପରେ ସାନ ଭାଇ ନାଁରେ ବୋଉ କରିଦେବ କାହିଁକି ?

ଯେଉଁ ସାନ ଭାଇ ମୁହଁ ଦେଖିବନି ବୋଲି ବୋଉ ପ୍ରତିଜ୍ଞା କରିଥିଲା, ଆଜି ସେଇ ସାନ ଭାଇ ପଟିଆ ହୋଇ କେସ କରିଛି ତା ନାଁରେ ?ନିଶାପ ପାଇଁ ଫେରାଦ ହୋଇଛି ?ମା ଚାହେଁ ତା ସବୁ ପୁଅ ଭଲ ଆର୍ଥିକ ସ୍ଥିତିରେ ରୁହନ୍ତୁ।ହେଲେ ଏମିତି ? ନାତିକୁ ଦେଖି ବୋଉ ମନ ବଦଳାଇଛି ?କେଜାଣି ?

ମନୋଜ ଡିପ୍ରେସନ ର ଶିକାର ହୋଇ ହସ୍ପିଟାଲରେ ରେ ଥିଲା;ଅଥଚ ଦେଖା ନଥିଲା ବୋଉ କିମ୍ବା ସାନ ଭାଇର।

ନିଶାପ ବସିଥିଲା ଗାଁ ରେ।ଗାଁ'ର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ବସିଥିଲେ ଚଉପାଢ଼ୀରେ।

ଗୋଟାଏ କଡ଼କୁ ମନୋଜ ,ସ୍ତ୍ରୀ ପୁଷ୍ପା ଅନ୍ୟ ପଟେ ମନୋଜ'ର ସାନ ଭାଇ ସନ୍ତୋଷ ଓ ବୋଉ, ଶାନ୍ତି ଦେବୀ।

ଆଶ୍ଚର୍ଯ୍ୟ ହୋଇଯାଉଥିଲା ମନୋଜ।ସମୟ ସହ ତାଳ ଦେଇ ଦୁନିଆ ହୁଏତ ବଦଳି ପାରେ ;ସ୍ବାର୍ଥପର ମଣିଷ ବି ବଦଳନ୍ତି।ହେଲେ ବାପା,ମା ତ କେବେ ବଦଳନ୍ତି ନାହିଁ।

ସେମାନେ ନିରପେକ୍ଷ ଓ ସବୁ ପିଲାଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ବୋଲି କୁହାଯାଏ।

କିନ୍ତୁ ବୋଉ !

ବୋଉ ଏମିତି ବଦଳିଯାଇ ସ୍ବାର୍ଥପର ହୋଇଯିବ ବୋଲି ବିଶ୍ବାସ କରୁନଥିଲା ମନୋଜ।ଭଗବାନଙ୍କ ଠାରୁ ଅଧିକ ବିଶ୍ବାସ ସେ କରୁଥିଲା ବୋଉକୁ।

କଣ ଭାବିଲା କେଜାଣି,ମନୋଜ କହିଉଠିଲା,"ବୋଉ ଯାହା ଚାହୁଁଛି ତାକୁ ସବୁ ଦେଇଦିଅନ୍ତୁ।ମୋର କିଛି ଦରକାର ନାହିଁ।"ଭେଁ ଭେଁ ହୋଇ କାନ୍ଦୁଥିଲା ମନୋଜ।

ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆଜି ବୋଉ ଫେରି ଆସି ବାହାରେ ଠିଆ ହୋଇଛି।ଗେଟ ସାମ୍ନାରେ ଗାଁ ମୁରବିମାନେ ଠିଆ ହୋଇ ଗାଳି କରୁଛନ୍ତି ବୋଉକୁ।

- ବଡ଼ ପୁଅକୁ ଚୋର,ଲୋଭୀ କହି ସେଦିନ ତା ଘର ଜମି ସାନ ପୁଅ ନାଁରେ କରିଦେଲ।ଆଜି ସେ ତମକୁ ଘରୁ ବାହାର କରିଦେଇଛି।ପୁଣି ଏଠିକୁ କାହିଁକି ଆସିଛ ?

ମନୋଜ ସବୁ ଶୁଣୁଥିଲା।ବିକଳ ହୋଇ ଅନାଉଥିଲା ବୋଉ।ଦୋଷୀ ଭଳି ମୁଣ୍ଡ ତଳକୁ କରିଥିଲା।

ଗେଟ ଖୋଲିଦେଇ ବୋଉର ବ୍ୟାଗଟା ଭିତରକୁ ନେଇ ଆସି ବୁଲିପଡ଼ି ଅନେଇଲା ମନୋଜ ; ଧୀର ପାଦରେ ତାକୁ ଅନୁସରଣ କରି ଆସୁଥିଲା ବୋଉ।

(ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational