ପ୍ରଶାନ୍ତ କୁମାର ବେହେରା

Abstract

5.0  

ପ୍ରଶାନ୍ତ କୁମାର ବେହେରା

Abstract

ଅଷ୍ଟମଙ୍ଗଳା-ତୃତୀୟ ଭାଗ

ଅଷ୍ଟମଙ୍ଗଳା-ତୃତୀୟ ଭାଗ

4 mins
426



ସେ ମୋ କଥାରେ ଟିକେ ଲାଜେଇଯାଇ କହିଲା, " ଯାଇଥିଲି କିନ୍ତୁ ଏ ଝିଅଟି ଯେତେ ଆଡକୁ ତା' ସ୍ୱାମୀକୁ ନେଇ ଯାଉଥିଲା ସେତେ ଆଡକୁ ମୋ ସ୍ତ୍ରୀ ମୋତେ ନେଇ ନଥିଲା l"


ମୁଁ ହସିଦେଇ କହିଲି , " ତାହେଲେ ତ ଏକା କଥା l ତମ ସ୍ତ୍ରୀ ତମକୁ ଯେତିକି ଆଡକୁ ନେଲା ତମେ ଗଲ ଆଉ ଠିକ୍ ସେମିତି ସେ ଲୋକର ସ୍ତ୍ରୀ ତାକୁ ଯୁଆଡେ ନେଲା ସେ ବି ଗଲା l ସେ ଝିଅଟିର ଟିକେ ଅଧିକ ସମ୍ପର୍କ ଥିବ ସାଇ ପଡିଶାଙ୍କ ସହ l " 


ମୁଁ କିନ୍ତୁ ଏ ଭିତରେ ମନେ ମନେ ଖୁବ୍ ବ୍ୟତିବ୍ୟସ୍ତ ହୋଇଗଲିଣି ଜାଣିବାକୁ ସେ କାହିଁକି ଗୁଡେ ମାଡ ଖାଇଲା l ଭାବିଲି ବୋଧେ ସେ ସ୍ୱାମୀ ସ୍ତ୍ରୀ ଏପଟ ସେପଟ ହୋଇ ବୁଲୁଥିବାରୁ କିଛି ଗୋଟେ ମନ୍ତବ୍ୟ ଦେଇଛି ଯାହାକୁ ସେ ଝିଅ ଏବଂ ତା' ପରିବାର ଅନ୍ୟ ଅର୍ଥରେ ନେଇ ଗୁଡେ ପିଟିଛନ୍ତି l ସେଇ କଥା ଜାଣିବାକୁ ତାକୁ ପୁଣି କହିଲି, " ଆଛା ତମକୁ ମାରିଲେ କାହିଁକି ସେ କଥା କହିଲ ? "


ସେ କହିଲା , " ସେଇ କଥା ପରା କହୁଛି ସାର୍ l ସେମାନଙ୍କର ଏମିତି ବୁଲା ବୁଲି ଭିତରେ ମୋ କଥା କିନ୍ତୁ ସେଇ ଝିଅ ପରିବାର ଠିକ୍ ବୁଝୁଥିଲେ l କେମିତି ବୁଝିବେନି କହୁନାହାନ୍ତି ମୁଁ ପରା ତାଙ୍କ ଜ୍ୱାଇଁଙ୍କ ଘର ପାଖା ପାଖି ଲୋକ l ପହଞ୍ଚିବା ପରେ ପରେ ଭଲ ଜଳଖିଆ ଆଉ ତା' ପରେ କେତେବେଳେ ଥଣ୍ତା ପାନୀୟ ତ ଆଉ କେତେବେଳେ କଫି ଏମିତି ମଝିରେ ମଝିରେ ମିଳୁଥାଏ ।"


ମୁଁ ତା କଥାରେ ଅଧର୍ଯ୍ୟ ହୋଇ କହିଲି, " ସେ ସବୁ ତ ମିଳୁଥିଲା କିନ୍ତୁ ମାଡ କାଇଁ ମିଳିଲା କହୁନ କାହିଁକି ? "


ସେତେବେଳକୁ ଆମେ ନୂଆବଜାର ଭିଡ଼ ଭିତରେ l ସେ କାର୍ ରେ ଗିଅର୍ ଚେଞ୍ଜ୍ କରି କହିଲା, " ହଁ ସାର୍ ସେଇ କଥା କହୁଛି , ଟିକେ ଧର୍ଯ୍ୟ ଧରନ୍ତୁ l ସେଦିନ ବୁଧୁବାର ହୋଇଥିବାରୁ ମଧ୍ୟାହ୍ନ ଭୋଜନରେ ମଟନ୍ ସହିତ ବଡ ଚିଙ୍ଗୁଡି ବି ହୋଇଥିଲା l ଖାଇସାରି ପୁଣି ଝିଅ ଜ୍ୱାଇଁ କୁଆଡେ ଗଲେ ଯେ ଫେରିଲେ ଯାଇ ସଂଧା ୭ ପରେ l ବୋଧେ ଗାଁଆଁର ସବୁଘରେ ମୁହଁ ମାରି ଫେରିଲେ l ରାତ୍ରି ବଢୁଥାଏ l ମୁଁ ତ ଆଜ୍ଞା ସାରାଦିନ ପାଇଁ ଭଡାରେ ଯାଇଛି l ଶିଘ୍ର ଫେରିଯିବା ବୋଲି କହିବା ସମ୍ଭବ ନଥିଲା l ଏ ଭିତରେ ଝିଅ ଘରବାଲା ଫାଇନାଲ୍ କଲେ ଯେ ଏକାଥରେ ଡିନର୍ କରି ଝିଅ ଜ୍ୱାଇଁ ଫେରିବେ l ମୁଁ ଦେଖିଲି ଏଠୁ ବାହାରୁ ବାହାରୁ ରାତି ୧୦ ପରେ ନିଶ୍ଚେ ହେବ l ଘରେ ସ୍ତ୍ରୀ ବ୍ୟସ୍ତ ହେବ ଚିନ୍ତାକରି ମୋବାଇଲ୍ ରୁ କଲ୍ କରି କହିଲି ଏଠୁ ଖାଇକି ଯାଉ ଯାଉ ଡେରି ହେବ l ଠିକ୍ ସେଇଆ ହିଁ ହେଲା ସେଠୁ ଝିଅ ଜ୍ୱାଇଁ ବିଦାୟ ନେଲାବେଳକୁ ରାତି ୧୦.୩୦ ହେଲା l "


ତା' କଥାରେ ମୁ୍ଁ ଟିକେ ମଜା କରିବାକୁ ଯାଇ କହିଲି, " ହଁ ଏମିତି ହୁଏ l ମୁଁ ପରା ଅଷ୍ଟମଙ୍ଗଳାରେ ଯେଉଁ ବୁଲି ଯାଇଥିଲି ଠିକ୍ ଏମିତି ଖାଇ ପିଇ ରାତି ୧୧ ରେ ଫେରିଥିଲି l ଶଶୁରଘର ଲୋକ ବିବାହପରେ ପ୍ରଥମ ଜ୍ୱାଇଁ ଚର୍ଚା ଭଲକରି କରନ୍ତି l"


ମୁଁ ମନା କରୁନି ସାର୍ , ସେମିତି ହୁଏ l ସେମାନେ ଯେତେବେଳେ ଘରୁ ବାହାରି ଆସି କାର୍ ରେ ବସିଲେ ମୁଁ ଆମ ଏରିଆର ପୁଅ ଅର୍ଥାତ୍ ସେଇ ଜ୍ୱାଇଁକୁ କହିଲି, " ବହୁତ ଲେଟ୍ ହେଲାଣି, ଏପଟେ ସାଲେପୁରର ସୋମପୁର ଯାଏ ରାସ୍ତା ଖୁବ୍ ନିଛାଟିଆ l ସେ ମହାନଦୀ ପୋଲ ପାଖା ପାଖି ଏରିଆରେ କିଛି ଲୁଟେରା ଗାଡିକୁ ଅଟକାଇ ଜିନିଷପତ୍ର ଲୁଟ୍ କରିବାସହ ଖରାପ ବ୍ୟବହାର କରନ୍ତି l ଆମେ ଚାଲ ଏପଟେ କଟକଦେଇ ଯିବା l" 


ସେ ପୁଅଟି ମୋ କଥାରେ ରାଜି ହୋଇ କହିଲା ହଁ ସେଇଆ କରିବା l ଟିକେ ବୁଲାଣି ପଡୁପଛେ କଟକ ବାଟେ ହିଁ ଚାଲ ଯିବା l କିନ୍ତୁ ସେଇ ଝିଅଟି କଣ ଭାବିଲା କେଜାଣି ପୁଅଟିକୁ କାର୍ ବାହାରକୁ ଡାକିନେଇ ଆସ୍ତେ ଆସ୍ତେ କହିଲା, " କାଇଁ ଏତେବାଟ ବୁଲିବା, ସୋମପୁର ଏଠୁ କେତେବାଟ ଯେ,କଟକ ଦେଇ ଗଲେ ବହୁତ ସମୟ ଲାଗିବ ଆଉ ଯେତେ ଅଧିକ କିଲୋମିଟର ଉଠିବ କାର୍ ବାଲାର ଲାଭ, ତେଣୁ ସେ ସେପଟେ କଟକ ଦେଇ ଯିବାକୁ କହୁଛି l"


ସେ ଝିଅଟି ଆସ୍ତେ ଅସ୍ତେ କହୁଥିଲେ ବି ତା'ର ସବୁକଥା ମୋତେ କ୍ଲିଅର୍ ଶୁଭୁଥାଏ l ଭାବିଲି ଏତେ ବଡଲୋକ ଘର ଝିଅ ହୋଇ ବି କେମିତି ଏମିତି ଛୋଟ ଚିନ୍ତାଧାରା ମନରେ ରଖିଛି ? ଗୁଡେ ସୁନା ଜିନିଷ ପିନ୍ଧିଥିବାରୁ ତାଙ୍କରି ଭଲ ପାଇଁ କଟକ ଦେଇ ଯିବାକଥା କହିଥିଲି ଅଥଚ ସେ କେମିତି କଥା କହିଲା ଦେଖିଲେ ସାର୍ l ଭାବିଲି ଆଜିକାଲି ଯୁଗରେ କାହାକୁ ଭଲ କଥା କହିଲେ ସେ ନିଶ୍ଚେ ଭାବିବ ଏ ଲୋକର ନିଶ୍ଚୟ କ'ଣ ଉଦ୍ଦେଶ୍ଯ ଅଛି l" 


ମୁଁ ପଚାରିଲି, " ଫାଇନାଲି ତମେ କେଉଁ ବାଟେ ଆସିଲ ? ତମ ଗାଁଆଁ ପାଖର ପୁଅଟି କଣ ତା ସ୍ତ୍ରୀ କଥାରେ ରାଜି ହୋଇଗଲା କି ? "


ସେ କହିଲା, " କେମିତି ରାଜି ହେବନି କହୁ ନାହାନ୍ତି ? ନୂଆ ନୂଆ ବାହାହୋଇ ସ୍ତ୍ରୀ କଥାକୁ କେମିତି କାଟିଥାନ୍ତା ଯେ ? ସେ ତା ସ୍ତ୍ରୀ କଥାରେ ପଡି ମୋତେ କହିଲା ନାଇଁ ସେପଟେ ଏତେ କାଇଁ ବୁଲିବା, ଏପଟେ ଖୁବ୍ ପାଖ , କେତେ ସମୟ ଲାଗିବ ଯେ, ଚାଲ ଏପଟେ ଯିବା, କିଛି ଅସୁବିଧା ହେବନି l"


ତା କଥା ମୁତାବକ ମୁଁ ଚୁପ୍ ଚାପ୍ ଗାଡି ଚଳାଇଲି l ଠିକ୍ କିଶୋରନଗର ପରେ ପରେ ଗୋଟେ ନିଛାଟିଆ ଜାଗାରେ ରାସ୍ତା ଉପରେ କିଛି ପଥର ଥୁଆ ହୋଇଥିଲା l ସେତେବେଳକୁ ରାତି ୧୧ ଟା ହେଲାଣି l ଗାଡି ବ୍ରେକ୍ ମାରି କିଛି ସମୟ ସ୍ଥିର ହୋଇ ରହି ସବୁଆଡକୁ ଚାହିଁଲି l ଆଖପାଖରେ କେହି କୁଆଡେ ନଥିଲେ l ଶେଷକୁ ବାଧ୍ୟହୋଇ କାର୍ ରୁ ଓଲ୍ହାଇ ସେ ପଥର ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଆଗେଇ ଗଲି l ଗୋଟେ ପଥର ଉଠାଇଚି କି ନାହିଁ ହଠାତ୍ ପାଖରେ ଗୋଟେ ବଡ ଗଛ ମୂଳ ସେପଟେ ଲୁଚିକି ଥିବା ୬ ଜଣ ଲୋକ ଦୌଡିକି ମୋ ଆଡକୁ ମାଡିଆସିଲେ l ସମସ୍ତେ ମୁହଁକୁ କଳା କପଡାରେ ଢାଙ୍କି ରଖିଥାନ୍ତି l ସେମାନଙ୍କ ଭିତରୁ ତିନିଜଣ ମୋତେ ସେଇ ଗଛ ମୂଳକୁ ପୁରା ଟାଣିନେଇ ଧୁମ୍ ଧାମ୍ କରି ମାଡ ବସେଇବା ଆରମ୍ଭ କରିଦେଲେ l ଯାହାକୁ କହନ୍ତି ନିସ୍ତୁକ ମାଡ ସାର୍ l ସେମାନଙ୍କ ଭିତରୁ କିଏ ଗୋଟେ ତା' ଯୋତା ପିନ୍ଧା ଗୋଡରେ ଶକ୍ତ ଗୋଇଠା ଟାଏ ମୋ ଜଙ୍ଘ ପାଖରେ ମାରିଲା l ଯାହାକୁ କୁହନ୍ତି ଅଥାନଥାନ ସେଇଠି ବହୁତ ଯୋର୍ ରେ ବାଜିଲା l ମୋ ଆଖିରୁ ସାର୍ ଖୁବ୍ ଯନ୍ତ୍ରଣାରେ ଯେମିତି ଜୁଳୁଜୁଳିଆ ପୋକ ବାହାରି ଆସିବା ସହିତ ପାଟିରୁ ବହୁତ ଯୋର୍ ରେ ,"ବୋଉଲୋ ମରିଗଲି " ବୋଲି ଚିତ୍କାରଟିଏ ବାହାରି ଆସିଲା l


( କ୍ରମଶଃ ........)



Rate this content
Log in

Similar oriya story from Abstract