ଅର୍ଦ୍ଧ ଦଗ୍ଧ ଶୀତଳ ସଳିତା
ଅର୍ଦ୍ଧ ଦଗ୍ଧ ଶୀତଳ ସଳିତା
ଲେଟ ହେଲାଣି, ତରବରିଆ ଭାବେ ଅଫିସ ବାହାରୁଥିଲି l ବୋଉ ର ଫୋନ କଲ ଆସିଲା l ସତରେ ବୋଉର ଗୋଟିଏ ସମୟ ଜ୍ଞାନ ବୋଲି ନାହିଁ l ଠିକ ଏତିକି ବେଳକୁ ହିଁ ଫୋନ କରିବାର ଥିଲା! ମନେ ମନେ ଖୁବ ବିରକ୍ତ ହେଇ ଫୋନ ରିସିଭ କଲି l ଆଉ କହିଲି, " ତୋର ଯାହା ବି କହିବାର ଅଛି, ଜଲ୍ଦି କହ l ମୋ ପାଖେ ଏବେ ଟାଇମ ନାଇଁ ତୋ ସହ ଗପିବାକୁ l" ହେଲେ ସେପଟୁ ବୋଉର କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା l ବାପାଙ୍କ କୁଆଡେ ଦି' ଟା ଯାକ କିଡ଼ନୀ ଫେଲ l ଆଉ ଅଫିସ କ'ଣ ଯିବି! ଲାଗିପଡିଲି କିଡ଼ନୀ ଯୋଗାଡ଼ କରିବାକୁ l ହେଲେ କଣ କରିବି ମୋ ମୁଣ୍ଡରେ କିଛି ବି ବୁଦ୍ଧି ପଶୁ ନଥିଲା l ଲଥ କିନା ସୋଫା ଉପରେ ବସି ପଡିଲି l କାହାକୁ ଫୋନ କରି ସାହାଯ୍ୟ ମାଗିବି ଭାବି ପାରୁ ନଥିଲି l ଏପଟ ସେପଟ ହେଇ ହେଇ ଦି' ଦିନ କଟିଗଲା l ହେଲେ କିଛି ବି ହେଇ ପାରିଲାନି l
ମୋ ସାଙ୍ଗ, ଡାକ୍ତର ରଶ୍ମି ଯାହାଙ୍କ ପାଖେ ମୋ ବାପା ଟ୍ରିଟମେଣ୍ଟ ହେଉଥିଲେ, ତା' ଫୋନ କଲ ଟି ଦେଖି ମୁଁ ତୁରନ୍ତ ରିସିଭ କଲି l ସେ ସେପଟୁ କହିଲା, "ବ୍ୟସ୍ତ ହେ ନି ସାଙ୍ଗ l ସବୁ ଠିକ ହେଇଗଲା l" ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, "ହେଲେ କେମିତି?" ସେ ସେପଟୁ କହିଲା, " ଆରେ ସାଙ୍ଗ ମୁଁ ଦୁଇ ଦିନ ତଳେ ପେପର ରେ ଆଡ଼ ଦେଇଥିଲି l ଆଜି ଫୋନ ଆସିଥିଲା l ଜଣେ ଝିଅ କିଡ଼ନୀ ଦେବାକୁ ରାଜି ହେଇ ଯାଇଛି l ଆଉ ସେ ବି ବିନା ଟଙ୍କା ପଇସା ରେ l" ମନେ ମନେ ମୁଁ ଭଗବାନ ଙ୍କୁ ଧନ୍ୟବାଦ ଦେଇ ମନେ ମନେ ବହୁତ ଖୁସି ହେଲି l
ଠିକ ସମୟ ରେ ଆଉ ପୁରା ଠିକ ଭାବେ ବାପାଙ୍କ ଅପରେସନ ସରିଲା l ବାପାଙ୍କ ହୋସ ଆସିବା ମାତ୍ରେ ବାପା କହିଲେ ଯେ ସେ ସେଇ ଝିଅ କୁ ଦେଖିବାକୁ ଚାଁହୁଛନ୍ତି l ମୋ ସାଙ୍ଗ କହିଲା, "ନାଇଁ ମଉସା, ସେ ଝିଅ ତା' ପରିଚୟ ଆପଣ ମାନଙ୍କୁ ଦେବାକୁ ମନା କରିଛି l" ହେଲେ ବାପା ତାଙ୍କ ଜିଦ ରେ ଅଟଳ l ପରେ ମୋ ସାଙ୍ଗ ବହୁତ ଅନୁରୋଧ କରିବାରୁ ଆସିଲା ସେ l
ହେଲେ ତାକୁ ଦେଖି ଆମ ସମସ୍ତଙ୍କ ମୁଣ୍ଡ ତଳକୁ ହେଇଗଲା l ମୁଁ ଧିରେ ଧିରେ ଅଣନିଶ୍ୱାସୀ ହେଇ ଯାଉଥିଲି l ବହୁତ ଚେଷ୍ଟା କରି ମୁଁ ବାପାଙ୍କ ଆଡକୁ ଅନେଇଲି l ବାପା ଛୋଟ ଛୁଆ ଙ୍କ ପରି ଭେଁ ଭେଁ ହେଇ କାନ୍ଦୁଥିଲେ l
ସେ ଝିଅ ଟି ଥିଲା, ଖୁସବୁ l ଆଜିକୁ ପ୍ରାୟ ଦଶ ବର୍ଷ ତଳେ ଯିଏ କି ମତେ ଜୀବନ ଦେଇ ଭଲ ପାଉଥିଲା l ଆଉ ହଁ, ମୁଁ ବି l ବହୁତ ଚେଷ୍ଟା କରି ବି ସେ ମୋ ଘର ର ବୋହୂ ହେଇ ପାରି ନଥିଲା l ତା'ର ଖାଲି ଏତିକି ଭୁଲ ଥିଲା ଯେ, ସେ ମୁସଲିମ ପରିବାର ରେ ଜନ୍ମ ହେଇଥିଲା l ଜଗନ୍ନାଥ ମିଶ୍ର ମାନେ ମୋ ବାପା, ନୈଷ୍ଠିକ ବ୍ରାହ୍ମଣ ଜାତିଆଣ ର ଅହଂକାର ରେ ତାକୁ ପାଦରେ ଆଡେଇ ଦେଇଥିଲେ l ହେଲେ ଏବେ ଜଗନ୍ନାଥ ମିଶ୍ର ଜାଣିପାରୁନଥିଲେ ଯେ, ସେ ନିଜେ ହିନ୍ଦୁ କି ମୁସଲିମ l କାରଣ ଏବେ ତାଙ୍କରି ଦେହରେ ଗୋଟାଏ ମୁସଲିମ କିଡ଼ନୀ l ବାପା ହାତ ଯୋଡି ଖୁସବୁ କୁ କ୍ଷମା ମାଗୁଥିଲେ l ଖୁସବୁ ମୋ ଆଡେ ଅନେଇ ହାଲକା ହସ ଟିଏ ହସି ଦେଇ ବାପାଙ୍କୁ ଛୁଆଙ୍କ ଭଳି ବାପାଙ୍କୁ କହିଲା, "ଏଇଟା ତ ମୋ କର୍ତ୍ତବ୍ୟ ଥିଲା ବାପା l କିଛି ତ ସେବା ଆପଣଙ୍କ କରି ପାରିଲି, ହେଲେ କଥା ଦିଅନ୍ତୁ ଆର ଜନ୍ମ ରେ ଯେମିତି ପୁରା ସେବା କରିବାର ମତେ ସୁଯୋଗ ଦେବେ l ପ୍ଲିଜ଼ ବାପା "
ଜଗନ୍ନାଥ ମିଶ୍ର କହିଲେ " ଧନ୍ୟ ତୋ ବାପା ମା' ଯିଏ ତତେ ଏତେ ସଂସ୍କାର ଦେଇଛନ୍ତି l ଆଜି ତୁ ମୋ ଆଖି ଖୋଲି ଦେଲୁ ରେ ମା' l ଆଉ ମୋ ସ୍ତ୍ରୀ ସେମିତି ଅବାକ ହେଇ ଦେଖୁଥିଲା "ତ୍ୟାଗ ର ସେଇ ଅର୍ଦ୍ଧ ଦଗ୍ଧ ଶୀତଳ ସଳିତା ଟିକୁ l"
