ଦିନା ମାଷ୍ଟ୍ରେ
ଦିନା ମାଷ୍ଟ୍ରେ
ବାଣୀ ବିହାର ଅଟୋ ଷ୍ଟାଣ୍ଡ, ନଟ ଶୋଇଥିଲା ତା' ଅଟୋ ଭିତରେ । କିଏ ଜଣେ ଆସି ଡାକ ପକେଇଲେ "ଏ ଅଟୋଵାଲା, ବରମୁଣ୍ଡା ଯିବୁ? " ନଟ ଆଖି ବି ନ ଖୋଲି ସଫା ସଫା କହିଲା " ହୋଇ ହୋ ବାବୁ, ମୁଁ ପରା ଶୋଇଛି । ତମ ଆଖିକୁ ଦିଶୁନି କି? " ଏମିତି ଶୁଣି ଲୋକଟି ଫେରି ଯାଉଥିଲା । ନଟକୁ ମନେ ମନେ ଭାବିଲା, ଆରେ ତା' ଆବାଜ ରୁ ତ ଲାଗୁଥିଲା ବୁଢ଼ା ଲୋକଟିଏ ହେଇଥିବ ନିଶ୍ଚୟ । ନଟ ହଠାତ ଉଠି ପଡି ପଛରୁ ଡାକିଲା "ଓ ବାବୁ ଆସ ଆସ, ବରମୁଣ୍ଡା ଯିବ, ଆସ ।" ବୁଢ଼ା ଲୋକଟି ଆସିଲା ଆଉ ଅଟୋ ରେ ବସିଛି କି ନାଇଁ କହିଲା "ଧନ୍ୟବାଦ ବାବୁ ।"
ବୁଢା ର ସେଇ ଟିକକ ସ୍ୱର ନଟକୁ କେଜାଣି କାହିଁକି ପୁରା ଖୁସ କରି ଦେଲା । ନଟ ଅଟୋ ର ମିରର ରେ ସେ ବୁଢ଼ା ମଣିଷ ଟାକୁ ଦେଖିବାକୁ ଚେଷ୍ଟା କଲା ।
ସେଇ ଗୋଲ ଚଷମା, ସେଇ ଧଳା କୁର୍ତା, ସେଇ ଛତା, ବାଟା ଚପଲ । ଯାହା ଖାଲି ଚୁଟି ଗଣ୍ଡାକ ବେଶୀ ବେଶୀ ଧଳା ଦିଶୁଚି, ଚଷମା ର କାଚ ଟା ବି ଟିକେ ମୋଟା ଦିଶୁଛି । ଆଉ କିଛି ବି ବଦଳିନି । ନଟ ସାଙ୍ଗେ ସାଙ୍ଗେ ଖଣ୍ଡି ହସ ଟିଏ ଦେଇ କହିଲା "ଦୀନା ମାଷ୍ଟ୍ରେ ନମସ୍କାର ।" ଅଟୋ ଟାକୁ ରାସ୍ତା ସାଇଡରେ ରଖି ଦେଇ ଆଗ ଆସି ପାଦ ଦି'ଟା ଛୁଇଁ ଦେଇ ପ୍ରଣାମ କଲା । ଦୀନା ମାଷ୍ଟ୍ରେ ଖୁସିରେ କୁଣ୍ଢେ ମୋଟ ହେଇଗଲେ ଆଉ ନଟର ମୁଣ୍ଡ ଉପରେ ହାତଟା ବୁଲେଇ ଆଣି କହିଲେ " ଆରେ ନଟ ତୁ !"
ନଟ କହିଲା "ହଁ ଆଜ୍ଞା ମୁଁ ।" ନଟ ର ବି ଖୁସିର ସୀମା ନଥାଏ । ପିଲାଦିନର ସବୁ କଥା ଜଳ ଜଳ ହେଇ ତାକୁ ଦିଶୁଥାଏ । ନଟ ପୁଣି ଅଟୋ ଷ୍ଟାର୍ଟ କଲା । ୟା ଭିତରେ ବରମୁଣ୍ଡା ବସ ଷ୍ଟାଣ୍ଡ ଆସି ସାରିଥିଲା । ନଟ ଦୀନା ମାଷ୍ଟ୍ରେଙ୍କ ସହ ବସ ଷ୍ଟାଣ୍ଡ ଭିତରକୁ ଗଲା ବସ ପାଖେ ଛାଡି ଦେବା ପାଇଁ । ହେଲେ ବସ ଛାଡିବାକୁ ଆହୁରି ଗୋଟେ ଘଣ୍ଟା ବାକି ଅଛି । ନଟ ଦୀନା ମାଷ୍ଟ୍ରେଙ୍କୁ ବିଶ୍ରାମଗାରରେ ବସେଇ ଦେଇ ପାଖ ଦୋକାନକୁ ଯାଇ ଗୋଟାଏ ଥଣ୍ଡା ପାଣି ବୋତଲ ଆଉ ପକୁଡି ଦଶ ଟଙ୍କାର ନେଇ ଆସିଲା । ଦୀନା ମାଷ୍ଟ୍ରେ ଏସବୁ ଦେଖି କହିଲେ "କଣ ଦରକାର ଥିଲା ଯେ ଏସବୁ ଆଣିବା? ଆଛା ଏବେ ବି ତୋର ମନେ ଅଛି, ପକୁଡି ମୋର ପସନ୍ଦ ବୋଲି? " ନଟ କହିଲା "କି କଥା କହିଲେ, ମନେ ରହିବନି କେମିତି ଯେ? "
ଦୀନା ମାଷ୍ଟ୍ରେ ଲୁହ ଲୁଚେଇବାକୁ ଚେଷ୍ଟା କରୁଥିଲେ ବୋଧେ । ଲୋଚାକୋଚା ହସଟିଏ ହସି ଦେଇ ନଟର ମୁଣ୍ଡରେ ହାତ ବୁଲେଇ ଆଣି କହିଲେ "ହୋଉ ରେ ନଟ ତୁ ଏଥର ଯା । ଭଗବାନ ତୋର ମଙ୍ଗଳ କରନ୍ତୁ ।" ନଟ ମୁଣ୍ଡିଆ ଟିଏ ମାରି ବାହାରି ଗଲା ତା' ଅଟୋ ନେଇ ।
ନଟ ରାସ୍ତା ସାରା ମୁଚୁମୁଚିଆ ହସ ହସୁଥିଲା ତା'ପିଲାଦିନ କଥା ମନେ ପକେଇ । ଏଇ ପରା ସେଇ ନଟ ମାଷ୍ଟ୍ରେ, ସାଧାରଣ ହର୍ଷ ଇ ଆଉ ଦୀର୍ଘ ଈ ଖାଲି ଟିକେ ଭୁଲ ହେଇ ଯାଉଥିଲା ବୋଲି ପିଠିରେ ନୋଳା ଫଟେଇ ପିଟୁ ଥିଲେ । ନଟ ବି କୋଉ ବିଛୁଆତି
ଠୁ କମ ଥିଲା କି ଯେ, ନଟ ରାଗରେ ସବୁଦିନ ଦୀନା ମାଷ୍ଟ୍ରେଙ୍କ ସାଇକେଲ ଚକା ପଞ୍ଚର କରି ଦେଉଥିଲା । ଏମିତି କେତେ କଥା ମନେ ପକେଇ ନଟ ହସୁଥିଲା । ହଠାତ ନଟର ଆଖିରେ ଲୁହ ଟୋପେ ଆସିଗଲା । ନଟ ଭାବିଲା, ସତରେ କଣ ଦୀନା ମାଷ୍ଟ୍ରେ ବଦଳି ନାହାନ୍ତି ।
ନିଜକୁ ନିଜେ ଉତ୍ତର ବି ଦେଲା, ହଁ ହଁ, ଟିକେ ନୁହଁ ବହୁତ ବଦଳି ଯାଇଛନ୍ତି । କୁଆଡେ ଗଲା ସେ ଦୀନା ମାଷ୍ଟ୍ରେଙ୍କ ସେଇ କର୍କଶ ସ୍ୱର? ଦୀନା ମାଷ୍ଟ୍ରେ ନାଁ ଶୁଣିଲେ ପିଲାଏ ପେଣ୍ଟ ରେ ଶୁଶୁ କରି ଦେଉଥିଲେ । ହେଲେ ଦୀନା ମାଷ୍ଟ୍ରେ ଆଜି ଏତେ ଉଦାସ କାହିଁକି?
ନଟ ଅଟୋ ବୁଲେଇଲା ପୁଣି ବରମୁଣ୍ଡା ଆଡକୁ । ପାଇଗଲା ଦୀନା ମାଷ୍ଟ୍ରେଙ୍କୁ । ଖୁବ ଅଳି କରି ସେ ନେଇ ଆସିଲା ତାଙ୍କୁ ତା' ଛୋଟ କୁଡ଼ିଆକୁ ଆଉ କହିଲା "ଆଜି ଦିନଟା ମୋ ଛୋଟ କୁଡ଼ିଆଟାରେ ରହି ଯାଆନ୍ତୁ, କାଲି ମୁଁ ଆପଣଙ୍କୁ ଛାଡି ଆସିବି ବସ ଷ୍ଟାଣ୍ଡରେ । "
ରାତିରେ ଖାଇ ସାରି ବିଛଣାକୁ ଗଲେ ଦୀନା ମାଷ୍ଟ୍ରେ, ଦୀନା ମାଷ୍ଟ୍ରେଙ୍କ ଗୋଡ ମୋଡ଼ୁ ମୋଡ଼ୁ ନଟ ପଚାରିଲା " ଆଉ ରାହୁଲ? " ନଟର ପ୍ରଶ୍ନ ନ ସରୁଣୁ ସେ କହିଲେ "ହଁ ହଁ, ସେ ବହୁତ ଭଲରେ ଅଛି ।" ୟା ଭିତରେ ଦୀନା ମାଷ୍ଟ୍ରେ ଙ୍କ ଆଖି ଲାଗି ଯାଇଥିଲା । ନଟ କିନ୍ତୁ ଭାବୁଥିଲା, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ଶିଖେଇ ଥିବା ଦୀନା ମାଷ୍ଟ୍ରେ ଆଜି କାହିଁକି ଏତେ ମିଛ କହିଲେ? ସେ ତ ହସ୍ପିଟାଲକୁ ଆସିଥିଲେ ହେଲେ ପେନସନ ପାଇଁ କୋଉ ଅଫିସକୁ ଆସିବା କଥା କାଇଁ କହିଲେ । ନଟ ଫେସବୁକ ଖୋଲିଲା, ଅନଲାଇନ ଥିଲେ ରାହୁଲ ମିଶ୍ର । ଦୀନା ମାଷ୍ଟ୍ରେଙ୍କ ପୁଅ ଆଉ ତା' ପିଲାଦିନ ସାଙ୍ଗ । ନମ୍ବର ମାଗି ଫୋନ କଲା ରାହୁଲକୁ, ଆଉ ସେ ମେଡିକାଲ ରିପୋର୍ଟରେ ଯାହା ଲେଖା ହେଇଥିଲା ସବୁ ଶୁଣେଇଲା । ରାହୁଲ ଠୁ ଏତିକି ଖାଲି ଜାଣିଲା ଯେ ରାତିରେ ନିଦ ହେଉ ନଥିବାରୁ ଏସବୁ ରୋଗ, ଆଉ କିଛି ନୁହଁ । ଆଉ କଣ କଣ ଏମିତି କଥା ହେଲା ରାହୁଲ ସହ ।
ଚାରିଦିନ ହେଇ ଗଲାଣି, ଦୀନା ମାଷ୍ଟ୍ରେ ନିଜ ଘରକୁ ଫେରି ଆସିଥିଲେ । ଏକା ମଣିଷଟିଏ, ଏମିତି ବସି ଟିଭି ଦେଖୁଥିଲେ । ଡାକ ଵାଲା ଆସି ଚିଠିଟିଏ ଦେଲା, ଲଫାପାରେ ରାହୁଲ ମିଶ୍ର ଲେଖା ଥିଲା । ଆଉ ଚିଠି ଭିତରେ ଲେଖା ଥିଲା " ବାପା, ମୋର ଭୁଲ ହେଇ ଯାଇଛି । କ୍ଷମା କରିଦେବ, ମୁଁ ବହୁତ ଜଲଦି ଯିବି ତୁମକୁ ଦେଖା କରିବାକୁ । ଲଭ ୟୁ ବାପା, ଏମିତି କେତେ କଣ.....
ଦୀନା ମାଷ୍ଟ୍ରେ ପଢି ସାରି ଫୋନ କଲେ ନଟକୁ । କହିଲେ "ପାଖରେ ଥିଲେ ତୋ କାନ ମୋଡି ଦିଅନ୍ତି, ବୁଝିଲୁ । କେତେ ଥର ସେ ହର୍ଷ ଇ ଆଉ ଦୀର୍ଘ ଈ ଭୁଲ କରିବୁ ଯେ? ଆଉ ହସ୍ତାକ୍ଷର ଜାଣି ଯିବି ବୋଲି ଟାଇପ କରି ପଠେଇଛୁ । ସତରେ ନଟ ତୁ ବଦଳିନୁ ହେଲେ ବଦଳି ଯାଇଛି ମୋ ପୁଅ । ଏଇ ଦୀନା ମାଷ୍ଟ୍ରେ ଆଜି ଖୁବ ଖୁସି, ସେ ବନେଇଛି ତୋ ଭଳିଆ ମଣିଷ ଟିଏ । ଲଭ ୟୁ ନଟ ।" ଯୋଗକୁ ସେଦିନ ଥିଲା ଗୁରୁଦିବସ, ନଟ ଛଳ ଛଳ ହେଇ କହିଲା, "ଧନ୍ୟବାଦ ଶିକ୍ଷକ" ।