Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ଅର୍ବାନ ଜଙ୍ଗଲ

ଅର୍ବାନ ଜଙ୍ଗଲ

7 mins
456


କେତକୀର କି ସୁଗନ୍ଧ କେଵଳ ପ୍ରତ୍ୟକ୍ଷ ଅନୁଭବି ହିଁ ଜାଣେ । ଏଇ କୁତ୍ରିମ ବାସ୍ନା ଯାହାକୁ କୁହନ୍ତି ଅତର ସେଥିରେ ନଥାଏ ସେ ଆନନ୍ଦ । କିନ୍ତୁ କେଉଁଠି ଅଛି ସେ କେତକୀ ଆଉ ?

★★★★

ସକାଳୁ ଲିଚୁର ପ୍ରଶ୍ନରେ ବ୍ୟସ୍ତ ହେଇଗଲେଣି ଅଜା । କେମିତି ବୁଝେଇବେ ବୁଦ୍ଧି ବାଟ ଦିଶୁନି ।

--'' ଅଜା କୁହ ଏଇ କେୱଡା ପ୍ଲାଣ୍ଟ କେଉଁଠି ଅଛି , ମୁଁ ଦେଖିବି ।

--'' ଆରେ ସେଗୁଡ଼ାକ ଯାଇଁ ଗାଁରେ ନା' ତୁମ ସହରରେ କୁଆଡୁ ଆସିବ ?''

-- ''ନାହିଁ କଉଠି ଗୋଟେ ଥିବ ତୁମେ ଖୋଜ ପ୍ଲିଜ ତୁମେ ପା' ରେଞ୍ଜର ।''

-- '' ଆରେ ରେଞ୍ଜର ବୋଲି ଏଇ ସହରରେ ଗଛଟେ ତିଆରି ଦେବି ନା' କ"ଣ । ଏଠି ଖୋଜିଲେବି ମିଳିବନି ମୁଁ ଜାଣେ ବେଟା । ''

-- '' ନା' ନା' ତୁମେ ଖୋଜ , ପ୍ଲିଜ । ଏତକ ଭଲା କୁହ କେଉଁଠି ମିଳିବାର ଚାନ୍ସ ଅଛି ?''

-- '' ଜଙ୍ଗଲରେ , ବୁଝିଲୁ ।''

ସନାତନ ଟିକେ ଆନମନା ହେଇଗଲେ ଆଉ ଚାଲିଲେ ବେଶ ଦୂରକୁ , କେତକୀ ପାଖକୁ । ନିଜ ଗାଁ ଗୋହରୀ ଯେଉଁଠି ବୁଦି ବୁଦିକା କିଆ କେତକୀ ଭେଡ , କଣ୍ଟେଇ କୋଳି , ଭୂଇଁ ବରକୋଳି ଆଉ ଭଇଁଚ କୋଳିର ମେଳ । ଆଉ ସେଇ ସବୁଜ ଚିତ୍ର ଭିତରେ ଲୁଚି ଥିବା ରଙ୍ଗୀନ ଅତୀତ । କେଡେ ମଧୁର ଥିଲା ସତେ ସେ ଜୀବନ । ରୋଜ ସକାଳ ନିଦ ଡାହୁକର ଡାକ ଆଉ ଗଞ୍ଜାର ରାବରେ ଭାଙ୍ଗିବା , ସାହାଡ଼ା ସୁନ୍ଦରୀ କାଠି ଖଣ୍ଡେ ଧରି ଦାନ୍ତ ଘଷିବା , ନଈରେ ସାଥି ହେଇ ଗାଧେଇ ଯିବା , ଠିଆ ପହଁରା ମାରି ନଈର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବା ଆଉ ସବୁଠୁ ସୁନ୍ଦର ସେ କେତକୀ ଫୁଲ ନେଇ ନିଳିମାର ବୋଉଙ୍କୁ ଦେଇ ଶିବଙ୍କ ମଥାରେ ଚଢ଼େଇବାକୁ କହିବା ।

ହଁ ସବୁ ସ୍ୱପ୍ନ ହେଇଗଲେଣି , ସେଇ ଅନୁଭବ ଗୁଡା । ନିଳିମାକୁ କିନ୍ତୁ କେବେ ଦେଇ ହେଇନଥିଲେ ଫୁଲ ଗୋଟେ । ସବୁବେଳେ ମାଗୁଥିଲା ସେ ମୋ ପାଇଁ ଆଣୁନୁ ଫୁଲ ଗୋଟେ । ଲାଗିଲା ସେଇ ନିଳିମା ହୁଏତ ଆଜି ଲିଚୁ ଭିତରେ ଫେରିଛି ଅନେକ ଯୁଗ ପରେ ଆଉ ମାଗୁଛି ସେଇ କେତକୀ ଫୁଲ

ଗୋଟେ । ସନାତନ ଟିକେ ନିରିଖେଇ ଦେଖିଲେ ଲିଚୁକୁ । ଗେଲ୍ହା ନାତୁଣୀ ଆଜି ଠିକ ସେଇ ନିଳିମା ପରି ଲାଗିଲା ତାଙ୍କୁ ।

ଭାରି ସାଇତା ସ୍ମୃତି ହଜିଗଲାଣି କେଉଁ ଅଜଣା ଅତୀତରେ । ନିଳୀମା ତାଙ୍କ ସାନ

ଭଉଣୀର ସଙ୍ଗାତ ଆଉ ତାଙ୍କର .....

ଅଜା କୁଆଡେ ହଜିଗଲେ ବୁଝି ପାରୁନଥିଲା ଲିଚୁ । ସାଇନ୍ସ ପ୍ରୋଜେକ୍ଟ ପାଇଁ କେତକୀ ଗଛ ଗୋଟେ ଦରକାର । ପ୍ଲାଣ୍ଟ ଏସେନ୍ସ ଉପରେ କରୁଛି ସେ ପ୍ରୋଜେକ୍ଟ। ମମି ଗୋଟେ ପକ୍କା ଠକ , କହିଲା କ'ଣ ନା' ଅଜା ଦେଖିଛନ୍ତି ଗଛ କେଉଁଠି ଅଛି ଆଣିକି ଦେଇଦେବେ ତୋ କାମ ହେଇଯିବ । କିନ୍ତୁ ଦେଖ ଅଜା କହୁଛନ୍ତି ଗଛ ନାହିଁ , ଧେତ୍ ଏବେ ମଣିଷ କ'ଣ କରିବ । ଦୁଇଦିନ ପରେ ପ୍ରୋଜେକ୍ଟ ଡିପୋଜିଟ କରିବାର ଅଛି । ମମି କଥାରେ ପଡି ମଲା ମଣିଷ !

*****************

-- ''ଅଜା ପ୍ଲିଜ ଗୋଟେ ଛୋଟ କେୱଡା ପ୍ଲାଣ୍ଟ ମୋର ଦରକାର । ତୁମେ ଚାଲ ଜଙ୍ଗଲ କୁ ସେଠିତ ଥିବ ନା' ତୁମେ କହିଥିଲ ମୋତେ ? ''

ସନାତନ ବୋକା ହେଇକି ଅନେଇଲେ , ଜଙ୍ଗଲ ଏଠି କେଉଁଠି ? କିନ୍ତୁ ଲିଚୁ କହିଛି ମାନେ ଅଛି ନିଶ୍ଚିତ । ଝିଅଟା ଭାରି ବୁଦ୍ଧିଆ , ସବୁ ବର୍ଷ ତା'ର ପ୍ରୋଜେକ୍ଟ ବେଷ୍ଟ ସାଇନ୍ସ ପ୍ରୋଜେକ୍ଟ ଭାବେ ପ୍ରାଇଜ ପାଉଛି। ଏଥରବି ସେଇ ନିଶା , ଯେମିତି ହଉ କେତକୀ ଗଛ ଗୋଟେ ଥୋଇବ ସେ ସେଇ ପ୍ରୋଜେକ୍ଟ ସହିତ । ବିଚିତ୍ର ଛୁଆ , ଆରେ ସେଇଟା ଯେଡ଼େ ବଡ଼ କଣ୍ଟା ଗଛ ତାକୁ କ'ଣ ରଖିହେବ । ସେଇଟା ଓପାଡି ଆଣିବାବି ବଡ଼ ମୁସ୍କିଲ । କିନ୍ତୁ ନା' ଜଙ୍ଗଲ ଦେଖିଚି ସିଏ ତେଣୁ ଅଜା ଯିବାକୁ ବାଧ୍ୟ ।

ଏଠି ପୁଣି ଜଙ୍ଗଲ କୁଆଡୁ ଆଇଲା , କିନ୍ତୁ ଫାଙ୍କି ମାରିବା ଅସମ୍ଭବ । ଯିବାକୁ ହେବ ଲିଚୁ ନୁହେଁ ସେ ଲୀଚ୍ ,ମାନେ - ଜୋକ ।

ଯେଉଁ କଥା ମନକୁ ଆସିଛି ସେତକ ସରିବା ପରେ ଯେଉଁ କଥା ।

ସନାତନ ସନ୍ଧ୍ୟାରେ ବାହାରିଲେ ଜଂଗଲ, କାରଣ ଟିଉସନ୍ ସାରି ନାତୁଣୀ ଆସୁ ଆସୁ ସଞ୍ଜ । ବିଚିତ୍ର ବ୍ୟବସ୍ଥା ସକାଳୁ ରାତି ପିଲାଏ ସ୍କୁଲ ଆଉ ଟିଉସନ୍ ଭିତରେ ପୂରା ଅଣନିଶ୍ଵାସୀ । ଖେଳକୁଦ , ଗପସପ , ହସଖୁସି ହେବାକୁ ଘଡ଼ିଏ ତର ନାହିଁ । ସତରେ କ'ଣ ଅଧିକ ପଢୁଛନ୍ତି ପିଲାଏ ନା' ସମୟ ବଦଳିଯାଇଛି । ପାଠ ସହ ଅପାଠ ବି ପଢିବାକୁ ପଡୁଛି । ପିଲା ନୁହେଁ ମେସିନ୍ ହେବାକୁ ପଡୁଛି । ମନେ ପଡିଲା ସେ , ନିଳୀମା ଆଉ ପୁଳେ ସାଙ୍ଗ ମିଶି କେମିତି ଖେଳୁଥିଲେ ବୋହୁ ଚୋରୀ । ସେ କେମିତି ସବୁବେଳେ ସେଇଠି ନିଳୀମାକୁ ବୋହୁ ସଜେଇ ନିଜେ ବର ହେଇଯାଉଥିଲେ । କେତେ ଭଲ ଥିଲା ସେ ନିରୁତା ପିଲାଖେଳ !.......

ଭାରି ଇଚ୍ଛା ହେଲା ଲିଚୁ ଠିକ ସେମିତି ଖେଳନ୍ତାକି କିତ-କିତ , ପାଣି-ପାହାଡ଼ ,

ମେରି-ଗୋ , ଛକି- ଶୁନ , ଟ୍ୱେଣ୍ଟି- ନାଇନ୍ । କିତି କିତି ଖେଳ ପାଇଁ ରାହା ଧରନ୍ତା ଆଉ ଭଲ ଖପରା କାତି ଖୋଜନ୍ତା ଠିକ ନିଳୀମା ପରି । ଘରେ ଚିନା ମାଟି ପ୍ଲେଟ କି କପ ଭାଙ୍ଗିଗଲେ ସାଇତି ରଖୁଥିଲେ ଛୁଆ ମାନେ ବଢିଆ ଖପରା ବନେଇବାକୁ । ମସ୍ତ ପାଲିସ ଖପରା କାତି ଯେଉଁ ଘର ପକେଇବାକୁ ଚାହିଁବ ପଡିବ ନିଶ୍ଚିତ ସେଥିରେ ।

ଆଉ ବହୁତ ଖୁସି ଲାଗନ୍ତା ଯଦି ଲିଚୁ ଘୋଘୋ ଘର କମ୍ପେଇ ଜିଦ କରନ୍ତା , ମମି ଆଜି ଚକଲେଟ ନା' ନା' ପିଜ୍ଜା ପାର୍ଟି ହବ ମୋ କଣ୍ଢେଇର ବାହାଘର ପାଇଁ । ଆଉ ତାରି ବୟସର ଛୁଆ ଆସି ରୁଣ୍ଡ ହୁଅନ୍ତେ ଘରେ।

ହଁ ନିଳୀମାର କଣ୍ଢେଇ ବାହା ହେଉଥିଲା ସବୁ ମାସରେ , ଆଉ ସେମାନେ ଖୁଡୀଙ୍କ ପାଖେ ବସି ଚକୁଳି ଗୁଡ଼ ନହେଲେ ପୁରୀ ତରକାରୀ ଖାଉ ଥିଲେ । କେଡେ ନିର୍ମଳ ଆନନ୍ଦ । ଆଉ କାହିଁ ସେ ପିଲା ଖେଳ , ସେ ନିରୀହ ସୁଖ , ସେ ଉଛୁଳା ବାଲ୍ୟକାଳ । ପିଲାଏ ବଡ଼ ଅସହାୟ ନିବୁଜ ଘର , ନିବୁଜ ସମ୍ପର୍କ , ନିବୁଜ ପୃଥିବୀ ଭିତରେ । ଏଠି ପବନ ଟିକିଏ କି ପାଣି ମୁନ୍ଦିଏ ପିଇବାର ସ୍ୱାଧୀନତା ନାହିଁ । ହାଇଜିନ୍ ପଢୁଛନ୍ତି ସଭିଏଁ , ଆରୋ ପାଣି , ବାହାରକୁ ଗଲେ ମାସ୍କ ଆହାଃ କେଡେ ବିକଳ !.......

ସେଇଠି ଲିଚୁ ଖୋଜୁଛି କେତକୀ ମୋହ , କେଡେ ବିଚିତ୍ର କୁଆଡୁ ଆଉ ମିଳିବ । ଏଇ କଂକ୍ରିଟ ଜଙ୍ଗଲରେ ହଜି ଗଲାଣି ସବୁ ସବୁଜ ସୌନ୍ଦର୍ଯ୍ୟ । କେଉଁଠି ଆଉ କିଆ ବୁଦା ନା' କେତକୀ ଭେଡ ? ଦିନେ ହୁଏତ ମ୍ୟୁଜିୟମ୍ ରେ ରହିବେ ଗଛ ମାନେବି ଡାଇନୋସର ଭଳି ବିଲୁପ୍ତ ପ୍ରଜାତି ହେଇ ।

ଆଜିକାଲିର ଆତ୍ମକୈନ୍ଦ୍ରିକ ସ୍ୱାର୍ଥପର ମଣିଷ ଯେପରି ନଷ୍ଟ କରୁଛି ସବୁଜିମା , ଏ ଦିନ ଆସିବାକୁ ଆଉ ଡେରି ନାହିଁ । ନିଜ ସୁରକ୍ଷା ବ୍ୟତୀତ ଆଉ କିଛି ଭାବୁନଥିବା ମୁର୍ଖ ମଣିଷ ବୁଝୁନି ଗଛ ସବୁ ଭାରି ଜରୁରୀ ତା' ନିଜ ଅସ୍ତିତ୍ୱ ପାଇଁ । ସେମାନେହିଁ ସ୍ୱୟଂଭୁ , ମଣିଷ ତୁଚ୍ଛା ପରାଙ୍ଗପୃଷ୍ଟ !...

************

ଅଜା ନାତୁଣୀ ଚାଲିଲେ ଇଭିନିଂ ବୁଲାରେ , ଜଙ୍ଗଲ ସନ୍ଧାନିବାକୁ । ଖୁବ୍ ଗୁଡ଼େ ଚାଲି ଚାଲି ଥକି ଗଲେ ସନାତନ ।

-- "ଆରେ ଲିଚୁ ବେଟା ଆଉ କେତେ ଦୂର ତୋ ଜଙ୍ଗଲ ?''

--'' ଓଃ ! ତୁମେ ପା' ଭାରି ଷ୍ଟ୍ରଙ୍ଗ , ପୁଣି ଏମିତି ବ୍ୟସ୍ତ କାହିଁକି ହେଉଛ ଯେ ? ଆଉ ଟିକେ ବାଟ ଅଛି ଏଇ ଦିଶିଲା । ''

ହଁ ସନାତନ ଷ୍ଟ୍ରଙ୍ଗ ଥିଲେ , ସାରା ଗାଁରେ ଏମିତି କେହି ନଥିଲା ଯେ ତାଙ୍କୁ କବାଡିରେ ହରେଇ ଦେବ । ରଜ ମଉଜ ବେଳେ ସବୁ ବର୍ଷ ତାଙ୍କ ଗାଁ ଜିତୁଥିଲା ଖାସ ତାଙ୍କ ପାଇଁ । ସାଙ୍ଗ ପିଲାଏ ଫୁଲମାଳ ପିନ୍ଧେଇ , କାନ୍ଧରେ ବସେଇ ବୁଲେଇଥିଲେ କେତେ ଥର । ଆଜି ଆଉ ସେ ଦିନ କାହିଁ ? ପିଲାଏ ଖେଳିବାକୁ ଯିବାର ନଜିର ନାହିଁ , କିଛି ଖେଳୁଛନ୍ତି କ୍ରିକେଟ ବାସ ! ଆଜିକା ପିଲାଏ କୁଆଡୁ ଆଉ ଷ୍ଟ୍ରଙ୍ଗ ହେବେ । ଲୁତୁପୁତୁ ଗୋଲ ମଟୋଲ ହେଇ ଯାଉଛନ୍ତି ଫାଷ୍ଟ ଫୁଡ୍

ଖାଇ ।

ଏମିତି ଭବନରେ ଚାଲୁ ଚାଲୁ ସତରେ ଦେଖା ଗଲା ଜଙ୍ଗଲ ସୁଦୃଢ ପାଚେରୀ ଭିତରେ , ତାଲା ପକା ବଡ଼ ଗେଟ୍ ର ସୁରକ୍ଷା ବଳୟ ଭିତରେ । ବଡ଼ ବୋର୍ଡ଼ ଲାଗିଛି

'' ଅର୍ବାନ୍ ଜଙ୍ଗଲ ପ୍ରୋଜେକ୍ଟ " । ଅଜା ଏବେ ଅନେଇଲେ ନାତୁଣୀକୁ ,

-- '' କେମିତି ଯିବା ଏଡ଼େ ବଡ଼ ତାଲା ଏଠି ?''

-- '' ତୁମେ ପା' ରେଞ୍ଜର ଥିଲ , ତୁମେ କହିଲେ ଖୋଲିବ ଗେଟ୍ । ''

ହେଲେ ଏବେ କେହି କୁଆଡେ ଦିଶୁନି , କିଏ ଆଉ ଖୋଲିବ କବାଟ । ଅଜା ବିକଳ ଦିଶିଲେ ଆଉ ନାତୁଣୀ କାନ୍ଦୁରା ଦିଶିଲା। ଲିଚୁର ଅବୋଧ ପ୍ରଶ୍ନ , '' ଅଜା ଗଛ କ'ଣ ପଳେଇଯିବ ଯେ ତାଲା ମରା ହେଇଛି ?''

ସନାତନ ଭାବୁଥିଲେ ସତରେ ଜଙ୍ଗଲର ସୁରକ୍ଷା ଲୋଡ଼ା , ମଣିଷ କାହାକୁବି ଆଉ ସୁରକ୍ଷିତ ରଖିନି । ସଭିଏଁ ଅସୁରକ୍ଷିତ । ତେଣୁ ସହରର ଅସୁସ୍ଥ ପବନକୁ ଟିକେ ଅମ୍ଳଜାନ ଦେବାକୁ ଥୋଡେ ଗଛ ଏଇଠି ଏମିତି ସାଇତା ହେଇଛନ୍ତି । ତାଲା ନପକେଇଲେ ଏତକବି ପୋଛି ହେଇଯିବେ କୁରାଢ଼ୀ ଚୋଟରେ । ସନାତନ ମନେ ପକେଇଲେ ଏଇ ଯେଉଁ ସହରର ଏଠି ଗଢ଼ିଉଠିଛି ସେଇଠି ଅଛି ଅଗଣିତ ଗଛଙ୍କ ସମାଧି । କେତେ ଘଞ୍ଚ ବନାନୀ ଥିଲା ଏଠି ଆଉ ଏବେ ,ଏଇ ଟିକିଏ ସ୍ଥାନ ଛାଡିଛି ମଣିଷ ନିରୀହ ଗଛଙ୍କ ପାଇଁ ଆହାଃ ! ହେଲେ ଏଠି କ'ଣ କେତକୀ ଅଛି ??.......

ଅକାଶିଆ , ୟୁକାଲିପଟାସ୍ ,ଶୋସା ,

କୃଷ୍ଣଚୂଡ଼ା , ରାଧାଚୂଡ଼ା , ବାବୁରି , ଏମିତି ଗୁଡ଼େ ଗଛ । ଭଲା ଆମ୍ବ , ପଣସ , ପିଜୁଳି , ଜାମୁ ଗଛ ଲାଗିଥାନ୍ତା ମଣିଷ ଫଳ କିଛି ପାଆନ୍ତା । ନା' ସେସବୁ ଗଛ ଲାଗିଲେ ଫଳ ତୋଳା ବାହାନାରେ ଗଛ ଗୁଡାକୁ ଭାଙ୍ଗି ଭୁଙ୍ଗି ସାରିଦେବେ ଲୋକେ । ଦୁନିଆ ଯାକର ଚୋରୀ ବିଦ୍ୟା ପୁରେଇବେ ଆଉ ଗଣ୍ଡଗୋଳ ଲାଗିବେ । ଏଇ ଗଛ ପଛେ ଭଲ ସବୁ

ଆଡୁ । କିନ୍ତୁ ଲିଚୁର ଦରକାର କେତକୀ !......

ସନାତନ ବୁଝେଇଲେ , ଚାଲ ଏଇ ଅର୍ବାନ୍ ଜଙ୍ଗଲ ଉପରେ କରିବା ପ୍ରୋଜେକ୍ଟ । ଗୋଟେ ନୂଆ କଂସେପ୍ଟ ଦେବା , କେଉଁ ଗଛ ଲାଗିବା ଜରୁରୀ ଅତ୍ୟଧିକ ଅଙ୍ଗାରକାମ୍ଳ ଶୋଷି ଶୁଦ୍ଧ ବାୟୁ ପାଇବାକୁ । ଆଉ କେଉଁ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦିଏ ।ଏସବୁ ଗଛ ଯାହା ତୋ' ଜଙ୍ଗଲରେ ଲଗେଇଛନ୍ତି ଆଜିର ବୁଦ୍ଧିଆ ଲୋକେ ସେସବୁ କେବଳ ସହଜରେ ବଢୁଥିବା ଗଛ କିନ୍ତୁ ସେତେ ଉପକାରୀ ନୁହଁନ୍ତି । ଅଛି କେତୋଟି ନିର୍ଦ୍ଦିଷ୍ଟ ଗଛ ଯାହା ଖୁବ୍ ଉପକାରୀ । ସେଇ ଗଛ ଗୁଡିକ ଉପରେ କରିବା ଗୋଟେ ଭଲ ପ୍ରୋଜେକ୍ଟ ।ମୁଁ ହେଲ୍ପ କରିବି , ମୁଁ ସବୁ ଗଛଙ୍କୁ ଚିହ୍ନେ ,ରେଞ୍ଜର ଅଜା ପରା । ହେଲେ କେତକୀ ମିଳିବନି ଏଠି ବେଟା । ମୁଁ ଚିହ୍ନିଛି ସବୁ ଗଛଙ୍କୁ ଏଠି , କେତକୀ ନାହିଁ ।

କାନ୍ଦିଲା ଗେଲ୍ହା ନାତୁଣୀ , ଏବେ ନୂଆ ପ୍ରୋଜେକ୍ଟ କେମିତି ହେବ ? ହେଲେ ବହୁତ ବୁଝେଇଲେ ଅଜା , ସେ ସାହାଯ୍ୟ କରିବେ । ମମିକୁ କହିଲେ ଉପକାରୀ ଗଛ ଗୁଡିକର ଫୋଟୋ ପ୍ରିଣ୍ଟ ବହାରିଯିବ କମ୍ପ୍ୟୁଟରରୁ ଆଉ କିଛି କୁନି ବାଉଁଶ ଗଛ ମିଳିଯିବ କାମ ବାଲୀ ତାରାର ବସ୍ତି ପାଖରୁ । ସେ ଦେଖିଛନ୍ତି ବାଉଁଶ ଗଛ ସେଠି ।

ଭାବିଲା ବହୁତ ଲିଚୁ , ଆଉ କହିଲା ,

" ତୁମେ ଆଜି ରାତିରେ ସେ ପ୍ରୋଜେକ୍ଟ କରିଦେବ ମୋତେ ତ ?''

ଖୁବ୍ ବଡ଼ ହଁ ଟେ ଥିଲା ସନାତନଙ୍କ

ଓଠରେ । ଏବେ କହିବାକୁ ଥିଲା କେଉଁ ଗଛ ସବୁଠାରୁ ବେଶି ଅଙ୍ଗାରକାମ୍ଳ ଶୋଷେ । ସନାତନ ବୁଝେଇ କହୁଥିଲେ , ବର ଗଛ ଆଉ ବାଉଁଶ ଗଛ ଆଉ ମନେ ପକଉ ଥିଲେ ଗାଁ ବରଗଛର ଓହଳରେ ଝୁଲି ବିତିଥିବା ତାଙ୍କ ଅତୀତ ସହ ନିଳୀମାକୁ । ହଜି ଯାଇଛି ସେ ସଜଳ ପିଲାଦିନ ଯେମିତି ହଜି ଗଲାଣି ବାଉଁଶ ଆଉ ବର !........

ସୌମ୍ୟା ଶୁଭଦର୍ଶିନୀ


Rate this content
Log in

Similar oriya story from Inspirational