STORYMIRROR

Er. Prakash Majhi

Romance

4  

Er. Prakash Majhi

Romance

ଅପୂର୍ଣ୍ଣ

ଅପୂର୍ଣ୍ଣ

3 mins
455

            ଅପୂର୍ଣ୍ଣା ସହିତ ମୋର ଦେଖା ହେବା ମୋ ଜୀବନ ର ଥିଲା ଏକ ଆଂଶିକ ପର୍ଯ୍ୟାୟ ସେହି ଅଳ୍ପ କେତୋଟି ଦିନ ମୋ ଚଲାପଥକୁ ବଦଳାଇ ଦେଇଥିଲା। ପଢା ସାରି ଆସି ମୁଁ ଗାଁ ରେ ଥାଏ। ଗାଁ ସାଥୀଙ୍କ ସହ ବୁଲିବା, ଗ୍ରାମରେ ଲୋକଙ୍କ ସହ ମିଶିବା, ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବା, ଗାଁ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଇ ଲୋକଙ୍କ ମନରେ କିୟଦାଂଶ ଉଲ୍ଲାସ ଭରିବାର ପ୍ରୟାସ ମୋତେ ଦେଉଥିଲା ଅପୂର୍ବ ଆନନ୍ଦ। ହଠାତ୍ ଯିବା ଆସିବା ଭିତରେ ଦିନେ ମୋର ଦେଖା ହେଲା ଅପୂର୍ଣ୍ଣା ସହିତ। ସେ ଭାରି ସରଳ;ସତେ ଯେପରି ଲାଗିଲା ସେ ଭାରି ସ୍ୱଚ୍ଛ;ଅଜାଣତରେ କାହିଁକି କେଜାଣି ମୋ ଆଖି ଦୁଇଟି ଓ ତା' ଆଖି ଦୁଇଟି ମିଶି ଯାଇଥିଲା ତାହା ମୁଁ ହୃଦୟ ଭିତରେ ସ୍ଥାନ ଦେଇ ନଥିଲି। ଏହା ଏକ ଦୁର୍ଘଟଣା ଭାବି ଭୁଲି ଯାଇଥିଲି। ଦିନେ ତା' ସହ ପୁନର୍ବାର ଦେଖା ହେଲା।

            ସେ ଦିନ ଥାଏ ଚୈତ୍ର ପୂର୍ଣ୍ଣିମା। ଆମ୍ଭ ଗ୍ରାମ ର ବଡ ପର୍ବ। ମା' ଶରଣୀପାଟଙ୍କ ପର୍ବ ସେ ଆମର ପ୍ରତ୍ୟକ୍ଷ ଠାକୁରାଣୀ। ତାଙ୍କରି କରୁଣା ରୁ ଆମ ଗ୍ରାମଟି ଲାଗେ ଯେମିତି ସୁଖ ସମୃଦ୍ଧରେ ବଢି ଚାଲିଛି। ସେ ଦିନ ଅନେକ ସୁଖ ଦୁଃଖ ଗୁହାରି କରିବା ପାଇଁ ଦୂର ଦୂରାନ୍ତରୁ ଲୋକ ଆସି ଆମ ଗ୍ରାମ ର ମା' ପୀଠ ଙ୍କ ଠାରେ ଲଗାଇଥା'ନ୍ତି ଭିଡ। ମା'ଙ୍କୁ ପୂଜା କରାଯାଏ ଓ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଥିଲା ଅପରା କାର୍ଯ୍ୟକ୍ରମ। ମଞ୍ଚ ଚତୁଃ ପାର୍ଶ୍ବରେ ଅଗଣିତ ଦର୍ଶକ ଦର୍ଶିକା;ସମସ୍ତେ ଉପଭୋଗ କରୁଥା'ନ୍ତି ମଞ୍ଚରେ ଅଭିନୀତ ନାଟକର ଦୃଶ୍ୟ ପଟ୍ଟକୁ। କିନ୍ତୁ ଏ ଭିଡ ଭିତରେ ମୋ ଆଖି ଓ ଅପୂର୍ଣ୍ଣା ର ଆଖି ମିଶିଯାଇଥିଲା। କଣେଇ କଣେଇ ଚାହୁଁ ଥାଏ ସେ ମୋ ଆଡକୁ ଉଭୟ ଙ୍କ ନୟନ ର ମିଶ୍ରଣରେ ମୁଁ ଅନୁଭବ କରି ଥିଲି ପ୍ରେମର ବାତାବରଣ;ମୋ ଠୁ ଦୂରରେ ବସିଥିଲେ ମଧ୍ୟ ମୋତେ ଲାଗିଲା ସେ ମୋ ଅତି ନିକଟରେ;ସେ ମୋ ଆପଣାର;ଢଳି ପଡିଥିଲି ମୁଁ;ଆକୃଷ୍ଟ ହୋଇଯାଇଥିଲି ତା' ନୟନର ଠାଣିରେ। ଧୀରେ ଧୀରେ ଆମ ମନର ମିଳନ ଦୃଢ ହୋଇଗଲା। କେହି କାହାକୁ ନ କହିଲେ ବି ଏକ କଂକ୍ରିଟ୍ ସଦୃଶ ଆଶା ଓ ବିଶ୍ବାସ ପରସ୍ପର ଭିତରେ ଗଢି ଉଠିଲା;ପ୍ରେମର ବ୍ୟାକୁଳତା କୁ ମୁଁ ଅସହ୍ୟ ମନେ କରି ପତ୍ର ମାଧ୍ୟମରେ ମୋର ମନର ପ୍ରେମ ନିବେଦନ ର ଭାଷାକୁ ତାଙ୍କୁ ଅବଗତ କରାଇଥିଲି ଓ ସେ ମଧ୍ୟ ଏହାକୁ ସ୍ୱାଗତ କରିଥିଲା ଓ ପତ୍ର ର ଆଦାନ ପ୍ରଦାନ ରେ ଆମେ ଆମର ସୁଖ ଦୁଃଖ କୁ ବିତରଣ କରୁଥିଲୁ। ସେତେବେଳେ ମୋବାଇଲ୍ ନଥିଲା;ପ୍ରେମର ଭାଷା;ପ୍ରେମର ଯନ୍ତ୍ରଣା କେବଳ କଲମ ଓ କାଗଜ ରେ ପରିପ୍ରକାଶ କରିବାକୁ ପଡୁଥିଲା। ସତ କେଭେ ଲୁଚି ରହେନା;ଠିକ ସେମିତି ଆମ ସଂପର୍କ ର ସତ ସାହି ପଡିଶା ଗାଁ ସମସ୍ତ ଙ୍କ ସମ୍ମୁଖକୁ ଆସିଲା। ଅପୂର୍ଣ୍ଣା ର ବାପା ମାଆ ମଧ୍ୟ ଜାଣିଲେ;ଅପୂର୍ଣ୍ଣା ମା' ଜଣେ ଅତ୍ୟନ୍ତ ଗର୍ବୀ ମହିଳା;ଅପୂର୍ଣ୍ଣା ବାପା ଜଣେ ପୋଲିସ ଅଫିସର। ତାଙ୍କର ଆର୍ଥିକ ସ୍ଥିତି ବହୁତ ସୁଦୃଢ। ମାତ୍ର ବିବେକ, ମହାନତା, ଆଦର୍ଶ, ମଣିଷ ପଣିଆ ଓ ସମାଜର ସରଳ ଜୀବନ ଯାପନ ର ପଦ୍ଧତି ଠାରୁ ସେମାନେ ବହୁତ ଦୂରରେ। ମଣିଷର ମନ କିଣିବାର ହୃଦୟ ରୋଜଗାର ର ଉତ୍ସଠାରୁ ମୂଲ୍ୟବାନ ବୋଲି ସେମାନଙ୍କୁ ଜଣା ନାହିଁ। ଆଜକୁ ଦଶ ବର୍ଷ ପୂର୍ବେ ଜଣେ ଶିକ୍ଷିତ ଯୁବକ ନିମିତ୍ତ ପ୍ରେମର ଚର୍ଚ୍ଚା ଅତି ନିନ୍ଦନୀୟ ଥିଲା। ଗ୍ରାମାଞ୍ଚଳର ଲୋକ ମାନଙ୍କ ଟାହି ଟାପରାରେ ମୁଁ ତଳମୁହାଁ ହୋଇ ଯାଇଥିଲି;ଏ ଭଳି ଏକ ଦହନୀୟ ପରିସ୍ଥିତି ରେ ଅପୂର୍ଣ୍ଣା ମାଆ ଆସି ମୋତେ କହିଲେ;ତମେ ଜାଣିଛ - କାହା ସହ ହାତ ବଢାଇବାକୁ ଯାଉଛ ଆମର ଗୁହାଳ ଘର ସହ ତୁମର ଘର ସମାନ ନାହିଁ। ଭୁଲ ତ କରିଛି;ସଂପର୍କ ବଢାଇଛି ତାଙ୍କ ଝିଅ ସହିତ। କୌଣସି ଉତ୍ତର ଦେବାର ସାମର୍ଥ୍ୟ ମୋର ନଥିଲା। ଅଭିମାନର ପ୍ରତିହିଂସା ରେ ମୁଁ ପ୍ରଜ୍ଜ୍ଵଳିତ ହୋଇ ଉଠିଲି। ମୋ ପିତା ମାତା ଙ୍କ ଅସମ୍ମାନ କୁ ମୁଁ ସ୍ୱୀକାର କରି ପାରୁନଥାଏ। ଆପେ ଆପଣାର ଯନ୍ତ୍ରଣା କୁ ଚାପି ରଖି ପାରୁ ନଥାଏ। ଭୋ-ଭୋ ହୋଇ କାନ୍ଦି ଉଠିଲି ମୋ ମା' ଆଗରେ।

             ନିଷ୍ପତ୍ତି କଲି,ଏଇଠୁ ବନ୍ଦ ମୋ ସଂପର୍କ। ସେଇ ଦିନଠୁ ମୋ ଜୀବନ ର ଲକ୍ଷ୍ୟ ରହିଲା;ମୁଁ ଏକ ବିରାଟ ଗୃହ ନିର୍ମାଣ କରିବି;ଯାହା ଆମ୍ଭ ଗ୍ରାମରେ ହେବ ଏକ ନମ୍ବର। ମନର ଯନ୍ତ୍ରଣା, ଅଭିମାନର ପ୍ରତିହିଂସା ର ପ୍ରତିଶୋଧ ଓ ବାପା ମା'ଙ୍କ ଅସମ୍ମାନ ର ବେଦନାର ସମ୍ମିଶ୍ରଣ ରେ ମୋତେ ଏକ ଅଦ୍ଭୁତ ଶକ୍ତି ମିଳିଥିଲା। ମୁଁ ଭିତ୍ତିପ୍ରସ୍ତର ସ୍ଥାପନ କଲି ଏକ ଗୃହ ନିର୍ମାଣ ପାଇଁ ଅନେକ ଉଦ୍ୟମ, ଓ ପରିଶ୍ରମ କରି ଯୋଗାଡ କରିଥିଲି ଅର୍ଥ। ଗୃହ ନିର୍ମାଣ ପାଇଁ ମୋତେ ଲାଗି ଯାଇଥିଲା ୨ବର୍ଷ। ଘରଟି ସଂପୂର୍ଣ୍ଣ ହୋଇଗଲା;ମାତ୍ର ଅସଂପୂର୍ଣ୍ଣ ହୋଇଗଲା ଆମର ଅଧା ବାଟରେ ଅଟକି ଯାଇଥିଲା ପ୍ରେମଟି। ସେ ହାତ ଧରି ଚାଲିଗଲା କେଉଁ ଏକ ଅଜଣା ବ୍ୟକ୍ତି ସହ।ସେ ଯନ୍ତ୍ରଣା ଥିଲା ମୋ ପାଇଁ ଅବର୍ଣ୍ଣନୀୟ। ଥକି ପଡିଲି ମୁଁ ; ସାନ୍ତ୍ବନା ଦେବା ପାଇଁ ମୋ ପଛରେ କେହି ନାହିଁ। ଆପଣାର ଅକଳନୀୟ ଯନ୍ତ୍ରଣା କୁ ସହିବାର ଶକ୍ତି ମୋର ଆଉ ନଥାଏ। ଭଗବାନ ଙ୍କ କରୁଣା ରୁ ମୋର ବିବାହର ସଂଯୋଗ ହେଲା। ପୁନଃର୍ବାର ମୋ ମନରୁ ମରିଯାଇଥିବା ଆଶା ର ଆଲୋକ ଉଦ୍ଜୀବିତ ହେଲା। ମୁଁ ହାତ ଧରି ଥିଲି ଆଉ ଜଣଙ୍କର। କିଛି ବର୍ଷ ପରେ ବାପା ମା ଚାଲିଗଲେ ଆର ପାରିକୁ;ଗ୍ରାମର ବିଶୃଙ୍ଗଳିତ ପରିବେଶ ରୁ ନିବୃତ୍ତ ରହିବା ପାଇଁ ମୁଁ ଆସି ରହୁଛି ସହରରେ। ମୋ ପରିଶ୍ରମ ରେ ହୋଇଥିବା ଗୃହଟି ସଂପୂର୍ଣ୍ଣ ନୀରବ। ସେଠି କେବଳ ଲୁଚି ରହିଛି ମୋ ଅପୂର୍ଣ୍ଣ ପ୍ରେମ କାହାଣୀ ର ସନ୍ତକ। ମୁଁ ପାଲଟି ଯାଇଛି ଏକ ଅପୂର୍ଣ୍ଣ ମାନବ।


Rate this content
Log in

Similar oriya story from Romance