ଅପିରିଚିତଙ୍କ ସହ କିଛି ମୁହୂର୍ତ୍ତ
ଅପିରିଚିତଙ୍କ ସହ କିଛି ମୁହୂର୍ତ୍ତ
ଆଜିକା ସମାଜରେ ନାରୀ ର ସୁରକ୍ଷା ବ୍ୟାହତ ହେବାରେ ଲାଗିଛି ।ଏପରି ସମୟରେ ଜଣେ ଅଜଣା ଲୋକଙ୍କୁ ଭରସା କରି କି ଅନୁଭବ ସାଉଁଟିଛି ଏଠାରେ ବର୍ଣ୍ଣନା କରୁଛି ।
୨୦୧୬ ମସିହା ଡିସେମ୍ବର ମାସ ୯ ତାରିଖ ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୩ରେ ନାମଲେଖା ଦିନ ଧାର୍ଯ୍ୟ ହୋଇଥାଏ ।ଯେହେତୁ ଗଂଜାମ ମୋ ପାଇଁ ନୂଆ ଅଞ୍ଚଳ ଏକୁଟିଆ ଯିବା ମୋ ପକ୍ଷରେ ସମ୍ଭବ ନଥିଲା ।ତେଣୁ ନିଜର ଭାଇ ବୋଲି ମନେ କରୁଥିବା ଜଣେ sir ଙ୍କୁ ଏଥିପାଇଁ ଅନୁରୋଧ କରିଥିଲି ।ସେ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ତାହାର ପୂର୍ବଦିନ ରାତ୍ରିରେ ତାଙ୍କ ବଂଶର ଜେଜେମା ମରିଯିବାରୁ ସେ ଚାଲିଗଲେ ।ଅବଶ୍ୟ ପରଦିନ ଫେରିବାର ଥିଲା ।ମୁଁ ଫୋନ କରିବାରୁ ସେ ଏକା ଚାଲିଯାଅ ବୋଲି କହିଲେ ।ମୁଁ ଭାରି ସ୍ୱାଭିମାନି ।ତେଣୁ ବିଶେଷ କିଛି କହିଲି ନାହିଁ ।ଭରସା କରି କି ଫଳ ଭୋଗିଲି ସେଥିପାଇଁ କାନ୍ଦ ଲାଗୁଥାଏ ।ଯେହେତୁ ଘରଠାରୁ ବହୁତ ଦୂର ହଟାତ ଘରୁ ଭାଇକୁ ଡାକିବା ସମ୍ଭବ ନଥିଲା ।ପୁଣି ଦୁଇଜଣ ସାଙ୍ଗକୁ ପଚାରିଲି ।ଦୁହେଁ ବ୍ୟକ୍ତିଗତ କାମ ଦର୍ଶାଇ ନାହିଁ କରିଦେଲେ ।ବହୁତ କାନ୍ଦ ଲାଗିଲା ।କାନ୍ଦି କାନ୍ଦି ନିଷ୍ପତ୍ତି ମୁଁ ନିଶ୍ଚିତ ଯିବି ଏକା ।
ସମସ୍ତ ଦରକାରୀ କାଗଜ ପତ୍ର ଧରି କିଛି ଜଳଖିଆ ଖାଇ ପୁରୁଷୋତ୍ତମପୁରରୁ ବ୍ରହ୍ମପୁର ଅଭିମୁଖେ ଚାଲିଲି ଭଗବାନଙ୍କୁ ଡାକି ।ମନରେ ଭୟ,ହୃଦୟରେ ଦୁଃଖ ଆଖିରେ ଲୁହ ।ମୋ ପାଖ ସିଟ ରେ ଜଣେ ବ୍ୟକ୍ତି ବସିଥିଲେ ।କୁଆଡେ ଯିବୁ ରେ ଝିଅ ବୋଲି ପଚାରିଲେ ।କଲେଜ ଯାଉଛି ଆଡ଼ମିଶନ ପାଇଁ ଶୁଣି ଏକା ଆସିଥିବାର କାରଣ ପଚାରିଲେ ।ମୁଁ ମୋର ଅସହାୟତା କହିଲି ।ସେ ଅଭୟ ଦେଲେ ବ୍ୟସ୍ତ ହୁଅନା ।ମୁଁ ରାସ୍ତା କହିଦେବି ।ମୁଁ ସେଠାକାର ଜଗୁଆଳି ।ଯେହେତୁ ମୁଁ ଅଧା ବାଟରେ ସାଇକେଲ ରଖିଛି ତେଣୁ ମୁଁ ତୋତେ ବାଟ କହିଦେବି ଯିବୁ ବୋଲି ଜଣାଇଲେ ।ପକୁଡିବନ୍ଧ ଜାଗାରୁ ବ୍ରହ୍ମପୁର ବସ ରୁ ଓହ୍ଲାଇ ଗୋପାଳପୁର ଯିବା ବସ୍ ରେ ଯିବାକୁ କହିଲେ ।ମୁଁ ତାଙ୍କର ନିର୍ଦ୍ଦେଶ ଅନୁସାରେ ଗଲି ।ବ୍ରହ୍ମପୁର ଡିଷ୍ଟାନ୍ସ ଏଜୁକେସନ କଲେଜ ପାଖରେ ପହଂଚିଲି ।ସେଠାରେ ଅନେକ ପିଲା ଥାଆନ୍ତି ।ସାଙ୍ଗରେ ଅଭିଭାବକ ଥାଆନ୍ତି ।ସେଠାରୁ ବ୍ୟାଙ୍କ କୁ ଗଲି ଆଡ଼ମିଶନ ଟଙ୍କା ଡ୍ରାଫ୍ଟ ପାଇଁ ସମସ୍ତଙ୍କର ଅଭିଭାବକ ଲାଇନ ରେ ଠିଆ ହୋଇ ରହିଲେ ଏବଂ ପିଲାମାନେ ଡ୍ରାଫ୍ଟ ଫର୍ମ ପୁରଣ କଲେ ।ମୁଁ ଏକମାତ୍ର ଝିଅ ନିଜେ ଫର୍ମ ପୂରଣ କରି ଧାଡିରେ ଠିଆ ହେଲି ଶେଷରେ ।ଏଣେ ସମୟ ଗାଡିଯାଉଥାଏ ।୨ ଟା ପରେ ହୋଇଗଲା ଡ୍ରାଫ୍ଟ ସାରି କଲେଜରେଆଡ଼ମିଶନ ପାଇଁ କାଗଜପତ୍ର ଦାଖଲ କରିବାକୁ ।ସେଠାରେ ମଧ୍ୟ ଧାଡି ।ମୋର ଧାଡି ର ଶେଷ ପାଳି ।ଏଣେ ଭୋକ ତେଣେ ଆଡ଼ମିଶନ ଚିନ୍ତା ।ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ଆଶ୍ଚର୍ଯ୍ୟ ହେଉଥାନ୍ତି କେମିତି ମୁଁ ଏକା ଆସିଛି ବୋଲି ।ମୋତେ ବି ଖୁବ କାନ୍ଦ ଲାଗୁଥାଏ ।ଶେଷରେ ଆଡ଼ମିଶନ ପ୍ରକ୍ରିୟା ସରିବା ବେଳକୁ ସମୟ 4 ଟା ପରେ ।ମୋର ଚିନ୍ତା ଘରକୁ ଫେରିବା ପାଇଁ ।କାରଣ ବସ ବିଷୟରେ ସେତେଟା ଧାରଣା ନଥାଏ ।ଯାହାହେଉ ସେ କଲେଜର ବସ ରେ ଜଣେ କଣ୍ଡକ୍ଟର ଯେଉଁ ଗାଓଁ ରେ ମୋର ସ୍କୁଲ ସେ ଗାଓଁ ର ଥିଲେ ।ସେ ମୋତେ ପକୁଡିବନ୍ଧ ପର୍ଯ୍ୟନ୍ତ ଆଣିଦେଲେ ।ସେଠାରେ ଓହ୍ଲାଇ ଠିଆ ହେଲି ।ଏଣେ ଶୀତ ଦିନ ।ମୁହଁ ସଞ୍ଜ ହୋଇଆସୁଥାଏ ।ଭୋକରେ ପେଟ ଜଳୁଥାଏ ଆଉ ଶରୀର ହାଲିଆ ଯୋଗୁଁ ନିସ୍ତେଜ ହେଉଥାଏ ।ଏତିକି ସମୟରେ ମଟରସାଇକେଲ ଧାରୀ ଜଣେ ବ୍ୟକ୍ତି ମୋତେ କୁଆଡେ ଯିବ ବୋଲି ପ୍ରଶ୍ନ କଲେ
ମୁଁ ମୋ ଠିକଣା କହିବା ପରେ ସେ ମୁଁ ରହୁଥିବା ଅଞ୍ଚଳର ବୋଲି ଜଣାଇଲେ ଏବଂ ମୋତେ ସାହାଯ୍ୟ କରିବାକୁ ଚାହିଁଲେ ।ଗାଡ଼ିରେ ଆଣି ଛାଡ଼ିଦେବେ ବୋଲି କହିଲେ ।
ବେଳେବେଳେ ମଣିଷ ସତର୍କ ଥାଇ ବି ବାଟବଣା ହୋଇଯାଏ ।ମୁଁ ନିରୁପାୟ ଥିଲି ।ତାଙ୍କ ସହ ସହମତି ହୋଇ ଗାଡ଼ିରେ ବସିଲି ।କିନ୍ତୁ ମନରେ ଡର ।ଭଲ ଲୋକ କି କଣ ?କେଉଁ ଉଦ୍ଦେଶ୍ୟ ଥାଇପାରେ ?ଏମିତି ଅନେକ ଆଶଙ୍କା ।ତାଙ୍କ କଥାବାର୍ତ୍ତା ଶୈଳୀ ରୁ ମୋତେ ଅଧିକ ଡର ଲାଗିଲା ।ମନେ ମନେ ଈଶ୍ୱରଙ୍କୁ ଡାକୁଥାଏ ।ଆସନ୍ନ ବିପଦର ଆଶଙ୍କା କରି ନିଜକୁ ପ୍ରସ୍ତୁତ କରୁଥାଏ ।ଯଦି ନିରୋଳା ବାଟରେ ସେ ଲୋକ କିଛି ଖରାପ ବ୍ୟବହାର ଦେଖାଇବ ଗାଡିରୁ ଡେଇଁ ଦଉଡି ଯିବି ବୋଲି ସ୍ଥିର କରୁଥାଏ । ଫୋନ ଲଗାଇ ଘରକୁ ଫେରୁଛି ବୋଲି ମୋର ସାଙ୍ଗ କୁ ଜଣାଇଥାଏ ।
କିଛି ଦୂର ଆସିବା ପରେ ସେ ଲୋକ ଜଣଙ୍କ ଗାଡ଼ିରେ ତେଲ ପକାଇବ ବୋଲି ମୋତେ ଟଙ୍କା ମାଗିଲା ।ମୁଁ 50 ଟଙ୍କା ଦେଲି ତାହାର ମନ ମାନିଲା ନାହିଁ ।ମୋତେ ଆଉ 100 ଟଙ୍କା ଦେବାକୁ କହିଲା ।ମୁଁ ବ୍ୟାଗ ଚେକ କଲି ଭୟ ରେ ହେଉ କି ବ୍ୟସ୍ତତା ରେ ମୁଁ କିଛି ଟଙ୍କା କୁଆଡେ ପକାଇଦେଇଛି ବୋଲି ଜାଣିପାରିଲି ।ମୋ ପାଖରେ ଆଉ ମାତ୍ର ୩୦ ଟଙ୍କା ଅଛି ବୋଲି ଜଣାଇଲି ।୧୦ଟଙ୍କା ରଖି ପୁଣି ୨୦ ଟଙ୍କା ଦେଲି ।ସେ ମନଦୁଃଖରେ ନେଇ ତେଲ ପକାଇଲା ।ମୁଁ ବୁଝିସାରିଥିଲି ସେ ଲୋକଟି ପାଖରେ ଟଙ୍କା ନଥିଲା ମୋତେ ସାହାଯ୍ୟ କରିବା ବାହାନାରେ ତେଲ ପକାଇ ନିଜ ଗାଁ କୁ ଫେରିବ ବୋଲି ଯୋଜନା ଥିଲା ।ସେ ଭାବୁଥିଲା ମୁଁ ୧୦୦ କିମ୍ବା ୨୦୦ଟଙ୍କା ଦେବି ।କିନ୍ତୁ ମୁଁ ତାକୁ ନିରାଶ କଲି ।
ତାପରେ ବାହାରିଲୁ ପୁଣି ।ପୁରୁଷୋତ୍ତମପୁର ରେ ପହଂଚିବା କ୍ଷଣି ମୁଁ ସେଠାରେ ଓହ୍ଲାଇ ଭଡା ଗୃହକୁ ନିଜେ ଯାଇପାରିବି ବୋଲି ଜଣାଇଲି ।ସେ ମୋତେ ବାଧ୍ୟ କଲା ଘର ପାଖରେ ଛାଡ଼ିଦେଵ ।ମୁଁ ନାହିଁ କରିଲି ।ବଜାର ରେ ଥିବାରୁ ମୁଁ ବି ସାହସ ପାଇଯାଇଥିଲି ।ସେ ଉପାୟ ନ ପାଇ ମୋତେ ଛାଡ଼ି ତାର ଗାଁ ଅଭିମୁଖେ ବାହାରିଲା ।ମୁଁ କିନ୍ତୁ ଡରୁଥାଏ ।ସେ କାଳେ ବାଟରେ ଲୁଚିକି ଅଛି କି ।ମୋ ଘରଟି ଦେଖିଦେଵ କି ।ଏକା ରହୁଥିବାରୁ ଅନେକ ଅଜବ ଭୟ ମୋତେ କାବୁ କରିସାରିଥାଏ ।ଭୟ ରେ ଭୟରେ ଜୋରେ ଜୋରେ ପାଦ ପକାଇ ମୋ ଘରେ ପହଞ୍ଚିଲି ।ଦୁଆର ଦେଇସାରି ନିଜର ମୂର୍ଖାମୀ ପାଇଁ ଏବଂ ଦିନସାରା ସାମ୍ନା କରିଥିବା ପରିସ୍ଥିତି ପାଇଁ ଢେର କାନ୍ଦିଲି ।ମୋ ପାଖ ଘରେ ଭଡା ଥିବା ଜଣେ ସାଙ୍ଗ ଆସିବା କ୍ଷଣି ତାକୁ ଧରି ଖୁବ କାନ୍ଦିଲି ।ସେ ମୋତେ ବହୁତ ବୁଝାଇଲେ ।ଆଉ ମୋ ପରି ଝିଅ ଏତେ ଦୁଃସାହସ କରି ଅପରିଚିତ ବ୍ୟକ୍ତିଙ୍କ ସହ ଆସିଥିବାରୁ ବିସ୍ମିତ ହେଲେ ।କିନ୍ତୁ ମୋ ପରିସ୍ଥିତି ବୁଝି ପ୍ରଂଶସା ବି କଲେ ।ଆଉ ରୋଷେଇ କରି ଖାଇବା ପାଇଁ ଦେହରେ ବଳ ନଥାଏ ।ଛତୁଆ ଖାଇ ଶୋଇଗଲି ।
ସେଦିନର ସେଇ ଅପିରିଚିତ ବ୍ୟକ୍ତିଙ୍କ ମୁହଁ ବି ମୋର ମନେନାହିଁ ତାଙ୍କର ମନୋଭାବ ବି ସମ୍ପୂର୍ଣ୍ଣ ଜାଣିନାହିଁ ।ତଥାପି ସେଦିନର ସେ ଅନୁଭୂତି ମୋ ପାଇଁ ଦୁଃସାହାସର କଥା ।ଏବଂ ଭବିଷ୍ୟତରେ କେବେ ଏପରି ଦୁଃସାହସ ନ କରିବା ପାଇଁ ଶିକ୍ଷା ପାଇଲି ।ନିଜେ ଏକୁଟିଆ ଅଜଣା ଜାଗାକୁ ଯାଇ ଆଡ଼ମିଶନ କରି ଆସିପାରିଥିବାରୁ ନିଜକୁ ନିଜେ ଧନ୍ୟବାଦ ଦେଉଥିଲି ଆଉ ଆଜିଯାଏଁ ଦେଉଅଛି ।କିନ୍ତୁ ସେ ଅନୁଭୂତି ବହୁତ ଶିକ୍ଷା ଦେଇଛି ।
