Binay Mohapatra

Abstract Inspirational

3  

Binay Mohapatra

Abstract Inspirational

ଅଫିମ

ଅଫିମ

4 mins
161


ପୁଅ ଯେଉଁ ଦିନ ଆଣ୍ଠେଇଲା ବାପା ମାଆ ବହୁତ ଖୁସି ହୋଇଗଲା, ମାଆ ବାପାର ମୁହଁକୁ ଚାହିଁ ଟିକିଏ ହସିଦେଇ କହିଲା, ପୁଅ ଆମର ବଡ ହେଉଛି । ଦିନ ବିତି ଚାଲିଲା, ପୁଅ ଦିନେ ଆଣ୍ଠେଇ ଆଣ୍ଠେଇ ଏରୁଣ୍ଡିବନ୍ଧ ପାଖରେ ପହଞ୍ଚିଗଲା, ମାଆ ବଡ ଉସ୍ତୁକତାଭରା ନୟନରେ ଅନେଇ ରହିଥାଏ, ପିଲାଟି ଯେତେବେଳେ ଦୁଆର ବନ୍ଧକୁ ଧରି ଠିଆହେବାକୁ ଚେଷ୍ଟା କଲା ମାଆ ଖୁସିରେ ଡାକ ପକାଇଲା, କୁଆଡେ ଗଲ, ଆସ ଦେଖିବ, ପୁଅ ଆମର ଠିଆହେବାକୁ ଚେଷ୍ଟା କରୁଛି । ବାପ ଧାଇଁ ଆସିଲା, ବଡ ବଡ ଆଖିକରି ପୁଅକୁ ଠିଆ ହେଉଥିବାର ଦେଖିଲା, ମନେ ମନେ ବହୁତ ଡରିଗଲା, ଭାବିଲା, ଏବେ ଠିଆ ହେବାକୁ ଚାହୁଁଛି, ଯେତିକି ଯେତିକି ବଡ ହେବ ତାର ଖାଇବା ବି ବଢିବ । ଠିଆ ହେବା ଶିଖିଗଲେ ପୁଣି ଚାଲିବ, ଚାଲିବା ଶିଖିଗଲେ ବାହାରକୁ ଯିବ । ବାହାରକୁ ଗଲେ ପିନ୍ଧିବାକୁ ସାର୍ଟ ପେଣ୍ଟ ମାଗିବ, ପାଠ ପଢିବାକୁ ମନବଳାଇବ । ଏ ସବୁ କରିବାକୁ ଧନ କେଉଁଠୁ ଆସିବ ? ଖର୍ଚ୍ଚ ବଢିଯିବ ! ଏତିକି ଟଙ୍କାରେ ଏବେ ଘର ଚଳୁନି, ଆଗକୁ କେମିତି ଚଳିବ ? ବଡ ବିକଳ ଲାଗିଲା ତାକୁ । ବଡ ନିରାଶ ଭରା କଣ୍ଠରେ ପୁଅକୁ କହିଲା, ନା'ରେ ପୁଅ, ଠିଆ ହୁଅନା, ଠିଆହେବା କିଛି ଭଲ କଥା ନୁହେଁ । ଚାଲି ବୁଲି, ଦୌଡି ଖେଳିବାକୁ ଏଇ ସଂସାରଟା ମୋଟେ ଭଲ ଜାଗା ନୁହଁ ! ଯେମିତି ଅଛୁ, ଭଲରେ ଅଛୁ, ସେମିତି ସବୁଦିନ ଆଣ୍ଠୋଉଥା ।

ବଡଭାଇ କୋଉଠି ଥିଲା କେଜାଣି, ଧାଇଁ ଆସିଲା, ସାନଭାଇକୁ ଠିଆ ହେବା ପାଇଁ ଚେଷ୍ଟା କରୁଥିବାର ଦେଖିଲା । ରାଗ ତମ ତମ ହୋଇ ଦଉଡି ଆସି, ସାନଭାଇକୁ ମାରିଲା ଗୋଇଠାଟାଏ, କହିଲା, ଶଳା, ଭାବୁଛି ଠିଆହେବ ! ତୁ ଠିଆ ହେବା ଶିଖିଗଲେ ମୋ ଭେଳା ବୁଡିଯିବ, ମୋ ଭାଗ କମ୍ ହୋଇଯିବ । ତୁ ବଡ ହେଲେ ମୋର ଆଦର କମିଯିବ । ମୁଁ ପୁଣି କେମିତି ବଡ ହେବି ? ଗୋଟିଏ ଖୋଳରେ ଦୁଇଟି ଖଣ୍ଡା କେମିତି ରହିବ ? ଠିଆ ହେବାକୁ ଯଦି ଆଉ ଥରେ ଚେଷ୍ଟା କରିବୁ ଶଳାର ଗୋଡ ଭାଙ୍ଗି ଦେବି । ସେମିତି ଆଣ୍ଠୋଉଥା ସବୁଦିନ, ଠିଆ ହେବାକୁ କେବେବି ଚେଷ୍ଟା କରିବୁନି, ଯଦି ଆଉଥରେ ଯଦି ଠିଆ ହେବୁ, ଦେଖିବୁ ମୋର ଉଗ୍ରରୂପ, ଶଳା ତୋର ଗୋଡ ଦୁଇଟା ଭାଙ୍ଗିଦେବି ।

ମାଆ ତାର ବାହୁନି କାନ୍ଦିଲା, ବିଚରା ଛୁଆଟା, ତାକୁ କେହି ଠିଆ ହେବାକୁ ମଉକା ଦେଉନାହାନ୍ତି । କେମିତି ସେ ବଡ ହେବ? ନିଜ ଗୋଡରେ ନିଜେ କେମିତି ଠିଆ ହେବ, କେମିତି ଆଗକୁ ବଢିବ? ବିଚରା ସବୁଦିନ କ'ଣ ଏଇମିତି ଗୁରୁଣ୍ଡୁ ଥିବ ?

ସମାଜରେ ପିମ୍ପୁଡିପରି ଭୂଇଁରେ ରେଙ୍ଗୁଥିବା ଏଇ ଗରୀବମାନେ ସତରେ କଣ ମଣିଷରେ ଗଣା ଯାଆନ୍ତି ? ଏଇଠି ଦରିଦ୍ରତା ଗରୀବର ମାନଦଣ୍ଡ ନୁହେଁ, ଦରିଦ୍ରତା କେବଳ ଗୋଟିଏ ଭୋଟ ବ୍ୟାଙ୍କ, ରାଜନୀତିର ପଶାପାଲିରେ ଏକ ଟାଣୁଆ ଗୋଟି । ଗରୀବ କେବଳ ଗୋଟିଏ ଗୋଟିଏ ମୂଲ୍ୟବାନ ଭୋଟ୍ । ଗରୀବକୁ ଗରୀବ ରହିବାକୁ ଦିଅ, ଗରୀବର ପରିଭାଷା କେବଳ ଜାତି, ନିର୍ଦ୍ଧନତା ଗରୀବର ମାପକାଠି ନୁହେଁ। ଜାତି ହିଁ ଗରୀବ । ସେହି ହିସାବ ଚାଲିଛି, କିଏ ପଚାରୁଛି ତୁମ ଘରେ ଖାଇବାକୁ ଅଛି କି ନାହିଁ ? କିଏ ପଚାରୁଛି ତୁମର ଆୟର ସ୍ରୋତ କ'ଣ ? କେତେ ରୋଜଗାର କରୁଛ, କେମିତି ଖାଉଛ, କଣ ପିନ୍ଧୁଛ, କେମିତି ଚଳୁଛ ?

କେବଳ ଜାତିଆଣ ସାର୍ଟିଫିକେଟ ଅଛି ତ ତୁମକୁ କେହି କିଛି ପଚାରିବନି ତୁମେ ଗରୀବ କି ନୁହେଁ, ତୁମେ ପାଠ ପଢିଛକି ନାହିଁ ? ଚାକିରୀ ପାଇଁ ତୁମର ଉପଯୁକ୍ତ ଯୋଗ୍ୟତା ଅଛି କି ନାହିଁ । ତୁମ ପାଖରେ ଜାତି ପ୍ରମାଣପତ୍ର ଅଛିତ ତୁମେ ଅତ୍ୟନ୍ତ ଯୋଗ୍ୟ, ସବୁ କାମପାଇଁ ତୁମ ଠାରୁ ଅଧିକ ଯୋଗ୍ୟ ଆଉ କେହି ହୋଇ ପାରିବ ନାହିଁ । ତୁମ ପାଇଁ ସବୁ କିଛି ଅଛି, ତୁମ ପାଇଁ ଯୋଗ୍ୟତାର କିଛି ଆବଶ୍ୟକତା ନାହିଁ ।

କିନ୍ତୁ କିଏ ବୁଝାଇ ଦେବ ଏଇ ଦେଶର କ୍ଷମତାଲୋଭୀ ରାଜନେତା ମାନଙ୍କୁ, ଗରୀବର କୌଣସି ଜାତି ନଥାଏ, ଥାଏ କେବଳ ଭୋକ ଆଉ ଭୋକର କୌଣସି ଧର୍ମ ନଥାଏ । ଭୋକରେ ପେଟ ଯେତେ ବେଳେ ଜଳେ ସେତେ ବେଳେ ମଣିଷ ଜାତି ଦେଖେନି, ମନ୍ଦିର କି ମସଜିଦ୍ କଥା ଭାବେନି, ଭାବେ କେବଳ ମୁଠାଏ ଭାତ ଆଉ ଚିମୁଟାଏ ଲୁଣର କଥା । କିନ୍ତୁ ଘିଅ ମହୁରେ ଭାସୁଥିବା ଏଇ ନେତାମାନଙ୍କୁ କଣ ଜଣା, ପେଟର ଭୋକ କଣ, ଅଲିଅଳ ସନ୍ତାନ ଯେତେବେଳେ ଭୋକରେ କାନ୍ଦେ, କେତେ ଯନ୍ତ୍ରଣା ହୁଏ ମାଆର ଛାତିରେ, ବଢିଲା ଝିଅ ପାଖରେ ଦେହ ଢାଙ୍କିବାକୁ ଯେତେବେଳେ ଚାରିହାତର ଲୁଗାଖଣ୍ଡେ ନଥାଏ, ଅର୍ଦ୍ଧ ନଗ୍ନ ଝିଅ ଆଗରେ କେତେ ଅପମାନିତ ହୋଇଯାଏ ବିଚରା ବାପା, ଲାଜରେ ମୁହଁ ତଳକୁ ହୋଇଯାଏ, ନିଜକୁ ନିଜେ ଧିକ୍କାର କରେ, ନିଜର ଅପାରଗପଣକୁ ମନେ ମନେ ଗାଳି ଦିଏ । କିଏ ବୁଝି ପାରିବ ଏ ଯନ୍ତ୍ରଣା, କିଏ ବୁଝାଇ ଦେବ ସେମାନଙ୍କୁ ?

କ୍ଷମତାର ଲୋଭରେ ଗରୀବରେ ସେମାନଙ୍କୁ କେବଳ ଭୋଟବ୍ୟାଙ୍କ ଦିଶେ, ଜାତି ଦିଶେ, ଆଉ ଦିଶେ ରାମ ଆଉ ଆଲ୍ଲା କିମ୍ବା ଯିଶୁ, ଇଟା ପଥରରେ ତିଆରି ମନ୍ଦିର, ମସଜିଦ୍ କି ଗୀର୍ଜା । ଭୋକିଲା ଅଝଟିଆ ଛୁଆକୁ ମାଆ ଚିମୁଟାଏ ଅଫିମ ଖୋଇଦେଇ ଶୁଆଇ ଦିଏ । ଅବୋଧ ଶିଶୁ ତାର ସୁଧବୁଧ ହରାଇ ଶୋଇଯାଏ, ଉଠିକି କେବେ ପଚାରେନି ମାଆ ତୁ ଏପରି କାହିଁକି କଲୁ, ବରଂ ଅଫିମର ଗୁଲାମ ହୋଇଯାଏ, ପରଦିନ ପୁଣି ମାଆ ପଛେ ପଛେ ଧାଏଁ କାଣିଚାଏ ଅଫିମ ପାଇବା ଆଶାରେ । ଆଜି ରାଜନୀତି ସେମିତି ଚାଲିଛି, କେବେ ଧର୍ମର ଅଫିମ, କେବେ ମାଗଣା ପାଇବାର ଅଫିମ । ଏଇ ଅଫିମ ନିଶାରେ ଆଜି ଅଧା ଭାରତ ନିଶାଗ୍ରସ୍ତ । ନିଶାଗ୍ରସ୍ଥ ମଣିଷର ବୁଦ୍ଧି ବିବେକ କିଛି କାମ କରେନା, ସେ କେବଳ ସେଇ ନିଶା ପଛରେ ହିଁ ଗୋଡାଇ ଚାଲେ, ଆଉ ଗୋଟାଏ ଡୋଜ ନିଶା ପାଇଁ । ଏବେ ନିଶା ଦେବାପାଇଁ ତ ଅନେକ ଲୋକ କିନ୍ତୁ ଏ ନିଶା ଛଡାଇବ କିଏ ?

ଗରୀବର କଣା ଚାଳରେ ଦିନରେ ସୂର୍ଯ୍ୟ ଦିଶେ, ଆଉ ରାତିରେ ତାରା । ବର୍ଷା ଦିନରେ ସେଇ ବାଟଦେଇ ଘରଭିତରେ ପାଣିପଶେ । ସାତସିଆଁ ଫଟା ଲୁଗାରେ ବଢିଲା ଝିଅ ଘର କଣରେ ଲୁଚିବସେ, ବାହାରକୁ ବାହାରି ପାରେନି । ଭୋକରେ ଛୋଟ ଛୁଆ ଯେତେବେଳେ ଡହଳ ବିକଳ ହୋଇ କାନ୍ଦେ ସେତେବେଳେ ମାଆର ଆଖିରୁ ଲୁହ ନୁହେଁ ରକ୍ତ ଝରେ, ନିରୁପାୟ ବାପା ଛାତିରେ ସତେ କରତ ଚାଲେ । ନିଜ କପାଳକୁ ନିନ୍ଦେ, ନିଜର ଅପାରଗ ପଣକୁ ଧିକ୍କାର କରେ । ହେଲେ ନିରୁପାୟ ମଣିଷ ଶେଷରେ ଦିନେ ବେକରେ ଗାମୁଛା ବାନ୍ଧି ଝୁଲିପଡେ ଗାଆଁ ମୁଣ୍ଡ ବରଗଛରେ ।

ହେଲେ କିଏ ବୁଝାଇ ଦେବ ଆଜିର ଏଇ କ୍ଷମତାଲୋଭୀ ରାଜନେତା ମାନଙ୍କୁ, ସେମାନେ ସବୁ ବୁଝି ବି କେବେ କିଛି ବୁଝି ପାରନ୍ତି ନାହିଁ ଯେ, ଗରୀବର ଜାତି ନଥାଏ, ଭୋକରେ ଧର୍ମ ନଥାଏ । ଗରୀବର ନା' କେହି ବାପା ଥାଏ ନା' କେହି ମାଆ ଥାଏ, ଥାଏ ଖାଲି ବଡଭାଇ, ଦାଦାଗିରୀ କରି ଲୁଟି ଖାଇବାକୁ, ଆଉ କୁମ୍ଭୀରର ନକଲି ଲୁହ ଦେଖାଇ, ଗରୀବ ଆଖିକୁ ଅନେକ ସ୍ୱପ୍ନ ଦେଇ ସତ୍ତାସୁଖ ଭୋଗିବାକୁ, ଛୋଟ, ବଡ କେତେ କେତେ ରାଜନେତା ।

ରେ ଗରୀବ, ତୋର କେବଳ ସେଇ ଭଗବାନ ଭରସା, ତାଙ୍କରି ଆଶ୍ରାରେ କେବଳ ଆକାଶକୁ ଦେଖୁଥା ଆଉ ଦିନ ଗଣୁଥା, କେବେ ତୋ ଜୀବନରେ ଆସିବ ସେଇ ନୁଆଦିନ । ଅସରନ୍ତି ବସ୍ତ୍ର ଦେଇ କୁରୁସଭା ତଳେ ଦ୍ରୌପଦୀର ଲାଜ ବଞ୍ଚାଇବାକୁ କି କୁବେର ସମ୍ପତ୍ତି ଦେଇ ଦରିଦ୍ର ସୁଦାମାର କଷ୍ଟ ଦୂର କରିବାକୁ ସେ କୃଷ୍ଣ ଆଉଥରେ ଜନ୍ମିବେନି । ଦୁନିଆରେ ଆଜି ଖାଲି ମାଳ ମାଳ କଂଶଙ୍କର ରାଜୁତି ଚାଲିଛି । ଏବେ କେବଳ କଳକୀ ଅବତାର ପାଇଁ ଅପେକ୍ଷା ।


Rate this content
Log in

Similar oriya story from Abstract