ଅନୁଭୂତିର ଇନ୍ଦ୍ରଧନୁ ଭାଗ-ତେର
ଅନୁଭୂତିର ଇନ୍ଦ୍ରଧନୁ ଭାଗ-ତେର
ପ୍ରତିବର୍ଷ ଭଳି ଗତ 2020 ମସିହାରେ ବି ଆମର ସ୍ଵାଧୀନତା ଦିବସ ଆସିଥିଲା । କିନ୍ତୁ ସବୁବର୍ଷ ଭଳି ମଜା-ମଉଜ ଆସି ନ ଥିଲା । କରୋନା କଟକଣା ଭିତରେ ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହେଲା । ସେଥିରେ ଆମଭଳି ସାଧାରଣ ଲୋକେ ସହଜରେ ଅଂଶ ଗ୍ରହଣ କରି ପାରିଲେ ନାହିଁ । ଆମେ ଘରେ ରହି ଯାହା କିଛି ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିଲୁ ।
ମୋର ସୌଭାଗ୍ୟ ଯେ, ମୋର ହେତୁ ପାଇବା ଦିନରୁ ମୁଁ ସମସ୍ତ ସ୍ଵାଧୀନତା ଉତ୍ସବ ଓ ଗଣତନ୍ତ୍ର ଉତ୍ସବକୁ କୌଣସି ନା କୌଣସି ଜାଗାରେ ଉପଭୋଗ କରିଆସିଛି । ପ୍ରାଥମିକ ବିଦ୍ୟାଳୟରେ ଥିବା ମଜାଥିଲା-ସବୁଠାରୁ ମଜାଦାର । କାରଣ ସକାଳୁ ସକାଳୁ ଆମେ ସବୁପିଲା ଅତି ଆନନ୍ଦରେ ସ୍କୁଲରେ ପହଞ୍ଚି ଯାଉଁ । କେତେଜଣ ପିଲା ଫୁଲତୋଳି ସାଙ୍ଗରେ ନେଇଥା’ନ୍ତି । ଶିକ୍ଷକମାନକର ନିର୍ଦ୍ଦେଶରେ ଧାଡ଼ିବାନ୍ଧି ଗ୍ରାମ ପରିକ୍ରମାକରି ଦେଶାତ୍ମବୋଧକ ଗୀତ ଗାଉଥିଲୁ । ଭାରତମାତା କି ଜୟ, ମହାତ୍ମା ଗାନ୍ଧି କି ଜୟ, ସ୍ଵାଧୀନତା ଦିବସ କି ଜୟ, ଗଣତନ୍ତ୍ର ଦିବସ କି ଜୟ ଧ୍ଵନିରେ ଆମେ ଗାଁ’କୁ କମ୍ପେଇ ଦେଉଥିଲୁ । ଠିକ ସମୟରେ ପତାକା ଉତ୍ତୋଳନ ହୁଏ । ଆଗରୁ ଆମକୁ ଜାତୀୟ ସଙ୍ଗୀତ ଶିଖାଇ ଦିଆଯାଇଥାଏ । ଆମେ ସମସ୍ତେ ଶିକ୍ଷମାନଙ୍କ ସହିତ ମିଶି ଗାଉଥିଲୁ । ଚକଲେଟ ଖାଇ ମଜା ମାରୁଥିଲୁ । ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଉପରେ କେତେ ନୂଆ ନୂଆ କଥା କହିଦିଅନ୍ତି ।
ମଧ୍ୟ-ଇଂରାଜି ବିଦ୍ୟାଳୟରେ ମଜା ଟିକେ କମି ଆସିଲା । ଗୀତ ପ୍ରତିଯୋଗିତା, ବତ୍କୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପିଲାଙ୍କୁ ପୁରସ୍କାର ମିଳିଲା ସିନା, ଗାଁ’ବୁଲା ମଜା ରହିଲା ନାହିଁ । ବାହାରୁ ଜଣେ ଜଣେ ବିଶିଷ୍ଟ ଲୋକ ଆସି ଆମକୁ ଉତ୍ସବ ସଂପର୍କରେ କିଛି କିଛି କହିଲେ । ସେହି ଜାତୀୟ ଦିବସରେ ଆମେ ଜାତୀୟ ସଙ୍ଗୀତକୁ ଉଚ୍ଚସ୍ଵରରେ ଗାଇବାର ସୁଯୋଗ ପାଇ ନିଜକୁ ଭାଗ୍ୟବାନ ମନେ କରୁଥିଲୁ । ହାଇସ୍କୁଲରେ ଜାତୀୟ ଦିବସ ଉତ୍ସବର ମଜା ଥିଲା ଅଲଗା ।
ଆମେ ସେଦିନ ସନ୍ଧ୍ୟାରେ ଗୀତ-ନାଚ ବା ଡ୍ରାମାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଉଥିଲୁ । ଅନ୍ୟମାନେ ତ କଲେଜରେ ପଢିଲେ, ତାଙ୍କ କଥା ଭିନ୍ନ । ମୁଁ ପାଠପଢା ଛାଡ଼ି ପେଟ ପୋଷିବା ଉଦ୍ଦେଶ୍ୟରେ କଲିକତା ଚାଲିଗଲି । ସେଇଠି ଥାଇ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଜାତୀୟ ଦିବସ ଉତ୍ସବକୁ ଉପଭୋଗ କରୁଥିଲି । 1972 ମସିହାରେ ପୁଣି ଓଡ଼ିଶାକୁ ଫେରିଆସି ବାଲିମେଳାରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ଜଣେ ଦର୍ଶକ ଭାବରେ ଉପସ୍ଥିତ ହୋଇ ମୋର ମନକୁ ସାନ୍ତ୍ଵନା ଦେଉଥିଲି । ସେତିକିବେଳେ ମୁଁ ଭାବୁଥିଲି, ଏଇମିତି ଉତ୍ସବରେ ମୋତେ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳନ୍ତା କି ? ସତକୁ ସତ ଜୟପୁରରେ ଚାକିରି ମିଳିଗଲା-ଅପର କୋଲାପ ଯୋଜନାରେ । ମୁଁ ଜଣେ ସରକାରୀ କର୍ମଚାରୀ ହେଇଥିବାରୁ ପ୍ରତିବର୍ଷ ଅଫିସ ପରିସରରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ଜାତୀୟ ଦିବସ ଉତ୍ସବରେ ଅନ୍ୟମାନଙ୍କ ସହିତ ମିଶି ପତାକା ଉତ୍ତୋଳନରେ ଜନ ମନ ଗଣ, ଜାତୀୟ ସଙ୍ଗୀତ ଗାଇବାର ସୁଯୋଗ ମିଳୁଥିଲା । ସେତିକିବେଳେ ମୁଁ ପୁଣି ଭାବୁଥିଲି, ମୁଁ ଜଣେ ନିମ୍ନବର୍ଗର କର୍ମଚାରୀ ହେଇଥିବାରୁ ଜୀବନରେ କେବେ ଆନୁଷ୍ଠାନିକ ଉତ୍ସବରେ ପତାକା ଉତ୍ତୋଳନ କରିପାରିବି ନାହିଁ । ଅଫିସରମାନେ ହିଁ କେବଳ ପତାକା ଉତ୍ତୋଳନ କରୁଥିବେ, ଆମେ କେବଳ ଦେଖୁଥିବୁ । ମନରେ ଯେତେ ଦେଶପ୍ରେମ ଭାବ ଥିଲେ ବି ଏହା କେବେ ସମ୍ଭବ ହେବନାହିଁ । ମନ ଭିତରେ ବ୍ୟାକୁଳତା ଥିବାରୁ ନିଜଘର ଛାତ ଉପରେ ପତାକା ଲଗେଇ ଆତ୍ମ-ସନ୍ତୋଷ କରୁଥିଲି । କିନ୍ତୁ ଜାତୀୟ ଦିବସ ଉତ୍ସବରେ ଆନୁଷ୍ଠାନିକ ଉତ୍ସବରେ ପତାକା ଉତ୍ତୋଳନ କରିବାକୁ ସୁଯୋଗ ପାଇବାକୁ ମନ ବ୍ୟାକୁଳ ହେଉଥାଏ ।
ବୋଧହୁଏ ମୋ ମନର ବ୍ୟାକୁଳତାକୁ ଭଗବାନ ଜାଣିପାଇଲେ । ଯୁନିଅନ ପବ୍ଲିକ ସର୍ଭିସ କମିଶନ,(ଲୋକ ସେବା ଆୟୋଗ) ଦ୍ଵାରା ମୁଁ ଆକାଶବାଣୀର କାର୍ଯ୍ୟକ୍ରମ ନିଷ୍ପାଦକ ଭାବରେ ସମ୍ବଲପୁରରେ 1989 ଜାନୁଆରୀ ମାସରେ ଯୋଗଦାନ କଲି । ସେଇଠି ମଧ୍ୟ ସେହି ଅବସ୍ଥା । ଅଳ୍ପକେତେ ଜଣଙ୍କ ଗହଣରେ କେବଳ ପତାକା ଉତ୍ତୋଳନରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଉଥିଲି । କେନ୍ଦ୍ର ନିର୍ଦ୍ଦେଶକ ହିଁ ପତାକା ଉତ୍ତୋଳନ କରୁଥିଲେ । 1993 ମସିହାରେ ମୋତେ ଅପୂର୍ବ ସୁଯୋଗ ମିଳିଲା । ମୁଁ କେନ୍ଦ୍ର ଦାୟିତ୍ୱରେ ରହିବା ଫଳରେ ମୋତେ ପ୍ରତିବର୍ଷ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମିଳିଲା । ପତାକା ଉତ୍ତୋଳନ ପାଇଁ ଯେଉଁ ବ୍ୟାକୁଳତା ଥିଲା, ତାହା ମେଣ୍ଟିବା ପରିବର୍ତ୍ତେ ଅଧିକରୁ ଅଧିକ ବଢି ଚାଲିଲା । ଏହି ଦୁଇଟି ଜାତୀୟ ଦିବସକୁ ମୁଁ ବଡ଼ ଆଗ୍ରହରେ ଅପେକ୍ଷା କରି ରହିଥାଏ । ବେଳେବେଳେ ଅନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ମୋତେ ଜେଣେ ବିଶିଷ୍ଟ ଲେଖକ ଭାବରେ ଜାଣିଥିବାରୁ ସେମାନେ ତାଙ୍କ ଅନୁଷ୍ଠାନର ପତାକା ଉତ୍ତୋଳନ କରିବାକୁ ଅତିଥି କରି ଡାକନ୍ତି । ଏହି ପ୍ରକ୍ରିୟା 2010 ମସିହା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଆକାଶବାଣୀ କଟକ କେନ୍ଦ୍ରକୁ ବଦଳିହେଇ ଆସିବା ପରେ ପୁଣି ମୋର ସିନିୟରମାନେ ପତାକା ଉତ୍ତୋଳନ କଲେ । 2012 ମସିହାରେ ଆକାଶବାଣୀ ଜଯପୁର କେନ୍ଦ୍ରକୁ ବଦଳି ହେବା ପରେ ସେଠାରେ କେନ୍ଦ୍ର ମୁଖ୍ୟ ହିସାବରେ ପୁଣି ପତାକା ଉତ୍ତୋଳନ କରିପାରିଲି । ଚାକିରିରୁ ଅବସର ନେବାପରେ ଏହି ଦୁଇଟି ଦିବସର ଉତ୍ସବରେ ମୋତେ ବହୁ ଅଗ୍ରଣୀ ଅନୁଷ୍ଠାନ ମୋତେ ପତାକା ଉତ୍ତୋଳନ କରିବାକୁ ଅତିଥି କରି ଡାକନ୍ତି । ଆମେରିକାରେ ଥିବା ସମୟରେ ମଧ୍ୟ ତ୍ରିରଙ୍ଗା ଉଡ଼େଇ ଆମେ ଆନନ୍ଦ ପାଇଥିଲୁ । କହିବାକୁ ଗଲେ, ସମୁଦାୟ ଜୀବନକାଳ ଭିତରେ ମୁଁ ଏହି ଉତ୍ସବରେ ଅଂଶ ଗ୍ରହଣ କରି ବେଶ ସୁଖ ଅନୁଭବ କରେ । କିନ୍ତୁ ଗତ କାରୋନା ଅଗଷ୍ଟ ପନ୍ଦର ସ୍ଵାଧୀନତା ଦିବସକୁ ମୋତେ ସେ ସୁଯୋଗ ଦେଲାନାହିଁ । ମନରେ କ୍ଷୋଭ ରହିଗଲା ।
