ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ପନ୍ଦର)
ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ପନ୍ଦର)
ନିଜର ସୃଷ୍ଟିକୁ ଦେଖି ନିଜେ ସ୍ରଷ୍ଟା ବି ଆଶ୍ଚର୍ଯ୍ୟ-ଚକିତ ହୋଇଯାଆନ୍ତି । ତା’ର ରୂପ ମାଧୁରୀ, ଗୁଣ, କର୍ମ ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପୁଣି ଚମତ୍କୃତ ଏବଂ ବିଚଳିତ ବି ହେଇଯାଆନ୍ତି । ପ୍ରକୃତି ମାଧ୍ୟମରେ ସେ ଯାହାକୁ ସୃଷ୍ଟି କରିଥା’ନ୍ତି, ତା’ର ଶକ୍ତି, ସାମର୍ଥ୍ୟ ପୁଣି କ୍ଷମତାକୁ ଲକ୍ଷ୍ୟକରି ନିଜେ ଈଶ୍ଵର ମଧ୍ୟ ତା’ ନିକଟରେ ନତମସ୍ତକ ହେଇଯାଆନ୍ତି । ସେଇଥିପାଇଁ ତ ପ୍ରଭୁ ଜଗନ୍ନାଥ ନିଜ ଗଢା ସଂସାରକୁ ଦେଖି ହତ-ଚକିତହୋଇ ବଡ଼ବଡ଼ ଚକା ଆଖିରେ ଦୁନିଆକୁ ଦିନରାତି ଚାହିଁ ରହିଛନ୍ତି ।
କେବଳ ଈଶ୍ଵର ନୁହନ୍ତି, ସାଧାରଣ ମଣିଷଟି ମଧ୍ୟ କୌଣସି ପଦାର୍ଥଟିକୁ ସଫଳତା ସହ ପ୍ରସ୍ତୁତ କରି ସାରିବା ପରେ, ସେ ନିଜେ ତାକୁ ଦେଖି ବିଶ୍ଵାସ କରିପାରେ ନାହିଁ, ସତରେ ଏତେ ସହଜରେ, ଏତେ ସୁନ୍ଦର ଜିନିଷଟିକୁ ମୁଁ କେମିତି ପ୍ରସ୍ତୁତ କରିପାରିଲି ? ସତରେ ଆଉ ଥରେ ଏହିଭଳି ପଦାର୍ଥଟିକୁ ମୁଁ କ’ଣ ଏତେ ସହଜରେ ପ୍ରସ୍ତୁତ କରି ପାରିବି ?
ଲେଖକ ବା କବି ଜଣକ ମଧ୍ୟ ତା’ର ନିଜ ଲେଖାକୁ ପାଠକରି ତା’ର କାଳ୍ପନିକ ଚରିତ୍ରଗୁଡ଼ିକର ପ୍ରେମରେ ପଡ଼ି ଯାଆନ୍ତି । ତାଙ୍କ ମନରେ ପ୍ରଶ୍ନ ଉଠେ, ସତରେ ଏଭଳି ଭଲ ଉପନ୍ୟାସ ମୁଁ ଆଉ ଗୋଟିଏ ଲେଖି ପାରିବି କି ନାହିଁ ? କେଉଁ ଶୁଭ ମୁହୂର୍ତ୍ତରେ, ସୁଯୋଗ ସୁବିଧା ନଥାଇ ମଧ୍ୟ ଏତେଭାବ-ଭାଷାଦେଇ ଏତେସୁନ୍ଦର ଚରିତ୍ର ଗୁଡ଼ିକୁ ମୁଁ କେମିତି ଜୀବନ୍ତ କରି ପାରିଲି ? ପାଠକୀୟ ସ୍ଵୀକୃତି, ପ୍ରଚଣ୍ଡ ଲୋକପ୍ରିୟତା ବା ଜାତୀୟ, ଅନ୍ତର୍ଜାତୀୟ ପୁରସ୍କାର ଲାଭକରିବାର ସୌଭାଗ୍ୟ ଅର୍ଜନ କରିବା ପରେ ଲେଖକଟିଏ ନିଜର ସୃଷ୍ଟି ନିକଟରେ ନିଜେ ହିଁ ଅସହାୟ ମନେକରି ଭାବୁଥାଏ- ମୋଦ୍ଵାରା ଏମିତି କେମିତି ହୋଇପାଇଲା ? ବୋଧହୁଏ, ଏହାକୁ ମୁଁ ନିଜେ ଲେଖିନାହିଁ, ନିଜେ ମାତା ସରସ୍ଵତୀ ଆସି ମୋ କଲମ ମୂନରେ ବସି ଯାଇଥିଲେ ।
ଜୀବନର ଶେଷ ପାହାଚରେ ଥାଇ ସେମାନେ ଅତୀତ ଦିନର ଉତ୍ସାହ, ଆଗ୍ରହ, ସାହସ, ଶ୍ରମ, ତ୍ୟାଗ, ଆତ୍ମ-ବିଶ୍ୱାସ, ନିଷ୍ଠା ଓ ପ୍ରେମକୁ ସ୍ମରଣକରି ପ୍ରତ୍ୟେକ ମଣିଷ ଆହ୍ଲାଦିତ ହୁଅନ୍ତି ସତ, କିନ୍ତୁ ସେ ନିଜ ଅତୀତର କୃତି ନିକଟରେ ନିଜକୁ ସମର୍ପଣ କରି ଅସହାୟ ମନେ କରିଥା’ନ୍ତି । ନିଜର ବିପୁଳ କୃତି, ବିସ୍ତୃତ ପରିସର ଏବଂ ଅଜସ୍ର ସମ୍ମାନ-ସ୍ଵୀକୃତିକୁ ସ୍ମରଣ କରି ସେ ଜଗତର ସୃଷ୍ଟିକର୍ତ୍ତା ଜଗନ୍ନାଥଙ୍କ ପରି ବିସ୍ମୟ ବିସ୍ଫାରିତ ନୟନରେ କେବଳ ଆଗକୁ ଚାହିଁ ରହିଯାଆନ୍ତି । ଏହି ମହାର୍ଘ ଅନୁଭୂତିକୁ କେବଳ ଅନୁଭବୀମାନେ ହିଁ ବୁଝିପାରନ୍ତି ।ଚିତ୍ରକରଙ୍କ କଥା ତ ନିଆରା । ସେ ନିଜ ଚିତ୍ର ଭିତରେ ତାଙ୍କର ପ୍ରେମିକାକୁ ଦେଖି ପାରନ୍ତି ।
ଶିଳ୍ପୀ ଜଣେ ନିଖୁଣ ଦେବୀ ମୂର୍ତ୍ତିଟିକୁ ନିର୍ମାଣ କରିସାରିବା ପରେ ସେ ନିଜେ ତାକୁ ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଣାମ କରେ । ସେହି ମୂର୍ତ୍ତି ନିକଟରେ ଆତ୍ମ-ସମର୍ପଣ କରେ । ଦୋଷ-ତ୍ରୁଟିପାଇଁ ଦେବୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ବି କରେ । ମାଟିରେ, କାଠରେ ବା ପଥରରେ ନିର୍ମିତ ମୂର୍ତ୍ତିଟି କଳାକାର ପାଇଁ ଜୀବନ୍ତ ଦେବୀ ହୋଇଯାଆନ୍ତି । ଦେବୀଙ୍କର ରୂପ ଲାବଣ୍ୟକୁ ଦେଖି ମୂର୍ତ୍ତିଟିକୁ ସେ ଗଢିଛନ୍ତି ବୋଲି ଆଉଥରେ କଳ୍ପନା କରିପାରନ୍ତି ନାହିଁ ।
ଠିକ ସେହିପରି ମୁଁ ଯେଉଁ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ, ଆଲୋଚନା ବା ଶିଶୁ ସାହିତ୍ୟ ରଚନା କରିଥାଏ, ତାକୁ କିଛିଦିନ ପରେ ପାଠକରି ମୁଁ ନିଜେ ବିମୋହିତ ହୋଇଯାଏ । ସତରେ ସେ ସମୟରେ ମୁଁ ଏତେ ଭଲଲେଖା ପୁଣି ଏତେ ପରିମାଣରେ ରଚନା କରିପାରିଲି କେମିତି ? ତା’ର ଉତ୍ତର କେବେ ବି ମୋତେ ମିଳି ପାରିନାହିଁ । 2020 ମସିହାରେ ମୋର ବିପୁଳ ସାହତ୍ୟ ସୃଷ୍ଟିଗୁଡ଼ିକ ପୁଣି 2021 ମସିହା ବେଳକୁ ମୋତେ ହିଁ ଆଚମ୍ବିତ କରି ପକାଏ । ଏହି ସମୟ ମଧ୍ୟରେ ମୋର କମ୍ପ୍ୟୁଟର ଓ ମୋବାଇଲ ଫୋନ ସହିତ କଲମ ଅତ୍ୟନ୍ତ ଚଳଚଞ୍ଚଳ ହେଇ ଯାଇଥିଲା । ଫଳରେ ପ୍ରତିଲିପି ଓ ଷ୍ଟୋରୀମିରର ଭଳି ଅନ୍ତରାଷ୍ଟ୍ରୀୟ ବିଖ୍ୟାତ ପ୍ରକାଶନ ସଂସ୍ଥାର ଡିଜିଟାଲ ପୃଷ୍ଠାରେ ମୋର ହଜାର ସଂଖ୍ୟାରେ ଗଳ୍ପ, କବିତା, ରମ୍ୟରଚନା, ଗୀତିକବିତା, ଆଲୋଚନା, ନାଟକ, ଶିଶୁ ସାହିତ୍ୟ, ଧାରାବାହିକ କାହାଣୀ ପ୍ରଭୃତି ପ୍ରକାଶିତ ହୋଇପାରିଲା । ଏଥିପାଇଁ ମୁଁ ଦୁଇଟି ସସ୍ଥାରୁ ଆଠଟି ପୁରସ୍କାର ମଧ୍ୟ ଲାଭ କରିପାରିଛି । ଷ୍ଟୋରିମିରର ତରଫରୁ ମୋତେ ଲିଟରାରି କ୍ଯାପଟେନ ଉପାଧିରେ ମଧ୍ୟ ଭୂଷିତ କରାଯାଇଛି । କେବଳ ସେତିକି ନୁହେଁ, ଦୁଇଟିଯାକ ସଂସ୍ଥା ତରଫରୁ ଏଭଳି ସୁବ୍ୟବସ୍ଥା କରାଯାଇଛି ଯେ, ସେହି ଲେଖାଗୁଡ଼ିକୁ ସମଗ୍ର ବିଶ୍ଵର ବିଭିନ୍ନ ଜାଗାରେ ଥିବା ଆଗ୍ରହୀ ପାଠକମାନେ ଅତି ସହଜରେ ଏବଂ ସୁବିଧାରେ ପୁଣି ମାଗଣାରେ ମୋର ଲେଖାଗୁଡ଼ିକୁ ପାଠକରି ପାରୁଛନ୍ତି । ଡିଜିଟାଲ ପୃଷ୍ଠାରୁ ହଜାର ହଜାର ପାଠକ/ପାଠିକା, କିଏ କେବେ କେଉଁଠୁ ପାଠକଲେ, ତା’ର ବିବରଣୀ ମଧ୍ୟ ଲେଖକ ଘରେ ବସି ସହଜରେ ଜାଣି ପାରୁଛନ୍ତି । ମୁଁ ମଧ୍ୟ ଏହି ସୂଚନା ପାଇ ଅତ୍ୟନ୍ତ ଉତ୍ସାହିତ ହୋଇପାରୁଛି । ପାଠକ ମାନଙ୍କ ସହିତ ସଂପର୍କ ମଧ୍ୟ କରିପାରୁଛି । ଏବେ ମୁଁ ଅନୁଭବ କରିପାରୁଛି, ପାରମ୍ପରିକ କାଗଜ ପୁସ୍ତକ ତୁଳନାରେ ଡିଜିଟାଲ ପୁସ୍ତକକୁ ଅଧିକରୁ, ଯଥେଷ୍ଟ ଅଧିକ ପାଠକ ଉପଭୋଗ କରି ପାରୁଛନ୍ତି । ସତରେ 2020 ମସିହା ମୋ ପାଇଁ ନିଶ୍ଚିତ ଭାବେ ଏକ ସୁବର୍ଣ୍ଣ ସୁଯୋଗ ଦେଇ ଯାଇଥିଲା ।000
