ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ନଅ)
ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ନଅ)
ପ୍ରାୟ ପଚାଶ ବର୍ଷ ଧରି ମୁଁ ସାହିତ୍ୟ ସାଧନାରେ ରତ ଥିବାରୁ ଅସଂଖ୍ୟ ଲେଖା ମୋର ପ୍ରାୟ ଓଡ଼ିଶାରେ ସମସ୍ତ ପତ୍ର-ପତ୍ରିକାରେ ପ୍ରକାଶ ପାଇ ଆସୁଛି | କେତେକ ବିଶେଷ ସାହିତ୍ୟ ସଙ୍କଳନରେ ମଧ୍ୟ ମୋର ବିଭିନ୍ନ ପ୍ରକାର ଲେଖା ପ୍ରକାଶ ପାଇସାରିଛି | ଏପରିକି ଅନେକ ସ୍କୁଲ ଓ ଅନୁଷ୍ଠାନର ସ୍ମରଣିକାରେ ଲେଖା ବି ସ୍ଥାନ ପାଇଛି | ପ୍ରାଥମିକ ଅବସ୍ଥାରେ କଟକର ଜଣେ ପ୍ରକାଶକ ମୋର ଭାରତର ସହିଦ ସଂଗ୍ରାମୀ ମାନଙ୍କର ଜୀବନୀକୁ ଗୋଟାଏ ଗ୍ରନ୍ଥମାଳା ନାମରେ ଦଶଟି ଭାଗରେ ପ୍ରକାଶ କରିଥିଲେ, ଯାହାକି ଅତ୍ୟନ୍ତ ଲୋକପ୍ରିୟ ହୋଇ ବିଭିନ୍ନ ବିଦ୍ୟାଳୟ ତଥା ରାଜା ରାମମୋହନ ରାୟ ପାଠାଗାର ଯୋଜନାରେ ବହୁବାର କ୍ରୟହୋଇ ଓଡ଼ିଶାର ବିଭିନ୍ନ ସାଧାରଣ ଜନତା ପାଠାଗାରକୁ ଯୋଗାଇ ଦିଆଯାଇଛି | ସେଥିରେ ସ୍ଥାନିତ କେତୋଟି ଲେଖାକୁ ସଂଗ୍ରହ କରି ରାଜ୍ୟ ଓ ରାଜ୍ୟ ବାହାରେ ଥିବା କେତେକ ପ୍ରକାଶକ ବିଦ୍ୟାଳୟର ପାଠ୍ୟ ପୁସ୍ତକରେ ପ୍ରକାଶ କରିଛନ୍ତି | ଆଶ୍ଚର୍ଯ୍ୟର କଥା-ଦୀର୍ଘଦିନରୁ ଏହି ଗଳ୍ପ ଓ କବିତା ଗୁଡ଼ିକ ପାଠ୍ୟ-ପୁସ୍ତକରେ ସ୍ଥାନ ପାଇଥିଲେ ବି ମୁଁ ଲେଖକ ହିସାବରେ କିଛି ଜାଣି ପାରି ନଥିଲି | ବିଭିନ୍ନ ସ୍ଥାନରେ ଥିବା ସମୟରେ ପିଲାଙ୍କ ବହିକୁ ଦେଖି ପରେ ଏହି ସବୁ ପୁସ୍ତକ ବିଷୟରେ ଜାଣିବାକୁ ପାଇଲି | ଏବେ ସେଥିରୁ ଖଣ୍ଡିଏ ଲେଖା କପି ଯୋଗାଡ଼ କରି ରଖିଛି | ସୌଜନ୍ୟ ଦୃଷ୍ଟିରୁ ପ୍ରକାଶକ ବା ସଂପାଦକ ଜୀବିତ ଥିବା ଲେଖାଙ୍କୁ ଅତି କମରେ ସୂଚନା ଦେବାକଥା | ରୟାଲିଟି ବା ଲେଖାର ରାଜଭାଗ ଦେବାକଥା ଛାଡ଼ | ମୋର ଲେଖାଗୁଡ଼ିକୁ ସେମାନେ ଉପଯୁକ୍ତ ସ୍ଥାନରେ ରଖି ମୋତେ ଗୌରବାନ୍ନିତ କରିଛନ୍ତି, ସେଥିପାଇଁ ମୁଁ ପ୍ରକାଶକ ଓ ସଂପାଦକ ମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜଣାଇବାର ସୁଯୋଗ ପାଇଥା’ନ୍ତି | ସେଥିରୁ ବଞ୍ଚିତ ରହିଗଲି | ସେଗୁଡ଼ିକର ସଂକ୍ଷିପ୍ତ ସୂଚନ ଦେବା ପ୍ରାସଂଗିକ ହେବ ବୋଲି ମୁଁ ଭାବୁଛି | ମୋର ପ୍ରିୟ ପାଠକମାନେ ସେଥିରୁ କିଞ୍ଚିତ ସୂଚନା ପାଇ ପାରିବେ |
ପାଠ୍ୟ-ପୁସ୍ତକ ଆମଭାଷା ଆମସାହିତ୍ୟ – ପ୍ରକାଶକ- ହୋଲିଫେଥ ଇଣ୍ଟରନ୍ୟାଶନାଲ , ନୂଆଦିଲ୍ଲୀ,, ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ମୋର ଲେଖାଟି ଦ୍ଵିତୀୟ ବିଷୟ ଭାବରେ ‘ସହିଦ ଜୟୀ ରାଜଗୁରୁ’ ଲେଖାଟି ସ୍ଥାନିତ ହୋଇଛି, ଦୁଃଖର କଥା ଲେଖକ ନାମ ଜାଗାଟି ଫାଙ୍କା ରଖା ଯାଇଛି | ଏହାର କାରଣ ମୁଁ ଜାଣି ପାରିନାହିଁ | ମୋ ଲେଖା ପୂର୍ବରୁ ପ୍ରଥମ ଲେଖା ଭାବରେ ଭକ୍ତକବି ମଧୁସୂଦନ ରାଓଙ୍କ ଲିଖିତ କବିତା ‘ମଣିମାଳା’ ସ୍ଥାନ ପାଇଛି | ମୋ ଲେଖା ବ୍ୟତୀତ ରାମକୃଷ୍ଣ ନନ୍ଦ, ଗୋଦାବରୀଶ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ପୋଥାଳ ଓ ମାୟାଧର ମାନସିଂହଙ୍କର ଲେଖା ସେହି ପାଠ୍ୟ-ପୁସ୍ତକରେ ପ୍ରକାଶ ପାଇଛି | ଏହି ପୁସ୍ତକଟିକୁ ଢେଙ୍କାନାଳରେ ଥିବା ଶିକ୍ଷକ ତଥା ମୋ ସମୁଦିଙ୍କଠାରୁ ପାଇଥିଲି | ଏହା ଆମରାଜ୍ୟର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଅନ୍ୟ ବେସରକାରୀ ବିଦ୍ୟାଳୟରେ ମଧ୍ୟ ପାଠ୍ୟ-ପୁସ୍ତକ ଭାବରେ ପ୍ରଚଳିତ | ସତରେ ଏହା ମୋ ପାଇଁ କେଡ଼େ ଗୌରବର କଥା ! କିନ୍ତୁ ଟିକେ ଦୁଃଖ ରହିଗଲା |
ଦ୍ଵିତୀୟ ପାଠ୍ୟ-ପୁସ୍ତକଟି ହେଲା- ପିଲାଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ବ୍ୟାକରଣ, ଭାଗ-4, ପ୍ରକାଶକ ଏନ ପି ବୁକସ, ଇଣ୍ଡିଆ (2019) ଏହା ଚତୁର୍ଥ ଶ୍ରେଣୀର ପାଠ୍ୟପୁସ୍ତକ | ଏହା ମଧ୍ୟ ପ୍ରାୟ ସମସ୍ତ ବେସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢା ହେଉଛି | ସେକଥା ମୁଁ ମୋଟେ ଜାଣି ନଥିଲି | ଏଇ 2020 ମସିହା ଡିସେମ୍ବର ମାସର କଥା, ଆମ ପଡ଼ିଶାରେ ରହୁଥିବା ଜଣେ ଭଦ୍ରଲୋକଙ୍କ ଚତୁର୍ଥ ଶ୍ରେଣୀ ଛାତ୍ରୀ ଝିଆରୀ ସୋନାଲୀ କେନ୍ଦ୍ରାପଡ଼ାର ଚାନ୍ଦୋଳରେ ରହେ | ସେ ତା’ର ବଡ଼ବାପାଙ୍କ ଘରକୁ ବୁଲି ଆସିଥିଲା, ସେ ମୋ ନାମ ଶୁଣି କହିଲା –“ଆପଣ ଜଣେ ଲେଖକ କି ? ଆପଣଙ୍କର ଲେଖା କବିତା ‘ଓଡ଼ିଆ ଜାତିର ଲଢୁଆ ବୀର ସୁରେନ୍ଦ୍ର ସାଏ’ ଆମ ଶ୍ରେଣୀରେ ପଢା ହେଉଛି | ମୋ ପାଖରେ ସେ ବହି ଅଛି ଦେଖିବେ କି ?” ଏତିକି କଥା କହୁକହୁ ସେ ବହିଟିକୁ ଆଣି ମୋତେ ଦେଖାଇଦେଲା | ମୁଁ ଆଶ୍ଚର୍ଯ୍ୟ ହେଇଗଲି | ସେଥିରେ 55 ପୃଷ୍ଠାରେ ଥିବା ଦଶମ ବିଷୟ ଭାବରେ ମୋ ଲେଖାଟି ସ୍ଥାନ ପାଇଛି | ସେଥିରେ ଓଡ଼ିଶାର ବହୁ ବିଶିଷ୍ଟ ଲେଖା ଓ କବିମାନଙ୍କର ଲେଖା ଗଳ୍ପ ଓ କବିତା ସ୍ଥାନ ପାଇଛି | ଲେଖାଟିକୁ ମୋର ଶିଶୁମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ “ଓଡ଼ିଆ ଜାତିର ଲଢୁଆ ବୀର” ପୁସ୍ତକରୁ ନିଆଯାଇଛି | ଲେଖକ ପରିଚୟଟି ମଧ୍ୟ ଅତି ସୁନ୍ଦର ଭାବରେ ସେଥିରେ ସଂପାଦକ ଦେଇଛନ୍ତି | ଏଥିରେ ଯେତିକି ଖୁସି ହେଲି, ସେତିକି କ୍ଷୋଭ ରହିଗଲା |
ତୃତୀୟ ପୁସ୍ତକଟିର ନାମ -ସୌରଭ ମାତୃଭାଷା ଓ ସାହିତ୍ୟ-ସପ୍ତମ ଭାଗ, ଏହା ପଞ୍ଚମ ଶ୍ରେଣୀ ଛାତ୍ର-ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ | ପ୍ରକାଶକ-ସୌରଭ ବୁକ ଏଜେନ୍ସି, କଟକ, ସମ୍ପାଦକ-ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଏଥିରେ କବିବର ରାଧାନାଥ ରାୟ, କୁନ୍ତଳା କୁମାରୀ ସାବତ, ଗଙ୍ଗାଧର ମେହେର, ଗୋଦାବରୀଶ ମିଶ୍ର, ବାଞ୍ଛାନିଧି ମହାନ୍ତି, ରାଧାମୋହନ ଗଡ଼ନାୟକ, ରାମକୃଷ୍ଣ ନନ୍ଦ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭଳି ବିଶିଷ୍ଟ ଲେଖକମାନଙ୍କର ଲେଖା ସ୍ଥାନ ପାଇଛି | ସେମାନଙ୍କ ସହିତ ମୋ ଭଳି ଜଣେ କନିଷ୍ଠ ଲେଖକର ଲେଖା ପାଠ୍ୟପୁସ୍ତକର ସପ୍ତମ ବିଷୟ ଭାବରେ କବିତା- ‘ଧରଣୀଧର’ ପ୍ରକାଶ ପାଇଛି | ମୋର ଜଣେ ପ୍ରିୟବନ୍ଧୁ ଭାବରେ ଲକ୍ଷ୍ମୀକାନ୍ତ ପରିଚିତ ହୋଇଥିବାରୁ ସେ ମୋତେ ଏ’ ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ ପୁସ୍ତକର କପିଟିଏ ଉପହାର ଦେଇଥିଲେ | ଏଥିରେ ମୁଁ ଅତ୍ୟନ୍ତ ଆନନ୍ଦ ଲାଭ କରିଥିଲି |
ଚତୁର୍ଥ ପୁସ୍ତକଟି ଷଷ୍ଠ ଶ୍ରେଣୀର ଛାତ୍ର-ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ | ଆମ ଭାଷା ଆମ ସାହିତ୍ୟ, ଷଷ୍ଠ ଭାଗ –ପ୍ରକାଶକ ହୋଲିଫେଥ ଇଣ୍ଟରନ୍ୟାସନାଲ , ନୂଆଦିଲ୍ଲୀ | ଏଥିରେ ଓଡ଼ିଶାର ବିଶିଷ୍ଟ କବି ଓ ଲେଖକମାନଙ୍କର ଗଳ୍ପ ଓ କବିତା ସ୍ଥାନ ପାଇଛି | ସେମାନଙ୍କ ମଧ୍ୟରେ ରାମକୃଷ୍ଣ ନନ୍ଦ, କୁଳମଣି ସାମଲ, ଗୋଦାବରୀଶ ମିଶ୍ର, ଜାନକୀ ବଲ୍ଲଭ ମହାନ୍ତି, ଗୋକୁଳାନନ୍ଦ ମହାପାତ୍ର, ସଚ୍ଚି ରାଉତରାଯ, ରାଧା ମୋହନ ଗଡନାୟକ, ଲୋକରତ୍ନ କୁଞ୍ଜବିହାରୀ ଦାଶ ପ୍ରମୁଖଙ୍କ ନାମ ଉଲ୍ଲେଖ୍ୟଯୋଗ୍ୟ | ଏମାନକ ବ୍ୟତୀତ ବଙ୍ଗଳାର ବିଶିଷ୍ଠ କବି ଶରତଚନ୍ଦ୍ର ମୁଖାର୍ଜୀଙ୍କ ଲେଖା ମଧ୍ୟ ସ୍ଥାନ ପାଇଛି | ତାଙ୍କ ଗହଣରେ ମୋର କାହାଣୀ ‘ନାରୀସହିଦ କୃଷ୍ଣା କୁମାରୀ’ ଲେଖାଟି ଷଷ୍ଠ ବିଷୟ ଭାବରେ ଅଠେଇଶତମ ପୃଷ୍ଠାରେ ପ୍ରକାଶ ପାଇଛି | ଏଥିରେ ମଧ୍ୟ ବେଶ ସୁନ୍ଦର ଭାବେ ଲେଖକ ପରିଚୟ ଦିଆଯାଇଛି |
ପଞ୍ଚମ ପାଠ୍ୟ-ପୁସ୍ତକଟି ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ | ଆମ ଭାଷା ଆମ ସାହିତ୍ୟ –ସପ୍ତମ ଭାଗ, ପ୍ରକାଶକ ହୋଲିଫେଥ, ନୂଆଦିଲ୍ଲୀ | ଏଥିରେ ଭକ୍ତକବି ମଧୁସୂଦନ ରାଓଙ୍କ ପଦ୍ୟ ‘ଧର୍ମ ‘ ପରେ ପରେ ମୋର କାହାଣୀ ‘ନାରୀ ସହିଦ ଚିନ୍ନାମ୍ମା’ ସ୍ଥାନ ପାଇଛି |
ଏହାକୁ ମୋର ସହିଦ ଗ୍ରନ୍ଥାବଳି ପୁସ୍ତକରୁ ପ୍ରକାଶକ ନେଇଛନ୍ତି | ଏଥିରେ ଉଦୟନାଥ ଷଡଙ୍ଗୀ, ରାଜକିଶୋର ରାୟ, ରାଧାମୋହନ ଗଡନାୟକ, ଚିତ୍ତରଞ୍ଜନ ଦାସ, ରାମ ପ୍ରସାଦ ମହାନ୍ତି, ଗଦାଧର ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରମୁଖ ଲେଖକ ଓ କବିଙ୍କର ରଚନା ମଧ୍ୟ ସ୍ଥାନିତ ହୋଇଛି |
ଷଷ୍ଠ ପାଠ୍ୟ-ପୁସ୍ତକର ନାମ ହେଉଛି-ଓଡ଼ିଆ ଭାଷା କଳିକା, ପ୍ରକାଶକ, ହ୍ୟାଣ୍ଡସ ଅନ, ଏମ ଜି ଏସ ପବ୍ଲିକେଶନ ପ୍ରା-ଲିମିଟେଡ଼, ଲକ୍ଷ୍ନୌ, ଉତ୍ତର ପ୍ରଦେଶ | ଏହା ଅଷ୍ଟମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ପାଇଁ ଅଭିପ୍ରେତ | ଏଥିରେ ପୂର୍ବପରି ବହୁ ବିଶିଷ୍ଟ କବି ଯଥା-ରାଧାମୋହନ ଗଡ଼ନାୟକ, ମାୟାଧର ମାନସିଂହ, ଉଦୟନାଥ ଷଡଙ୍ଗୀ, ବିଦ୍ୟୁତପ୍ରଭା ଦେବୀ, କୁଳମଣି ସାମଲ, ରାଧାନାଥ ରଥ, ଗୋଦାବରୀଶ ମହାପାତ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ଲେଖକ ଓ କବିମାନଙ୍କର ଲେଖା ସ୍ଥାନ ପାଇଛି | ଲେଖକମାନଙ୍କର ପରିଚୟ ଅତ୍ୟନ୍ତ ନିଖୁଣ ଭାବରେ ଏଥିରେ ପ୍ରଦାନ କରାଯାଇଛି | ମୋର ଲେଖା କବିତା-‘ସହିଦ ରଘୁ ଦିବାକର’ ବିଷୟଟି ନବମ ସ୍ଥାନରେ ରହିଛି | ପୁସ୍ତକଟି ପ୍ରକାଶ ପାଇବା ମାତ୍ରେ ବନ୍ଧୁ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ସେଥିରୁ ଖଣ୍ଡିଏ ଉପହାରଦେଇ ମୋତେ କୃତଜ୍ଞ କରିଦେଇଛନ୍ତି | ମୁଁ ବୋଧହୁଏ -ଏକମାତ୍ର ଜଣେ ଭାଗ୍ୟବାନ ଓଡ଼ିଆ ଲେଖକ, ଯାହାର ଲେଖା ତୃତୀୟ ଶ୍ରେଣୀରୁ ଧାରାବାହିକ ଭାବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପାଠ୍ୟ-ପୁସ୍ତକରେ ଲେଖା ସ୍ଥାନ ପାଇ ପାଇଛି |
ଏହାକୁ ଲେଖକ ଓ କବିଙ୍କର ଭାଗ୍ୟ କୁହାଯାଇ ପାରିବ | କାରଣ, ଏହିସବୁ ଲେଖାକୁ ମୁଁ ପାଠ୍ୟ-ପୁସ୍ତକରେ ପ୍ରକାଶ କରିବା ପାଇଁ କେବେ କାହାରିକୁ ଅନୁରୋଧ କରି ନଥିଲି | କେବଳ ନିଷ୍ଠାର ସହିତ ଲେଖାଲେଖି କରି ଚାଲିଥିଲି | ଏଥିପାଇଁ ଅନେକ ଶ୍ରମ ଓ ଅର୍ଥ ଲଗାଇଥିଲି | ବୋଧହୁଏ ତ’ର ସୁଫଳ ମୁଁ ଏବେ ପାଉଛି |
ପାଠ୍ୟ-ପୁସ୍ତକରେ ଜଣେ ଲେଖକଙ୍କର ଲେଖା ସ୍ଥାନ ପାଇଗଲେ, ତାଙ୍କର ନାମଟି ଅନେକ ଶିଶୁଙ୍କ ମନରେ ଲାଖି ରହିଯାଏ | ଆମେ ଯେମିତି ପିଲାବେଳେ ବହୁ ବିଶିଷ୍ଟ ଲେଖକଙ୍କର ଲେଖାକୁ ପଢିଥିବାରୁ ଆଜିଯାଏ ତାଙ୍କ କୃତି ଓ ନାମକୁ ମନେ ରଖିଛୁ | ସେଇଥିପାଇଁ ବୋଧହୁଏ ଜଣେ ଅଜଣା ବନ୍ଧୁ ଅଭୟ ନାୟକ ମହାଶୟ ଗୋଟିଏ ଲୋକପ୍ରିୟ ୟୁ ଟିଊବ ଚ୍ଯାନେଲ ମାଧ୍ୟମରେ ଗୋଟିଏ ଭିଡିଓ ଛାଡ଼ିଥିଲେ | ସେଥିରେ ଓଡ଼ିଶାର ଦଶଜଣ ଅତି ବିଶିଷ୍ଟ ଓ ଅତି ଲୋକପ୍ରିୟ କବି ଓ ଲେଖକମାନଙ୍କ ମଧ୍ୟରେ ମୋ ନାମ, ମୋର କୃତି ସଂପର୍କରେ ବିଶେଷ ବିବରଣୀ ଦେଇ, ମୋତେ ଆମର ରଖିବାକୁ ଚେଷ୍ଟା କରିଛନ୍ତି | ଏହାକୁ ମଧ୍ୟ ଭାଗ୍ୟ କୁହାଯାଇ ପାରିବ | 000
