STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଦଶ)

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଦଶ)

3 mins
222


ଯେଉଁ ମତବାଦ ବା ଚିନ୍ତାଧାରାକୁ କୋଟିକୋଟି ଲୋକ ହଜାର ହଜାର ବର୍ଷ ଧରି ମାନି ଆସୁଛନ୍ତି, ପୁଣି ହଜାର ହଜାର ସଂଖ୍ୟାରେ ସେହି ମତବାଦର ସୁଫଳ ଜନସାଧାରଣ ପାଇ ଆସୁଛନ୍ତି ବୋଲି ଆମର ଦୃଢ ବିଶ୍ଵାସ ବା ଧାରଣା ରହି ଆସିଛି, ସେଥିରେ ଯଦି ଗୋଟିଏ ଲୋକ ପାଣି ଛାଟିଦିଏ, କିମ୍ବା ସେହି କଥାକୁ ଗ୍ରହଣ ନକରି ଆଉ କିଛି ଓଲଟା କଥା କହେ, ତେବେ ଲୋକେ ତାକୁ ପାଗଳ ବୋଲି କହନ୍ତି | ସୂର୍ଯ୍ୟ ପୃଥିବୀ ଚାରିପଟେ ବୁଲୁଛି ବୋଲି ପୂର୍ବରୁ ପ୍ରତ୍ୟେକ ଲୋକର ଦୃଢ ବିଶ୍ଵାସ ଥିଲା | କେହି ଜଣେ ତ କହିଦେଲେ, ଏହି କଥାଟି ଏହି ମତବାଦଟି ଭୁଲ | କେବଳ ପୃଥିବୀ ନୁହେଁ, ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ କୋଟି କୋଟି ବର୍ଷ ଧରି ଘୂରି ବୁଲୁଛନ୍ତି | ଏକଥାଟିକୁ କେହି ସେତେବେଳେ ଗ୍ରହଣ କରିନେଇ ପାରି ନଥିଲେ | ସେହିପରି ଜଣେ ରାଜା ନ ରହିଲେ, ରାଜ୍ୟରେ ଅରାଜକତା ଦେଖାଦେବ, ଗଣତନ୍ତ୍ର ଶାସନ ମାନବ ସମାଜରେ ତିଷ୍ଟି ରହିପାରିବ ନାହିଁ | ଏହି ଧାରଣା ମଧ୍ୟ ଅନେକ ବର୍ଷଯାଏ ସାଧାରଣ ଲୋକମାନଙ୍କର ମନରେ ରହିଯାଇଥିଲା | କିନ୍ତୁ ଗଣତନ୍ତ୍ର ଶାସନ ପ୍ରଣାଳୀ ଯେ ସର୍ବଶ୍ରେଷ୍ଠ ଶାସନ ପ୍ରଣାଳୀ ଏ’କଥା ବହୁତ ଡେରିରେ ଲୋକେ ବୁଝିଲେ | ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କର ଶାସନ ହେଇପାରେ, ଏହି କଥାକୁ କେହି ତ ଜଣେ ପ୍ରଥମେ ଭାବିଥିଲେ, ସେତେବେଳେ ଲୋକେ ତାଙ୍କ କଥା ଅବିଶ୍ଵାସ କରିପାରି ନ ଥିବେ ନିଶ୍ଚୟ |

ଅନ୍ଧବିଶ୍ଵାସ କୁସଂସ୍କାର ଆମ ସମାଜକୁ ଯୁଗଯୁଗ ଧରି ଘେରି ରହିଛି, ତା’ର ପ୍ରାୟୋଜକ ଓ ଗ୍ରାହକଜଙ୍କ ସଂଖ୍ୟା ଆଜିଯାଏ କମିନାହିଁ | ତେଣୁ ଭଣ୍ଡବାବା,ଗୁଣିଆ, ତାନ୍ତ୍ରିକମାନଙ୍କର ସଂଖ୍ୟା ଆଶାନୁରୂପେ କମି ପାରୁନାହିଁ | ଇଂରେଜ ସରକାର ଅମଳରୁ ଆରମ୍ଭ ହୋଇଥିବା ବଳିପ୍ରଥା ଆଜିଯାଏ ସମାପ୍ତ ହୋଇପାରିଲା ନାହିଁ | ଯୁଗେଯୁଗେ ଅନ୍ଧ-ବିଶ୍ଵାସୀ ରହି ତାକୁ ଜାଗ୍ରତ କରି ରଖିଛନ୍ତି | ଆମଦେଶ ସ୍ଵାଧିନତା ଲାଭକଲା ପରେ କେତେ ରାଜନେତା ସରକାର ଏବଂ ସଚେତନ ନାଗରିକ ଚେଷ୍ଟାକରି ମଧ୍ୟ ଆଜିଯାଏ ବଳିପ୍ରଥାକୁ ବନ୍ଦକରି ପାରିନାହାନ୍ତି | ତାକୁ ଏକ ପରମ୍ପରା ଏବଂ ଈଶ୍ଵରଙ୍କ ଇଚ୍ଛା ବୋଲି କହି ଭ୍ରମ ସୃଷ୍ଟିକରି ଚାଲିଛନ୍ତି | ସେହିଭଳି ଆଜି ଯଦି କେହି ଜଣେ କହେ, ଆମ ଦେଶରେ କୌଣସି ରାଜନୈତିକ ଦଳର ଆବଶ୍ୟକ ନାହିଁ, ତାକୁ କେହି ବି ଜଣେ ଗ୍ରହଣ କରିବ ନାହିଁ, ବରଂ ତାକୁ ପାଗଳ କହି ହସି ଉଡ଼େଇ ଦେବ | କିନ୍ତୁ ଆମ ଦେଶରେ ଯେଉଁ ଶାସନ ବ୍ୟବସ୍ଥା ରହିଛି, ସେହି ବ୍ୟବସ୍ଥା ମାଧ୍ୟମରେ ବିନା ସରକାରରେ ଦେଶର ଶାସନ ଅତି ସହଜରେ ହେଇପାରିବ | ଏହା ବାରମ୍ବାର ରାଷ୍ଟ୍ରପତି ଶାସନ ସମୟରେ ପ୍ରମାଣିତ ହୋଇସାରିଛି | ଅତି ସ୍ଵାଧୀନତା ଦେଶପାଇଁ ବିପଦ, ଏକତାକୁ କେହି ସହଜରେ ଗ୍ରହଣ କରିବେ ନାହିଁ |ଏକଥା କହିବାର ଉଦ୍ଦେଶ୍ୟ ହେଉଛି- ଆମକୁ ବହୁତ ବାଟ ଆଗେଇ ଯିବାକୁ ହେବ, ସମୟ ସହିତ ତାଳଦେଇ ବିଜ୍ଞାନକୁ ଆଦରି ନେଇ ଆମ ଭିତରେ ଥିବା ହୀନମାନ୍ୟତାକୁ ଦୂରେଇ ରଖିବାକୁ ହେବ |

କରୋନା ରୋଗର ପ୍ରାଦୁର୍ଭାବ ଫଳରେ ସମଗ୍ର ବିଶ୍ଵରେ ଅନେକ କିଛି ପରିବର୍ତ୍ତନ ଦେଖା ଦେଇଛି | ସବୁରୋଗ ପାଇଁ ପ୍ରଚଳିତ ଚିକିତ୍ସା ପଦ୍ଧତି ଏଇଠି ବିଫଳ ହେଇଥିଲା | ଅନ୍ଧ-ବିଶ୍ଵାସୀ, ତାନ୍ତ୍ରିକ, ଗୁଣିଆ, ଭଣ୍ଡବାବାଙ୍କର ଚମତ୍କାରିତା ସଂପୂର୍ଣ୍ଣ ଭାବରେ ଅଚଳ ହୋଇପଡ଼ିଲା | ପୂଜାପାଠ-ଯଜ୍ଞ, ଦାନ-ପୁଣ୍ୟ, ଚେରମୂଳି, ତନ୍ତ୍ର-ମନ୍ତ୍ର, ସମୂହ ପ୍ରାର୍ଥନା କିଛି ବି କାମ କଲାନାହିଁ | କେବଳ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଓ ବୈଜ୍ଞାନିକ ମାନଙ୍କର ଗବେଷଣା ଲବ୍ଧ ପ୍ରତିଷେଧକ ଟିକାକୁ ସମସ୍ତେ ଅପେକ୍ଷା କରି ରହିଲେ | ଲକ୍ଷ ଲକ୍ଷଲୋକ ଅସହାୟ ହୋଇ ମୃତ୍ୟୁ ବରଣ ବି କଲେ | ପ୍ରଶାସନର ଅକ୍ଲାନ୍ତ ପରିଶ୍ରମ ଓ କଟକଣା ଫଳରେ ଅବଶ୍ୟ ମୃତ୍ୟୁ ସଂଖ୍ୟାକୁ ଅନେକ ପରିମାଣରେ ସୀମିତ କରିପାରିଥିଲା |

ଏହି ବିପଦ ସମୟରେ ଅନ-ଲାଇନରେ ଶିକ୍ଷା ବ୍ୟବସ୍ଥାର ପ୍ରସାର ବହୁ ପରିମାଣରେ ବୃଦ୍ଧି ପାରିଲା | ବାଧ୍ୟ ବାଧକତା ଫଳରେ ଅନେକ ଭଲକାମ ବି ସହଜରେ ହେଇଯାଇପାରେ | ଯେଉଁ କୁନିକୁନି ପିଲାମାନଙ୍କୁ ବାପା-ମାଆମାନେ କେବଳ ଖେଳ ଖେଳିବା, ଫଟୋ ଦେଖିବା ଓ ଗୀତ ଶୁଣିବା ଓ ମଜା ମଉଜ ପାଇଁ ମୋବାଇଲ ଫୋନ ଧରାଇ ଦେଉଥିଲେ, ଫଳରେ ସେମାନେ ଏବେ ପାଠ ପଢିବା ଉଦ୍ଦେଶ୍ୟରେ କାମରେ ଲଗାଇବା କୌଶଳ ଶିଖିଗଲେ | କେବଳ ସେତିକି ନୁହେଁ, ଯେଉଁ ଶିକ୍ଷକମାନେ ମୋବାଇଲ ଫୋନ ବ୍ୟବହାରକୁ ଅତିକଷ୍ଟ ବ୍ୟାପାର ବୋଲି ମନେ କରୁଥିଲେ, ସେମାନେ ବି ବାଧ୍ୟହୋଇ ମୋବାଇଲ୍ ମାଧ୍ୟମରେ ଅନ-ଲାଇନରେ ଶିକ୍ଷା ପ୍ରଦାନର କୌଶଳ ଶିଖିଗଲେ | ଘରେ ବାପା- ମାଆ ବାଧ୍ୟହୋଇ ପିଲାଙ୍କ ସହିତ ମିଶି ଅନ-ଲାଇନ ଶିକ୍ଷାର କଳା ଓ କୌଶଳ ଶିଖି ପାରିଲେ | ଟେଲିଫୋନର ଅସଲମଜାକୁ ଏବେ ସମସ୍ତେ ଅନୁଭବ କରି ପାରୁଛନ୍ତି | ଏହି ପଦ୍ଧତି ଜାରି ରହିଲେ, ଆମ ଦେଶର ଶିକ୍ଷା ବ୍ୟବସ୍ଥା ନିଶ୍ଚୟ ଆହୁରି ଅଧିକ ଆଗୁଆ ହେଇପାରିବ ବୋଲି ଆଶା କରାଯାଉଛି | ଏହାଦ୍ଵାରା ଗମନାଗମନ ଅସୁବିଧାରୁ ରକ୍ଷା ମିଳିପାରିବ | ଅଯଥା ସମୟ ନଷ୍ଟ ହେବାର ଭୟ ରହିବ ନାହିଁ | ଅଯଥା ଅର୍ଥ ବ୍ୟୟରୁ ମୁକ୍ତି ମିଳିପାଇବ | ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସି ପାରିବ | କେବଳ ସ୍କୁଲ-କଲେଜକୁ ଗଲେ ଯେ, ପାଠ ପଢିହେବ, ଏହି ଧାରଣା ଧୀରେ ଧୀରେ ବଦଳିଯିବ | ଜଣେ ଘରେ ବସି ସବୁକିଛି ଜ୍ଞାନ-ବିଜ୍ଞାନକୁ ସହଜରେ ଆହରଣ କରି ପାରିବ, ଏହି ଧାରଣା ଦୃଢହୋଇ ପାରିବ |



Rate this content
Log in

Similar oriya story from Inspirational