STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-ଚଉଦ

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-ଚଉଦ

3 mins
255


2020 ମସିହାରେ ଯେତେବେଳେ ସମଗ୍ର ବିଶ୍ଵରେ କାରୋନା ଆତଙ୍କରେ ହାହାକାର ଲାଗି ରହିଥିଲା, ସାଧାରଣ ଲୋକଙ୍କ କଥା ଛାଡ଼, କ୍ଷମତାଶାଳୀ, ଧନବାନ, ବୁଦ୍ଧିବାନ, ଜ୍ଞାନବାନ, ବିଶିଷ୍ଟ ଚିକିତ୍ସକମାନେ ମଧ୍ୟ ଏକାନ୍ତ ବାସ କରୁଥିଲେ । ସମସ୍ତେ କରୋନା କୋଭିଡ଼-19 ଭୟରେ ବାଧ୍ୟହୋଇ ନିଜଘରେ ରହୁଥିଲେ । ପାଖ ସାହି-ପଡ଼ିଶାରେ କେହି କରୋନା ପଜେଟିଭ ଜଣା ପଡ଼ିଗଲେ, ଲୋକେ ଆତଙ୍କିତ ହୋଇ ବିକଳ ହେଇ ପଡୁଥିଲେ । ଆମ ଭଳି ଲେଖାଲେଖି କରୁଥିବା କବି ଲେଖକମାନେ ଆଉ ସଭା-ସମିତି ପ୍ରିୟ ଲୋକମାନେ ପ୍ରଥମେ ଭାବୁଥିଲେ, ଆମେ ତ ଅନ୍ୟମାନଙ୍କ ଭଳି ଘରେ ରହିପାରିବୁ ନାହିଁ । ବାହାରେ ଟିକେ ବୁଲି ନ ଆସିଲେ, ଲେଖାଲେଖି ପାଇଁ ଖୋରାକ ପାଇବୁ କେଉଁଠୁ ? ପାଞ୍ଚଲୋକଙ୍କ ସହିତ ନ ମିଶିଲେ, ଲେଖାର ପ୍ଲଟ ସହିତ ବିଭିନ୍ନ ଚରିତ୍ରଙ୍କୁ ପାଇବୁ କେମିତି ? ନିଜର ଲେଖାଟିକୁ କେହିଜଣେ ପ୍ରିୟ ପାଠକଙ୍କୁ ନ ପଢାଇ ପାରିଲେ, କିମ୍ବା ନିଜେ ପଢି ନ ଶୁଣାଇ ପାରିଲେ, କ’ଣ କେଉଁ ଲେଖକ ବା କବିଙ୍କର ତ ମନ ସ୍ଥିର ହୁଏ ନାହିଁ । ପୁଣି ନିଜର ପ୍ରିୟ ଲେଖକ, କବିଙ୍କ ସହିତ ଘଣ୍ଟାଏ ଅଧେ ନ ଗପିଲେ କ’ଣ ମନ ବୁଝିବ ? ସଭା ସମିତିରେ ପଦେ ଅଧେ ନ କହିଲେ, କି କବିତାଟିଏ ନ ପଢି ପାରିଲେ ; ଶୂନ୍ୟକୁ ଚାହିଁ ଏତେଦିନ ଏକା ଏକା ଘରେ ରହିବେ କେମିତି ?

ଏହି ଚିନ୍ତା ମୋ ମନରେ ବି ଥିଲା । କିନ୍ତୁ ଭୟ ଆତଙ୍କ ଆମକୁ ବନ୍ଦୀ ଜୀବନ ବିତେଇବାକୁ ବାଧ୍ୟ କରିଦେଲା । କାହାର ସିନା କେଉଁ ଚିନ୍ତା, କିଏ ସଉଦା ପତ୍ରକଥା, ଆଉ କାହାର ବିଦେଶରେ ଥିବା ପିଲାଙ୍କ କଥା, କାହାର ରୋଜଗାର ଚିନ୍ତା, ପୁଣି କାହାର ଖାଇବା ପିଇବା ଚିନ୍ତା ତ ଥିଲା । କିନ୍ତୁ ଆମର ଚିନ୍ତା ଥିଲା-କେବଳ ଲେଖାଲେଖି କରିବି କେମିତି ? ଲକ ଡାଉନ, ସଟଡାଉନ, ବାହାରେ ବୁଲିବା କଟକଣାରେ ଅନ୍ୟ ଲେଖାମାନଙ୍କ ଭଳି ମୁଁ ବି ମଧ୍ୟ ଏକାନ୍ତ ବାସରେ ଥାଇ ଗୋଟିଏ ଜାଗାରେ ବସି କେବଳ ଲେଖା-ଲେଖିରେ ଲାଗି ରହିଥିଲି । ଅଳ୍ପ କେଇଟା ଦିନ ଭିତରେ ଏହା ମୋର ଏକ ପ୍ରକାର ଅଭ୍ୟାସରେ ପରିଣତ ହେଇଗଲା । ମନରେ ଦୃଢତା ଆସିଗଲା, ମୁଁ ଭାବୁଥିଲି-ମୁନି-ଋଷିମାନେ ତ ନିର୍ଜନରେ ବସି କେତେ କ’ଣ ଲେଖି ପାରୁଥିଲେ । ମୁଁ ଟିକେ ତାଙ୍କ ପରି ସାଧନା କରିବି । ଦେଖିବା, କଣ ହେଇ ପାରୁଛି କି ନାହିଁ ?

ଖବରକାଗଜ ତ ଏକପ୍ରକାର ବନ୍ଦ ହେଇଯାଇଥିଲା । ସମଗ୍ର ସମ୍ବାଦ ରାଇଜକୁ ହାତ ମୁଠାକୁ ନେଇଯାଇଥିବା ମୋବାଇଲ ଫୋନ ଖଣ୍ଡିକ ସମସ୍ତଙ୍କର ଏକମାତ୍ର ସାହା ଭରସା ହେଇଥିଲା । ସାଧାରଣ ଲୋକଙ୍କୁ କରୋନା କୋଭିଡ଼ ଭୂତାଣୁ ସଂପର୍କରେ ଟିକେ ସଚେତନ କରିବା ଉଦ୍ଦେଶ୍ୟରେ ସାତ-ଆଠଟି ନୂଆ କବିତା ଲେଖି ମୋର ପ୍ରିୟ ପାଠକମାନଙ୍କ ପାଖକୁ ପଠାଇ ଅନେକ ପ୍ରଶଂସା ପାଇଲି । ତାପରେ କାରୋନା ଭୂତାଣୁକୁ ହିରୋ କରି ଅନ୍ୟ ରୋଗର ଜୀବାଣୁ ଭୂତାଣୁମାନଙ୍କୁ ଚରିତ୍ର କରି ନାଟକ-“ କି ମାଡ଼ ମାଇଲୁ ଭାଇ ଚାରିକୋଣିଆ ଫସା” ଲେଖିଲି । ତାକୁ ସେପ୍ଟେମ୍ବର ମାସ ନଅ ତାରିଖରେ ପ୍ରକାଶନ ସଂସ୍ଥା ପ୍ରତିଲିପିକୁ ପଠାଇଥିଲି । ତା’ ପୂର୍ବରୁ ପ୍ରସ୍ତୁତ ଥିବା ଭ୍ରମଣ କାହାଣୀ “ଆମେରିକା ଦର୍ଶନ”କୁ ମଧ୍ୟ ପଠାଇଥିଲି । ଜ୍ଞାନାଞ୍ଜଳି ନାମରେ ଏକଶହ କବିତା ପ୍ରେରଣ କରିଥିଲି । ସେଥିରେ ଶିକ୍ଷଣୀୟ ଏବ ସମାଜକୁ ବାଟ ଦେଖାଇବା ଭଳି ବିଷୟବସ୍ତୁ ସ୍ଥାନ ପାଇଥିଲା । ହାଲୁକା ଫୁଲୁକା ହାସ୍ୟରସ ଗଳ୍ପ ପନ୍ଦରଟି ଏବଂ ଧାରାବାହିକ ଭାବେ “ଡବଡ଼ବି ମାଉସୀ” ଶୀର୍ଷକ ସାମାଜିକ ଗଳ୍ପଗୁଚ୍ଛ, ପିଲାଙ୍କ ପାଇଁ ପନ୍ଦରଟି ଗଳ୍ପ, ଏକଶହ ନୂଆ ପଲ୍ଲୀଗୀତ, ପୌରାଣିକ ନାଟକ “ପ୍ରକୃତ ଶିକ୍ଷା” ଓ “ସଦାନନ୍ଦବାବୁଙ୍କ ସଂସାର” ଶୀର୍ଷକ ଧାରାବାହିକରେ ଏକଷଠିଟି ଲଳିତ ଗଳ୍ପ ପ୍ରତିଲିପିକୁ ପ୍ରେରଣ କରିଥିଲି । ଏଥିରୁ କେତୋଟି ପ୍ରତିଯୋଗିତା ଉଦ୍ଦେଶ୍ୟରେ ପ୍ରେରଣ କରା ଯାଇଥିଲା । ସେଥିମଧ୍ୟରୁ ନୂଆ ପଲ୍ଲୀଗୀତ, ପିଲାଙ୍କ ଗଳ୍ପ ପ୍ରତିଲିପି ତରଫରୁ ପୁରସ୍କୃତ ହେଲା । ଏହି କାର୍ଯ୍ୟ ଗୁଡିକୁ କରିବାକୁ ପ୍ରକୃତରେ ପ୍ରତିଲିପି ଅନୁଷ୍ଠାନ ଦ୍ଵାରା ମୁଁ ଉତ୍ସାହିତ ହୋଇ ପାରିଥିଲି । ତେଣୁ ମୁଁ ପ୍ରତିଲିପି ନିକଟରେ ଚିରଦିନ ପାଇଁ କୃତଜ୍ଞ ରହିଗଲି । କେଉଁଟା ପୁରସ୍କାର ପାଇଲା, କେଉଁ ଲେଖା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇ ନ ପାରିଲା, ସେଥିପାଇଁ କୌଣସି ଅନୁଶୋଚନା ନାହିଁ । ବରଂ ଅସମୟର ପ୍ରତିକୂଳ ପରିସ୍ଥିତିକୁ ମୁଁ ଅନୁକୂଳରେ ପରିଣତ କରି ସେହି ସମୟକୁ ଉପଯୁକ୍ତ ଭାବେ ବିନିଯୋଗ କରିବାର ସୁଯୋଗ ପାଇଥିବାରୁ ଆତ୍ମ-ସନ୍ତୋଷ ଲାଭ କରୁଛି ।

ଏହି ବିପୁଳ ସାହିତ୍ୟ କୃତି ପ୍ରକୃତରେ କାରୋନା-କୋଭିଡ଼ ଏକାନ୍ତ-ବାସ କାରଣରୁ ହିଁ ସମ୍ଭବ ହୋଇପାରିଥିଲା, ଯାହା ଆଉ କେବେ ହେଇପାରିବ କି ନାହିଁ, ମୁଁ ଏବେ ଭାବି ପାରୁନାହିଁ । ।


Rate this content
Log in

Similar oriya story from Inspirational