ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଆଠ) -ଡକ୍ଟର କୃତ୍ତିବାସ ନାୟକ
ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଆଠ) -ଡକ୍ଟର କୃତ୍ତିବାସ ନାୟକ
କରୋନା କୋଭିଡ ଲକଡାଉନ ଓ ସଟଡାଉନ ଆତଙ୍କରେ ବିଶ୍ୱର କୋଟି କୋଟି ଲୋକ ଆତଙ୍କିତ ଥିବା ସମୟରେ ଅନେକ ଖଳଲୋକ କିନ୍ତୁ ବେଶ ମଜାରେ ଥିଲେ | କେତେଜଣ ଅସାମାଜିକ ଲୋକ, ଜନ ସାଧାରଣଙ୍କର ଅସହାୟତାର ସୁଯୋଗ ନେଇ ସେମାନଙ୍କୁ ଲୁଟି ନେଇ ଚାଲୁ ଥିଲେ | କହିବାକୁ ଗଲେ, କାହାର ପୁଷମାସ ତ କାହାର ସର୍ବନାଶ ହେଉଥିଲା | ସରକାରୀ କର୍ମଚାରୀମାନେ ମଜା-ମଉଜରେ ଘରେରହି କିଛି ବି କାମ ନ କରି ପୂରା ଦରମା ଉପଭୋଗ କଲେ, କିନ୍ତୁ ଅନେକ ବେସରକାରୀ ସଂସ୍ଥାର କର୍ମଚାରୀମାନେ ବିନା ଦରମାରେ ହନ୍ତସନ୍ତ ହେଲେ | କେଵଳ ସେତିକି ନୁହେଁ, ଅନେକ କର୍ମଚାରୀ ନିଜର ଚାକିରି ହରେଇଲେ | ଶ୍ରମିକମାନେ କାମ ପାଇଲେ ନାହିଁ | ଅଟୋ ଡ୍ରାଇଭର ଓ ବ୍ୟବସାୟୀ ଓ କଳାକାରମାନେ ପରିବା ଦୋକାନ ଖୋଲି ନିଜର ପେଟ ପୋଷିଲେ | ଏହି ବିପଦ ସମୟରେ ମଧ୍ୟ ଲାଞ୍ଚୁଆ ଅଫିସର ଓ କର୍ମଚାରୀମାନେ ସୁବିଧା ସୁଯୋଗ ଦେଖି ଅନେକ ନିରୀହ ଲୋକଙ୍କଠାରୁ ଲାଞ୍ଚନେଇ ଧନ ବଢେଇ ଚାଲିଥିଲେ | ଅବଶ୍ୟ ସେମାନଙ୍କ ମଧ୍ୟରୁ ଖୁବକମ ସଂଖ୍ୟାରେ ଦୁର୍ନୀତି ଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ଧରି ସରକାର ଜେଲରେ ରଖିଛନ୍ତି | ତଥାପି ଦୁର୍ନୀତିଗ୍ରସ୍ଥ କର୍ମଚାରୀଙ୍କ ମନରେ ଏବେ ବି ସାମାନ୍ୟତମ ଭୟ-ଭ୍ରାନ୍ତି ନାହିଁ | ଅସହାୟ ରୋଗୀଙ୍କଠାରୁ ଆମ୍ବୁଲାନ୍ସ ବାଲା ଓ ଡାକ୍ତରମାନେ ବି ନିର୍ଦୟ ଭାବରେ ବହୁଗୁଣ ଅର୍ଥ ଆଦାୟ କରିନେଇଛନ୍ତି | ଈଶ୍ଵର ସେମାନଙ୍କର ମଙ୍ଗଳ କରନ୍ତୁ |
ଏହି ସମୟ ମଧ୍ୟରେ ମୋର ଭାତୃ ବିୟୋଗ ତ ଘଟିଥିଲା | ତାଙ୍କର ଶେଷ ଦର୍ଶନ କରିବାରୁ ଆମେ ବଞ୍ଚିତ ହେଲୁ | ସେହିପରି ମୋର ପତ୍ନୀ ପ୍ରତିଭା କୋଭିଡ଼ରେ ପୀଡ଼ିତ ହୋଇ ଦିଲ୍ଲୀରେ ବହୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ପାଇଲେ | 2020 ମସିହା ଅକ୍ଟୋବର ମାସରେ ମୋର ସାନଖୁଡ଼ି ଗାଆଁରେ ଥାଇ ଆସୁସ୍ଥ ହେଲେ, ତାଙ୍କୁ ଦେଖିବାକୁ ଯାଇ ପାରି ନ ଥିଲୁ | ଠିକ ସେହିପରି ମୋର ପତ୍ନୀଙ୍କର ବଡ଼ଭାଇ ଇଂନଜିନିୟର ଅକ୍ଷୟ କୁମାର ମହାପାତ୍ର, ପୁରୁଣା ଭୁବନେଶ୍ଵରରେ ଥାଇ ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ଆରପାରିକୁ ଚାଲିଗଲେ | ତାଙ୍କର ସଂସ୍କାର କାର୍ଯ୍ୟ ବା ଅନ୍ୟକର୍ମରେ ମଧ୍ୟ ଆମେ କେହି ଯୋଗଦାନ କରି ପାରି ନ ଥିଲୁ |ସମସ୍ତଙ୍କର ଦୁଃଖ ତ ଦିନକୁ ଦିନ ବଢି ଚାଲିଥିଲା | ଏହା ମଧ୍ୟରେ ମୋର ଅତିପ୍ରିୟ ଲେଖକ ବନ୍ଧୁ ତଥା ଆକାଶଵାଣୀର ପୂର୍ବତନ ଶିଶୁ ବିଭାଗର ପ୍ରଯୋଜକ ବଡ଼ଭାଇ ନଦିଆ ବିହାରୀ ମହାନ୍ତି, ଆକାଶବାଣୀର ପୂର୍ବତନ ଉପ-ମହାନିର୍ଦ୍ଦେଶକ ଯଥାକ୍ରମେ ଅଭୟ କୁମାର ପାଢ଼ୀ ଓ ବରାହ କୁମାର ମହାନ୍ତି, ପ୍ରଶାନିକ ଅଧିକାରୀ ବନ୍ଧୁ ନିତ୍ୟାନଦ ଜେନା, ଆକାଶବାଣୀରେ କର୍ମରତ ହିସାବ ରକ୍ଷକ ନାରାୟଣ ସେଠୀ, ପୁର୍ବତନ ହେଡ଼କ୍ଲର୍କ ତଥା ଗୀତିକାର ହରିହର ସେଠୀ, ମୋର ପୂର୍ବତନ ସହକର୍ମୀ ଗୋଲୋକ ବିହାରୀ ଧଳ ପ୍ରମୁଖ କରୋନାରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ | ଏଭଳି ଦୁର୍ଦ୍ଦିନରେ ଥାଇ ମଧ୍ୟ ମୁଁ ମୋର ଲେଖାଲେଖିକୁ ଜାରି ରଖି ପାରିଥିଲି | ଏହା ପ୍ରକୃତରେ ଭଗବାନଙ୍କର ଇଚ୍ଛାଥିଲା ବୋଲି ମୁଁ ମନେକରେ |
ସାହିତ୍ୟକୁ ଜୀବନ ମନେକରି ବଞ୍ଚି ରହିଥିବା କବି-ଲେଖକମାନେ ଅବଶ୍ୟ କୌଣସି ଆର୍ଥିକ ଲାଭ କେବେ କେହି ପାଆନ୍ତି ନାହିଁ | ତଥାପି ସେମାନେ ହାତରୁ ଖାଇ ଘୋଡ଼ା ଆଗରେ ନାଚିବାକୁ ପସନ୍ଦ କରନ୍ତି | ସେଇଥିପାଇଁ ଲେଖକ-କବିମାନଙ୍କୁ ଅରସିକ ସାଧାରଣ ଲୋକେ ପାଗଳ ଆଖ୍ୟା ଦେଇଥା’ନ୍ତି | ପାଗଳ ହେବାରେ ମଧ୍ୟ ଅଲଗା ସୁଖ ବା ଆନନ୍ଦ ରହିଛି, ଏକଥାକୁ କେବଳ ଅନୁଭବୀମାନେ ହିଁ ଜାଣିଥା’ନ୍ତି | ସମୟ ଓ ଅର୍ଥ ସାରି ଏମାନେ ପରିବାରରୁ ଝିଙ୍ଗାସ ପାଇ ମଧ୍ୟ ସାହିତ୍ୟ ନିଶାରେ ବାୟାହେଇ ବୁଲନ୍ତି | ବିଭିନ୍ନ ସାହିତ୍ୟ ସଭା ଓ ସାହିତ୍ୟ ମହୋତ୍ସବରେ ଅଂଶଗ୍ରହଣ କରି ନିଜକୁ ଧନ୍ୟ ମନେ କରନ୍ତି | କେଉଁଠି କପେ ଚା’ ତ କେଉଁଠି ଅରୁଆ ଡାଲମା ଖାଇ ସେମାନେ ସନ୍ତୁଷ୍ଟ ହେଇଥା’ନ୍ତି | ସେଦିଗରେ ସେମାନେ କେବେ କୌଣସି ପ୍ରକାର ଅଭିଯୋଗ ବା ପ୍ରତିବାଦ କରନ୍ତି ନାହିଁ | ନିଜେ ଲେଖିଥିବା କବିତାଟିକୁ ମଞ୍ଚ ଉପରେ ପାଠକରି ଆତ୍ମ-ସନ୍ତୋଷ ଲାଭ କରନ୍ତି | ତାକୁ କିଏ ଶୁଣିଲା କି ବୁଝିଲା କିମ୍ବା ତା’ ଉପରେ କିଏ ଟୀକା ଟିପ୍ପଣୀ ଦେଲା, ସେଥିରେ ତାଙ୍କର କିଛି ଯାଏ ଆସେନାହିଁ | କାହା କାହା ଭାଗ୍ୟରେ ଅବଶ୍ୟ ପୁରସ୍କାର ନାମକ ପ୍ରଶଂସା ପତ୍ର ସହ ବେକରେ ଗାମୁଛା ଖଣ୍ଡେ ଜୁଟିଥାଏ | ଯାହା ଭବିଷ୍ୟତରେ କାହାର କେବେ କୌଣସି ପ୍ରକାର କାମରେ ଆସେନାହିଁ | କେତେଜଣ ନୂତନ ବା ଦେଖେଇହେବା ମନୋବୃତ୍ତି ଥିବା କବି-ଲେଖକ ସେହି ସାର୍ଟିଫିକେଟ ଖଣ୍ଡିକୁ ବନ୍ଧାଇ ନିଜ କାନ୍ଥରେ ଝୁଲେଇ ରଖନ୍ତି | ମନ ଛାଡ଼ିଗଲେ ତାକୁ ଖୋଲି ପୁରୁଣା ବହି ପେଡ଼ିରେ ରଖି ଦିଅନ୍ତି | ନଚେତ କାନ୍ଥମୂଳେ ଆଉଜେଇ ଆଉ କିଛିଦିନ ରଖନ୍ତି | ତାଙ୍କର ଅନ୍ତେ ସେ ଗୁଡ଼ିକ କେଉଁଠି ଯାଇ ପଡ଼େ, କୁଆଡ଼େ ଯାଏ, ତାହା କହିବା ଠିକ ହେବନାହିଁ | ତଥାପି ପାଗଳମାନେ ଆଜୀବନ ଅଳିଆ ଗୋଟାନ୍ତି ,ଏକଥା ସତ୍ୟ |
ମୁଁ ସେହି ଗୋଷ୍ଠୀର ଜଣେ ସାହିତ୍ୟ ପାଗଳ ମଣିଷ | ମୁଁ ବା କେମିତି ସେଥିରୁ ବାଦ ଯିବି ? ଦୀର୍ଘ 50 ବର୍ଷରୁ ଅଧିକ କାଳଧରି ଏଇ ସାହିତ୍ୟକୁ ଜୀବନ ବୋଲି ଧରିନେଇ ପାଗଳ ହେଇରହିଛି | ଲେଖୁଲେଖୁ ଅଜସ୍ର ଗଳ୍ପ, କବିତା, ଶିଶୁ ସାହିତ୍ୟ, ଆଲୋଚନା, ବ୍ୟଙ୍ଗଗଳ୍ପ ଓ ବ୍ୟଙ୍ଗ କବିତା, ଗୀତିକବିତା ଲେଖିଛି | ପ୍ରକାଶକଙ୍କ ଦ୍ଵାରସ୍ଥହେଇ ହତାଶ ହେଇଛି | ଶେଷରେ ନିଜ ଦରମାରୁ 25% ଅର୍ଥ ବିନିଯୋଗ କରି ଶତାଧିକ ପୁସ୍ତକ ପ୍ରକାଶ କରିଛି | ବିଭିନ୍ନ ଅନୁଷ୍ଠାନର ମଞ୍ଚ ମଣ୍ଡନ କରିଛି | ବ୍ଲକସ୍ତଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ସାମ୍ମାନିତ ହୋଇଛି | ଜାତୀୟ ପୁରସ୍କାର ବାବଦକୁ ଅର୍ଥ ମଧ୍ୟ ପାଇଛି | ସେହି ଅର୍ଥକୁ ମୁଁ ସାହିତ୍ୟ ସେବାରେ ବିନିଯୋଗ କରି ମୁଁ ବେଶ ଆତ୍ମ-ସନ୍ତୋଷ ଲାଭ କରିପାରିଛି | କରୋନା ସମୟରେ ବିଭିନ୍ନ ସାହିତ୍ୟ ସଂଗଠନ ତରଫରୁ ଆୟୋଜିତ ଅନ-ଲାଇନ ଅଡ଼ିଓ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିଲା | ସେଥିରେ ମୋତେ ସେମାନେ ଅଂଶ ଗ୍ରହଣ କରିବାକୁ ଆମନ୍ତ୍ରଣ କରନ୍ତି | ସେଥିରେ ମୁଁ ଯଥାସାଧ୍ୟ ସହଯୋଗ କରିଛି |
