ଅନ୍ଧ ପ୍ରେମ
ଅନ୍ଧ ପ୍ରେମ
ପୋଲିସ ଆସି ପହଞ୍ଚିଲା ବେଳକୁ ବେଶ୍ ଭିଡ ଜମି ଯାଇଥିଲା କଲୋନୀ ସାରା । ଘର ନମ୍ବର ୩୦ ରେ ଘଟି ଯାଇଥିଲା ଗୋଟେ ଅଘଟଣ । ଘରେ ମାଆ ଝିଅ ଦୁହେଁ ରୁହନ୍ତି ସକାଳୁ ଖବର ପ୍ରଚାର ହୋଇଗଲା ଯେ ଝିଅ ରୁପା କୁ କିଏ ମାରି ଦେଇଛି । ମାଆ ବାରମ୍ବାର କହୁଥାଏ , "ମୁଁ କାଲି ସଂଧ୍ୟା ରେ ମାର୍କେଟ ଯାଇଥିଲି । ମାର୍କେଟ ରୁ ଆସିବା ପରେ ମୋ ଝିଅକୁ କିଏ ମାରି ଦେଇଛି ।"
ପ୍ରାଥମିକ ଅନୁସନ୍ଧାନରୁ ପୋଲିସ୍ ଯାହା ଦେଖି ଅନୁମାନ କଲା । ଝିଅ କୁ କେହି ଶ୍ବାସ ରୁଦ୍ଧ କରି ଅତି କଦର୍ଯ୍ୟ ଭାବେ ହତ୍ୟା କରିଛି । ଖଟ ଉପରେ ରୁପା ର ଶବ ଅତି ଦୟନୀୟ ଭାବେ ପଡି ରହିଥିଲା । ରୁପା ର ବାଁ ହାତ ମଣିବନ୍ଧ ଉପରକୁ ବ୍ଲେଡ୍ ରେ ହେଉ ନହେଲେ କୋଉ ଧାରୁଆ ଅସ୍ତ୍ର ରେ ହେଉ ଇଂଲିସ ଅକ୍ଷର ରେ ବିଶାଲ୍ ଲେଖା ହେଇଛି । ପୋଲିସ ରୁପା ର ମାଆ କାନ୍ତି କୁ ଏ ବିଷୟରେ ପଚାରିଲା ବେଳକୁ ସେ ମୁଣ୍ଡ ହଲେଇ ସିଧା ମନା କରିଦେଲେ ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ।
ପୋଲିସ ର ସାମାନ୍ୟ ସନ୍ଦେହ ହେଲା । ମାଆ ଝିଅ ଦୁହେଁ ଘର ଭିତରେ । ଝିଅ ହାତ କାଟି କୋଉ ପୁଅ ର ନାଁ ଲେଖିଲା ଅଥଚ ମା ଜାଣି ପାରିଲାନି !
ରୁପା ର ଶବ କୁ ପୋଷ୍ଟମର୍ଟମ ପାଇଁ ପଠେଇ ଦେଇ ପୋଲିସ୍ ତାର ଅନୁସନ୍ଧାନ ଜାରି ରଖିଲା । ରୁପା ର ମାଆ କାନ୍ତି କୁ କିଛି ପ୍ରଶ୍ନ ପଚାରିବା ପରେ କାନ୍ତି ର ଉତ୍ତର ରେ ତାଳ ମେଳ କିଛି ରହିଲାନି । ଯାହା ଫଳରେ ପୋଲିସ୍ କାନ୍ତି କୁ ଏଥର ସନ୍ଦେହ କରି ଥାନାକୁ ନେଇ ଜେରା କଲା । କାନ୍ତି ର ମୋବାଇଲ ଫୋନ୍ କଲ୍ ଲିଷ୍ଟ ଆଉ ମେସେଜ ରୁ ବହୁତ କିଛି କଥା ସ୍ପଷ୍ଟ ହୋଇଗଲା । ଏ କଥା ବି ପୋଲିସ ଜାଣି ପାରିଲା କାନ୍ତି ବିଶାଲ୍ ବୋଲି ପିଲାକୁ ଭଲ ଭାବେ ଜାଣିଛି ଏବଂ ମେସେଜ ରେ କିଛି ଅନ୍ତରଙ୍ଗ କଥା ବି ହୋଇଛି । ଏଥର ପୋଲିସ୍ ର ଧମକ୍ ଚମକ୍ ଆଉ କଡ଼ା ଜବାବ୍ ରେ କାନ୍ତି ମୁହଁ ଖୋଲି ଥିଲା । ଘଟଣା ଟି ଯେତିକି ଚାଞ୍ଚଲ୍ୟକର ସେତିକି ଦରଦୀ ଆଉ ହୃଦୟ ବିଦାରକ ।
ନୂଆ ଦିଲ୍ଲୀ ର ଆଲିଆନା ସହରରେ ୪୫ ବର୍ଷିୟ କାନ୍ତି ଆଉ ୨୫ ବର୍ଷିୟ ତାଙ୍କ ଝିଅ ରୁପା ରହୁଥିଲେ ।
ଖୁବ୍ କମ୍ ବୟସରେ କାନ୍ତି ବିବାହ କରିଥିଲେ । କିନ୍ତୁ କମ୍ପାନୀ ରେ କାର୍ଯ୍ୟରତ ସ୍ବାମୀ ଗୋଟେ ବଡ ଦୁର୍ଘଟଣା ରେ ପ୍ରାଣ ହରାଇଲା ପରେ ସେ ଝିଅ ରୁପାକୁ ନେଇ ଏକା ରହୁଥିଲେ ।
ପରିବାର ପ୍ରତିପୋଷଣ ପାଇଁ ଏକ ଘରୋଇ କମ୍ପାନୀ ରେ କାମ କରନ୍ତି ଏବଂ ଭଲ ଦି ପଇସା ରୋଜଗାର କରନ୍ତି ।
କାହା ଉପରେ ନିର୍ଭର କରନ୍ତିନି କି କାହାକୁ ନିଜ ଦୁର୍ବଳତା ର ଫାଇଦା ଉଠେଇବାକୁ ଟିକିଏ ବି ସୁଯୋଗ ଦିଅନ୍ତିନି । ବାହାରେ କାହା ସହ ଅଯଥା ଅଧିକ କଥା ହୁଅନ୍ତିନି ନିଜ କାମ ନିଜ ଝିଅ ନିଜ ପରିବାର ମୋଟ ଉପରେ ନିଜ ପରିସର ପୃଥିବୀ ରେ ସେ ଖୁସି ରେ ରୁହନ୍ତି । ସେ ବିଲକୁଲ ଚାହାନ୍ତିନି କାହାର ହସ୍ତକ୍ଷେପ କି ଲୋକ ଦେଖାଣିଆ ସାହାଯ୍ୟ ସହାନୁଭୂତି । କାନ୍ତି କମ୍ପାନୀ ରେ କାମ କରିବା ଦିନଠୁ ଲୋକ ମାନଙ୍କୁ ଭଲସେ ଚିହ୍ନି ସାରିଲାଣି । ସବୁବେଳେ ସୁଯୋଗ ର ଫାଇଦା ଉଠେଇବାକୁ ଚାହିଁ ବସିଥାନ୍ତି ।
ସମସ୍ତେ ଆପଣାର ଆତ୍ମୀୟ ଙ୍କ ପରି କଥା ହୁଅନ୍ତି ସତ ହେଲେ ସମସ୍ତ ଙ୍କ ଲୋଭ ଥାଏ ଏଇ ଦେହଟା ଉପରେ ତାକୁ ଅଇଁଠା କରି କ୍ଷତବିକ୍ଷତ କରିବାକୁ ସମସ୍ତେ ତତ୍ପର ଥାଆନ୍ତି ।
କାନ୍ତି ଏକମାତ୍ର ଝିଅ ରୁପା କୁ ଖୁବ୍ ସ୍ନେହ ଭଲପାଇବା ଦେଇ ବଢେଇଛନ୍ତି । ରୁପା ବେଶ୍ ସୁନ୍ଦରୀ ଏବଂ ସ୍ବାସ୍ଥ୍ୟବତୀ ବୟସ ତୁଳନା ରେ ଶରୀରର ଗଢ଼ଣ ଦେଖିଲେ କାନ୍ତି ଆଉ ରୁପା କୁ କେହି ମା ଝିଅ କହିବେନି ବରଂ ସେ ଦୁହିଁଙ୍କୁ ଦେଖିଲେ ସାନ ବଡ଼ ଭଉଣୀ ବୋଲି ଯେ କେହି ବି ନିଃସନ୍ଦେହ ରେ କହିପାରେ ।
ଏପଟେ କାନ୍ତି ର ବୟସ ୪୫ ହେଲେ ବି ନିଜର ମଧ୍ୟମ ସ୍ବାସ୍ଥ୍ୟ ଗୋରା ଦେହ ଆଉ ନିଜ ରୁପ ସୌନ୍ଦର୍ଯ୍ୟ ପ୍ରତି ବେଶ୍ ଯତ୍ନବାନ ଥିବାରୁ ସେ ବେଶ୍ ସୁନ୍ଦରୀ ଲାଗନ୍ତି ଆଉ ଯେ କେହେବି ତାଙ୍କୁ କାମାତୁର ନଜର ରେ ଦେଖିଲେ ଲୋଭେଇ ଯିବା ସ୍ବାଭାବିକ ।
କାନ୍ତି ଉପରେ ଉପରେ ବେଶ୍ ଟାଣ ଦିଶୁଥିଲେ ବି ଭିତରେ ଭିତରେ ଘୋର୍ ସନ୍ତୁଳି ହେଉଥାଏ । କମ୍ ବୟସରୁ ବିଧବା ହୋଇଗଲା ପରେ ଏବେ ବିଛଣା ଉପରେ କଡ ଲେଉଟାଇବା ବେଳେ କାହାକୁ ନା କାହାକୁ ଖୋଜନ୍ତି ମନେ ମନେ । ହେଲେ ଦେହଟା ଓଦା କରିବାକୁ ପାଖରେ କେହି ବି ନଥାନ୍ତି । ମନ ଖୋଜୁଥାଏ ଗୋଟେ ସାଥି ଟେ ଦେହ ମନ ପ୍ରାଣ ସବୁ ଭିଜେଇ ଦେବ ଯିଏ ସେମିତି ପ୍ରିୟତମ ଟେ । ହେଲେ କଣ ସେମିତି ହୁଏ କି ସେମିତି ହେବା ଏତେ ସହଜ କି ?
ଟିକେ ଟାଇମ୍ ପାସ୍ ପାଇଁ ଫେସବୁକ ଚଲଉ ଚଲଉ ଫେସବୁକ ରେ ଭେଟ ହୋଇଯାଏ ବିଶାଲ୍ , ବିଶାଲ୍ ଭରଦ୍ୱାଜ । ଦେଖିବାକୁ ଯେମିତି ଷ୍ଟାଇଲିସ୍ ଆଉ ହ୍ୟାଣ୍ଡସମ୍ କଥାବାର୍ତ୍ତା ବି ସେମିତି ଖୁବ୍ ମାଧୁର୍ଯ୍ୟ ପୁର୍ଣ୍ଣ । ବହୁତ ଦିନ ଫ୍ରେଣ୍ଡ୍ ରେ ରହିବା ପରେ ତାଙ୍କ ଉପରେ ବିଶ୍ବାସ ଆସିଯାଏ କାନ୍ତି ର , ତାସହ ଉଭୟେ ଉଭୟଙ୍କ ପ୍ରତି ବେଶ୍ ଆକର୍ଷିତ ହୋଇ ପଡ଼ନ୍ତି । ତାପରେ ନମ୍ବର ଦିଆ ନିଆ ହ୍ବାଟସପ ଚାର୍ଟିଂ ଆଉ ଭିଡିଓ କଲ୍ ତା ସାଙ୍ଗକୁ ଘଣ୍ଟା ଘଣ୍ଟା କଥା ବାର୍ତ୍ତା । ପ୍ରାୟ ସମୟ ଝିଅ ରୁପା ଘରେ ନଥିବା ବେଳେ ହିଁ ଏସବୁ ଅଧିକ ହୁଏ । କାରଣ ରୁପା ଠୁଁ ଏକଥା ଗୋପନ ରଖନ୍ତି କାନ୍ତି ।
କିନ୍ତୁ କାନ୍ତି ର ଅଗୋଚରରେ ଆଉ କିଛି କଥା ଘଟି ସାରିଥାଏ । ଯାହାର ଟିକିଏ ବି ଝଲକ୍ କାନ୍ତି ପାଇ ନଥାନ୍ତି ।
ଝିଅ ରୁପା କୁ ସବୁ ସ୍ବାଧୀନତା ଦେଇଥାନ୍ତି କାନ୍ତି । ସେଥି ମଧ୍ୟରୁ ସ୍ମାର୍ଟ ମୋବାଇଲ ଫୋନ୍ ତ ସାଧାରଣ କଥା । ତ କଥାଟା ଟିକେ ସଂଗିନ୍ ହୋଇ ଯାଇଛି ୟା ଭିତରେ । କାନ୍ତି ର ପ୍ରେମିକ ବିଶାଲ୍ ପ୍ରତି ଆକର୍ଷିତ ହୋଇ ପଡ଼ିଛି ରୁପା । ସେଇ ଫେସବୁକ ରୁ ସମ୍ପର୍କ ଆରମ୍ଭ ହୋଇ ମୋବାଇଲ କଲ୍ ଆଉ ହ୍ବାଟସପ ରେ ଆସି ପହଞ୍ଚିଛି ବିଷୟ । ତେବେ ବିଶାଲ୍ ମା ଝିଅ ଦୁହିଁଙ୍କ ସହ ସମ୍ପର୍କ ବଢ଼େଇଛି ଉଭୟ ଙ୍କ ସହ ଖୁବ୍ ଅନ୍ତରଙ୍ଗ ଆଉ ଘନିଷ୍ଠ ହୋଇଯାଇଛି ।
ମା ଝିଅ ଉଭୟେ ଦୁହେଁ ଦୁହିଁଙ୍କ ପ୍ରେମ ଦୁନିଆଁ ରେ ମସଗୁଲ୍ ।
ତ ଦିନେ ଏମିତି ମୋବାଇଲ ରେ କଥା ହେଉ ହେଉ କାନ୍ତି ଆଖିରେ ଧରା ପଡିଗଲା ରୁପା । ନମ୍ବର ଦେଖି ଜାଣି ଦେଲା ତାହା ବିଶାଲ୍ ର ବୋଲି । କାନ୍ତି ପ୍ରଚଣ୍ଡ ରାଗିଗଲେ ରୁପା ଉପରେ। ଧମକ୍ ଚମକ୍ ଦେଖାଇ ମୋବାଇଲ ଛଡ଼ାଇ ନେଇ ତଳେ ଫିଙ୍ଗି ଦେଲେ । ରୁପା ତା ମାମା ର ଏମିତି ରୁପ କେବେବି ଦେଖି ନଥିଲା ଆଗରୁ । ତଥାପି ମାମା ସହ ସେ ବି ଖୁବ୍ ଝଗଡ଼ା କଲା ।
କାନ୍ତି ରାଗିଯାଇ ଗୋଟେ ଥାପଡ୍ ବସେଇଲେ ରୁପା ଗାଲରେ ।
ରୁପା ବି ମୁହେଁ ମୁହେଁ ଜବାବ୍ ଦେଇ ଦେଲା , " ମୁଁ ବିଶାଲ୍ ଙ୍କୁ ଭଲପାଏ ତାଙ୍କୁ ହିଁ ବାହା ହେବି "
କାନ୍ତି ବି ରାଗିଯାଇ କହିଲେ " ତାଙ୍କ ନାଁ ଯଦି ଆଉ ଥରେ ମୁହଁ ରେ ଧରିଛୁ ମୋତେ ଚିହ୍ନିବୁ ।"
ତାପରେ କାନ୍ତି ବିଶାଲ୍ କୁ ଫୋନ୍ କରି ଏକଥା ପଚାରିବାରୁ । ବିଶାଲ୍ କହିଲା , ରୁପା ତା ଉପରେ ପଡି ତାକୁ ଭଲପାଉଛି ପ୍ରେମ ନିବେଦନ କରୁଛି । ତାର ଏଥିରେ ବିଲକୁଲ ମନ ନାହିଁ କି ଆଗ୍ରହ ବି ନାହିଁ । ଏଥର ରୁପା ଉପରେ କାନ୍ତି ର କ୍ରୋଧ ଅତି ମାତ୍ରା ରେ ବଢି ଗଲା ।
ସେ ରୁପା ସହ ଏଥର କଠୋର ବ୍ୟବହାର କଲେ । ମୋବାଇଲ ଠୁ ତାକୁ ଦୁରେଇ ରଖିଲେ ତାକୁ ଗୋଡେ ଗୋଡେ ଜଗିଲେ । ଦିନେ ଏଥିରେ ଅତିଷ୍ଠ ହୋଇ ରୁପା କହିଦେଲା , ପାପା ଗଲାପରେ ତୁ ଯଦି ଆଉ କାହାକୁ ଭଲପାଇ ପାରୁଛୁ ମୁଁ ଭଲପାଇଲେ ତୋର କ୍ଷତି କ'ଣ ତୁ କାଇଁ ସହି ପାରୁନୁ ?
ରୁପା ର ଏମିତି କଥାରେ କାନ୍ତି ଚୁପ୍ ରହିଥିଲା । ବହୁତ ସମୟ ପରେ କାନ୍ତି ଉତ୍ତର ଫେରେଇ ଥିଲା । " ତୁ ବିଶାଲ୍ ବଦଳରେ ଆଉ ଯାହାକୁ ଭଲ ପାଆ ମୋର କିଛି ଆପତ୍ତି ନାହିଁ ହେଲେ ବିଶାଲ୍ କୁ କେବେ ନୁହେଁ କାରଣ ବିଶାଲ୍ ଙ୍କୁ ମୁଁ ଭଲପାଏ ।
ରୁପା ବି ଜୋର୍ ଦେଇ କହିଥିଲା " ବିଶାଲ୍ ମୋତେ ବି ଭଲପାଆନ୍ତି ତୁ ଯଦି ପାରୁଛୁ ଆମ ମଝିରେ କଣ୍ଟା ହୋଇ ଛିଡା ହଅନା ।"
କାନ୍ତି କୈାଣସି ପରିସ୍ଥିତି ରେ ବି ବିଶାଲ୍ କୁ ହରେଇ ବାକୁ ଚାହୁଁନଥିଲା ।
ତା ଆଖି ଆଗରେ କେବଳ ବିଶାଲ୍ ହିଁ ବିଶାଲ୍ ହିଁ ଦେଖା ଯାଉଥିଲା । ସାରା ଦୁନିଆଁରେ ତାର ଏକମାତ୍ର ଶତ୍ରୁ ତା ଝିଅ ରୁପା ହିଁ ତା ଆଖି ଆଗରେ ଦିଶିଲା ।
ତା ପରଦିନ ସକାଳୁ ସକାଳୁ ଦେଖିଲା ବେଳକୁ ରୁପା ତା ବାଁ ପଟ ହାତରେ ବ୍ଲେଡ୍ ରେ କାଟି ବିଶାଲ୍ ନାଁ କୁ ଲେଖି ଦେଇଛି ।
ଏସବୁ ଦେଖି କାନ୍ତି ଏକଦମ୍ ପାଗିଳୀ ପ୍ରାୟ ହୋଇଗଲା ରୁପା କୁ ଖୁବ୍ ମାରଧର କଲା ଖରାପ ଭାଷାରେ ଗାଳି ଗୁଲଜ କଲା । ଏତେ ସବୁ ପରେ ବି ରୁପା ର ସେଇ ଗୋଟିଏ ଜିଦ୍ ମୁଁ ବିଶାଲ୍ କୁ ଭଲପାଏ ତାଙ୍କୁ ହିଁ ବାହା ହେବି ।
କାନ୍ତି ଏଥର ଭାବିଲେ ଆଉ କିଛି ବାଟ ନାହିଁ । ପ୍ରେମ ପାଇଁ ନିଜ ଝିଅକୁ ବାଟରୁ ହଟେଇବାକୁ ହିଁ ପଡ଼ିବ । ସେ ନିରୋଳା ରେ ବିଶାଲ୍ ଙ୍କ ସହ କଥା ହେଲେ ସେ ବି ଏଥିରେ ସହଯୋଗ କରିବେ କଥା ଦେଲେ ।
ନିର୍ଦିଷ୍ଟ ଦିନ ବିଶାଲ୍ ଆସି ପହଞ୍ଚିଲା ତାଙ୍କ ଘରେ । ବିଶାଲ୍ କୁ ଦେଖି ରୁପା ବହୁତ ଖୁସି ହୋଇ ଯାଇଥିଲା ସିଧା ଆସି ତାକୁ କୁଣ୍ଢେଇ ପକେଇଥିଲା । ହେଲେ ଆଗକୁ ତାସହ କ'ଣ ହେବାକୁ ଯାଉଛି ସେ କଣ ଜାଣିଥିଲା !
ଛଳନା ଭରା ମିଠା କଥାବାର୍ତ୍ତା ପରେ । ରୁପା କୁ ଦୁହେଁ ଖଟ ଉପରେ ଶୁଆଇ ଦେଲେ ତାପରେ ରୁପା ର ଗୋଡ଼ ହାତକୁ ବିଶାଲ୍ ଜୋର ସେ ଚାପି ଧରିଲା । ଆଉ କାନ୍ତି ତକିଆ ରେ ତା ମୁହଁ କୁ ମାଡ଼ି ବସିଲା । କିଛି ସମୟ ଡହଳ ବିକଳ ପରେ ରୁପା ନିସ୍ତେଜ ହୋଇ ପଡ଼ି ଯାଇଥିଲା ।
ବିଶାଲ୍ କୁ ଏଥର କାନ୍ତି ତାଙ୍କ ସହରକୁ ବିଦା କରି ଦେଇଥିଲେ ।
କହିଥିଲେ ଏଠି ସବୁ ଥଣ୍ଡା ପଡିଗଲେ ମୁଁ ତୁମକୁ ପୁଣି ଡକେଇବି ।
କାନ୍ତି ର ଏତକ ବୟାନ ପରେ
ପୋଲିସ ବିଶାଲ୍ କୁ ଅତି ଚାଲାକି ରେ ଧରି ଆଣିଥିଲା ।
କାନ୍ତି ଆଉ ବିଶାଲ୍ ଏବେ ଜେଲ୍ ର ଚାରିକାନ୍ଥ ଭିତରେ ।
ଦୁହିଁଙ୍କୁ କୋର୍ଟ ଚାଲାଣ ପରେ ଦଣ୍ଡାଦେଶ ହେବ ।
ଦୁନିଆଁରେ ଏମିତି ବି ଅନ୍ଧ ପ୍ରେମ ଥାଏ ...ଯିଏ ନିଜ ରକ୍ତ କୁ ବି ନିମିଷକେ ଶେଷ କରିଦେଇ ପାରେ ....
କାସ୍ ମାଆ ଝିଅ ଦୁହେଁ ନିଜ ନିଜ ଭିତରେ କିଛି ସମଝୋତା କରି ଦେଇଥାନ୍ତେ କି ହୁଏତ ଏମିତି ଏକ ଅଘଟଣ ଘଟି ନଥାନ୍ତା
