ଅମୁଲ୍ୟ ରତ୍ନ
ଅମୁଲ୍ୟ ରତ୍ନ
ଦିନକର କଥା।ଜଣେ ମହାରାଜ ନିଜର ମନ୍ତ୍ରୀ ଓ ପାରିଷଦଙ୍କ ଗହଣରେ ନଗର ପରିକ୍ରମା କରୁଥାନ୍ତି। ସେ ରାସ୍ତାରେ ଦେଖିବାକୁ ପାଇଲେ ଯେ ଜଣେ ବ୍ୟକ୍ତି ବଡ଼ ପାଟି ରେ କହୁଥାଏ, ଆସ, ଏକ ଲକ୍ଷ ଟଙ୍କା ବିନିମୟରେ ଗୋଟିଏ ଅମୁଲ୍ୟ ରତ୍ନ ନିଅ।ମହାରାଜାଙ୍କର କୌତୁହଳ ବଢିଲା।ମନ୍ତୀଙ୍କୁ କହିଲେ, ଯାଅ, ଦେଖି ଆସ,ମନ୍ତ୍ରୀ ସମସ୍ତ କଥା ବୁଝି ମହାରାଜାଙ୍କୁ କହିଲେ, ମହାଭାଗ, ପ୍ରଥମେ ଲକ୍ଷେ ଟଙ୍କା ଦେଲେ ସେହି ବ୍ୟକ୍ତି ଜଣଙ୍କ ଆମକୁ ବିକ୍ରୟ ରତ୍ନଟିକୁ ଦେବ । ହୁଏତ ଆମେ ଅସୁବିଧାରେ ପଡ଼ିଯିବା, ତେଣୁ ଏହା କ୍ରୟ କରିବା ଉଚିତ ନୁହେଁ।କିନ୍ତୁ ମହାରାଜ ମନ୍ତୀଙ୍କୁ ଲକ୍ଷେ ଦେଇ ରତ୍ନଟିକୁ ଆଣିବାକୁ ପଠାଇଲେ । ରତ୍ନ ବଦଳରେ ମନ୍ତ୍ରୀ ଗୋଟିଏ ନିତୀ ବାକ୍ୟର ଫଳକଟିଏ ଆଣି ମହାରାଜାଙ୍କୁ ଦେଖାଇ କହିଲେ, ଆମେ ଠକାମିରେ ପଡ଼ିଗଲୁ। ମହାରାଜା ନିରୁତ୍ତର ରହିଲେ ଏବଂ ରାଜବାଟୀକୁ ଫେରିଗଲେ। ଫଳକଟିକୁ ଶୟନ କକ୍ଷ କାନ୍ଥରେ ଟାଙ୍ଗୀ ଦେଲେ।
ଆଉ ଦିନକର ଘଟଣା, ମହାରାଜା ଅସୁସ୍ଥ ହୋଇପଡିଲେ। ରାଜବୈଦ୍ୟଙ୍କ ପରାମର୍ଶରେ ରାଜାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଉପଯୁକ୍ତ ସମୟରେ ରାଜବୈଦ୍ୟ ଅସ୍ତ୍ରୋପଚାର ସକାଶେ ଆବଶ୍ୟକୀୟ ସାମଗ୍ରୀ, ଯତ୍ନପାତି ଧରି ମହାରାଜାଙ୍କ ପ୍ରକୋଷ୍ଠ ଆଡକୁ ଅଗ୍ରସର ହେବା ସମୟରେ କାନ୍ଥରେ ଲେଖା ଥିବ ମହାମନ୍ତ୍ରଟି ଉପରେ ତାଙ୍କର ନଜର ପଡ଼ିଗଲା। ଯିଏ ଯେମିତି କର୍ମ କରିବ, ସିଏ ସେମିତି ଫଳ ପାଇବ,। ଭୟରେ ତାଙ୍କ ହାତରୁ ସରଞ୍ଜାମ ଗୁଡିକ ଖସି ପଡିଲା।ରାଜବୈଦ୍ୟ ଥରିବାକୁ ଲାଗିଲେ,ଏହା ଦେଖି ମହାମନ୍ତ୍ରୀ ଓ ଉପସ୍ଥିତ ରାଜପରିବାରର ସଦସ୍ୟ ମାନେ ବୈଦ୍ୟଙ୍କୁ ପଚାରିଲେ, ଆପଣ ଏମିତି ଭୟ କାହିଁକି କରୁଛନ୍ତି? ମନକୁ ଦୃଢ କରି ଓ କାଳବିଳମ୍ବ ନ କରି ଯଥାଶୀଘ୍ର ମହାରାଜାଙ୍କ ଉପଚାର ଆରମ୍ଭ କରନ୍ତୁ।
ତତ କ୍ଷଣାତ ରାଜବୈଦ୍ୟ ଅସୁସ୍ଥ ରାଜାଙ୍କ ପାଦତଳେ ଯାଇ ପଡିଗଲେ।କ୍ଷମାପ୍ରାର୍ଥନା କଲେ, ମହାରାଜ, ମୋତେ କ୍ଷମା କରି ଦିଅନ୍ତୁ, ସେନାପତିଙ୍କ କୁମନ୍ତ୍ରଣା ଓ ଷଡଯନ୍ତ୍ରରେ ପଡ଼ି ମୁଁ ଆପଣଙ୍କ ଅମୁଲ୍ୟ ଜୀଵନକୁ ହତ୍ୟା କରିବାକୁ ଆସିଥିଲି।ମାତ୍ର ଆପଣଙ୍କ ପ୍ରକୋଷ୍ଠରେ ଲେଖାଥିଵା ଅମୁଲ୍ୟ ମହାମନ୍ତ୍ରଟିରେ ନଜର ପଡିବା ମାତ୍ରେ ମୋ ଆତ୍ମା ଖୋଲିଗଲା, ମୋର ସଦବୁଦ୍ଧି ଜାଗ୍ରତ ହୋଇଗଲା।
ମହାରାଜା ରାଜବୈଦ୍ୟଙ୍କୁ କ୍ଷମା କରିଦେଲେ।ମହାମନ୍ତ୍ରୀଙ୍କୁ ଡାକି କହିଲେ, ଦେଖିଲ, ଏହି ମହାମନ୍ତ୍ରଟି ଆଜି ମୋର ଜୀବନକୁ ରକ୍ଷା କରିଦେଲା, ତେଣୁ ଏହାର ମୂଲ୍ୟ ଲକ୍ଷେ ଟଙ୍କାଠାରୁ ମଧ୍ୟ ଅଧିକ। ତେଣୁ କୁହାଯାଏ, ଜ୍ଞାନ ହେଉଛି ଅମୁଲ୍ୟ ରତ୍ନ, ଏହା କଦାପି କ୍ଷୟ ହୁଏ ନାହିଁ।