ଅମର ପ୍ରେମ
ଅମର ପ୍ରେମ
କୋଇଲିଟିଏ ତାର ସୁମଧୁର କୁ କୁ ଗୀତରେ ମନକୁ ମୁଗ୍ଧ କରୁଥାଏ । ତା ସହିତ ଏ ଡାଳ ରୁ ସେ ଡାଳ ଉଡ଼ିବୁଲୁ ଥାଏ ଅସ୍ତବ୍ୟସ୍ତ ହୋଇ,ସତେ ଯେପରି ଖୋଜୁଛି କାହାକୁ, ଅତି ଆପଣାର କାହାକୁ । ଝରକା ସେପାଖରୁ Mrs. ରୂପାଲି ଚୌଧୁରୀ କୋଇଲିଟିକୁ ବହୁତ୍ ଧ୍ୟାନ ର ସହିତ ଦେଖୁଥାନ୍ତି । କୋଇଲିଟି ର ଯନ୍ତ୍ରଣା ଯେପରି ସେ ଅନୁଭବ କରୁଥିଲେ । କଣ ହୋଇଥିବ ତାର ,ସେ କି କହିବ , ଏପରି ଅନେକ ଉତ୍ତର ବିହୀନ ପ୍ରଶ୍ନ କରୁଥାନ୍ତି ରୂପାଲି ନିଜକୁ ନିଜେ।ଫେରିଯାଆନ୍ତି ରୂପାଲି ବିଗତ ଦିନକୁ।
"ଏ ରୂପା , କେତେ ଥର ପଚାରିବି ,ଆଉ ତୁ କେବେ ଉତ୍ତର ଦବୁ, ମୁଁ ତମ ଦୁହିଁଙ୍କ ସାଙ୍ଗ ହୋଇ ବଡ଼ ଭୁଲ କରିଛି ", ରିନି ବିରକ୍ତ ହୋଇ କହିଲା।
ତୋର କଣ ହେଇଛି, ତୁ କାଇଁକି ଏତେ ବିରକ୍ତ ହଉଛୁ, କିଏ କହୁଛି ତତେ ଏତେ ପ୍ରଶ୍ନ ଓ ଉତ୍ତର ଖୋଜିବାକୁ ?" ରୂପା କହିଲା । ରୂପା ନୂଆ କରି ଏ ଜାଗାକୁ ଆସି ଥାଏ କଲେଜ ରେ ପଢିବାକୁ । ରୂପା ଓ ରିନି ଏଇ ଦୁଇ ବର୍ଷ ଭିତରେ ଘନିଷ୍ଠ ବନ୍ଧୁ ପାଲଟି ଯାଇଥିଲେ । ସମୀର , ମଧ୍ୟ ରିନି ରୂପା ସଙ୍ଗେ ପଢେ। ରିନି ଓ ସମୀର ପଡୋଶୀ । ସମୀର ,ରୂପା କୁ ଭଲ ପାଇ ବସିଛି ,ହେଲେ କହି ପାରୁନି ବୋଲି ରିନି, ରୂପା କୁ କହିଛି। ସମୀର ସେଥିପାଇଁ ରିନି ଜରିଆରେ ରୂପାମନ କଥା ଜାଣିବାକୁ ଚାହୁଁଛି।
ରିନି - "ଏ ରୂପା ,ଆଜି ସେ ପୁଣି ପଚାରିବ ,କଣ କହିବି କହ, ସେ ତୋଫା ଗୋରା ମୁଁହ ପୁଣି ମଳିନ ପଡ଼ିଯିବ ସାଙ୍ଗ ।"
ରୂପା- "ଯା କହିଦେ, ସେ ପ୍ରେମ ଫ୍ରେମ , ମୁଁ ଜାଣେନି, କଥାଟା ଯଦି ଏତେ ଭଲ ହେଇଥାନ୍ତା ତାହେଲେ ସେ ନିଜେ କହି ନ ଥାନ୍ତା, ତୁ କାହିଁକି ପଚାରୁଛୁ କହିଲୁ ।"
ରିନି - "ପ୍ରେମ କଷ୍ଟ କଣ ତୁ ଜାଣିନୁ ରେ ରୂପା, ସେ କଣ ଅନୁଭବ କରୁ ଥିବ ,ସେ କଥା ମୁଁ ଭଲ ଭାବରେ ବୁଝି ପାରୁଛି, ସେ ତତେ ବହୁତ୍ ଭଲ ପାଏ, ଆଉ କଣ ଦରକାର ତତେ କହିଲୁ, ଏତେ ସୁନ୍ଦର ପିଲା ଆଉ ସବୁଠୁ ବଡ଼ କଥା ତତେ ବହୁତ୍ ଭଲ ପାଏ ସେ ରୂପା ।"
ରୂପା -" ହା ହା ହା , କି ସୁନ୍ଦର dialogue ରିନି , ବାସ୍ ସେତିକି ଥାଉ କଲେଜ ଆସିଗଲା, ଚାଲ ପ୍ରେମକୁ ଭୁଲି ଟିକେ ପାଠ ପଢ଼ିନେବା ।"
ଦୁଇ ସାଙ୍ଗ ହାତ ଧରା ଧରି ହେଇ ହସି ହସି କ୍ଲାସ ରୁମ୍ ଆଡେ ମୁହାଁଇଲେ । କ୍ଲାସ ରୁମ୍ ଆଗରେ ଦଳେ ପିଲା ଠିଆ ହେଇ ଥାଆନ୍ତି , ତାଙ୍କ ସାଙ୍ଗେ ଥାଏ ସମୀର।ରିନି ,ରୂପା କୁ ଦେଖି ମୁରୁକି ହସି କହିଲା, "ଆଜି ତୁ ଗଲୁ , ସମସ୍ତଙ୍କ ଆଗରେ କହିବ ନା କଣ ?"
ରୂପା ଛାତି ଜୋର୍ ଜୋରରେ ଧଡକିବାକୁ ଲାଗିଲା। ସେ ତୀବ୍ର ଗତିରେ କ୍ଲାସ ରୁମ୍ କୁ ପଶିଯିବାକୁ ଚାହୁଁଥାଏ କିନ୍ତୁ ଆଜି ସେ ଦଶ ପାଦ ଦଶ କିଲୋମିଟର୍ ପରି ଲାଗୁଥାଏ। ସମୀର ସହ ରୂପାର ଆଖି ମିଶିଯାଏ, ଛୋଟ ପିଲାଟିଏ ଭଳି ନିଷ୍ପାପ ହସଟିଏ ସମୀର ମୁହଁରେ ।
"ଚାନ୍ଦ ନା ତୁମେ ତାରା, ମୋତି ନା ତୁମେ ହୀରା" ଗୀତଟି ଗହଳି ଭିତରୁ ଭାସି ଆସିଲା ଆଜି ରୂପାର ରାଗ ନ ଥିଲା,କାହିଁକି କେଜାଣି, ଲାଜଭରା ହସଟେ ହସି ରୂପା କ୍ଲାସ ଭିତରକୁ ପଶିଗଲା।କେହି ଜଣେ ବଡ଼ ପାଟିରେ କହୁଥାଏ, ଆମେ ନୁହଁ ମ ଆମ ସାଙ୍ଗ ସମୀରର ମନ କଥା।
କଲେଜ ରୁ ଫେରି ଘରେ ପହଞ୍ଚି ଗଲାଣି ରୂପା ସତ ହେଲେ ସମୀରର ହସ ହସ ମୁହଁ ତ ଆଖୀ ଆଗରେ ନାଚି ଉଠୁଛି, କିଛି ଭଲ ଲାଗୁନି ରୂପାକୁ।କଣ ହେଇଛି ତାର, କାହିଁକି ଆଜି ତାକୁ ସବୁ ଅଲଗା ଅଲଗା ଲାଗୁଛି। କାହିଁକି ଆଜି ତା ପଢା ଟେବୁଲ୍ ପାଖେ, ବଗିଚାରେ , ଦାଣ୍ଡ ଦୁଆରେ ସବୁଆଡେ ସମୀର ତା ପଛେ ପଛେ, ସେଇ ହସ ହସ ମୁହଁରେ। ରିନି କୁ ଦେଖି ରୂପା ଜୋରରେ ଜାବୁଡ଼ି ଧରିଲା, କହିଲା ରିନି ମତେ ସବୁଆଡେ ଖାଲି ସମୀର ଦେଖା ଯାଉଛି ।
ରିନି (ହସିହସି )- ହୋ ଗୟାହେ ତୁଝକୋ ତୋଃ ପ୍ୟାର୍ ସଜନା, ଲାଖ କରଲେ ତୁ ଇନ୍କାର୍ ସଜନା, ଦିଲଦାର ସଜନା , ହେ ୟେ ପ୍ୟାର ସଜନା
ରୂପା - " ହେ ଚୁପ୍ କର୍ , ପ୍ୟାର ନା ଆଉ କିଛି, ତୋ ମୁଣ୍ଡଟା ମନୋଜ ପ୍ରେମରେ ପୁରାପୁରି ଖରାପ ହେଇ ସାରିଲାଣି ଦେଖୁଛି। ସବୁ ଆଡ଼େ ଖାଲି ତତେ ପ୍ୟାର ଦେଖାଯାଉଛି।"
ରିନି - "ହଉ ନ ମାନ ସାଙ୍ଗ, ଛାଡ଼ ସେ କଥା, ଚାଲ ଜଲଦି ଚାଲ, ଲିଜା ଘରେ ସମସ୍ତେ ଆମକୁ ଗ୍ରୁପ୍ ଷ୍ଟଡି ପାଇଁ ୱେଟ କରିଛନ୍ତି।"
ରୂପା - " ଗ୍ରୁ ପ୍ ଷ୍ଟଡି , କାଇଁ ମତେ ତ କେହି କହି ନାହାନ୍ତି।"
ରିନି - " ଆପଣ ଆଜିକାଲି ଅନ୍ୟ ଦୁନିଆ ରେଯେ, ମାନୁ ନାହାନ୍ତି ସିନା, ମିସ୍ ରୂପା , you are in love, deeply and madly dear ."
ରୂପା- " ବଦମାସ୍, ତତେ ଆଜି ଛାଡିବିନି ।"
ରି ନି - " ମରିଗଲି ମରିଗଲି, ଛାଡ଼ ମୋ ବେଣୀ, sorry sorry ."
ଦୁହିଁଙ୍କ ମନ ଖୋଲା ହସରେ ଘରଟା ପୁରି ଉଠୁଥାଏ ।
ରୂପା ଓ ରିନି ,ଲିଜା ଘରେ ପଶୁ ପଶୁ , ସଭିଏଁ ଗାଇ ଉଠିଲେ , " ଆଇୟେ ଆପକା ଇନ୍ତେଜାର ଥା.. ଦେର ଲଗା ଆନେ ମେ ଫିର୍ ଭି, ଶୁକ୍ରହେ ତୁମ୍ ଆୟେ ତୋ
ଗୋଟେ କୋଣରେ ବସି ସମୀର ,ଏକ ଲୟରେ ,ରୂପାର ଲାଜ ଲାଜ ସୁନ୍ଦର ମୁହଁ ଟିକୁ ଅନେଇ ରହିଥାଏ। ହଠାତ୍, ମନୋଜ ର ଡାକ ଶୁଣି ସମୀର ତା ଆଖି ରୂପାମୁହଁ ରୁ ଫେରେଇ ଆଣିଲା । ପାଠପଢା ସମୟରେ ବହୁତ୍ ଥର ରୂପା ଦେଖିଛି, ସମୀର ତାର ଚୋରା ଆଖିରେ ତାକୁ ଦେଖୁଛି।ଆଉ ରୂପା ଭି, କାରଣ କଣ ରୂପା ଜାଣିନି କିନ୍ତୁ ଆଜି ତାକୁ ସମୀରକୁ ଲୁଚି ଲୁଚି ଦେଖିବାକୁ ବହୁତ୍ ଭଲ ଲାଗୁଛି ।
ସମୀର ଧୀରେ ଧୀରେ ତା ମନରେ ଘର କରି ନେଇଛି ଭଳି ମନେ ହେଉଛି , କିନ୍ତୁ କାହିଁ ସମୀର ତାକୁ କିଛି କହୁନି। ସେ କଣ ସତରେ ତାକୁ ଭଲ ପାଏ ? ନା ଏହା ରୂପାର ମିଥ୍ୟା ଭାବନା। ଏମିତି ଭାବୁ ଭାବୁ ରୂପା ଥରି ଯାଏ । ରିନି ତାକୁ ଜାବୁଡି ଧରେ। ସମସ୍ତେ ହସି ଉଠନ୍ତି। ସମୀର ମୁହଁରୁ ରୂପା ପାଇଁ ବ୍ୟଥା ବାରି ହୋଇ ପଡୁଥାଏ।
କଲେଜ ରେ କ୍ଲାସ ସରି ଆସୁଥାଏ, last ବେଞ୍ଚ ରୁ କିଛି କଥାବାର୍ତ୍ତା, ହସଖୁସି ଚାଲିଥାଏ , ରୂପା ନା ମଧ୍ୟ କହୁଥିବାର ସମସ୍ତେ ଶୁଣି ପାରୁ ଥାନ୍ତି । କ୍ଲାସ ସରୁ ସରୁ ପଛ ଆଡ଼ୁ ଗୀତ ଶୁଭୁ ଥାଏ,
" ତୁ ଯାହାଆଁ ଯାହାଆଁ ଚଲେଗି, ମେରା ସାୟା ସାଥ ହୋଗା ଆ
"ବିନ୍ ଫେରେ ହମ୍ ତେରେ "
ରୂପା ବୁଲି ପଡି ଦେଖିଲା, ସମୀର ଗାଉଛି , ରୂପା କୁ ଦେଖି ଚୁପ୍ ହେଇଗଲା ସମୀର,ସତେ ଯେମିତି ତାର ଚୋରୀ ଧରା ପଡି ଯାଇଛି।
ରୂପା ସ୍ତବ୍ଧ୍ ହୋଇ ମୁହଁ ଆଗକୁ ବୁଲେଇ ଆଣିଲା, ସେହି ସମୟରେ କିଏ ଗୋଟେ ତା କାନରେ କହି ଦେଇଗଲା, "ଆରେ ସମୀର ତୋ ପାଇଁ ଗାଉଛି।"
ରୂପା ଦୁଇଦିନ ହେଲାଣି କଲେଜ୍ ଯାଇନି, ତା କାନରେ ଶୁଭୁଛି ସମୀରର ଗୀତ ତକ ,
" ତୁ ଯାହାଆଁ ଯାହାଆଁ ଚଲେଗି, ମେରା ସାୟା ସାଥ ହୋଗା ଆ
"ବିନ୍ ଫେରେ ହମ୍ ତେରେ
"ବିନ୍ ଫେରେ ହମ୍ ତେରେ
ଆଉ ରୂପା ଅପେକ୍ଷା କରି ପାରୁନି, ସେଇ ତିନିଟି ଶଦ୍ଦ ଶୁଣିବାକୁ ଇଚ୍ଛା କରୁଛି,ତା ସମୀର ମୁହଁରୁ। ଆଜି ରୂପା ମନରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଉଛି, ସାରା ସଂସାର ଅତ୍ୟଧିକ ମନୋହର ଲାଗୁଛି।
ତା ସମୀର ତା ଆଖେ ପାଖେ ଥିଲା ଭଳି ମନେ ହେଉଛି । କାହାକୁ ବା କହିବ ତା ଭିତରର ଏ ପରିବର୍ତ୍ତନ ବିଷୟରେ ।
ହଁ , ରିନି କୁ, ପୁଣି ଭାବୁଛି ନା ରିନି ବହୁତ୍ ହସିବ, ସମସ୍ତଙ୍କୁ କହିଦେବ, ସମୀର କୁ କହିଦେବ ।
ସମୀର ନା ମନରେ ଆସୁ ଆସୁ ଲାଜେଇ ଗଲା ରୂପା ।
ହଁ, ରୂପା ଭଲ ପାଏ ସମୀର କୁ, ତା ସମୀର କୁ । ଆଉ ନିଜେ ନିଜକୁ ସମ୍ଭାଳି ପାରୁନି ରୂପା । ରିନି ର ଆସିବା ବାଟକୁ ଚାହିଁ ବସି ଥାଏ, ଆଜି ସତେ ଯେମିତି ସନ୍ଧ୍ୟା ୫ଟା ହଉନି।
ସନ୍ଧ୍ୟା ୫ଟା-
ରିନି - ରୂପା କଣ ହେଲା, ତୋ ମୁଁହ ଏମିତି କଣ ଶେତା ପଡି ଯାଇଛି, କୋଉ କଷ୍ଟରେ ଅଛୁ, କଣ ହେଇଛି ତୋର, କହ ମତେ ।
ରୂପା (ଲାଜେଇ) - ରିନି, ମୁଁ ସମୀର କୁ ଭଲ ପାଏ ,ବହୁତ୍ ଭଲ ପାଏ।
ରିନି - କଣ କହୁଛୁ ସାଙ୍ଗ, ସତରେ ମୁଁ ତମ ଦୁହିଁଙ୍କ ପାଇଁ ବହୁତ୍ ଖୁସି ।
ରୂପା - ରିନି ତୁ ଜଣେଇ ଦବୁ ମୋ ସମୀର କୁ, ତା ରୂପା ତାରି ଅପେକ୍ଷାରେ ।
ରି ନି - ନା ରୂପା, ମୁ କହିବିନି , ତୁ ନିଜେ କହ, ତା ଖୁସି ତୁ ନିଜେ ଦେଖିବୁ।
ରୂପା - ମୁଁ ନି ଜେ କହିବି ? ଛି କୋଉ ଝିଅ ଏକଥା ନିଜେ କୁହେ, ନା ରିନି ମୁଁ କହିବିନି।
ରିନି - ଏ ପାଗିଳୀ, ମୁଁ ଜ।ଣେ ତୋ ପ୍ରେମ ସଚ୍ଚ। ,ସେ କହୁ କି ତୁ କହ, କଣ ଫରକ ପଡୁଛି, ଏମିତିବି ମୁଁ ଜାଣେ ସମୀର ବି ତତେ ବହୁତ ଭଲ ପାଏ।
ଶେଷ ରେ ରିନି କଥାରେ ରାଜି ହେଲା ରୂପା, ଠିକ୍ କଲା ଯେ ଆସନ୍ତା କାଲି ଲିଜା ଘରୁ ଫେରିଲା ବେଳେ ,ସେ କହିବ ।
ରାତି ପାହିଲା, ରୂପାର ମନ ଅସ୍ଥିର, ଅଥୟ ହୁଏ। ସାହସ ହଉନି ତାର କହିବାକୁ ସମୀରକୁ , ତା ସମୀରକୁ ।ଏତେ ଯେ କଷ୍ଟ ଏ କାମ, କେବେ ଭାବି ନ ଥିଲା ରୂପା ।
ଖଣ୍ଡେ କାଗଜରେ ଲେଖିଲା , I love you so much ସମୀର
ଆଉ cycle ନେଇ ଆଗେଇଲା ଲିଜା ଘର ଆଡ଼କୁ । ସେଠି ଆଜି ସାଙ୍ଗମାନେ ଦେଖା କରିବେ ବୋଲି କଥା ହେଇଥିଲେ, ସମୀର ନିଶ୍ଚୟ ପହଞ୍ଚି ସାରିଥିବ, ଭାବୁ ଭାବୁ ଲିଜା ଘରେ ପହଞ୍ଚି ସାରିଥାଏ ରୂପା। ସମୀର ବାହାରେ ଠିଆ ହେଇଥାଏ। ବୋଧହୁଏ, ରୂପା କୁ ଅପେକ୍ଷା କରିଥାଏ।ଆଜି ରୂପାର ସମୀର କୁ ଦେଖିବାକୁ ଇଚ୍ଛା ଥିଲେ ବି,ଆଖି ଉଠେଇ ପାରୁ ନ ଥାଏ। ବଡ଼ କଷ୍ଟରେ କହିଲା, ମୁଁ କିଛି କହିବି ତୁମକୁ ଗଲାବେଳେ , ଅଧା ବାଟରେ ସେ ଲାଲ ଘର ଆଗକୁ ମତେ ଦେଖା କରିବ ।
ସମୀର ମୁଣ୍ଡ ଟୁଙ୍ଗାରି ହଁ କଲା।
ଦୁହେଁ ଲାଲ୍ ଘର ଆଗରେ ଦେଖା କଲେ। ରୂପା ସେ କାଗଜ ଖଣ୍ଡିକ ସମୀର କୁ ବଢ଼େଇ ଦେଲା।
ସମୀର ପଢ଼ିସାରି କହିଲା , ଦେଖ ରୂପା, ଏଇଟା ସମ୍ଭବ ନୁହେଁ।
ରୂପା ପାଦ ତଳୁ ଭୂଇଁ ଖସି ପଳେଇଗଲା ପରି ମନେ ହେଲା,ସେ ବଲବଲ କରି ଚାହିଁ ରହିଥାଏ ତା ସମୀର ଆଡ଼କୁ, ତା ପ୍ରଥମ ପ୍ରେମ ଆଡକୁ। କଣ ଗୁଡ଼ାଏ ସମୀର କହି ଚାଲିଥାଏ ।କଣ ସବୁ କହି ବୁଝୋଉ ଥାଏ ବୋଧେ କିନ୍ତୁ ରୂପା ବୁଝି ପାରିଲାନି କିଛି, ଫେରି ଆସିଲା ସବୁଦିନ ପାଇଁ । ତା ପ୍ରଥମ ପ୍ରେମରେ ପୂର୍ଣ୍ଣଚ୍ଛେଦ ଦେଇ ।
ଅଜାଣତରେ ,Mrs. ରୂପାଲି ଚୌଧୁରୀ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ । ଆଜିବି ଭୂଲିନି ସେ ସମୀରକୁ । ପ୍ରଥମ ପ୍ରେମକୁ କିଏ ବା ଭୁଲିଛି ।ଆଜି କିନ୍ତୁ ସେ କୃଷ୍ଣ ଙ୍କ ରାଧା ନୁହେଁ ,ସେ ପାଲଟିଛି ମୀରା। ସମୀର ତା ପାଇଁ ଦେବତା, ତାର ପ୍ରଥମ ପ୍ରେମ ଯାହାକି ଅମର ।ସମୀର କାହିଁକି ରିଜେକ୍ଟ କଲା, ସେ କାରଣ ଜାଣିନି କି ଜାଣିବାକୁ ଚାହିଁନି । ଆଜିବି ଅପେକ୍ଷା କରିଛି ସତ ଯେ ଥରୁଟିଏ ସମୀର କହୁ ସେ ଭଲ ପାଇଥିଲା ତା ରୂପାକୁ । କାହିଁକି ଏମିତି ଘଟିଲା , ଦୋଷ କାହାର ?ସେସବୁ କିଛି ଜାଣେନା ସେ।
ସେ ଜାଣେ କେବଳ ତା ଭଗବାନଙ୍କୁ, ତା ସମୀରକୁ। ଭଗବାନ ତ ସବୁ ଭକ୍ତକୁ ଚିହ୍ନେ ନାହିଁ ।ଏଥିରେ ବା ଭଗବାନର କି ଦୋଷ ?
ପ୍ରେମ କେବଳ ପାଇବା ନୁହେଁ, ଭକ୍ତର ଭାବ ମଧ୍ୟ । ଅମର ସେ ପ୍ରେମ। ଭକ୍ତ ଆଉ ଭଗବାନର ପ୍ରେମ। ସମୀର ଆଉ ରୂପାର ପ୍ରେମ ।