Leena Bastia

Tragedy

3  

Leena Bastia

Tragedy

ସମର୍ ଭେକେସନ୍

ସମର୍ ଭେକେସନ୍

3 mins
36


ଜେଜେବାପାଙ୍କୁ ଧୋତି କୁର୍ତ୍ତାରେ ଦେଖି ଲିପୁନ୍ କହିଲା,"ଜେଜେ,ତମର କଣ ସମର୍ ଭେକେସନ୍ ଆରମ୍ଭ ହେଇଗଲା ।"ହଁ ରେ, ଧନ " କହିଲା ବେଳେ ଦିନାନାଥ ଚୌଧୁରୀଙ୍କର ସେ ପ୍ରଫୁଲ୍ଲିତ ମୁଖମଣ୍ଡଳ ବାରି ହୋଇ ପଡୁଥାଏ ।ପୁଅ ଦିପୁ ଓ ବୋହୂ ଲିସା, ବାପାଙ୍କୁ ଦେଖି ସେ ଯେ ଗାଁ କୁ ଯିବାପାଇଁ ରେଡି ହଉଛନ୍ତି,ସେ କଥା ବୁଝିବାରେ ଆଉ ତିଳେ ମାତ୍ର ସନ୍ଦେହ ନ ଥିଲା ।ଲିସା କହିଲା,"ବାପା, ଏ ବର୍ଷ ଟେମ୍ପରେଚର୍ ୪୮ ଡିଗ୍ରୀ ହବ, ଏ.ସି. ବିନା ଗାଁରେ ତମେ କେମିତି ରହିବା ଯେ,ବାପା ଏ ବର୍ଷଟା ଯାଅନି ।" 

ଉଜ୍ଜଳ ହସ ହସ ମୁହଁରେ ଦିନା ବାବୁ କହିଲେ,"ମା ରେ,ମୋ ଗାଆଁର ମୁକ୍ତ ପବନ ସମ କଣ ତମର ଏଇ ଏ.ସି. ହେଇପାରିବ ? ତା'ପରେ ମୁଁ କଣ ପ୍ରଥମକରି ଯାଉଛି ।"ଦିନା ବାବୁଙ୍କର ଯୁକ୍ତି ଆଗରେ ପୁଅ,ବୋହୂ ଓ ନାତି ସବୁ ହାର ମାନି ଥିଲେ ।

ସାତ ବର୍ଷ ପୂର୍ବେ ଦିନା ବାବୁଙ୍କର ସହଧର୍ମିଣୀଙ୍କ ପରଲୋକ ଗମନ ପରେ,ପୁଅ ଦିପୁ ଏକା ଜିଦ୍ କରି ଗାଁ ଛାଡ଼ି ନିଜ ସାଙ୍ଗରେ ଯିବାକୁ ବାଧ୍ୟ କରିଦେଇଥିଲା । ଦିନା ବାବୁ ଗାଁ ଛାଡ଼ି ଆସିବାକୁ ଇଛା କରିଥାନ୍ତେ ବା କେମିତି ? ସହଧର୍ମିଣୀ ସୁନନ୍ଦା ଦେବୀଙ୍କ ସ୍ମୃତି ଯେ ଗାଁ ଘରର ପ୍ରତ୍ୟେକ କୋଣରେ ବସିରହିଛି । ତେଣୁ ସେ ପୁଅ ସାଙ୍ଗେ ଯାଉଥିଲେ ସତ କିନ୍ତୁ ସେହିଦିନ ଏକ ଚୁକ୍ତିନାମା କରିଥିଲେ ଯେ ପ୍ରତିବର୍ଷ ଖରାଦିନେ ସେ ୨/୩ ମାସ ପାଇଁ ଗାଁକୁ ନିଶ୍ଚୟ ଯିବେ ।

"ବାବୁ ନମସ୍କାର,ଆପଣ ଆସିବା ବାଟକୁ, ମୁଁ ଓ ଦାମ ସକାଳୁ ଚାହିଁବସିଛୁ, ଦିପୁବାବୁଙ୍କୁ ଏଇ ୫ ମିନିଟ୍ ହେବ ପଚାରି ବୁଝିଲୁ ।" ଦିନା ବାବୁଙ୍କ ହାତରୁ ବ୍ୟାଗଟା ନଉ ନଉ ଶ୍ୟାମ ଗପି ଚାଲିଥାଏ ।ଶ୍ୟାମ ଓ ଦାମ, ସୁନନ୍ଦା ଦେବୀଙ୍କ ଦ୍ଵାରା ନିଯୁକ୍ତି ପାଇଥିବା ଅତି ବିଶ୍ୱସ୍ତ କର୍ମଚାରୀ ।ଗାଁ ଘରକୁ ସେ ଦୁହେଁ ହିଁ ଜଗି ରହିଛନ୍ତି ।

ଘରେ ପଶୁ ପଶୁ ଦିନା ବାବୁ ସବୁଆଡେ ନିରିଖେଇ ଚାହିଁ ରହିଲେ ।କାଇଁ କିଛି ପରିବର୍ତ୍ତନ ତ ହୋଇନାହିଁ । ନାହାନ୍ତି କେବଳ ତାଙ୍କ ସୁନନ୍ଦା ।ସୁନନ୍ଦାଙ୍କ ସଂସାର ଏଇ ଗାଁ ମାଟି, ତାଙ୍କ ଆତ୍ମା ଜଡ଼ିତ ଅଛି ଏଇ ଘରେ । ଅତି ପ୍ରିୟ ମାଆ ସାଆନ୍ତଣୀଙ୍କ ଏ ସ୍ମୃତିକୁ କିପରି ବା ସେ ଦୁହେଁ ଅବହେଳା କରିବେ ।ବାରି ପଟ କବାଟ ଖୋଲି ଦେଉ ଦେଉ ପେନ୍ଥା ପେନ୍ଥା ଫୁଲ, ଲିଚୁ, ଆମ୍ବ,ପଣସ,ସପେଟା, ସଜନା ଆଦି ପବନରେ ଦୋହଲି ଯେପରି ସ୍ବାଗତ ଜଣାଉଥାନ୍ତି । ଦିନା ବାବୁଙ୍କ ଆଜି ବି ମନେ ଅଛି ସୁନନ୍ଦା କିପରି ଘରକାମ ସାରି ବଗିଚାରେ ନିଜର ମନପ୍ରାଣ ଢାଳି ଦେଉଥିଲେ ।ସେ ସ୍ନେହମୟୀର ଅପାର ସ୍ନେହରେ ସଭିଏଁ ସୁଖରେ ଦିନ କାଟୁଥିଲେ ।କେବଳ ଘରେ ନୁହେଁ ସେ ଥିଲେ ପୁରା ଗାଆଁର ପ୍ରିୟ ।

ଗାଆଁ ଘରଟି ପୁରୁଣା ଢାଞ୍ଚାରେ ତିଆରି, ଚତୁଃପାଶ୍ୱର୍ରେ ରୁମ ଗୁଡ଼ିକ ମଝିରେ ଏକ ବିରାଟ ଅଗଣା ।ସେଇ ଅଗଣା ମଝିଟି ଦିନା ବାବୁଙ୍କ ପ୍ରିୟ ସ୍ଥାନ।"ବାବୁ ଚେୟାରଟା ଆଣିବି କି ?ବସିବେ ଏଇଠି ", ଶ୍ୟାମର ଡାକରେ ଦିନା ବାବୁଙ୍କ ଧ୍ୟାନ ଭଙ୍ଗ ହେଲା ।

"ବାବୁ ଚା କରି ଆଣେ", କହି ଶ୍ୟାମ ଚେୟାରଟା ରଖିଦେଇ ଗଲା। ଆର୍ମଚେୟାରରେ ନିଜର କ୍ଲାନ୍ତ ଶରୀରକୁ ରଖିଦେଇ ପୁଣି ଫେରିଗଲେ ତାଙ୍କ ମାନସପଟ୍ଟରେ ଚାଲୁଥିବା ସୁନନ୍ଦା ଦେବୀଙ୍କ ସ୍ମୃତିକୁ ।

"ମାମା ,ତମେ ଓ ବାପା ଆମ ସାଙ୍ଗରେ ଚାଲ, ଏଠି ଏକୁଟିଆ, କେତେବଳେ ଦେହପା ଖରାପ ହବ । ମୁଁ ସେପଟେ ବ୍ୟସ୍ତ ହେବି ସିନା କିନ୍ତୁ ନିଃସହାୟ ମନେ କରିବି ମାମା, ପ୍ଲିଜ ମାନିଯାଅ । "ଦିପୁ ନେହୁରା ହେଇଥିଲା । ଟିକେ ହସି ସୁନନ୍ଦା ଦେବୀ କହିଥିଲେ,"ବାପାରେ, ଆମ ଶରୀରଟା ନବା କଥା କହୁଛୁ,କିନ୍ତୁ ଆମ ଆତ୍ମା ତ ରହିବ ଏଇଠି । ତୁ ଯା ବାପା, ଖୁସିରେ ରହ ।ଆମ କଥା ଚିନ୍ତା କରି ବ୍ୟସ୍ତ ହବୁନି ।ଶ୍ୟାମ,ଦାମ ବା ଅଛନ୍ତି । ତା'ଛଡ଼ା ଗାଆଁ ଲୋକେ ପରା ଆମ ପରିବାର ।"

ଦିପୁ ନିରୁପାୟ ହୋଇ ଶେଷରେ କହିଲା,"ମାମା ଏ ଘରେ କ'ଣ ଅଛି,ମୁଁ ପରା ତମର ଏକମାତ୍ର ପୁଅ ।ତୁମକୁ ମୋ ରାଣ, ତମେ ମୋ ସାଙ୍ଗରେ ଚାଲ ।"

ଠକ୍ କିନା ହାତରୁ ପାଣି ଗ୍ଲାସଟା ଖସିପଡିଲା ସୁନନ୍ଦାଙ୍କ ହାତରୁ।ସତେ ଯେପରି ସେ ଚେତା ଶୂନ୍ୟ ହୋଇଗଲେ । ଦୁଇ ଦିନ ପରେ ଜୁନ୍ ଏକୋଇଶି ସକାଳେ ସେ ଯିବେ ନିଜ ଘର ଛାଡ଼ି, ଯିବାକୁ ହେବ,ପୁଅ ଯେ ରାଣ ନିୟମ କରିଛି।

ଲୁଗାପଟା ସଜଡ଼ା ଚାଲିଥାଏ,ଦିନା ବାବୁ ଦେଖି ପାରୁଥିଲେ ,ତାଙ୍କ ପତ୍ନୀଙ୍କ ମୁଖର କାନ୍ତିକୁ ସତେ ଯେମିତି କିଏ ଚୋରି କରି ନେଇଛି । ଜୁନ୍ କୋଡିଏ ସକାଳ ହେଲା,ଦିନା ସାତଟା ବାଜିଲାଣି,ସୁନନ୍ଦା କଣ ଆଜି ରୁମରୁ ବାହାରି ନାହାନ୍ତି ? ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ,କଣ ଦେହ ଭଲ ନାହିଁ କି ?ବୋହୂ ଲିସା ମାମାଙ୍କୁ ଉଠେଇବାକୁ ଯାଇ ଦେଖେତ ସୁନନ୍ଦା କିଛି ଉତ୍ତର ଦଉ ନାହାନ୍ତି ।

"ବାବୁ ଚା" ,ଶ୍ୟାମ ଡାକରେ ଦିନା ବାବୁ ଚମକି ପଡ଼ିଲେ । ସୁନନ୍ଦା ଦେବୀ ଏ ଘରର ବୋହୂ, ଏଇ ଘରୁ କେବଳଯେ ମୃତ୍ୟୁ ତାଙ୍କୁ ନେଇପାରିବ,ତାହା ଜୁନ୍ କୋଡିଏ ତାରିଖ ସମସ୍ତେ ବୁଝି ଯାଇଥିଲେ ।

ଦିନା ବାବୁଙ୍କର ଆସିବାର ପ୍ରାୟ ଦେଢ ମାସ ବିତି ଗଲାଣି, କାଲି ପୁଣି ସେଇ ଜୁନ୍ କୋଡିଏ । ହେଇତ ସୁନନ୍ଦା, ମତେ କଣ କହିବାକୁ ଚାହୁଁଛନ୍ତି ବୋଧହୁଏ ।ଚା କପଟା ତଳେ ରଖିଦେଇ ଦିନା ବାବୁ ଧ୍ୟାନମଗ୍ନ ଅବସ୍ଥାରେ ପୁଣି ଚେୟାର ଉପରେ ପଡିରହିଲେ ।ଶ୍ୟାମ ବାଧ୍ୟ କରି ରୁଟି ତରକାରୀ ଖୁଆଇ ବାବୁଙ୍କୁ ବିଶ୍ରାମ ନେବାକୁ କହିଲା, କାଲି ଯେ ମାଆ ସାଆନ୍ତାଣୀଙ୍କ ଦିନ ଶୀଘ୍ର ଉଠିବାକୁ ହେବ,ଅନେକ କାମ ଅଛି ।

ଜୁନ୍ କୋଡିଏ ସକାଳ ସାତଟା ବେଳକୁ ଦାମ ବାବୁଙ୍କୁ ଉଠେଇବାକୁ ପ୍ରୟାସ କରି ବିଫଳ ହୋଇଛି, ଲଦ୍ କିନା ଭୂଇଁରେ ପଡି ଚାହିଁରହିଛି ,କାନରେ ଏତିକି ଶୁଭୁଥାଏ ଶ୍ୟାମ ଫୋନରେ କହୁଛି,"ଦିପୁରେ ବାବୁ ଚାଲିଗଲେ ମାଆ ସାଆନ୍ତାଣୀଙ୍କ ପାଖକୁ", ଲିପୁନ କୁ କହିବ, "ସମର୍ ଭେକେସନ୍ ଇଜ୍ ଓଭର୍ ଫରଏଭର୍ ."

ଚାରିଦିଗ କାନ୍ଦବୋବାଳିରେ ଫାଟି ପଡୁଥାଏ ।

    



Rate this content
Log in

Similar oriya story from Tragedy