STORYMIRROR

Lipi Sahoo

Abstract Others

3  

Lipi Sahoo

Abstract Others

ଅମୀମାଂସିତ ପ୍ରଶ୍ନବାଚୀ

ଅମୀମାଂସିତ ପ୍ରଶ୍ନବାଚୀ

2 mins
296

ସଦେଇ ଘରୁ ବାହାରି ଆସି ଅନେଇଲା, ଗଳି ପୁରା ଶୂନଶାନ୍ ।

ଗଳିମାନେ ଆଉ କ'ଣ କି? ଅଢେଇ ଫୁଟ ଚଉଡାର ମାଟି ରାସ୍ତା ଦୁଇପଟେ ଖୁନ୍ଦାଖୁନ୍ଦି ହେଇ ନୂଆଣିଆ ଘର ।ଏଇଠି ତ ଦୀର୍ଘ ପାଞ୍ଚ ବର୍ଷ କାଟିଦେଲାଣି । ଆକୁ ଗାଁରେ କହନ୍ତି ବିଦେଶ "ସୁରଟ"। ଦୀର୍ଘ ନିଃଶ୍ୱାସଟେ ଛାଡି ଆଗକୁ ଚାଲିଲା । ଆରେ ଏଠି କ'ଣ ଏତେ ଭିଡ ?ସବୁତ ଏଠି ଆମ ରାଇଜର ଲୋକ । ପଦିଆ କହୁଥିଲା, ଗୋଟେ ଅଜଣା ବଡରୋଗ ଆଇଚି ବିଦେଶରୁ ,ସବୁ ଠକଠାକ ମରିଯିଉଚନ୍ତି ।ଘରୁ କେହି ବାହାରିବେନି ।ସବୁ ବନ୍ଦ ହେଇଯିବ।ଗାଡିମଟର,ଅଫିସ୍,କାରଖାନା, ସ୍କୁଲ ସବୁ ।ସମସ୍ତେ ଭେଲକା ହେଇ ତାକୁ ଅନେଇ ଥାଆନ୍ତି? କହ୍ନେଇ ପଚାରିଲା, ଘରେ ରହିଲେ ଖାଇବା କ'ଣ? ପଇସା ଆସିବ କଉଠୁ? ଆସ୍ତାଚଳ ସୂର୍ଯ୍ୟ ନଇଁ ଚାଲିଥାଏ ତଳକୁ ତଳ । ଯିଏ ଯଉଠି ପାରିଲେ ମୁଣ୍ଡରେ ହାତ ଦେଇ ବସିପଡିଲେ। ସଦେଇର ପାଦତଳୁ ମାଟି ଖସିଗଲା ।ଆକାଶଟା ଯେମିତି ତା'ମୁଣ୍ଡରେ ଖସିପଡିଲା। ପୁନିକୁ ବାହାହେବା ପରେ ଅଭାବି ଆଖିରେ ବି କୁନିକୁନି ସ୍ୱପ୍ନ ସବୁ ଦେଖିବା ଆରମ୍ଭ କରିଦେଇଥିଲା। ଦୁହେଁ ମିଶି କେତେ କଣ ଭାବିଥିଲେ , ପବନରେ ବାଇଚଢେଇ ବସାପରି ସବୁ କ'ଣ ଧୂଳିସାତ୍ ହେଇଯିବ? ପୁନି ପେଟର ଛୁଆର କ'ଣ ହେବ? ଓହଃ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ .... ଆରେ ସମସ୍ତଙ୍କ ଆଖିରେ ତ ଅନେକ ପ୍ରଶ୍ନର ଲହଡି ।ପଦିଆ କହିଲା ,ଏ ସମୟରେ ଗାଁକୁ ବି ଫେରିହେବନି। ସରକାର କାଳେ କହିଛନ୍ତି ,ଘରୁ କେହି ବାହାରିବନି, ବାହାରିଲେ ମରିବ,ଆଉ କେତେଦିନ ରହିବ ଏମିତି କିଛି ଠିକ ଠିକଣା ନାହିଁ। ନଖିନାନୀ ପଚାରିଲା, ଆବେ ଏଟା ରୋଗ ନା କୋକୁଆ? ଘର ଭିତରେ ଏମିତି ବି ନଖାଇ ନପିଇ ରହିଲେ ବି ମରିବା, ମରିବାଟା ହିଁ ସାର। ପଦିଆ ଜୋଡିଲା ସରକାର କାଳେ ଖାଇବାକୁ ଦେବେ କହିଛନ୍ତି? ନଖିନାନୀ ମୁହଁମୋଡି କହିଲା ,କେତେ ଦିନ ଦେଇ ପୋଷିବ? ମାଳିକା ସତହେବ ପୋକମାଛି ପରି ମରିବା।

                        ସଦେଇ ଧୀରେଧୀରେ ଘର ମୁହାଁ ହେଲା , ଅନ୍ଧାର ଘନେଇ ଆସୁଥାଏ, ସଂଜସଳିତା ଆଣି ପୁନି ଦୁଆରେ ରଖୁଥାଏ,ଓ଼ଃ କି ଉଜ୍ଜ୍ୱଳ ତା ମୁହଁ ଦିଶୁଛି? ଏ ତ ଆସନ୍ନ ପ୍ରସବାର ମହନୀୟତା। ସଦେଇ ପୁନିର ହାତଧରି ଘର ଭିତରକୁ ନେଇ କହିଲା ,ନା ନା ମୁଁ ଏ ଜୀବନ ଯୁଦ୍ଧରେ ହାରିବିନି। ଆମେ ଲଢିବା ଆଉ ଜିତିବା । ମୋ ସନ୍ତାନ ଏଇ ପୃଥିବୀରେ ଉତ୍ତରଦାୟାଦ ଭାବେ ମୁଣ୍ଡ ଟେକି ଠିଆହେବ......। ପୁନି ଆଖିରେ ବି ପ୍ରଶ୍ନବାଚୀ, କ'ଣ ସବୁ କହିଯାଉଚ?????



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract