ଅଦୃଷ୍ଟର ଦାନ ଶରୀରର ଛାଇ ଶକ୍ତିନାହିଁ କାର ନେବାକୁ ଛଡ଼
ଅଦୃଷ୍ଟର ଦାନ ଶରୀରର ଛାଇ ଶକ୍ତିନାହିଁ କାର ନେବାକୁ ଛଡ଼
ଅଦୃଷ୍ଟର ଦାନ ଶରୀରର ଛାଇ
ଶକ୍ତିନାହିଁ କାର ନେବାକୁ ଛଡ଼ାଇ
===============
ବଙ୍ଗଳା ସାହିତ୍ୟର ଅତି ପରିଚିତ ତଥା ପ୍ରଖ୍ୟାତ ସାହିତ୍ୟିକ ଓ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ l ବଙ୍କିମ କଲିକତା ବିଶ୍ଵ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମଦୁଇ ସ୍ନାତକଙ୍କ ମଧ୍ୟରେ ଥିଲେ ଅନ୍ୟତମ l ପାଶ କରିବାର ଅଳ୍ପଦିନ ମଧ୍ୟରେ ତାଙ୍କୁ ଡେପୁଟି ମାଜିଷ୍ଟ୍ରେଟ ରୂପେ ଇଂରେଜ ସରକାରଙ୍କ ଅଧୀନରେ ନିଯୁକ୍ତି ମିଳିଥିଲା l ଭାରତୀୟଙ୍କୁ ସେତେବେଳେ କ୍ଵଚିତ ଏତେ ଉଚ୍ଚପଦବୀରେ ନିଯୁକ୍ତି ମିଳୁଥିଲା l ବଙ୍କିମ ଚନ୍ଦ୍ରଙ୍କ ବପା ଓ ଦୁଇ ଭାଈ ମଧ୍ୟ ଡେପୁଟି ମାଜିଷ୍ଟ୍ରେଟ ଥିଲେ l ଏକଦା କାର୍ଯ୍ୟ ସମାପନାନ୍ତେ ବଙ୍କିମ ଦପ୍ତରରୁ ବସାକୁ ପାଲିଙ୍କିରେ ଫେରୁ ଥାନ୍ତି l ଜଣେ ଭାରତୀୟଙ୍କ ଏଭଳି ରାଜକୀୟ ଯାତ୍ରାକୁ କର୍ଣ୍ଣେଲ ଡଫକୀନ ସହ୍ୟ କରି ପାରିଲେ ନାହିଁ l ରାଗରେ ପାଲିଙ୍କି ଅଟକାଇ ସେ ତା'ର ଦରଜାକୁ ବାଡ଼େଇଲେ l ବଙ୍କିମ ପାଲିଙ୍କିରୁ ଓହ୍ଲାଇ ଏଭଳି ଅଭଦ୍ରୋଚିତ ଆଚରଣପାଇଁ ତାଙ୍କୁ କଡ଼ା ସ୍ୱରରେ ଗାଳି ଗୁଲଜ କଲେ l ଡଫକିନଙ୍କ କ୍ରୋଧ ଏଥିରେ ପଞ୍ଚମକୁ ଉଠି ଗଲା,ଉତ୍ତେଜିତ ହୋଇ ବଙ୍କିମଙ୍କୁ ସେ ଦୁଇଟି ଶକ୍ତ ତଣ୍ଟିଆ ଚଢ଼େଇ ଦେଲେ l ଏହି ଅସହ୍ୟ ଅପମାନ ବଙ୍କିମ ଚନ୍ଦ୍ରଙ୍କୁ ବଡ଼ ବାଧିଲା l ସେ ଯାଇ କୋର୍ଟରେ କର୍ଣ୍ଣେଲଙ୍କ ବିରୁଦ୍ଧରେ ଏକ ମୋକଦ୍ଦମା ଦାୟର କରି ଦେଲେ l ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନେବାପାଇଁ ସେତେବେଳେ ଭାରତୀୟମାନେ ଭୟ କରୁଥିଲେ l ଏଣୁ ବିଜୁଳି ବେଗରେ ଏ ଖବର ଚାରି ଆଡ଼େ ପ୍ରଚାରିତ ହୋଇଗଲା l ଜନମତ କ. ଡଫକିନଙ୍କ ବିରୁଦ୍ଧରେ ଗଲା l କେହି ଓକିଲ କର୍ଣ୍ଣେଲ ଡଫକିନଙ୍କ ପାଇଁ ମୋକଦ୍ଦମା ଲଢ଼ିବା ସାହସ କରି ପାରିଲେ ନାହିଁ l ପରିସ୍ଥିତି ବାଧ୍ୟ କଲା, କ.ଡ଼ଫକିନ୍ ସାହେବ ଯାଇ ନ୍ୟାୟାଳୟରେ ବଙ୍କିମଙ୍କୁ କ୍ଷମା ପ୍ରାର୍ଥନା କଲେ l ବଙ୍କିମଚନ୍ଦ୍ର ବିଦ୍ୱାନ, ତାଙ୍କ ପାଇଁ ଏହାଥିଲା ନିଜ ସ୍ୱାଭିମାନ, ନିର୍ଭୀକତା, ନୈତିକତା, ସାହାସିକତା ତଥା ସ୍ପଷ୍ଟବାଦୀତାର ବିଜୟ l
ମହାନ ସାହିତ୍ୟିକ ବଙ୍କିମଙ୍କର ଥିଲା ଈଶ୍ୱର ଦତ୍ତ ପ୍ରତିଭା l ଏହାକୁ କେହି ଅପହରଣ କରିବାପାଇଁ ସମର୍ଥ ନୁହଁନ୍ତି l ହଂସକୁ ଈଶ୍ୱର କ୍ଷୀରରୁ ନୀରକୁ ପୃଥକ କରିବାର କଳା ଦେଇଛନ୍ତି l ଶିଶୁର ଜନ୍ମ ପୂର୍ବରୁ ତା'ର ଖାଦ୍ୟ ପାଇଁ ଈଶ୍ୱର ମାତୃ ସ୍ତନରେ କ୍ଷୀର ଭରି ଦେଇଛନ୍ତି l ନଡ଼ିଆରେ ପାଣି ସେ ହିଁ ଖଞ୍ଜି ଦେଇଥାନ୍ତି l ଅଦୃଷ୍ଟର ଦାନକୁ କାଢ଼ିନେବାପାଇଁ କାହାର ଶକ୍ତି ନାହିଁ l ତେଣୁ କବି ଶେଖର ଶ୍ରୀ ଚିନ୍ତାମଣି ମହାନ୍ତି କହିଛନ୍ତି :-
ଅଦୃଷ୍ଟର ଦାନ ଶରୀରର ଛାଇ l
ଶକ୍ତି ନାହିଁ କାର ନେବାକୁ ଛଡାଇ ll
ବିଧାତା ଚାହିଁଲେ, ମରାଳର ପଦ୍ମ ବନରେ ଅଳସ ବିଚରଣ ବିଳାସକୁ ହରଣ କରିପାରନ୍ତି କିନ୍ତୁ ତାର କ୍ଷୀରନୀର ପୃଥକ କରି ପାରିବାର କଳାକୁ ନୁହେଁ l ସେହିପରି ରାଜା କୋପିତ ହେଲେ ପଣ୍ଡିତଙ୍କୁ ନିଜ ରାଜ୍ୟରୁ ବିତାଡିତ କରି ପାରନ୍ତି ମାତ୍ର ତାଙ୍କର ପାଣ୍ଡିତ୍ୟକୁ ତିଳେ ମାତ୍ର ଅପହରଣ କରି ପାରନ୍ତି ନାହିଁ l ଏଣୁ ନୀତି ଶତକରେ କୁହାଯାଇଛି :-
ଅମ୍ଭୋଜିନି ବନ ବିହାର ବିଳାସମେବ
ହଂସସ୍ୟ ହନ୍ତି ନିତରାଂ କୁପିତୋ ବିଧାତା l
ନ ତ୍ବସ୍ୟ ଦୁଗ୍ଧ ଜଳ ଭେଦବିଧୌ ପ୍ରସିଦ୍ଧାମ୍
ବୈଦଗ୍ଧ୍ୟକିର୍ତ୍ତୀମପହର୍ତ୍ତୁମସୌ ସମର୍ଥହଃ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
