STORYMIRROR

Panchanan Jena

Inspirational Others

3  

Panchanan Jena

Inspirational Others

ଅଦୃଶ୍ୟ ରଙ୍ଗରସ

ଅଦୃଶ୍ୟ ରଙ୍ଗରସ

10 mins
220

ବ୍ରାହ୍ମ ମୁହୁର୍ତ୍ତରୁ ବିଛଣା ଛାଡିବା ଅଭ୍ୟାସରେ ପଡିଯାଇଥିଲେ ବି ସିଂହ ବାବୁଙ୍କର ଆଜିକାଲି ଆଖି ଖୋଲୁନି କହିଲେ ଚଳେ, ନିଦ ଭାଙ୍ଗୁନି । କ'ଣ ହେଇଛି କେଜାଣି, ଘୋର ବ୍ୟତିକ୍ରମ ଲକ୍ଷ୍ୟ କଲେଣି ଶ୍ରୀମତୀ ଏଇ ପାଞ୍ଚ- ଆଠ ଦିନ ହେଲା । 

ମନକୁ ବୁଝେଇ ଦେଇଛନ୍ତି ବୋଧେ ।

କରେ।ନା ଦ୍ଵିତୀୟ ଲହର ଲକ୍ ଡାଉନ୍ ଯୋଗୁଁ ନବୋଦୟ ବିଦ୍ୟାଳୟ , ସରାଙ୍ଗ, ଢ଼େଙ୍କାନାଳ ପରିସରରେ ରହି-ବସି ,ମୋବାଇଲ କେଞ୍ଝି- ମେଞ୍ଚି, ଖବର କାଗଜ ପଢ଼ି- ଘୋଷି, ଟିଭିରେ କରେ।ନା ଖବର ଦେଖି-ନେଖି ଶୋଇବା ଡେରିରେ ହେଉଛି ବୋଲି ବୋଧେ । ପତଳା ନିଦ ସାରଙ୍କର । କେଉଁଠି ଉଁ କି ଚୁଁ ହେଲେ, କଥା ସରିଲା । ନିଦ ଠାଏ କିନା ଦ୍ଭାଙ୍ଗିଯିବ । ସତେ ଯେମିତି କିଏ ଘଣ୍ଟା ବଜେଇ ହେଲା କାନ ପାଖରେ । 

ଛାଇନିଦରେ ସବୁ ବେଳେ ନିମଗ୍ନ ରହୁଥିବା ସିଂହ ବାବୁଙ୍କର ଗୋଟିଏ ଦୁଃଖ । ସୁ-ନିଦ୍ରା, ସୁଖ-ନିଦ୍ରା , ଖୁସି-ନିଦ୍ରା, ଶୂନ୍ୟ-ନିଦ୍ରା,ନିରାମୟ -ନିଦ୍ରା ଇତ୍ୟାଦି ତାଙ୍କ ଭାଗ୍ୟରେ କେବେ ଯୁଟିବନି ଯାହା ଜେନା ସାର୍, ପାଢୀ ସାର୍, ଧଳ ସାର୍ ଙ୍କୁ ଦୈନିକ ଆସେ । ଶେଯ ଶୁଙ୍ଘୁ ଶୁଙ୍ଗୁ ନାକରେ ଶୁଣୁରୀ ପଡ଼େ । ଙ୍ଘୁଙ୍ଗୁଡିର ବେବାଗିଆ ଶ୍ଵର ମୁର୍ଚ୍ଛନା ତୋଳେ ଅଗତ୍ୟା ।

ଯାହା ବି ହେଉ , ଶେଯ ଛାଡିଲା ମାତ୍ରେ ଆଉ ଦଣ୍ଡେ -ଘଣ୍ଟେ ପେଟେଇ - ପାଶେଇ ପଞ୍ଚତନ୍ତ୍ରର କରାଳମୂଖ କୁମ୍ଭୀର ପରି କାଲାପିଠିଆ ପଡିରହିବା ଆଦୌ ଚଳେନା ! ସକାଳୁ ବାହାରେ ଘେରେ ବୁଲି ନ ଆସିଲେ , ତାଜା ନଈକୂଳିଆ ପବନ ପେଟେ ନ ଖାଇଲେ , ଫଳନ୍ତି ଆମ୍ବ ଗଛକୁ ଥରେ ନଜର ନ ପକେଇଲେ, ମା'ଙ୍କଡ ମାନଙ୍କୁ ବାଟୁଳିଖଡ଼ା ନ ଦେଖେଇଲେ, ଫୁଲ ଚାଙ୍ଗୁଡିଏ ନ ତୋଳିଲେ, ଲଗେଇ ଥିବା ଫୁଲ-କଦଳୀ ଗଛରେ ପାଣି ଦୁଇ ଚାରି ବାଲତି ନ ଢ଼ାଳିଲେ ସିଂହ ବାବୁଙ୍କୁ ଭଲ ଲାଗେନା । ଅଭ୍ୟାସରେ ପଡିଗଲାଣି । ଅସ୍ଥି ମଜ୍ଜା-ଗତ ହେଇ ଗଲାଣି ।

ସମୟକୁ ସଦୁପଯୋଗ କରିବା ସିଂହ ବାହୁଙ୍କର ଅନ୍ୟ ଏକ ମହନୀୟ ଗୁଣ । ପ୍ରକୃତି ସହିତ ସମୟ ବିତେଇବା, ଗଛ ଲଗେଇବା, ଫୁଲ -ଫଳ ସହିତ କଥା ହେବା , ଶାଗ- ପଟାଳୀ ବନେଇବା ଇତ୍ୟାଦି ସାରଙ୍କର ପ୍ରକୃତିପ୍ରେମର ଜ୍ଵଳନ୍ତ ନିଦର୍ଶନ । ମାଟି ସହିତ ଦୈନନ୍ଦୀନ ଜୀବନରେ କିଛି ସମୟ ବିତେଇଲେ ତାଙ୍କୁ ମାଟିର ମଣିଷ ବୋଲି ବିଶ୍ୱାସ ହୁଏ ବୋଧେ ।

ଅନ୍ୟ ଦିଗଟି ହେଲା ସାର୍ ଅନେକ କଦଳୀ ଗଛ ଲଗେଇଛନ୍ତି - କାଠିଆ- ବନ୍ତଳ - କଂଚା-ପାଟିଆ ଇତ୍ୟାଦି । ପଥୁରିଆ - ପାହାଡିଆ ଅଞ୍ଚଳ ହୋଇଥିଲେ ହେଁ କୋଦାଳ-କୋଡ଼ିରେ ଖୋଳି , କୁଇଣ୍ଟାଲ କୁଇଣ୍ଟାଲ ପଥର ସବୁକୁ ବାହାର କରି କଦଳୀ ଗଛ ଲଗେଇଥାନ୍ତି ବର୍ଷା ଋତୁରେ । ଶରତ - ହେମନ୍ତ ଆସୁ ଆସୁ କାନ୍ଧି ପରେ କାନ୍ଧି । କାର୍ତ୍ତିକ ମାସ ବେଳକୁ ବିଦ୍ୟାଳୟ ପରିସରରେ ସବୁ କ୍ଵାଟରରେ ସିଂହ ବାବୁ ଲଗେଇ ଥିବା କଦଳୀଗଛର ଭଣ୍ଡା- ମଞ୍ଜା, କଂଚା-ପାଚିଲା କଦଳୀର ପସରା । ସମସ୍ତେ ଧନ୍ୟବାଦ ସାଧୁବାଦ ଦିଅନ୍ତି । ସିଂହ ସାରେ ଆମର ଖୁସିରେ କୃତ୍ୟ କୃତ୍ୟ । ତାଙ୍କ ଗହଳ ନିଶ ତଳୁ ବର୍ଦ୍ଧିତ ବିଷ୍ଫାରିତ ହଳେ ଚିବୁକ ଅୟୁତ ନିୟୁତ ଟଙ୍କାର ମନେହୁଏ ।

ଆମିଷ - ପ୍ରୀୟ ସିଂହ ପରିବାର ପ୍ରାୟ ରବି-ବୁଧ-ଶୁକ୍ରବାରରେ କଦଳୀପତ୍ରରେ ଭୋଜନ କରନ୍ତି ସପରିବାର । ମାଛ- ମାଂସର ସୁସ୍ଵାଦୁ ମସାଲା ଯୁକ୍ତ ଖାଦ୍ୟ ଉଦରସ୍ଥ ପରେ ଥାଳି-ଗିନା ମାଜିବାରେ, ତୈଳଯୁକ୍ତ ତେଲଚିକିଟା ତତ୍ତ୍ଵକୁ ଛଡେଇବାରେ ବହୁ ସମସ୍ୟା ଉଦ୍ରେକ ହେତୁ କଦଳୀପତ୍ର ଭୋଜନ ଓ ଶେଷରେ ଡିଷ୍ଟବିନ କ୍ଷେପଣ ନୀତି ପରିବାରରେ ଶାନ୍ତି ସ୍ଥାପନର ଏକ ମହାର୍ଘ -ଅମୋଘ ପ୍ରୟୋଗାତ୍ମକ ସଫଳତାକୁ ସିଂହ ବାବୁ ସାଂଗ ମହଲରେ ଚଟୁଳତାର ସହିତ ବହୁବାର ବଖାଣି ବସନ୍ତି ।

ସାରେ ଦକ୍ଷିଣ ଭାରତରେ କିଛି ବର୍ଷ ଚାକିରୀ କରିଥିଲେ ଆନ୍ଦ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ପେଦ୍ଦାପୁରମ୍ ବ୍ଳକରେ ଅବସ୍ଥିତ ବିକାଶ ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟରେ ଆଦ୍ୟ ଯୌବନରେ। ସେହି ଦିନରୁ କଦଳି ଗଛ ପ୍ରେମରେ ପଡିଛନ୍ତି ଯେ ପଚାଷ ଟି ବସନ୍ତ ବିଦିଯାଇଥିଲେ ବି ସ୍ମୃତି ଆଜି କଦଳୀ ବାହୁଙ୍ଗାର ଲହ ଲହକା ପତର ବଙ୍କା ମଝିରେ ସିଂହ ସାରଙ୍କର ଲାଜୁଆ ଚାହାଣୀ ଉଜାଗର କରିଦିଏ ।

କିନ୍ତୁ ପଚାରିଲେ ମୁରୁକି ହସି କହନ୍ତି , ମାଙ୍କଡ଼ ମାନଙ୍କ ଉପଦ୍ରବ ଯୋଗୁଁ, ବାନରସେନାର ଦୈନିକ ଉତ୍ପୀଡନ ଯୋଗୁଁ କିଛି ପନିପରିବା - ସାଗ - ଲଙ୍କା ନ ହେବାରୁ ସେ ଦେଖିଲେ କଦଳୀ ହିଁ ଉତ୍ତମ ପନ୍ଥା । ସହଜ ସୁଲଭ ମାଧ୍ୟମ । କାରଣ ମର୍କଟ ବାହିନୀ ତାଙ୍କ ଚରିତ୍ରଗତ ଆଚାର ବ୍ୟବହାର କରିବେ । ଅତଏବ ସେ ତାଙ୍କ ପ୍ରକୃତିବନ୍ଧୁତାକୁ ବିସର୍ଜନ କରିବେ ବା କାହିଁକି ? ସସାଗରା ଧରା ସମସ୍ତଙ୍କର ପରା । ପୁଣି ମାଙ୍କଡ଼ମାନେ ତ ଆମର ପୂର୍ବଜ ବଂଶଜ ।

ଘରେ କିନ୍ତୁ ସମସ୍ତେ ଅସନ୍ତୁଷ୍ଟ । ସାନ ପୁଅ ବେଳେ ବେଳେ କହେ - "ବାପା ! ତୁମେ ତ କଦଳୀ ବାଣ୍ଟୁଛ ଖାଲି । ଏତେ କଷ୍ଟ କରି ସକାଳୁ - ସଞ୍ଜ ପାଣି ଢ଼ାଳୁଛ କାହିଁକି , ଝାଳ-ନାଳ ହେଉଛ କାହିଁକି , ଧଇଁସଇଁ ହୋଇପଡ଼ୁଛ କାହିଁକି ? "

"ବଡ଼ ହେଲେ ବୁଝିବୁ " କହି ସିଂହ ବାବୁ କଥାକୁ ଏଡେଉ ଦିଅନ୍ତି ।

ଗଛ ପଛରେ ପଡିଥାନ୍ତି ଅହିଃର୍ନିଶ । ସବୁଜ ମାୟାରେ ମୋହାଛନ୍ତ । କାହାର କଟାକ୍ଷ ତାଙ୍କ କାନ ପାଖରେ ପହଞ୍ଚିଲେ ବି ଦେହକୁ ନିଅନ୍ତି ନାହିଁ ସାରେ । ବଡ଼ ପୁଅ କହିବାକୁ ପଛାଏ ନାହିଁ - 

"ବାପା ! ତମେ ଯେତେ ଶ୍ରଦ୍ଧା - ସରାଗରେ କଦଳୀ ଗଛ ପାଇଁ ପାଗଳ , ଯଦି ପାଠ ପଢ଼ା ସମୟରେ ଏଥିରୁ କିଂଚିତ ଅପଚୟ କରିପାରିଥାନ୍ତି , ତା'ହେଲେ ମାଷ୍ଟର ନ ହୋଇ ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ନିଶ୍ଚିତ ହୋଇପାରିଥାନ୍ତ। ଆମକୁ ଏମିତି କ୍ଷୁଦ୍ରାତିକ୍ଷୁଦ୍ର କ୍ଵାଟର ବଦଳରେ ବିଶାଳ ଚାରି ବେଡ଼ରୁମ ଆଟାଚ ବାଥରୁମ ଭଳିଆ ସଦନ-ଭବନରେ ରହିବାକୁ ମିଳିଥାନ୍ତା ।" 

ସାରେ ନିରୁତ୍ତର ରୁହନ୍ତି । ଯେମିତି ତୁଣ୍ଡରେ କି'ଏ ତାଲା ପକେଇଦେଲା । କାନମୁଣ୍ଡା ଆଉଁସି ଆଉଁସି ଆଉ ବାଲତିଏ ପାଣି ଆଣିବାକୁ ଯାଉ ଯାଉ ଭାବନ୍ତି ପୁଅ ଷୋହଳ ଅଣା ସତ କଥା କହୁଛି ତ । ଉଦଳା ହାଇସ୍କୁଲ ହେଉ କି ଭଦ୍ରଖ-ରେଭେନସା କଲେଜ ହେଉ , ଲଗାମ ଛଡ଼ା ଇନ୍ଦ୍ରଧନୁଷୀ ଜୀବନଚର୍ଯା ଭିତରେ ଭବିଷ୍ୟତ ପାଇଁ ଚିନ୍ତନ କରିବାକୁ ବେଳ କାହିଁ ?

ଖରାଦିନ ଆସନ୍ତେ ଗ୍ରୀଷ୍ମ ଦୁର୍ବାସାର ପ୍ରାବଲ୍ୟ ପ୍ରହାର । ଗରମ ଗୁଳ୍ମଗୁଳି ସାଂଗକୁ ତତଲା ଝାଞ୍ଜି ପବନରେ ତରୁ- ତୃଣ, କୀଟ-ପତଙ୍ଗ ସମସ୍ତେ କଲବଲ । ସିଂହ ବାବୁ ଦେଖନ୍ତି କଅଁଳିଆ କଦଳୀ ପତ୍ର ସବୁ ସିଝି ଯାଉଛି , ସବୁଜ ଦେହରେ ଶୁଖିଲା ଶୁଖିଲା ଦାଗ ଦିଶୁଛି , ପତ୍ରପୋଡା- ପତ୍ରମୋଡା ରୋଗ ପରି ଚିହିଁକି ଫୁଟି ପଡୁଛି ।

 ମନରେ ଗଭୀର କଷ୍ଟ ଅନୁଭବ କରନ୍ତି । ବେଶି ବେଶି ପାଣି ଢାଳନ୍ତି । ସକାଳୁ- ସଂଜରେ ଦୁଇ ବାଲତି ଦୈନିକ ସବୁ ଗଛ ମୂଳରେ । ପତିଦେବଙ୍କର ଗଳଦଘର୍ମ କଷ୍ଟ ସହି ପାରନ୍ତିନି ଶ୍ରୀମତୀ । ପାଟିରୁ ଖସେଇ ଦିଅନ୍ତି - 

" କଦଳୀ ଗଛରେ କି'ଏ ପାଣି ଦିଏ କେଜାଣି ? କାମ ନ ଥିବା ଲୋକର ବାରବାଟି ଚାଷ । ବସି- ଶୋଇ-ଖାଇ ଭାତ ହଜମ ହେଉନି ତ ! ପୁଅଙ୍କୁ ଟିକିଏ ପାଖରେ ବସେଇ ପାଠ ପଢ଼େଇ ଦେଲେ ହୁଅନ୍ତାନି ।"

ଭାଷଣ ସରେନି ଏତିକିରେ । ପୁଣି ଆରମ୍ଭ ହୋଇଯାଏ--

 "କୁଆଡ଼ୁ ଆସିଲା ସତ୍ୟାନାଶି କରେ।ନା , ଅନ୍ ଲାଇନ କ୍ଲାସ ଆଉ ଗୋଟେ ଗୋଟେ ମୋବାଇଲ , ହାତକୁ କାମ ମିଳିଗଲା ପିଲାଙ୍କୁ, ନିକମ୍ମା କରିଦେଲା, କୁଠିଆ କରିଦେଲା । "

"ଛୁଟି ପଡିଛି । ଘର କାମରେ ସାହାର୍ଯ୍ୟ କରିଲେ ହୁଅନ୍ତାନି । ଅନ୍ୟ ସାର୍ ମାନେ ଝାଡୁ-ପୋଛା, ପରିବା କଟା , ଭାଲମା-ସନ୍ତୁଳା ଠୁଁ ଆରମ୍ଭ କରି ବାଳ ରଙ୍ଗ କରିବା ପର୍ଯ୍ୟନ୍ତ ଅଣଗିନତ ଛୋଟ-ବଡ଼ କାମ-କାର୍ଯ୍ୟରେ ହସି-ଖୁସି ପାଖେ ପାଖେ ମୁଁହକୁ ଯୋଡି-ଘସି ଘର ସଂସାର ଚଳେଇଛନ୍ତି । କରେ।ନା କାଳରେ ସସାଗରା ଧରା ଭୀତତ୍ରସ୍ତ ଥିଲେ ହେଁ ସେମାନେ କେତେ ପ୍ରକାର ନୂତନ ଆବିଷ୍କାର - ଭଦ୍ଭାବନ କରି ଚାଲିଛନ୍ତି । ଆଉ କ'ଣ ବା କହିବି ? "

"ସ୍କୁଲ ଥିଲା , ପିଲାମାନେ ହଷ୍ଟେଲରେ ଥିଲେ, ମିଟିଙ୍ଗ - କ୍ଲାସ ଥିଲା । ଅଧୁନା କିଛି ନାହିଁ । କ'ଣ ନା କଦଳୀ ଚାଷ , ଘରକାମ ନ କରିବାର ଗଳିବାଟ , ଉର୍ବର ମସ୍ତିସ୍କର ଉନ୍ନତ କଳ୍ପନା, ସୁନିୟନ୍ତ୍ରୀତ ଯୋଜନା , କରୋନା ପରିଯୋଜନା ।"

ଏମିତି କଥା ସବୁ ତୀକ୍ଷଣ ଛୁରିକା ପରି ସିଂହ ବାବୁଙ୍କ ମନତନ୍ତ୍ରୀକୁ ବିଦ୍ଧ କରେ , କ୍ଷତ ବିଷତ କରେ, ଖଣ୍ଡିଆ ଖାବରା କରେ ବ୍ୟକ୍ତିସତ୍ତାକୁ ପ୍ରକୃତି ମିତ୍ରତାକୁ । ଭାବନ୍ତି କାଲି ଠାରୁ କଦଳୀ ଚାଷ ବନ୍ଧ , ପୂରା ସଟ୍ ଡାଉନ୍ , ପୂରା ଲକ୍ ଡାଉନ୍ । 

ସକାଳ ହୁଏ , ସୂର୍ଯ୍ୟ ଉଇଁଆସେ ପୂର୍ବ ଦିଗରେ ସବୁ କଳୁଷିମାର ଅନ୍ତ ଘଟେ । ପରନ୍ତ ସିଂହ ବାବୁଙ୍କ ମାନସ ମନ୍ଥନରେ ସ୍ଥିରତ ଶିଥିଳତା ଅନୁଭବ କରନ୍ତି ।

ସିଂହ ବାବୁ କିନ୍ତୁ ରାତ୍ରିର ନିଷ୍ପତ୍ତିରେ ଅଟଳ ଅଚଳ ରୁହନ୍ତି । ସିଂହ ବାବୁ ଟି । ମରଦ ପୁଅଟି । କଥା ବହୁତ ବାଧେ । ଦରଦ ହୁଏ । କଦଳୀ ଚାଷ କରିବ କାହିଁକି ଆଉ କଟାକ୍ଷ ଶୁଣିବ କାହିଁକି ? ଲହୁ ଲୁହାଣ ହେବ ବା କିସ ପାଇଁ ? ଯାହା ହେଲା ହେଲା । ବାକ୍ୟ ବାଣ ସହିବାକୁ ଧୌର୍ଯ୍ୟ ନାହିଁ ବୀର ଧମନୀରେ ପୁଣି ବୟସର ଅପରାହ୍ନରେ । 

ମନରେ ପୁଣି ଭାବାନ୍ତର । କଦଳୀ କିଏ ଖାଉଛି ଘରେ । ପୁଅ ଦୁଇଜଣଙ୍କୁ ବର୍ଷସାରା ଥଣ୍ଡା । ପାଚିଲା କଦଳୀ ମନା କରିଛନ୍ତି ଡାକ୍ତର । ଶ୍ରୀମତୀଙ୍କର ହୋମିଓପାଥି ଚିକିତ୍ସା ଚାଲିଛି ଦୀର୍ଘ ଦିନରୁ । ଖଟା, ଆମ୍ବିଳ ଯୁକ୍ତ ଦହି-କଦଳୀ- ଆଚାର ମନା । 

କଦଳୀ ଖାଇବା ଲୋକ ସେ ହିଁ ଜଣେ । କିଣି ଆଣିବେ । ବର୍ଷସାରା ପାଣି ଦେବେ ଖାଲି ବାଣ୍ଟିବା ପାଇଁ । ସକାଳ-ସଂଜ ବାଲତି ପରେ ବାଲତି ପାଣି ଢାଳି ତାଳି ହାତ ଫଳି ପକାଇବେ , ପରିଣାମ ସହକର୍ମୀମାନେ ଭୋରି ଭୋଜନ କରିବେ । ମିଳିବ ପଦିଏ ଫପା ସ୍ମିତହାସ୍ୟ ବା ଧନ୍ୟବାଦର ଚେନାଏ ପସରା । ଆ --- ଥୁ--- ଥୁ--- I

ଏତେ ଗଭିରକୁ ଉଣ୍ଡି ନ ଥିଲେ । ଏତେ ଭିତରକୁ ଚାଷ କରିନଥିଲେ । ଦିବ୍ୟଚକ୍ଷୁ ଫେରି ପାଇଛନ୍ତି । ବିନା କାରଣରେ ଶରୀରର ଝାଳ ବୁହାଇ ଚାଲିଥିଲେ । ବୋକା-ମୁର୍ଖ- ମଫ କେଉଁଠିକାର । ଡେରିରେ ହେଉ ବରଂ ଶ୍ରୀମତୀଙ୍କର ବକ୍ରୋକ୍ତି ଚର୍ମଚକ୍ଷୁ ଆଗରେ ଥିବା କଳା ପରଦା ହଟେଇ ଦେଉଛି । ବୁଢୀଆଣୀ ଜାଲ ରୂପୀ ଅମା-ଅଳନ୍ଧୁ ଅପସରି ଯାଇଛି ।

ଏହି ସମୟରେ ସଦ୍ୟ ସ୍ବର୍ଗାରୋହଣ କରିଥିବା କାଳଜୟୀ କଥାକାର ଓଡ଼ିଆ ଗଳ୍ପ ସାହିତ୍ୟର ବିଷ୍ଣୁଶର୍ମା ମନୋଜ ଦାସଙ୍କର ରଚନାବଳୀ ପଠନ କଲେ କରୋନା କାଳୀନ ତ୍ରସ୍ତ ମନକୁ ଇଶ୍ଵରୀୟ ମହାମାନବୀୟ ବିଭୁସତ୍ତାରେ ବିଭୋର କରାଯାଇପାରିବ । ଆମାଜନ୍ - ପ୍ଲିପ କାର୍ଟ ରେ ପୁସ୍ତକ ସପ୍ତାହ ଗ୍ରେଟ ଡିସ୍କାଉଣ୍ଟ ସେଲ ଲାଗିଛି , କିଛି ମୋଟିଭେସନାଲ ବେଷ୍ଟ ସେଲିଙ୍ଗ ବହି ଘାଣ୍ଟି ଦେଲେ ଆହୁରି ଜବରଦସ୍ତ ହୁଅନ୍ତା । କିତାବ ମହଲ ପବ୍ଲିକେଶନ, ନୂଆ ଦିଲ୍ଲୀ, +୨ ଏକାଉନଟେନସି ବହି ଲେଖିବା ପାଇଁ ଦୀର୍ଘ ଦୁଇ ମାସ ହେଲା ପଛରେ ପଡିଛି, ଆରମ୍ଭ କରିହେବ । 

ଏମିତି କେତେ ପ୍ରକାର କିମ୍ଭୁତ କିମ୍ଭାକାର ଚିନ୍ତା ଚେତନାର ଚିତ୍ରାହାର ଆଖି ଆଗରେ ଆଈମା କାହାଣୀମାଳା ପରି ଅସରନ୍ତି ଲାଗୁଥିଲା । 

ସତରେ ମନ-ମଗଜକୁ ମାନିବାକୁ ପଡିବ । ଉର୍ବର ମସ୍ତିସ୍କକୁ ସାବାସି ଦେବାକୁ ହେବ । ସିଂହ ବାବୁ ନିଜ ଚିନ୍ତା ଚଇତାଳିକୁ , ସ୍ଵ-ବନ୍ଦନାର ରାଶି ଗାଣି ଭାବନା ସବୁକୁ ମନେ ମନେ ହେଜି କଦଳୀଗଛମାନଙ୍କ ପାଖରେ ପହଞ୍ଚି ଗଲେଣି ଜାଣି ପାରିନାହାନ୍ତି । ଅଭ୍ୟାସ ପଡ଼ି ଯାଇଥିଲା । ପାଦ ଦ୍ବୟ ଆପେ ଆପେ ଯନ୍ତ୍ରଚାଳିତ ରୋବଟ୍ ପରିକା ପଳେଇ ଯାଇଛନ୍ତି ।

 ହଠାତ୍ କାହାର କଅଁଳ ପରଣ ଅନୁଭବ କଲେ । ସତେ ଯେମିତି କିଏ ମଥା ଉପରେ ଆଶିର୍ବାଦର କୁଢ କୁଢ ପସରା , ଅଭୟ ହସ୍ତର ସାହାରା, ବରାଭୟ କର କମଳର ଇସାର ଢ଼ାଳି ଦେଉଛି । 

ପଛକୁ ଫେରି ଚାହିଁଲେ । ବୁଲି ପଡିଲେ ସହସା ସାରେ। କେହି ନାହିଁ । ଆଖିରେ ପଡିଲା କଦଳୀ ବାହୁଙ୍ଗା ଟିଏ ପବନର ହିଲ୍ଲୋଳରେ ହଲି ଦୋହଲି ସଂଖୋଳି ପକଉଛି । ରାଗିଛି ବୋଲି, ରୋଷିଛି - ମୁଁହ ଫୁଲେଇ ପାଣି ଆଜିକାଲି ହେଉନି ବୋଲି ମୋର ମାନ ଭଞ୍ଜନ ପାଇଁ ଯତପରୋନାସ୍ତି ଚେଷ୍ଟା ଚଲେଇଛି ।

ଏକବିଂଶ ଶତାବୀର ମଣିଷ ଫୁଗବ ସିଂହ ବାବୁ ! ସ୍ନାତକୋତ୍ତର ଶିକ୍ଷିକ- କମର୍ଷ ୨୦୦୧ ମସିହାରୁ ନବୋଦୟ ବିଦ୍ୟାଳୟ ସମିତିରେ। ଗୁଜୁରାଟ- ଛଡ଼ିଶଗଡ଼ ପରେ ଓଡ଼ିଶାରେ ପାଦ ଦେଇଛନ୍ତି । ପାଦେ ପାଦେ ଆଗେଇ ଚାଲିଲେ । ପାହୁଣ୍ଡ ପକେଇ ଗୀତ ଗୁଣୁଗୁଣେଇ ଆଗେଇଲେ । 

ଏକ ନୁହେଁ ଦୁଇ ନୁହେଁ ଅନେକାନେକ କଦଳୀବାହୁଙ୍ଗା ମୋ ଆଗରେ ମୋ ପଛରେ ପଙ୍ଖା ବିଞ୍ଚି ଆଲଟ ଚାମର ମୁଦ୍ରାରେ କୌଣସି ରାଜା ମହାରାଜାର ସମ୍ପର୍ଦ୍ଧନା କରୁଛନ୍ତି , ଆଦର ଅଭ୍ୟର୍ଥନା କରୁଛନ୍ତି । କଅଁଳ ପତ୍ରର ପରଶ ପିଠିରେ , ଗାଲରେ , ହାତରେ ଅପୂର୍ବ ସିହରଣ ସୃଷ୍ଟି କରୁଥାଏ ସତେ ଯେମିତି ରାଗି-ରୋଷି ନ ଖାଇଲେ ମା' କେମିତି କୋଳେଇ କଅଁଳେଇ ଗେହ୍ଲେଇ ସ୍ନେହ କରୁଛି । 

ଭାବାନ୍ତର ସୃଷ୍ଟି ହେଲେବି ସିଂହ ବାବୁ ନେଇଥିବା ସିଦ୍ଧାନ୍ତରୁ ଓହରିବାକୁ ଚାହୁଁ ନ ଥାନ୍ତି । ମନ କୁ ମନ କହି ବସନ୍ତି । ଚଳଚଞ୍ଚଳ ବ୍ୟକ୍ତିତ୍ଵ । ଜୀବନରେ ପଚାଷ ପାବଚ୍ଛ ଚଢି ସାରିଥିଲେ ବି ପରିପକ୍ଵତା ସ୍ଥିତପ୍ରଜ୍ଞତା କ'ଣ ଆସିବନି ? ନା-- ନା-- ହେବନି ।

ଫେରିଆସିଲେ ସିଂହ ବାବୁ ପ୍ରାତଃ ଭ୍ରମଣରୁ । ଦୀର୍ଘ ସପ୍ତାହେ ପଯ୍ୟନ୍ତ କଦଳୀଗଛ ରାସ୍ତା ପାଖକୁ ଗଲେ ନାହିଁ । ନଜର ପକେଇ ଦିଅନ୍ତି , ବିହଙ୍ଗାଲୋକନ କରି ବସନ୍ତି ଦ୍ଵରତ୍ଵରୁ ସାରେ । ମନ ଆନ୍ଦୋଳିତ ହୋଇଉଠେ , ଅନନ୍ତ କାଳର ସମ୍ପର୍କ- ଦୀପଶିଖାଟି ଜଳି ଉଠେ । ନିଜ ହାତରେ ଲଗେଇ - ବଢେଇ ଥିବା ସନ୍ତାନ ସନ୍ତତିମାନଙ୍କର ଡହଳ ବିକଳ ଚେହେରା ଆଖି ଆଗରେ ନାଚି ଉଠେ । ସନ୍ତାପିତ କରେ।ନା ରୋଗୀମାନେ ଅମ୍ଳଜାନ ଅଭାବରୁ ଯେମିତି ମୃତ୍ୟୁ ସହିତ ସଂଗ୍ରାମ କରୁଥିବାର କରୁଣ ଚିତ୍ର ଟିଭି- ସୋସିଆଲ ମିଡ଼ିଆ- ଖବର କାଗଜରେ ଦେଖିବା ଭଳି ମନେହେଲା । ପାଣି ନ ପାଇ କଦଳୀ ଗଛ ସବୁ କେମିତି ଅଧାମରା ଦିଶିଲେଣି ।

ଶୋଚନା- ଅନୁଶୋଚନାର ତାଡନା ବାରମ୍ଵାର ବିବେକକୁ ଦଂଶୁ ଥିଲେ ବି , ସିଂହ ବାବୁ ଚୁପ୍ ଚାପ୍ ରହିଯାନ୍ତି । ଅନ୍ତର କାନ୍ଦୁଥିଲେ ବି ବାହାରକୁ , ପରିବାର ଲୋକଙ୍କ ସହିତ ଆମୋଦ- ପ୍ରମୋଦ , ବାକ୍ୟ ଆଦାନ - ପ୍ରଦାନରେ ତିଳେ ମାତ୍ର ଆଭାସ ଦିଅନ୍ତି ନାହିଁ । କାଳେ ପରାସ୍ତ ହୋଇଯିବେ କି ? ପିଲାମାନେ ପଳାୟନପନ୍ଥି ଭାବି ବସିବେ କି ? ସହଧର୍ମିଣୀ ତାଙ୍କୁ ଦୁର୍ବଳ ଶ୍ରେଣୀର ଅମେରୁଦଣ୍ଡୀ , ଭିରୁ ପ୍ରଜାତିର ଡରୁଆ-ଛେରୁଆ - ତରବରିଆ- ହରବରିଆ ବର୍ଗର ଆକାଳକୁଷ୍କାଣ୍ଡୁ ଅପାରଗ ବାଲି ଭାବିନେଵ କି ? ତାଙ୍କ ଭାଇ- ଭଉଣୀ ମାନଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଫୋନ ମାଧ୍ୟମରେ ମୋର ଢିଲମଢିଲା ବ୍ୟକ୍ତିତ୍ଵର ଡିଣ୍ଡିମ ହାଙ୍କି ଦେବ କି ? ସାତ ପୁରୁଷର ସିଂହ ବଂଶର ଆଭିଜାତ୍ୟ ଅବିଳମ୍ବେ ପଦାନତ ହେବ ହିଁ ହେବ । 

ଏଇମିତି ଦ୍ୱିତୀୟ ସପ୍ତାହ ବି ଗଡିଗଲା । କଦଳୀବଣ ପାଣି ଟୋପେ ନ ପାଇ ଶ୍ରୀହୀନ ଦିଶିଲେ । ବାହୁଙ୍ଗାମାନ ଆପେ ଆପେ ଦୁଃଖରେ ମୁହ୍ୟମାନ ହୋଇ ଭାଂଗି ପଡିଲେ । ନହକି ଗଲେ ଯେମିତି । ବର୍ଦ୍ଧିତ ହସ୍ତ ସମସ୍ତଙ୍କୁ ବିଶ୍ରାମ ମୁଦ୍ରାରେ ରଖି ଶୋକ ବର୍ଷଣ କରୁଥିଲେ । କାଳବୈଶାଖିର ଘଡ଼ଘଡ଼ି ଚଡ଼ଚଡ଼ି ତୁମ୍ଭୀ ତୁଫାନ ଆସୁଥିଲେ ବି କୁଣ୍ଡା ଝଡ଼ା ଦେଇ ଉଭାନ ହୋଇଯାଉଥିଲା। ଗରମ ସାଂଗକୁ ମୁଣ୍ଡଫଟା ଟାଆଁସିଆ ଖରାର ଲହଲହ ତାଣ୍ଡବଲୀଳା ଦିନକୁ ଦିନ ବଢି ଚାଲିଥାଏ । 

ରାତ୍ରି ଭୋଜନ ଉପରାନ୍ତେ, ଶୟନ ସମୟାନ୍ତେ ସିଂହ ବାବୁଙ୍କୁ ଏକାନ୍ତ ସମୟ ମିଳିଯାଏ ଚିନ୍ତା କରିବାକୁ । ଆଉ ଏହି ଦୁଇ ସପ୍ତାହ ଭିତରେ କଦଳୀଗଛ ମାନଙ୍କ ପ୍ରତି ବୈମାତ୍ରିକ ଭାବ ଭଚିତ କି , ଅନୁଚିତ କି, ଦ୍ଵନ୍ଦର ଗୋଲକଧନ୍ଦା ମଧ୍ୟରେ ପେଶି ହୋଇ ଚାଲିଥାନ୍ତି ।

ମନ ବଳୟକୁ ହଠାତ୍‌ ବିଶ୍ଵ ପ୍ରସିଦ୍ଧ ଉଭିଦ ବିଜ୍ଞାନୀ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କର କ୍ରେକଶୋଗ୍ରାଫ ସମ୍ବନ୍ଦୀୟ କଥା ବି ଆସିଲା । ଗଛମାନେ ମଣିଷ ମାନଙ୍କ ଭଳି ସ୍ନେହ- ପ୍ରେମ, ରାଗ- ଅଭିମାନ, ଇର୍ଷା- ଦ୍ବେଷ , ନମ୍ର- ବିନୟ, ଦୟା-ସେବା ପ୍ରଭୃତି ଅନେକ ଗୁଣ ସବୁ ପରିପ୍ରକାଶ କରିଥାନ୍ତି । ପରିବେଶକୁ ସନ୍ତୁଳିତ କରିବାରେ ମନୁଷ୍ୟର ମସ୍ତିସ୍କ ତଥା ଜୀବନ ଶୈଳୀ, ନିତିଦିନିଆ ଜୀବନଧାରା ଉପରେ ଗଭୀର ରେଖାପାତ ପୂର୍ବକ ମଣିଷକୁ ପରିବେଶର ବିନାଶକାରୀ ଦିଗରୁ ଦ୍ୱରେଇ ରଖିବାକୁ ଚେଷ୍ଟା କରନ୍ତି । ପାଦପ ଜଗତ ହେଉଛି ନିଃସ୍ଵାର୍ଥପର ବଂଧୁ ମଣିଷ ସମାଜର ନୁହଁ ବରଂ ସଂପୂର୍ଣ୍ଣ ଜୀବମଣ୍ଡଳର । କେବେ କିଛିଆଶା କରେନା ପ୍ରତିଦାନରେ । ସ୍ଵାର୍ଥ ସର୍ବସ୍ଵ ମଣିଷ ସମାଜ ଠାରୁ ବୃକ୍ଷ ସମାଜ ବହୁତ ଭଚ୍ଚରେ ଉର୍ଦ୍ଧରେ ସର୍ବୋଚ୍ଚ ଶିଖରରେ ।

ହାଏରେ କରୋନା ଗ୍ରସ୍ତ , ଅମ୍ଳଜାନ- ନ୍ୟସ୍ତ ମଣିଷ ଜାତି ! କେବେ ଶିଖିବ ବୃକ୍ଷଜାତି ପାଖରୁ ଗୋଟିଏ ଅ6ଧ ମହନୀୟ ମହାନତା ? 

ସକାଳ ଜଳଖିଆ ପର୍ବ ସରୁସରୁ ଦିନ ନଅଟା ବାଜିଗଲା । ଶ୍ରୀମତୀ ତଥା ପିଲାମାନେ ଚିନ୍ତାରେ । ସିଂହ ବାବୁ ତଥାପି ନିଦ୍ରା ଦେବୀଙ୍କ କୋଳରେ । ବାପାଙ୍କ ଦେହ ଭଲ ନାହିଁ ବୋଧେ । ନିଦ ହେଉନି ବାପାଙ୍କୁ । ସମସ୍ତେ ଉପନୀତ ହେଲେ ଯେ କଦଳୀଗଛ ପ୍ରୀତି ପାଇଁ ଆମ୍ଭମାନଙ୍କର ଦୈନିକ ଭର୍ସନା ତାଙ୍କ ନିଦ୍ରା-ତନ୍ଦ୍ରାରେ ବ୍ୟାଘାତ କରୁଛି ନିଶ୍ଚୟ । 

ଅଳ୍ପକ୍ଷଣ ଅନ୍ତେ ସାରେ ଶର୍ଯ୍ୟା ତ୍ୟାଗ କଲେ । ଦର୍ଶନ କରନ୍ତେ ସମୟ ଦଶଟା ପାଖାପାଖି ରାଗରେ ଅଗ୍ନିଶର୍ମା । ଶବ୍ଦର ଘୋର ଗର୍ଜନ ତର୍ଜନ ଆରମ୍ଭ -- 

"କେହି ଉଠେଇ ପାରିଲନି ମୋତେ । ପ୍ରାତଃ ଭ୍ରମଣ ଅଭ୍ୟାସଟା ବି ସରିଲା । କଦଳୀଗଛ ପାଣି ଦେବା ତ ସରି ଗଲାଣି କେବେଠୁଁ। ଲେଉଟିଆ ଶାଗ ଜଟିଆ ଛକରୁ ଆଣିବାର ଥିଲା । ବୁଢା ମଉସାଙ୍କୁ କହି ଆସିଥିଲି ଗତକାଲି । ବିଚରା ଜଗି ବସିଥିବ କେତେ ବେଳ ଯାଏ । ଗୁରୁବାର ଲକ୍ଷ୍ମୀବାରରେ ମାରା କରିଦେଲ । କ'ଣ ଚାଲିଛି ସବୁ ? 

ଏଲି -- ଏଲି -- ଏମିତି କହି -- ଚିଲ୍ଲେଇ ଚାଲିଲେ । କିଛି ଉତ୍ତର- ପ୍ରତ୍ୟୁତ୍ତର ନାହିଁ । ଅନ୍ୟ ସମୟରେ ହୋଇଥିଲେ ଗର୍ଜନ- ତର୍ଜନ ସହିତ ଅନ୍ୟ ଯୁଦ୍ଧାମାନେ ରଣାଙ୍ଗନରେ ଅବଶ୍ୟ ଉପସ୍ଥିତି ଜଣେଇ ସାରନ୍ତେଣି ।

ଘର ସବୁ ଦରାଣ୍ଡି ପକେଇଲେ । କେହି କେଣେ ନାହିଁ । ଅଗଣାକୁ ଚାହିଁଲେ । କାଉ- କୋଇଲିର ଶୋର-ଶବଦ ବି ନାହିଁ ।

ସବୁ ଗଲେ କୁଆଡ଼େ । ବାଡି ପଟକୁ ବାହାରି ଆସିଲେ । ଦେଖିଲେ ଶୋଭନୀୟ ଅବିଶ୍ୱସନୀୟ ଦୃଶ୍ୟ | ମା' - ପୁଅ ଦୁଇ ପାଇପ୍ ଲଗେଇ ପାଣି ମଡ଼େଇ ଚାଲିଛନ୍ତି କଦଳୀଗଛ ମୂଳେ ମୂଳେ ।

ଦୁଇ ଚାରି ଥର ଆଖିକୁ ପୋଛି ଦେଲେ ସିଂହ ବାବୁ । ହେଲେ ଆଖିକୁ ବାଁ ହାତରେ ମଳି-ଦଳି- ମକଚି ଦେଇ ଖୁସି ହେଲେ କି ଶ୍ରୀମତୀଙ୍କର ମାତୃତ୍ଵର ଧାବମାନ , ପୁତ୍ର ଦୟଙ୍କର ପ୍ରକୃତି ପ୍ରେମର ଜ୍ଵଳନ୍ତ ନିଦର୍ଶନ ତଥା ଦୁଃଖି କଦଳୀବଂଶର ଶୋକ ମୋଚନ ପର୍ବର ଅଖଣ୍ଡ ଦର୍ଶନ ।

ସମୂହ ଧାରାରେ ସିଂହ ବାବୁ ବି ଯୋଗ ଦେବା ଅଭିପ୍ରାୟରେ ବାଲତି ଧରି ମାଡି ଚାଲିଲେ ଦୈନନ୍ଦୀନ କର୍ତ୍ତବ୍ୟ ସଂପାଦନରେ ଯାହା ଦୁଇ ସପ୍ତାହରୁ ଛିନ୍ନ ଥିଲା । ଯାଉଯାଉ ଅନୁଭବ କରୁଥିଲେ କଦଳୀଗଛ ବାହୁଙ୍ଗାମାନଙ୍କର ଅଦୃଶ୍ୟ ହାତର ସ୍ନେହିଳ ପରଶ - ଆଶିର୍ବାଦର କୁହୁକ ରଙ୍ଗରସ ।


Rate this content
Log in

Similar oriya story from Inspirational