କୃଷ୍ଣ ପ୍ରିୟା ମହାପାତ୍ର

Tragedy Classics Others

3  

କୃଷ୍ଣ ପ୍ରିୟା ମହାପାତ୍ର

Tragedy Classics Others

ଅଦୃଶ୍ୟ ଝଡ଼

ଅଦୃଶ୍ୟ ଝଡ଼

5 mins
236


    ପ୍ରାୟ ତିରିଶ ପଇଁତିରିଶ ବର୍ଷ ତଳର କଥା।

ସେତେବେଳେ ପୁରୀ ସହରରେ ଲୋକ ସଂଖ୍ୟା ଟିକେ କମ ଥାଏ। ଲୋକ ପରସ୍ପରକୁ ଚିହ୍ନି ପାରୁଥିଲେ।ଆଉ ସେତେ ବେଳେ ସିଂହଦ୍ୱାର ପାଖରେ ବହୁତ ଭିକାରୀ ବସୁ ଥିଲେ।କିଏ ଭିକ୍ଷା କରି ଚଳୁ ଥିଲା ତ କିଏ ବସି କୀର୍ତ୍ତନ ଭଜନ କରି ଜଗନ୍ନାଥଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଥିଲା ।

   ପୁରୀର ବଡ଼ଶଙ୍ଖ ପାଖରେ ଆମ ଘର, ଆମେ ଯେତେବେଳେ ଭାଇ ଭଉଣୀ ସବୁ ସ୍କୁଲ ରେ ପଢୁଥାଉ ବୋଉ ସକାଳୁ ଉଠିଶୀଘ୍ର ରୋଷେଇ କରିଥାଏ। ନନାଙ୍କ ସହ ଆମେ ଦଶଟା ବେଳକୁ ଭାତ ଖାଇ ସ୍କୁଲ ଯାଉ ଆଉ ନନା ଅଫିସ ଯାଆନ୍ତି ସକାଳ ଆଠଟା, ସାଢେ଼ ଆଠଟା ବେଳକୁ ଗୋଟିଏ ବୁଢା ଲୋକ ଆମ ଘରକୁ ଆସି ଭାତ ମାଗିଥାଏ ।ସିଏ ଆସିଲା ବେଳକୁ ଆମର ରନ୍ଧା ଅଧାଅଧି ହୋଇଥାଏ। ପ୍ରାୟ ସମୟ। ଭାତ ବସିଥିବ କିନ୍ତୁ ଡାଲି କିମ୍ବା ତରକାରୀ ଗୋଟେ ଦି ଠା ହୋଇ ସାରିଥିବ।ବୁଢା ଲୋକଟି ଭିକ୍ଷା ମାଗେନି ଚାଉଳ କିମ୍ବା ପଇସା ଦେଲେ ନେବାକୁ ଏତେ ଆଗ୍ରହ କରେନି ।ତାର ଇଚ୍ଛା ଭାତ ଖାଇବାକୁ ତେଣୁ ବୋଉ ତାକୁ କହେ ଟିକେ ବସ ଏବେ ରୋଷେଇ ସରିଯିବ ଆଉ ଗରମ ଭାତ ଗଣ୍ଡେ ଖାଇବ।ବୁଢା କିନ୍ତୁ ରାଜି ହୁଏନି।ସିଏ କହେ ଝିଅ ପଖାଳ ଅଛି ଯଦି ମତେ ଦେଇ ଦିଅ ମୁଁ ନେଇ ଯିବି।

ବୋଉ କୁ ଭଲ ଲାଗେ ନାହିଁ ବୁଢା ଲୋକ ଟି ବାସି ପଖାଳ ଖାଇବ କାହିଁକି, ଗରମ ଭାତ ଗଣ୍ଡେ ଖାଆନ୍ତା।

ତାର କିନ୍ତୁ ବସିବାକୁ ଇଚ୍ଛାନୁହେଁ ସିଏ ଚାହେଁ ଭାତ ନେଇ ବଡ଼ଦାଣ୍ଡକୁ ଯିବ ଯେଉଁଠି ପାଣି କଳ ଥିବ ସେଠାରେ ଗାଧୋଇ ନୀଳଚକ୍ରକୁ ମୁଣ୍ଡିଆଟିଏ ମାରି ସେଇ ଭାତତକ ଖାଇ ଟିକେ ଶୋଇବ।ସଂଧ୍ୟା ବେଳେ ଯାଇ ସିଂହଦୁଆର ପାଖରେ ବସି କୀର୍ତ୍ତନ କରିବ।

  ଏତେକଥା ଜାଣିଲା ପରେ ବୋଉ ତାକୁ ଆଉ ଅଟକାଏନି ତାକୁ ପଖାଳ ତା ସହିତ ଯାହା ତରକାରୀ କିମ୍ବା ଡାଲି ଆଳୁ ସିଝା ଦେଇ ବିଦା କରେ।ଆଉ ସେଇ ପଖାଳରେ ତାର ଅତି ଆନନ୍ଦ।ଖାଲି ଆମ ଘର ନୁହେଁ ଏମିତି ଦୁଇ ଚାରୋଟି ଘର ସିଏ ଧରି ଥାଏ।ସପ୍ତାହ ସାରା ଏଘର ସେ ଘରେ ଖାଇ ତାର ଦିନ କଟି ଯାଏ।

  ସେଥିପାଇଁ ଆମେ ଭାଇ ଭଉଣୀ ତାକୁ ପଖାଳ ବୁଢା କହୁ।ସପ୍ତାହେ ନ ଆସିଲେ ବୋଉ ଆମର ଟିକେ ବ୍ୟସ୍ତ ହୁଏ କାହିଁକି ଆସିଲାନି ବୋଲି।

  --ବୁଢାକୁ ଦେଖିଲେ ଭାରି ଦୁଃଖ ଲାଗେ।

  -ଦୁର୍ବଳ ଶରୀର ସେଥିରେ ଧରିଥାଏ ଗୋଟିଏ ବଡ଼ ଗଣ୍ଠିଲି, ତାର ଯେତକ ନିତ୍ୟ ବ୍ୟବହାର ଜିନିଷ ସବୁ ତକ ସେଥିରେ ପୁରେଇ ଥାଏ।

ତାକୁ ଥରେ ବୋଉ କହିଲା ମଉସା ସବୁ ତକ ଜିନିଷ ଗଣ୍ଠିଲି କରି ବୋହୁଛ କାହିଁକି ଯେଉଁଠି ରହୁଛ ସେଇଠି ରଖିଦେଇ ଆସୁନ।ବୁଢା ଅତି ଦୁଃଖରେ କହିଲା ମା ଯେଉଁଠି ରଖି ଆସୁଛି ସେଠୁ କିଏ ଚୋରିକରି ନେଇଯାଉଛି।

 --ମଣିଷ କେତେ ସ୍ୱାର୍ଥୀ ,ଗୋଟେ ବୁଢା ମଣିଷର ସାମାନ୍ୟ କେଇ ଖଣ୍ଡ ବାସନ ଖଣ୍ଡେ ଚାଦର ଖଣ୍ଡେ ଅଧେ ପିନ୍ଧା ଲୁଗା ମଧ୍ୟ ନେଇଯାଇ ପାରୁଛନ୍ତି!!!ଆଉ ସୁନା ରୁପା ହୋଇଥିଲେ କଣ ହୁଅନ୍ତା........


-ଏମିତି ବୁଢା ଆସେ, ଦେଖିଲେ ଲାଗେନି ଭିକାରୀ ପରି କିମ୍ବା କାହାକୁ ପଇସା ଚାଉଳ ମାଗିବା ତାର ଅଭ୍ୟାସ ନାହିଁ। ବୁଢା ମଧ୍ୟ ଭାରି ପରିଷ୍କାର, ସଫା ଧୋତି କିମ୍ବା ଲୁଙ୍ଗି ପିନ୍ଧି ଥିବ ।ଭଲ କଥା ବାର୍ତ୍ତା କରେ।

- ତାକୁ ବୋଉ ଦିନେ ପଚାରିଲା, ମଉସା ତମର ଘର କେଉଁଠି??

-ମା ମୋଘର କଟକ ପଖରେ ଗୋଟିଏ ଗାଁ ରେ,ବୁଢା କହିଲା।

-ତୁମ ଘରେ କଣ ଆଉ କେହି ନାହାଁନ୍ତି ମଉସା??

ନା ମା ମୋର ଆଉ ଏ ଦୁନିଆଁ ରେ କେହି ନାହାଁନ୍ତି।କହିଲା ବେଳକୁ ବୁଢା ର ମୁହଁ ଆଖି ସବୁ ଲୁହ କୋହରେ ଝାଉଁଳି ପଡୁଥିଲା। ତାର ଏ ଦୁଃଖୀ ଦୁଃଖୀ ମୁହଁକୁ ଦେଖିଜାଣି ହେଉଥିଲା ଯେ ବୁଢା ଉପରେ ନିଶ୍ଚୟ ଗୋଟେ ଝଡ଼ ବୋହି ଯାଇଛି। ତାର ଏ ପ୍ରତିକ୍ରିୟା ଦେଖି ବୋଉ ଆଉ ଭରଷି କିଛି ପଚାରି ବାକୁ ସାହସ କଲାନି।


 ବୋଉ ନୀରବ ରହିବା ଦେଖି ବୁଢା ତା କୋହକୁ ଚାପି କହିଲା ଝିଅ ମୋ ପରି ଦୁଃଖୀ ଆଉ ଏ ଦୁନିଆଁରେ କେହି ନଥିବେ। କହୁଛି ମୋ ଦୁଃଖ ,ମୁଁ ଆଜି ଯାଏ କାହାକୁ କହେନି ସେଗୁଡା଼ ମନେ ପଡ଼ିଲେ ଛାତି ଭିତରୁ କୋହ ଉଠେ, ଆଖିରୁ ଲୁହ ନୁହେଁ ରକତ ଝରେ। ଅନେକ ଝଡ଼ ଆସେ ଘର ଭାଙ୍ଗେ ଦେଖିଥିଲି, ହେଲେ ଏ ଅଦୃଶ୍ୟ ଝଡ଼ ରେ ମୋ ଘର ମୋ ସଂସାର ଭାସିଗଲା ମୁଁ କିଛି କରି ପାରିଲିନି।

 କଟକ ପାଖରେ ଗୋଟିଏ ଗାଁ ରେ ମୋର ଘର।ଘରେ ତିନି ପ୍ରାଣୀ ଆମେ ଦୁଃଖେସୁଖେ ଚଳୁଥାଉ। ନଈ କୂଳିଆ ବିଲ ଆଠ ଦଶ ମାଣ, ବାପ ଅମଳରୁ ଚାଷବାସ କରି ସେଇଥିରେ ଘର ଚଳେଇ ନିଏ। ବାଡ଼ିରେ ଶାଗ ପନିପରିବା ଲଗେଇ ରୋଜ ଖରଚ ତୁଲାଏ । ମା ସୁଖ ତ ବେଶି ଦିନ ରହେନି ଦିନେ ବୁଢ଼ୀର ଦେହ ଭାରି ଖରାପ ହେଲା ଡାକତର ଦେଖେଇ ଔଷଧ ଆଣିଲି ପଥିପାଚନ କଲି କିନ୍ତୁ କିଛି ଲାଭ ହେଲାନି ବୁଢୀର ଦେହ ବେଶି ବେଶି ବିଗିଡିଲା। ଆଉ ଦିନେ ରାତିରେ ବୁଢ଼ୀ ଏ ଦୁନିଆଁ ଛାଡ଼ି ଚାଲିଗଲା। ଯାହା ଯେମିତି କରଜ ବାରଜ କରି କାମ ଉଠେଇଲି।

ପୁଅକୁ ଭରଷା ଦେଇ ରହିଲି।ପିଲାଟା ମାଆକୁ ଝୁରିବ ବୋଲି ମୁଁ ମନ ଟାଣ କରେ ।ମହାଜନ ଠୁଁ ଯେଉଁ କରଜ କରିଥିଲି ତାହାର ସୁଧଦେଇ ଦେଇ ନୟାନ୍ତ ହେଲି ପଛେ ମୂଳ ସୁଝ ପଡ଼ୁ ନଥାଏ ।ପୁଅ କହିଲା ବାପା , ମୁଁ ଯାଉଛି ସହରକୁ ସେଠି ମୂଲିଆ କାମ କରି କିଛି ନଗଦ ପଇସା ରୋଜଗାର କରିବି।ମହାଜନର ଉଧାରି ସୁଝିଵା। ସୁଝିଗଲେ ମୁଁ ଗାଁରେ ରହି ବିଲବାଡ଼ି କାମ କରିବି। ସେତେବେଳକୁ ଆଉ ବାହାରକୁ ଯିବାକୁ ପଡିବନି।ମୁଁ ଟିକେ ଦୋଦୋ ପାଞ୍ଚ ହେଲି ହେଲେ ହାତ ଉଧାରି ତୁଟେଇବାକୁ ପଡ଼ିବ ତେଣୁ ତା କଥାରେ ରାଜି ହେଲି, ସିଏ ସହର କୁ ଗଲା।ମୂଲିଆ କାମ କରି ଟଙ୍କା ଜମେଇ ଜମେଇ ମହାଜନର ସବୁ କରଜ ସୁଝିଦେଲା।

 ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିଲି।ବୁଢୀ ଯିବାର ତିନି ବରଷ ଗଲାଣି, ମୁଁ ମନେ ମନେ ଭାବିଲି ପୁଅକୁ ବାହା କରିଦେବି !


କେତେଦିନ ଆଉ ହାଣ୍ଡିଚୁଲି ଧରି ବସିଥିବି।ବିଲବାଡ଼ି କାମ କରିଲା ବେଳକୁ ଆଉ ଗୋଡ଼ ହାତରେ ବଳ ଆସୁନି।

 -ଭଲ ପ୍ରସ୍ତାବଟିଏ ଦେଖି ଠିକଠାକ କଲି।ପୁଅ ମଧ୍ୟ ମୋ କଥାରେ ରାଜିହେଲା।ଘର ଟିକେ ଵାଗେଇଲି।

-ପୁଅ କହିଲା "ବାପା ଘରକୁ ସବୁବେଳେ ଛପର କରିବାକୁ ପଡୁଛି ଗୋଟେ ପଟ ଛାତ ପକେଇ ଦେବା।"ଘର ଛାତ ପକେଇ ଚୂନରଙ୍ଗ ଦେଇ ଦେଲା।

ବାହାଘର ଆଠ ଦଶ ଦିନ ଆଗରୁ ଅନୁକୂଳ କରି ଠାକୁର ଆଜ୍ଞା କୁଟୁମ୍ବ ନିଉତା ମଉଳା ନିମତ୍ରଣ ସାରିଦେଲି। ତିନିଦିନ ଅଛି ସାଇଭାଇ ଡାକି ଯାଇଛି ପୁଅ ଆସି କହିଲା ଦେହ ଭଲ ଲାଗୁନି ବାପା ମୁଁ ଟିକେ ଶୋଇପଡ଼ିବି ଉଠିଲେ ଆଉ ଯାହା କରିବା।ମୁଁ କହିଲି ହଉ ଯା ଖଟଣୀ ଟିକେ ଅଧିକ ପଡୁଛି ଦେହ ମଜରା ହେଇଥିବ ଶୋଇ ପଡ଼ିଲେ ଆରାମ ଲାଗିଵ ମୋତେ ହଁ ଟେମାରି ଶୋଇଲା ଯେ ମା ସେଇ ଶୋଇଛି ଶୋଇଛି। ରାତି ଆସି ଦି ଘଡି ହେଲା ପୁଅକୁ ଉଠେଇଲି,ଉଠ ବାପା ଖାଇ ଦେଇ ଆଉ ଥରେ ଶୋଇବୁ। ହେଲେ ମୁଁ ଜାଣି ନ ଥିଲି କେତେବେଳେ ତାର ପ୍ରାଣ ଯାଇଛି। ହାତରେ ହଲେଇ ଦେଲି ହାତ ବୁଲେଇଲି ଦିହ ପୂରା ହେମାଳ ପଡ଼ିଗଲାଣି।

ମୁଁ ସେଇଠି ଚେତା ହରେଇ ପଡିଲି।ମୁଁ ଆଉ କିଛି ଜାଣିନି କେତେବେଳେ କଣହେଲା ଗାଁ ଲୋକ ସାଇ ଭାଇ ମିଶି ସବୁ ଉଠେଇଲେ ମୁଁ ସେମିତି କତରା ରେ ପଡ଼ିଛି।

   ଏଇ ଜଗାର ସବୁ ଲୀଳା, ଦେଇଥିଲା ସବୁ ପୁଣି ନେଇଗଲା ଏକାବେଳେ ପୋଛିପାଛି।କଣ ସିଏ ଚାହୁଁଛି କେଜାଣି? ଜଗାକୁ ଡାକିଲି କହିଲି ତୁ ଦେଇଥିଲୁ ତୁ ନେଇଗଲୁ ଯାଉଛି ତୋରି ବଡ଼ଦାଣ୍ଡରେ ବସିବି। ଏ ଘର ଦ୍ୱାର ବିଲବାରି କିଛି ମୋର ଆଉ ଲୋଡ଼ା ନାହିଁ।କିଏ ଅଛି ଯେ କାହା ଲାଗି ଖଟିବି । ଏମିତି ଭାବି ଦିନେ ଘର ଛାଡ଼ିପଳେଇ ଆସିଲି ଏଇ ଶିରୀକ୍ଷେତ୍ରରେ ପଡ଼ି ପଡ଼ି ମରିବି ଆଉ ଗାଁ କୁ ଫେରିବି ନାହିଁ।ପଡ଼ିଛି ସେଇ ଦିନକୁ ଅପେକ୍ଷା କରି କୋଉ ଦିନ ମୋତେ ନବତା ପାଖକୁ।ଯେଉଁ ଦିନ ଯାହା ଦଉଛି ଖାଉଛି ନ ଦେଲେ ନାହିଁ ପାଣି ଦି ଢ଼ୋକ ପିଇ ଦେଇ ତା ବଡ଼ ଦାଣ୍ଡ ରେ ଶୋଇପଡ଼ୁଛି।


 ବୋଉ ତା କଥା ଶୁଣି କାନ୍ଦି ପକେଇଲା।କେତେ ଦୁଃଖ ସହି ଲୋକଟି ବଞ୍ଚିଛି।ସେଥି ପାଇଁ ଭିକ୍ଷା ମାଗୁନି।ପ୍ରଭୁତାକୁ ଶୀଘ୍ର ମୁକ୍ତି ଦିଅନ୍ତୁ। ଏମିତି କେତେ ଦିନ ବୁଢା ଆସିଲା । ଦିନେ ଦିନେ କହିବ ମା ଆଉ ବଳ ପାଉନି ଏତେବାଟ ଆସିବାକୁ ଯେଉଁଠି ରୁଟି ଭୁଜା ଯାହା ମିଳୁଛି ଖାଇଦେଇ ଚଳେଇ ଦଉଛି। ବେଳେବେଳେ କିଛି ନ ଖାଇ ପାଣିପିଇଦେଲେ ବି ଚଳୁଛି କେତେ ଦିନ ଆଉ କାଳିଆ ଏ ଦୁଃଖିର ପରୀକ୍ଷା ନେବ ନଉ ,ଅପେକ୍ଷା କରିବି ତା ଡାକରା ଆସିବା ଯାଏ।

 ତା ପରେ ଅନେକ ଦିନ ଆଉ ପଖାଳ ବୁଢା ଆସିଲାନି।.......

ଆମ ପଡିଶାଘର ଗୋଟିଏ ପିଲା ଥରେ ଆସି ବୋଉକୁ କହିଲା "ନାନୀ ତୁମ ଘରୁ ଯେଉଁ ବୁଢା ଲୋକ ଟି ଆସି ଭାତ ନିଏ, ସିଏ କାଲି ରାତିରେ ମରି ଗଲା।ବୋଉ କହିଲା "ଆହା ବେଶି ବୋଧେ ଦେହ ଖରାପ ହେଲା ବୁଢା ଲୋକ ଖୋଲାରେ ଶୋଇରହି କେତେଦିନ ବଞ୍ଚିବ !"

 ସେ ପିଲାଟି କହିଲା ନା ସେ ବୁଢାର ଦେହ ଟିକେ ଖରାପ ହେଲା । ତାଙ୍କ ଗାଁ ରୁ କେତେଜଣ ଆସି ତାକୁ ବସରେ ବସେଇ ଘରକୁ ନେଇଯିବାକୁ ବାହାରିଲେ। ସେ ବୁଢା ବସରୁ ଓହ୍ଲାଇପଡ଼ିଲା ଏବଂ ଜିଦି କଲା ଗାଁ କୁ ଯିବନାହିଁ ବୋଲି ତା ପରେ ସେମାନେ ଫେରି ଗଲେ।

  ତାର ଦାହ ସଂସ୍କାର କରିବା ପାଇଁ କେତେ ଜଣ ଲୋକ ସିଂହଦ୍ୱାର ପାଖରେ ଚାନ୍ଦା ଆଦାୟ କରୁଥିଲେ।  ମୁଁ ସେ ବୁଢାକୁ ଦେଖି ମୋର ମନେ ପଡ଼ିଲା ଯେ ସେ ତୁମ ଘରୁ ଭାତ ନିଏ। ବୋଉ କହିଲା ବହୁତ କଷ୍ଟ ପାଉଥିଲା ଜଗନ୍ନାଥ ତା ଡାକ ଶୁଣିଲେ।......ପ୍ରଭୁ ତାଙ୍କୁ ଶାନ୍ତି ଦିଅନ୍ତୁ।


Rate this content
Log in

Similar oriya story from Tragedy