ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
{ଆଜିବି ଆମେ ସ୍ୱାଧୀନତା ଅପେକ୍ଷାରେ}
“ସ୍ୱପ୍ନ” କାହା ପାଇଁ ସାର୍ଥକ ତ ପୁଣି କାହା ପାଇଁ ନିରର୍ଥକ,କାହା ପାଇଁ ସାକାର ତ ପୁଣି ଆଉ କାହା ପାଇଁ ଅଧୁରା,କେବେ ସମ୍ଭବ ତ ପୁଣି କେବେ ଅସମ୍ଭବ,ଚାଲି ଆସେ କାହା ଜୀବନରେ ରାତ୍ରି ର ଅନ୍ଧକାର ସୁନିଦ୍ରା ମଧ୍ୟରେ ତ ପୁଣି କେବେ ସାଜେ ନିଦ୍ରାହୀନତା ର ମୁଖ୍ୟ କାରଣ,ତେବେ ସତରେ କ’ଣ ମଣିଷ ଦେଖୁଥିବା ସବୁ ସ୍ୱପ୍ନ ର ସାକାର ରୂପ ସମ୍ଭବ ? ଯଦି ଉତ୍ତର ନାଁ ତାହେଲେ ମଣିଷ ଏଭଳି ସ୍ୱପ୍ନ ଦେଖେ କାହିଁକି ? ପରନ୍ତୁ ଏହି ଅଧୁରା ସ୍ୱପ୍ନ ର ବିଷମରୂପ କେବଳ ମଣିଷ ମାନଙ୍କ ଜୀବନରେ ନୁହେଁ,ମହାନ୍ ମହାପୁରୁଷଙ୍କ ଜୀବନରେ ମଧ୍ୟ ପରିଲକ୍ଷିତ,ଜଣା ନାହିଁ ତା’ର ବାସ୍ତବ ରୂପ କେବେ ? ଆଜିବି ସେହି ଅଧୁରା ସ୍ୱପ୍ନ ସାକାର ର ଅପେକ୍ଷାରେ ଆମେ । ଦିନ ପରେ ରାତି ଓ ରାତିର ଅନ୍ଧକାର ପରେ ଚାଲି ଆସେ ଦିନ,ରାତ୍ରିର ଅନ୍ଧକାରରେ କଳଙ୍କରେ କଳୁଷିତ ହୋଇଥିବା କେତେକ ରାକ୍ଷସରୂପୀ ମଣିଷ ର ଚରିତ୍ର ସ୍ୱର୍ଣ୍ଣରୂପୀ ଉଜ୍ୱଳମୟ ହୋଇ ଉଠେ ସକାଳ ର ପ୍ରତାପୀ ସୂର୍ଯ୍ୟ ର ଆଲୋକରେ,ସତେ ଯେପରି ରବି ରଶ୍ମୀ ଧୋଇନିଏ ତା’ର ସମସ୍ତ କଳଙ୍କକୁ ହେଲେ ଆଉ କିଛି କଳଙ୍କ ଲାଗିରହେ କିଛି ନିରୀହ ଚରିତ୍ର ର ସ୍ୱଚ୍ଛପଟଳରେ ଯାହାର ଧୌତ ରୂପ ଯୁଗେ ଯୁଗେ ଅସମ୍ଭବ । ଶୀତୁଆ ସକାଳର ପ୍ରାତଃ ଭ୍ରମଣରେ ବାହାରିଥିବା କିଛି ଲୋକଙ୍କର ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ୍ ବ୍ରିଜ୍ ର ତଳ ଭାଗକୁ ଖାନ୍ ତଲାସ୍ କରିବା ଆରମ୍ଭ କରିଛି ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ମଧ୍ୟ ଏହି ଦୁର୍ଗନ୍ଧ ର ମୁଖ୍ୟ କାରଣ ଏବଂ ସେହି କାରଣ ର ସତ୍ୟତା ଜାଣିବା ପାଇଁ ସମସ୍ତେ ଚେଷ୍ଟାରତ ଓ ଜନ ସାଧାରଣଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଘେରି ରହିଛି । ମହଙ୍ଗା ଏହି ଆଖିର ଲୁହ ଓ ସେହି ଲୁହର ଭାବାବେଗକୁ ବୁଝି ପାରୁଥିବା ଲୋକ ମଧ୍ୟ ଏ ସମାଜରେ ତା’ ଠାରୁ ବେଶୀ ମହଙ୍ଗା ଓ ବିରଳ । ପାଞ୍ଚବର୍ଷ ରୁ ମା’ ଛେଉଣ୍ଡ ଝିଅ ‘ସ୍ୱପ୍ନା’ର ମନରେ ଅହେତୁକ ସ୍ୱପ୍ନ,ସେ ବି ଦିନେ ବଡ଼ ହେବ,ବଡ଼ ଚାକିରୀ କରିବ ଓ ଦୁନିଆରେ ନିଜର ପରିଚୟ ନିଜେ ସୃଷ୍ଟି କରିବ,ହେଲେ ଏହି ସବୁ ସ୍ୱପ୍ନ ତା’ର ରାତିର ଅନ୍ଧକାର ର ସୁନିଦ୍ରା ମଧ୍ୟରେ ନୁହେଁ ବରଂ ଖୋଲା ଆଖିର ଅନ୍ତରାଳରେ ଥିବା ହେତୁ ଜ୍ଞାନ,ମୁକ୍ତ ଚିନ୍ତାଧାରା ଓ ମାନସିକତା ମଧ୍ୟରେ। ଦୁନିଆକୁ ଭଲ କରି ଦେଖି ନଥିବା ‘ସ୍ୱପ୍ନା’ ର ଜୀବନରେ ଯେ ଏତେ ଦୁଃଖ କଷ୍ଟ ଲେଖା ଏ ସବୁ ଜଣେ କିଏ ? ପିଲାଦିନରୁ ସାବତ ମାଆ ର ନିର୍ଯ୍ୟାତନା ର ଜ୍ୱଳନ୍ତ ପ୍ରମାଣ ତା’ କୋମଳ ଶରୀର ର ଚର୍ମ ଉପରେ ଥିବା ନିଆଁ ଚେଙ୍ଗ ର ଦାଗ ହିଁ ଜଣାଇଦେବ,ପେଟ ର ଭୋକ କହି ପାରିବ କେତେ ରାତି ସେ ଉପାସ,ଚିରା ଜାମା ର ଆଡୁଆଳ ଲୁଚି ଦିଶୁଥିବା ଶରୀର ର ଲଜ୍ଜା ହିଁ ଜଣାଇ ଦେବ ତା’ ଜୀବନ ର ପ୍ରକୃତ ବାସ୍ତବ ରୂପକୁ । ମଦୁଆ ବାପା ର ପ୍ରହାର ସହିତ ସାବତ ମାଆ ର ନିର୍ଯ୍ୟାତନା ଯଦିଓ ତା’ ପାଇଁ କିଛି ନୂଆ କଥା ନୁହେଁ,ପରନ୍ତୁ ତାହା ସହିବା ତା’ର ସାମର୍ଥ୍ୟ ବାହାରେ । ଏପରିକି ‘ସ୍ୱପ୍ନା’ ପ୍ରତି ସାବତ ମାଆଙ୍କ ପିଲା ମାନଙ୍କର ବ୍ୟବହାର ମଧ୍ୟ କୌଣସି ବନ୍ଧୁକ ଗୁଳି ର ଆଘାତ ଠାରୁ କିଛି କମ୍ ନୁହେଁ । ‘ସ୍ୱପ୍ନା’ ର ପଞ୍ଚମ ଶ୍ରେଣୀରୁ ସ୍କୁଲ ବାଟରେ ବନ୍ଧକ ପଡିଲା ଓ ପାଠ ରେ ବନ୍ଧା ହେଲା ଡୋରି ତଥାପି ତା’ ମନରେ ସ୍ୱପ୍ନ ଅନେକ ବଡ଼ ହେବ ଓ ନିଜକୁ ପ୍ରତିଷ୍ଠିତ କରିବ ଏ ସମାଜରେ । କଅଁଳ ହାତରେ କଲମ ଧରିବା ବୟସରେ ‘ସ୍ୱପ୍ନା’କୁ ଧରିବାକୁ ପଡିଲା ଝାଡୁ ଓ କରିବାକୁ ବାଧ୍ୟ୍ୟ ଘର ର ସମସ୍ତ କାମ। ସକାଳର ସୂର୍ଯ୍ୟୋଦୟ ଠାରୁ ରାତିର ଅନ୍ଧକାର ପର୍ଯ୍ୟନ୍ତ ଯାବତୀୟ କାମରେ କର୍ମରତ ‘ସ୍ୱପ୍ନା’ କୁ ତଥାପି ଶୁଣିବାକୁ ପଡେ ସାବତ ମାଆ ର କଟାକ୍ଷ ବଚନ ସାଙ୍ଗ ସାଥୀ ମାନଙ୍କ ସହ କଥା ହେବା ଓ ମନ ଖୁସିରେ ହସିବା ମଧ୍ୟ ‘ସ୍ୱପ୍ନା’ ପାଇଁ ଏକ ସବୁଠୁ ବଡ ଅପରାଧ,ଏହି ଅପରାଧ ର ଶାସ୍ତି ସ୍ୱରୂପ ତା’ ପିଠିରେ ବସିଥିବା ଝାଡୁ ର ଶକ୍ତ ପାହାର ହିଁ ଜଣେଇଦିଏ । ନିଜ ଜୀବନ ବଞ୍ଚେଇବା ପାଇଁ ‘ସ୍ୱପ୍ନା’ ବଡ ନେହୁରା ହୋଇ ସାବତ ମାଆ ର ଗୋଡ ଧରି ବହୁ କାକୁତି ମିନତୀ ହୁଏ,ହେଲେ ସାବତ ମାଆ ର ସେ ଭୟଙ୍କର ରୂପ ସହିତ ଉଗ୍ର ସ୍ଵଭାବ ଆଗରେ ସବୁକିଛି ଫିକା ପଡ଼ିଯାଏ ଓ ନିରୁପାୟ ସାଜେ ‘ସ୍ୱପ୍ନା’ । ଶାରୀରିକ କଷ୍ଟ ରେ ଆଖିରୁ ବହିଆସୁଥିବା “ ନିଜ ଲୁହ ହିଁ ବୁଝିପାରେ ନିଜ ତଣ୍ଟି ର ଶୋଷକୁ ମାତ୍ର ତାହା କ’ଣ ସମ୍ଭବ ସେ ଶୋଷ କୁ ମେଣ୍ଟାଇବା ପାଇଁ ”। ବେଳେବେଳେ ରାତି ର ଅନ୍ଧକାରରେ ‘ସ୍ୱପ୍ନା’ ଏକାକୀ ଖୋଜୁଥାଏ ସେହି ଦୂର ଆକାଶ ର ଉଜ୍ଜଳ ତାରା କୁ ସତେ ଯେପରି ସେ ଦେଖିନିଏ ତା’ର ଜନ୍ମିତ ମାଆ କୁ ସେହି ତାରା ଭିତରେ ଓ ମନେ ମନେ ଭାବିନିଏ କେତେ,କଥା କହି ଚାଲେ ଗୁଣୁ ଗୁଣୁ ହୋଇ ଏହା ପରେ ଝରି ଆସେ କେଇ ଟୋପା ଲୁହ ଆଖିରୁ ତା’ର । ଏହିପରି ବହୁ ଦିନ ଗଡି ଚାଲିଥାଏ ସମୟର ପରିବର୍ତ୍ତନରେ ବାଲ୍ୟକାଳରୁ ଅବସର ନେଇ କୈଶୋରୀ ଜୀବନରେ ଉପନୀତ ହୁଏ ‘ସ୍ୱପ୍ନା’ ତଥାପି ଆଖିରେ ଅହେତୁକ ସ୍ୱପ୍ନ,ଜୀବନ ନିଆଁ ରେ ଜଳୁଥିବା ‘ସ୍ୱପ୍ନା’ କେବଳ ଚାହେଁ ଟିକିଏ ଶୀତଳ ପବନରେ ମୃଦୁ ମଳୟ ର ସ୍ପର୍ଶ ମାତ୍ର ତାହା ବିରଳ ତା’ ଜୀବନରେ ।
ନୂଆ ନୂଆ କୁଆଁରୀ ବୟସରେ ପାଦ ଥାପି ଥିବା ‘ସ୍ୱପ୍ନା’ ଜୀବନରେ ମାଡି ଆସିଲା ଆଉ ଏକ ଭୟଙ୍କର ବିପଦ । ଆର୍ଥିକ ଲୋଭରେ ପଡି ସାବତ ମାଆ ପାଖ ଗାଁ ର ଏକ ଅସାମାଜିକ ମଦୁଆ ସହିତ ‘ସ୍ୱପ୍ନା’ ର ବାହାଘର ଖବର ଶୁଣି ପାଦତଳୁ ମାଟି ଖସିଗଲା ‘ସ୍ୱପ୍ନା’ର,ପିଲାଦିନରୁ ଏତେ ଦୁଃଖ,କଷ୍ଟ ସହି ଆସିଥିଲେ ସୁଦ୍ଧା ସେ କେବେବି ଭାଙ୍ଗି ପଡ଼ିନଥିଲା,ମାତ୍ର ଏ ଖବର ଶୁଣିବା ପରେ ସତେ ଯେପରି ତା’ ମୁଣ୍ଡ ଉପରେ ଆକାଶ ଛିଡି ପଡିବା ପରି ତାକୁ ମନେ ହୋଇଥିଲା । ଗୋଟେ ଅସାମାଜିକ ବ୍ୟକ୍ତି ସହିତ ସାରା ଜୀବନ କାଟିବାର ଭୟ ତାକୁ ବାରମ୍ବାର ବ୍ୟତିବ୍ୟସ୍ତ କରୁଥିଲା । ମନରେ ପ୍ରଚୁର ସାହସ ଜୁଟାଇ ଏହି ବାହାଘର ବାରଣ ଲାଗି ସାବତ ମାଆ ଓ ବାପାଙ୍କୁ ଅନୁରୋଧ କରିବା ପରେ ‘ସ୍ୱପ୍ନା’ ର ଅବସ୍ଥା ବହୁ ଭୟଙ୍କର,କୈଶୋରୀ ବୟସରେ ମଧ୍ୟ ତା’ ଉପରେ କରାଗଲା ପୂର୍ବପରି ଅତ୍ୟାଚାର,ଜୀବନ ବିକଳରେ ଚିତ୍କାର କରିଉଠିଲା ‘ସ୍ୱପ୍ନା’,ହେଲେ ପ୍ରହାର ର ଶବ୍ଦ ଆଗରେ ତା’ ନେହୁରା ଓ ଚିତ୍କାର ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡୁଥାଏ ।ଶେଷରେ ‘ସ୍ୱପ୍ନା’ କୁ ଘରୁ ତଡି ଦିଆଗଲା। ସତେ ଯେପରି ତା’ର ସବୁ କାକୁତି,ମିନତୀ,ଗୁହାରି ସମ୍ପୂର୍ଣ୍ଣ ମୂଲ୍ୟହୀନ ଥିଲା ତା’ର ସାବତ ମାଆ ଓ ମଦୁଆ ବାପା ଆଗରେ । ଅନ୍ଧକାର ଶୀତ ରାତିର ହାଡଭଙ୍ଗା ଶୀତରେ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିବା ବେଳେ ନିଜ ଜୀବନର ଭବିଷ୍ୟତ ଯଦିଓ ତା’ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାରମୟ ଥିଲା ତଥାପି ତା’ ମନରେ ଥିଲା ଅହେତୁକ ସ୍ୱପ୍ନ ନିଜ ଜୀବନକୁ ନେଇ । ଦୀର୍ଘ ସମୟର ଚଲାପଥ ର କ୍ଲାନ୍ତି ଦୂର ଲାଗି ସେ ଏକ ଭଙ୍ଗା ଅଧା ନିର୍ମିତ ଘର ମଧ୍ୟରେ କିଛି ସମୟ ବିଶ୍ରାମ ନେଲା,ମାତ୍ର ସେହି ରାତିର ଅନ୍ଧକାର ଯେ ତା’ ଜୀବନର ସବୁ ସ୍ୱପ୍ନ କୁ ଧୂଳିସାତ୍ କରି ତାକୁ ଅନ୍ଧକାର ମଧ୍ୟକୁ ଠେଲି ଦେବ ଏହା ତା’ର ସ୍ୱପ୍ନ ର ବେଷ୍ଟନି ମଧ୍ୟରେ ନଥିଲେ ସୁଦ୍ଧା ବାସ୍ତବରେ ପରିଣତ ହେଲା । ନିଦ୍ରିତ ଅବସ୍ଥାରେ କିଛି ଅସାମାଜିକ ମଦୁଆ ଲୋକଙ୍କ ଲୋଲୁପ ଦୃଷ୍ଟିର ଶିକାର ଅନୁସନ୍ଧାନରେ ଚାଲିଆସିଥିଲା କୈଶୋରୀ ‘ସ୍ୱପ୍ନା’ ର କୋମଳ ଶରୀର । ମଦ ର ଦୁର୍ଗନ୍ଧ,ଭୟାନକ କଣ୍ଠସ୍ୱର ଓ କାଚ ବୋତଲ ଶବ୍ଦରେ ଭାଙ୍ଗିଗଲା ‘ସ୍ୱପ୍ନା’ ର ନିଦ । ନିଦୁଆ ଆଖିର ଅଡୁଆଳରେ ଦେଖେତ ତା’ ଚାରିପଟେ ଛିଡା ହୋଇଛନ୍ତି ଚାରି ଜଣ ବିଶାଳ ଶରୀରଧାରୀ ଅସାମାଜିକ ମଦୁଆ ବ୍ୟକ୍ତି ଓ ହାତରେ ଧରିଛନ୍ତି ବଡ ବଡ ମଦ ବୋତଲ ହଠାତ୍ ଚମକି ପଡିଲା ‘ସ୍ୱପ୍ନା’,ହେଲେ ସେହି ରାକ୍ଷସଙ୍କର ଚକ୍ରବିହୁରୁ ଫେରିବାର ବାଟ ଥିଲା ସମ୍ପୂର୍ଣ୍ଣ ବନ୍ଦ। ମାନବରୂପୀ ରାକ୍ଷସ ଶରୀରର ଯୌନ ଲାଳିତ ସ୍ୱାର୍ଥକୁ ଉପଭୋଗ କରିବା ନିଶାରେ ବଳି ପଡିଲା କୈଶୋରୀ ‘ସ୍ୱପ୍ନା’ ର କୋମଳ ଶରୀର ଚିତ୍କାରରେ ଯେତେ ନେହୁରା ହେଲା ପରେ ମଧ୍ୟ ଉପଭୋଗର ମାନସିକତାରେ ଥିବା ହିଂସ୍ର ଜଙ୍ଗଲୀ ଜନ୍ତୁ ଙ୍କୁ କବଳରୁ କ’ଣ ଖସି ପାରେ ଏକ ନିରୀହ ହରିଣୀ ? ଫିକା ପଡ଼ିଯାଏ ହରିଣୀର ସମସ୍ତ ଶକ୍ତି ସେହି ହିଂସ୍ର ଜଙ୍ଗଲୀ ଜନ୍ତୁର ଶକ୍ତି ଆଗରେ କିଛି ସମୟ ପରେ ଚିତ୍କାରରେ ଫାଟି ପଡୁଥିବା ସ୍ଥାନ ହଠାତ୍ ହୋଇ ଉଠିଲା ସମ୍ପୂର୍ଣ୍ଣ ନିଶ୍ଚଳ ଓ ନିସ୍ତବ୍ଦ । ସେହି ଯୌନ ରାକ୍ଷସଙ୍କର ଶକ୍ତ ପ୍ରହାରରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ‘ସ୍ୱପ୍ନା’ ତା’ ଶରୀର ର କୋମଳ ଚର୍ମ ଉପରେ ଥିବା ନଖ ର ଦାଗ ଓ ଦାନ୍ତ ର ଚିହ୍ନ ହିଁ ଜଣାଇ ଦେଉଥିଲା ସେହି ଯୌନ ରାକ୍ଷସଙ୍କର ହିଂସ୍ରତ୍ୱ ର ପରିମାଣ ଓ ଭୟଙ୍କର ପରିଣାମକୁ ।ଶେଷରେ ପ୍ରଣାମକୁ ମୂଳରୁ ପୋଛି ଦେବା ସହିତ ନିଜ ଚରିତ୍ରକୁ ନିଷ୍କଳଙ୍କ ରଖି ଆଗାମୀ ସକାଳରେ ନିଜକୁ ଏ ସମାଜରେ ଏକ ସୁନାଗରିକ ଓ ସୁବ୍ୟକ୍ତିତ୍ୱ ର ପରିଚୟ ଦେବା ଲାଗି ସେହି ଯୌନ ରାକ୍ଷସ ‘ସ୍ୱପ୍ନା’ ର ଶବ କୁ ପକାଇ ଦେଇଗଲେ ଏକ ବନ୍ଧ ର ତଳ ଭାଗକୁ,ସତେ ଯେପରି ‘ସ୍ୱପ୍ନା’ ର ସବୁ ସ୍ୱପ୍ନ ମିଳେଇ ଯାଇଥିଲା ସେହି ବନ୍ଧ ର ତଳେ ଥିବା ନାଳ ର ପାଣି ମଧ୍ୟରେ । ଜୀବନରେ ସ୍ୱପ୍ନ କୁ ବାସ୍ତବ କରିବାକୁ ଚେଷ୍ଟା କରୁଥିବା ‘ସ୍ୱପ୍ନା’ର ସବୁ ସ୍ୱପ୍ନ ପଡିଗଲା ସମ୍ପୂର୍ଣ୍ଣ ଫିକା ଓ ରହିଗଲା ଅଧୁରା,ସେହି ସ୍ୱପ୍ନ ପରିହାସ କରୁଥିଲା ‘ସ୍ୱପ୍ନା’ କୁ ଏକ ଭୟଙ୍କର ଛାତି ଫଟା ହସ ର ରୂପ ନେଇ । ଏ ସବୁ କଥା ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ମୁଁ କେବଳ ଏତିକି ଭାବୁଥାଏ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱାଧୀନତା ସମୟର ସେହି ଉକ୍ତିଟିକୁ ଯେ, “ବାସ୍ତବ ସ୍ୱାଧୀନତା ସେତେବେଳେ ଘଟିବ ଯେତେବେଳେ ଏକ ନିରୀହ ଝିଅ ଏକାକୀ ରାତିର ନୀରବତା କୁ ଭଙ୍ଗ କରି ନିର୍ଭୟରେ ସ୍ୱାଧୀନ ଭାବେ ରାସ୍ତାରେ ଚାଲିପାରିବ।“ ପରନ୍ତୁ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆମ ଦେଶରେ ଏଭଳି ସ୍ୱପ୍ନ ଦେଖିବା ବିରଳ ଓ ବାସ୍ତବିକ ରୂପ କୌଣସି ପରିକଳ୍ପିତ କାହାଣୀ ଠାରୁ ମଧ୍ୟ ବହୁ ଦୂରରେ । ଅର୍ଥାତ୍ ଗାନ୍ଧିଜୀଙ୍କ ମନର ମାନସପଟରେ ଥିବା ସ୍ୱାଧୀନତା ଧର୍ମୀ ସ୍ୱପ୍ନ ଆଜି ବି ଅଧୁରା । ଇଂରେଜ ମାନଙ୍କ ଶୋଷଣ ରୁ ମୁକ୍ତି କୁ କେବଳ ସ୍ୱାଧୀନତା କୁହାଯାଇ ପାରିବ ନାହିଁ,ଯୌନ ରାକ୍ଷସଙ୍କ ଶାରୀରିକ ଶୋଷଣ ରୁ ମୁକ୍ତି ହିଁ ହେବ ପ୍ରକୃତ ସ୍ୱାଧୀନତା । କେବଳ ‘ସ୍ୱପ୍ନା’ ନୁହେଁ,ଏହିପରି ଆମ ଦେଶରେ ପ୍ରତିବର୍ଷ ଅନେକ ନିରୀହ ଝିଅ ଯୌନ ନିର୍ଯାତନାର ଶିକାର ହୋଇ ଅପମୃତ୍ୟୁ ର କରାଳ ଫାଶରେ ଛନ୍ଦିହୋଇ ପଡୁଛନ୍ତି । ଓଡ଼ିଶା ର କୁନ୍ଦୁଲି,ହାଇଦ୍ରାବାଦ ର ପ୍ରିୟଙ୍କା ଏବଂ ରାଜଧାନୀ ଦିଲ୍ଲୀ ର ନିର୍ଭୟା ଭଳି ଅନେକ କିଛି ଏହାର ଜ୍ୱଳନ୍ତ ଉଦାହରଣ ।
ତେବେ ଝିଅ ହୋଇ ଜନ୍ମ ନେବା କ’ଣ ଭାରତ ଭଳି ଏକ ସର୍ବବୃହତ ଗଣତାନ୍ତ୍ରିକ ତଥା ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଭୁଲ ? ଏବେ ଅପେକ୍ଷା କେବଳ ସେହି ନୂତନ ଦିନର ସୂର୍ଯ୍ୟୋଦୟ କୁ ଯେଉଁ ଦିନ ପ୍ରତାପୀ ରବି ରଶ୍ମୀ ଧୋଇନେବ ସମସ୍ତ ଯୌନ ରାକ୍ଷସ ମାନଙ୍କୁ ଏ ସମାଜ ରୁ । ଏ ସମାଜ ରେ ଯେଉଁ ଦିନ ସମସ୍ତ ଯୌନ ରାକ୍ଷସଙ୍କର ମୃତ୍ୟୁ ଘଟିବ,ସେହି ଦିନ ପୂରଣ ହେବ ଗାନ୍ଧିଜୀଙ୍କର ସ୍ୱାଧୀନତା ଧର୍ମୀ ଆହ୍ୱାନ ଓ ସାକାର ହେବ ବାପୁଜୀଙ୍କ ଅଧୁରା ସ୍ୱପ୍ନ,ଉଡିବ ବିଜୟ ର ଧ୍ଵଜା ତ୍ରିରଙ୍ଗା, ତାହା ହିଁ ହେବ ପ୍ରକୃତ ସ୍ୱାଧୀନ ଭାରତ ଓ ଲେଖା ହେବ ନୂଆ ସ୍ୱାଧୀନ ଭାରତ ର ଏକ ନୂଆ ଇତିହାସ । ଅପେକ୍ଷା ସେହି ବିଜୟ ର ଦିନକୁ
ଶୁଭୁଛି କରୁଣ ପୀଡିତା ର ସ୍ୱର
ଜୀବନ ଲଜ୍ଜା ଭିକ୍ଷାରେ,
ନ୍ୟାୟ ପାଇଁ ସିଏ ପିଟୁଛି ତା’ ମୁଣ୍ଡ
ଆତ୍ମହତ୍ୟା ତାକୁ ମାରେ ।
ଆଜିବି ଅଧୁରା ବାପୁଜୀ ଙ୍କ ସ୍ୱପ୍ନ
ଦୀର୍ଘ ସ୍ୱାଧୀନତା ପରେ,
ଯୌନ ରାକ୍ଷସଙ୍କ ବିନାଶ ଘଟିବ
ପ୍ରତୀକ୍ଷାର ଅନ୍ତ ତୀରେ ।
