ଅଭଙ୍ଗା କଣ୍ଢେଇ
ଅଭଙ୍ଗା କଣ୍ଢେଇ
ବାପା-ବୋଉଙ୍କ ପଚାଶତମ ବିବାହ ବାର୍ଷିକୀ ଆମେ ଭାଇ-ଭଉଣୀ ଧୁମଧାମରେ ପାଳନ କରିବୁ ବୋଲି ଭାବିଚୁ । ବାପାଙ୍କର କେବେ ବାହାଘର ହେଇଥିଲା ମନେ ନାହିଁ । ଆଉ ବୋଉକୁ ପଚାରିଲେ ତିଥି ନକ୍ଷତ୍ର କହୁଛି ସିନା ଡେଟ୍ ମନେ ନାହିଁ । ମନେ ରହିବ ଅବା କେମିତି ? ଆମେ ସିନା ଆନିଭରସରି ଆସିଲେ ସମସ୍ତଙ୍କୁ ଗୋଟେ ପାର୍ଟି ଦେବୁ । ସମସ୍ତଙ୍କୁ ଭେଟିବାର ସୁଯୋଗ ପାଇବୁ । କିନ୍ତୁ ମୋ ପିଲାବେଳେ ଦେଖିଛି ଆମେ ଚାରି ଭାଈ ଭଉଣୀ ସାଙ୍ଗକୁ ଦଦା ପୁଅ କକା ପୁଅ ପୁଣି କୁଣିଆ ମୈତ୍ର ହେଇ ଘରେ ଖାଉ ପନ୍ଦର କି କୋଡିଏ । ହଣ୍ଡା ବସି ରୋଷେଇ ହୁଏ । ସେତେବେଳେ ତ ଆଉ ଗ୍ୟାସ ଚୁଲା ନଥିଲା... କାଠଚୁଲିରେ ସବୁ ରୋଷେଇ । ଡେଲି ଭୋଜି । ତଥାପି ଶେଷ ମୁହୂର୍ତ୍ତରେ ଆଉ ଜଣେ ଦିଜଣ ପହଞ୍ଚି ଯିବେ । ବୋଉ ଏତେ ରାନ୍ଧି ଶେଷରେ ଆମ୍ବୁଲ ପିଆଜ ପାଣି କରି ଭାତ ଖାଇବ ।
ସେ କଥା ଛାଡ଼ । କୋଉଦିନ ତାହେଲେ ଆନିଭରସରି କରିବୁ ଭାବି ଫେବୃଆରୀ ଚଉଦ ଠିକ୍ କଲୁ । ବୋଉ କହିବା ତିଥି ଦେଖିଲେ ପଚାଶ ବର୍ଷ ତଳେ ଭାଲେଣ୍ଟାଇନ୍ ଡେରେ ବାହାଘର ହେଇଥିଲା ।
କଣ ଗିଫ୍ଟ ଦେବି ଭାବି ଗିଫ୍ଟ ସପକୁ ଗଲି । ବୋଉର ନା ଗହଣାରେ ଲୋଭ ନା ଶାଢୀରେ । ବାପା ବୋଉ ଉଭୟେ କୋଉଥିରେ ଖୁସି ହେବେ ଭାବୁ ଭାବୁ ମନେ ପଡିଲା ବାପା କହୁଥିଲେ, ବୋଉ ପ୍ରଥମ କରି ଶାଶୁ ଘରକୁ ଆସିଲା ବେଳେ ସାଥିରେ ବୋହୂ କଣ୍ଢେଇଟିଏ ଆଣିଥିଲା, ଯାହା ଦିନେ ବାପା ବୋଉଙ୍କ କଳିରେ ବାପାଙ୍କ ହାତରେ ବଳି ପଡିଥିଲା । ବୋଉ ହାତରେ କଣ୍ଢେଇ ଥିବା ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ଫଟ ବାପାଙ୍କ ବାକ୍ସରେ ଥରେ ଦେଖି ମୋ ମୋବାଇଲରେ ଫଟ ଉଠେଇ ରଖିଥିଲି । ସେମିତି କଣ୍ଢେଇ ଉପରେ ନଜର ପଡିଲା । ଦୋକାନୀ କହିଲା, ଏଇଟା ଅଭଙ୍ଗା କଣ୍ଢେଇ । ଡେମୋ ଦେବା ପାଇଁ ତଳେ କଚି ଦେଲା ।
କଣ୍ଢେଇଟି ପ୍ୟାକ୍ କରୁ କରୁ ମୁଁ ଭାବୁଥିଲି.... ଏଇ ପଚାଶ ବର୍ଷ ଭିତରେ ସତରେ ତ କେତେ ଝଡଝଞ୍ଜାର ସମ୍ମୁଖୀନ ହୋଇଛନ୍ତି ବାପା ବୋଉ... କିନ୍ତୁ ଅଭଙ୍ଗା ରହିଛି ସେମାନଙ୍କ ସାହସ, ନିଷ୍ଠା, ଭଲ ପାଇବା ଓ ପରସ୍ପର ପ୍ରତି ସମ୍ମାନ । ଆଖି ଛଳଛଳ ହେଉଥିଲା ଓ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା- ସବୁ ସମ୍ପର୍କ ଏମିତି ଅଭଙ୍ଗା କାହିଁକି ରୁହେନି ସଂସାରରେ ।।