ଅଭିଶପ୍ତ ପ୍ରଜାପତି
ଅଭିଶପ୍ତ ପ୍ରଜାପତି
ସକାଳୁ ଉଠି ଅଳସ ଦେହକୁ କଅଁଳ ସେକ ଦେଉଥାଏ l ଦେଖେ ଏକ ଅଜବ ଦୃଶ୍ୟ l ଆଖି ମୋର କଏଦ ହୋଇଯାଏ ତା' ପାଖରେ;
ଶୁଖିଲା କଂକାଳ ଚାଳ ବାଡ଼ ଦେହରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି- ଉପରେ ଚଢ଼ି ତାଣ୍ଡବ କଲା ଭଳି ଜହ୍ନି-ଲଟା, ଅପରାଜିତା ଆଉ କିଛି ଚିହ୍ନା-ଅଚିହ୍ନା ଘାସ ଗାଲିଚା ସବୁ l
"ଶୁଖିଲା ଚାଳବାଡ଼" ଜୀବନର ଶେଷ ପାହାଚରେ,,, ତା ଦେହକୁ ଖରା, ବର୍ଷା, ଶୀତ, କାକର କେତେ ଲୁଟିଛନ୍ତି ଗୋଟି ଗୋଟି କରି l ସେ ପିଲାଛୁଆର ଲୁଚକାଳି ଖେଳର ସାହାରା ସାଜିଛି' ତ କେତେବେଳେ... ହଳିଆ ପିଲାର ହଳିଆ ବାଡ଼ି ପାଇଁ ଅନେକ ଥର ଭାଂଗିଛି l
ତା' ଯୌବନକୁ ଟିକଟିକ କରି ଖୁଣ୍ଟି ଖାଇଛନ୍ତି ଉଇ ମାନେ,, ଛାଡିଯାଆନ୍ତି ପ୍ରତ୍ୟେକଥର ବଳାତ୍କାରର ଲେପ... ସେଇ ଲେପରେ ଜୀଉଛି ଅଳ୍ପ ଅଳ୍ପ !
-ଏବେ ତାର ଅଣ୍ଟା ନଇଁ ଗଲାଣି l ଯୌବନ ଜୀବନ ସବୁ ଶେଷ ସୀମାରେ...!
ଚାଳବାଡ଼ର ଯୌବନ ଓ ଜୀବନ ଲୁଟି ସାରିବା ପରେ ଏବେ କାହା ଚୁଲିକୁ ଯାଇ କାହା ପେଟ ପାଇଁ ନିଜେ ନିଆଁରେ ଜଳିବ, କାହା ପେଟର ଜ୍ୱାଳାକୁ ଶାନ୍ତ କରିବ ସେଇ ଦିନର ଚାତକ ଅପେକ୍ଷାରେ l
-ଏତିକି ବେଳକୁ ଏକ ଅଜବ ରଙ୍ଗୀନ ପ୍ରଜାପତି ଆସି ତାର ଅସହାୟ କଙ୍କାଳ ଦେହରେ ବସିଲା...!
-ଥରଥର ଚାଳବାଡ଼ ଏବେ ଆଉ ଅସମ୍ଭାଳ l ପ୍ରଜାପତିର ଓଜନ ବୋହିବାର ଶକ୍ତି ନାହିଁ l
ସେଇ ପ୍ରଜାପତି କାହାକୁ ମଧ୍ୟ ମୋହିତ କରିପାରେ ! ତାର ଅଜବ ଗଜବ ଗଠନ କିନ୍ତୁ ଥିଲା କୁହୁକ ଆକର୍ଷଣ l ଜୀବନରେ ଥରେ ଦେଖିଲେ ମଶାଣି ଯାଏ ଅଭୁଲା ହୋଇ ରହିଯିବ l
ପ୍ରଜାପତି ଚାଳବାଡ଼କୁ ଯେତେ କଷ୍ଟ ଦେଉନଥାଏ.....ତା' ଠାରୁ ହଜାରେ ଗୁଣା କଷ୍ଟ ଦେବା ଆରମ୍ଭ କଲା ମତେ ସେଇ ଅଜବ ସାତରଙ୍ଗି ପ୍ରଜାପତି l
ଆଖି ମୋର ଶୂନ ହେବାକୁ ଲାଗିଲା....! ମୋର ଶିରାପ୍ରଶିରାରୁ ରକ୍ତ ଜୋର ଜୋରରେ ପ୍ରବାହିତ ହେଲା ! ହୃଦୟ ସ୍ପନ୍ଦନର ଧକ ଧକ ବାହାରକୁ ଶୁଭା ଯାଉଥିଲା |
•••••ଆଲୋ ପ୍ରଜାପତି ତୁ କାହିଁକି ଆସିଲୁ ?? ଭୁଲି ଯାଇଥିବା ଯନ୍ତ୍ରଣା, ହଜି ଯାଇଥିବା ସ୍ମୃତି କୁ ନେଇ !
-ଅନେକ ରାତି...ଅନ୍ଧାର ଛାତିରେ ବିତେଇଛି,, ଲୁହ ନଇଁ ପହଁରି ପହଁରି | ଆଖି ଅଗଣାରେ ଅନେକ ଥର ପିନ୍ଧିଛି ଦୁଃଖର ଗହଣା...! ସ୍ନେହ, ପ୍ରେମ,ବିରହ ଏହି ଶବ୍ଦ ମାନେ କେବେଠୁ ଆତତାୟୀ ସାଜିଛନ୍ତି ମୋ ପାଇଁ...!
--ରଙ୍ଗୀନ ପ୍ରଜାପତି ହଠାତ ଡେଣାରେ ବାନ୍ଧି ଆଣିଛି ଅଫେରା ଫଗୁଣକୁ... ପ୍ରଥମ ମଳୟକୁ....
ଦେହର ସେଇ ପ୍ରଥମ ଶିହରଣକୁ.... ପ୍ରଥମ ପ୍ରେମର ବ୍ୟାକୁଳତାକୁ...!
••••ତତେ ପାଇବାର ତା ଜିଦ ମତେ ତୋ ଆଡକୁ ଠେଲି ଦେଇ ତତେ ଧରିବାକୁ ବାଧ୍ୟ କରିଥିଲା | କି ମୋହନୀ ଲଗେଇ ଦେଲୁ ତାକୁ କେ ଜାଣେ ! ତତେ ପାଇବା ହିଁ କ୍ଷଣିକ ପାଇଁ ତାର ଅନ୍ତିମ ଇଚ୍ଛା ହୋଇଗଲା..!
- ଆଜି ଯାଏ କିଛି ମାଗିନି ମତେ... ସବୁ ଦେଇଛି....
***ମୋ ଠୁ ନେଇଛି କେବଳ ;
ହାଇସ୍କୁଲରେ ଟାକ୍ସ ପାଇଁ ମୁଁ ମାଡ଼ ଖାଉ ଥିଲେ ମୋ ଭାଗର ମାଡ | ସବୁ ଟାସ୍କ କରିକି ମୋ ପାଇଁ ନ କରିବାର ମିଛ ବାହାନାରେ ଅନେକ ଥର ମୋ ଭାଗର ମାଡ଼ର ଛଡେଇ ନେଇଛି l
***ମତେ ଜ୍ୱର ହେଇଥିଲେ ମୋ ଠାରୁ ସବୁତକ ଜ୍ୱର ଛଡେଇ ନେବାକୁ ଭଗବାନଙ୍କୁ ବାର ବାର ଡାକିଛି..!
***ହାତ ତିଆରି ଆଚାର ଲୁଚିଲୁଚି ଆଣି ଦେଇଛି ବଦଳରେ ମୋ ଦେହର ଜ୍ୱରକୁ ସବୁ ଥର ମାଗିଛି !
କେବେ ମଧ୍ୟ କିଛି ଦେଇ ପାରିନି ! ଏବେ ମୁଁ ଦେଇ ପାରିବା ଭଳି କିଛି ମାଗିଛି....."ଧରି ଆଣିବାକୁ ତାଙ୍କ ବାଡ଼ିର ରଙ୍ଗୀନ ପ୍ରଜାପତି" ! ମୁଁ ହାତ ଛଡା କରିବାକୁ ଚାହେଁନି ଏ ସୁଯୋଗକୁ. ଗରିବ ଆଦିବାସୀ ପିଲା କ'ଣ ଦେଇ ପାରିବ l
ମୁଁ ରଙ୍ଗୀନ ପ୍ରଜାପତି ପଛେ ପଛେ, ଆଉ ମୋ ପଛେ ପଛେ ସେ ଧରୁ ଧରୁ ଉଡି ଯାଉଥାଏ.... ଉଡି ଉଡି ରଙ୍ଗୀନ ପ୍ରଜାପତି ଥକି ବସି ପଡ଼ୁଥାଏ ଆଉ ମୁଁ ବାରବାର ଧରିବାକୁ ପ୍ରୟାସ କରୁଥାଏ l ମଝିରେ ମଝିରେ ପ୍ରଜାପତି ଧରି ନ ପାରିବାର ମିଠା ମିଠା ଗାଳି ମତେ ମିଳୁ ଥାଏ l
-ଦୁଇ ଘଣ୍ଟାରୁ ଅଧିକ କଷ୍ଟ କଲା ପରେ ଶେଷରେ ମୋ ହାତ ପାପୁଲିକୁ ଆସିଲା ସେଇ ରଙ୍ଗୀନ ପ୍ରଜାପତି....
ମୋ ଜୀବନର ପ୍ରଥମ ଉପହାର ଦେବା ବେଳକୁ ତାର ଡ୍ରେସରେ ଆଉ ମୋ ଡ୍ରେସରେ ଦେହ ସାରା ଲାଗି ଯାଇଥାଏ ଲଟା-ବୁଟା, ବନ ଜଡ଼ା, କପଡାରେ ଲଟକୁ ଥିବା ଅନେକ ପ୍ରକାର କଣ୍ଟା, ଲଟା, ବୁଦା.....l
ତା' ଦେହର ପ୍ରତ୍ୟେକଟି ଅଙ୍ଗକୁ କଣ୍ଟା ବୁଦା ସବୁ ଜାବୁଡି ଧରି ଦେହରେ ଅଧିକାର ସାବ୍ୟସ୍ତ କରୁଥାନ୍ତି l ତାଙ୍କ ଘର ପଛ ପଟେ କେବଳ ସେ ଆଉ ମୁଁ ପୁରା ନିଛାଟିଆ ! ସତେ ପୃଥିବୀ ଆଜି ପାଲଟିଛି ଜୀବଶୂନ୍ୟ....l ତା ଦେହର ସବୁତକ କଣ୍ଟା କାଢ଼ି
ବାକୁ ମତେ ବାର ବାର ସେ କହୁଥାଏ କିନ୍ତୁ ମୁଁ ଆଜି ଯାଏ ତା ଦେହକୁ ଏତେ ନିକଟରୁ ଏତେ ସ୍ପର୍ଶ କରି ନ ଥାଏ... ମୋ ପାଇଁ ଅସମ୍ଭବ l
- ହଁ... ନା....ଭିତରେ ମୁଁ ଗୋଟେ ଗୋଟେ କଣ୍ଟା କାଢ଼ୁ ଥାଏ ଆଉ ସେଇ କଣ୍ଟା ଆମର ଦୁହିଁଙ୍କ ହୃଦୟକୁ ପଶି ଯାଉଥାଏ l ତା ଡ୍ରେସରୁ ବାହାରି ସିଧା ମୋ ହୃଦୟକୁ ଅଲିଭା କ୍ଷତ କରୁ ଥାଏ l ଦେଉଥାଏ ଏକ ଅଜଣା ମିଠା ଯନ୍ତ୍ରଣା l ସେ ଯନ୍ତ୍ରଣାରେ ଆମେ ଦୁହେଁ ଛଟପଟ........ ଆମର ଛଟପଟରେ କେତେବେଳେ ପ୍ରଜାପତି ତା ହାତରୁ ଖସି ଉଡିଗଲା ଆମକୁ ଅଜଣା.....! ଦେହ ବିଦ୍ରୋହ କରୁଥାଏ ଦେହ ପାଇଁ ଆଉ ସବୁତକ, ଆଖି, ମନ, ସବୁ ଚୁପଚାପ ହେଇଗଲେ ସେହି କ୍ଷଣ lହାର ଅର୍ଥ ବୁଝିବା ଆଗରୁ ଡାକ ଆସିଲା ତା ମାଆର - ଆରେ ତମେ ମାନେ କଉଠି ଅଛ ଡାକବାଲା ଡାକ ଆଣିଛି ଆସ ଦେଖିବ... ତା ପରେ ......ସମୁଦ୍ରରେ ଉଠିଥିବା ଝଡ଼ ହଠାତ ଉଭାନ ହୋଇଗଲା.... !! ଅଜାଣତରେ ଅନେକ ନୁଆଁ ଇଚ୍ଛା ମିଠା ଯନ୍ତ୍ରଣା ଜନ୍ମ ହେବା ଆଗରୁ ସମାଧି ହୋଇଗଲା l ସେଇ ଇଚ୍ଛାର ସମାଧି କେତେ ଯେ ଯନ୍ତ୍ରଣା ତାହା କିଏ ଅନୁଭବ ନିଶ୍ଚୟ କରିଥିବେ;
××××××××
ଛଟପଟ ଆଉ ଅସହାୟ ଆଶାଟିଏ
ଜନ୍ମ ହେବା ଆଗରୁ ସମାଧି ନିଏ
ତା' ଅନ୍ତର୍ଦାହ ଅନ୍ତରେ
ବାହ୍ୟ ସବୁ ଚକାଚକ
ସତେ କିଛି ଘଟିନି ଏଯାଏ
ସମାଧି ତିଆରି ପାଇଁ
ବାଲି, ଇଟା, ସିମେଣ୍ଟ, ପଥର
ବଦଳେ;
ସ୍ନେହ, ପ୍ରେମ, ବିରହରେ
ତିଆରି ହୁଏ..
କାନ୍ଦିବାକୁ ଆଖି
ଲୁହ ପୋଛିବାକୁ ହାତ
ଆହା କରିବାକୁ ମୁହଁ କି
ଲୋଡ଼ା ନାହିଁ ତାକୁ; ବଂଧୁ ବାଂଧବ ଅବା କୁଟୁମ୍ୱ
କାନ୍ଦେ କିନ୍ତୁ ଜୋର-ଜୋରରେ
ଲୁହ ଝରେ ଭିତରେ-ଭିତରେ
ଶୁଭେନି କେବେ ଚିତ୍କାର,
ଶୁଣିବାକୁ କାନ
ଦେଖିବାକୁ ଆଖି ନୁହେଁ
ମରି ଯାଇଥିବା ମନଟିଏ ଦରକାର..
ପଚାର ଥରେ ବନ୍ଧୁ;
ତୁମ ହୃଦୟରେ ସତେ ଏମିତି
ଆଶାଟିଏ କେବେ ଜନ୍ମ ହେବା ଆଗରୁ
ସମାଧି ସାଜିନି..
ଦେଖ ସମାଧି ହୋଇ
ଉଇ ଖାଉ ଥିବ
ପାରିବ ଯଦି ସେଇ ସମାଧିରେ
ଶେଷ ଥର ଫୁଲଟିଏ ଦବ.....!!
.......
ନ ହେଲେ ମୋ ଭଳି ଛଟପଟ ହେଉଥିବା ସାରା ଜୀବନ; ମୁଁ ତ ସମାଧିରେ ଫୁଲଟିଏ ମଧ୍ୟ ଦେଇ ପାରିଲିନି ଆଶା ଆକାଂକ୍ଷା ସହ ମୁଁ ସମାଧିରେ ପରିଣତ ହୋଇ ଚାଲିଲି....!
ସବୁ ପ୍ରଥମ ଥର ଘଟୁ ଥାଏ-----
.
.
ବାନ୍ଧବୀକୁ ପ୍ରଥମ ଉପହାର... ରଙ୍ଗୀନ ପ୍ରଜାପତି ଧରୁଧରୁ ଫେଲ ହେଲୁ ସତ, କିନ୍ତୁ ପ୍ରଥମ ପ୍ରେମର ପାହାଚକୁ ଚିହ୍ନିବାରେ ପାସ ହୋଇ ସାରିଥିଲୁ ସେଇଦିନ...ll
••••••••
ସେ ଆଉ ଏ ଦୁନିଆରେ ନାହିଁ... ସେ ସବୁଦିନ ପାଇଁ ଉଦନ୍ତି ନଦୀ କୋଳରେ ଶାନ୍ତିରେ ଯାଇଛି...ତା ଚାଲିଯିବାର ଦୁଃଖକୁ ପୁଣି ଡେଣାରେ ବାନ୍ଧି ନେଇ ଆସିଛି ଅଭିଶପ୍ତ ରଙ୍ଗୀନ ପ୍ରଜାପତି .. !
* [ ଏହାର ସମ୍ପୂର୍ଣ ଘଟଣା ପ୍ରଥମ ଗଳ୍ପ - "ସ୍ମୃତି ଓ ସମ୍ପର୍କ"ରେ ବର୍ଣ୍ଣନା କରିଛି ]
---ଆଜି 9 ବର୍ଷ ପୁରିଲା.....ପ୍ରତିବର୍ଷ ମୁଁ ତା ସମାଧିରେ ଫୁଲ ଦେବା ପାଇଁ ଆଜିର ଦିନରେ ଲୁଚିଛପି ପହଂଚିଯାଏ l ମୋ ନାଆଁ ସହ ତା ନାଆଁ ଯୋଡି ହେଲେ ଏବେ ବି କାଳେ ବଦନାମ ହେଇଯିବ ତା ସମାଧି.. ତା ଆତ୍ମା l ମୁଁ ଆଦିବାସୀ କନ୍ଧ ପିଲା ଆଉ ସେ ରାଜାଝିଅ ଯୁଗଯୁଗ ପ୍ରେମ ଓ ମିଳନ ଅସମ୍ଭବ l ଏହି ଜାତିଆଣ ସମାଜରେ ତାହା ଆମ ଗାଁର ଉଦନ୍ତି ନଦୀ ମଧ୍ୟ ଜାଣିଛି l ତେଣୁ ତା ସମାଧିକୁ ଉପାଡି ସାଗର ଗର୍ଭରେ ବିଲୀନ କରି ଦେଇଛି l
ଏବେ ତା ସ୍ମୃତି ପାଇଁ ନା ଫୋଟୋ ଅଛି ନା ତା ଶେଷ ସମାଧି l ଏହା ବୋଧହୁଏ ମୋ ଆଦିବାସୀ କୂଳରେ ଜନ୍ମ ହେବାର ପ୍ରକୃତି ଓ ସମାଜ ମତେ ଉପହାର ଦେଲେ l
ତା ପ୍ରତେକଟି ସ୍ମୃତିକୁ ଭୁଲିଯିବା ଛଡା ମୋ ପାଖେ ଆଉ କୌଣସି ରାସ୍ତା ନ ଥିଲା ଅନେକ ରାତିକୁ ଛାତିରେ ଚାପି ଦୁଃଖକୁ ତକିଆ କରି ଅନେକ ରାତି ବିତେଇଛି l
ହୃଦୟକୁ ପଥର କରି ଭୁଲିଯାଇ ଥିବା ଅତୀତକୁ ଏ ଅଭିଶପ୍ତ ପ୍ରଜାପତି ହଠାତ ଆସି ଶୁଖିଲା ଆଘାତକୁ ଚୋଟ ମାରି ରକ୍ତାକ୍ତ କରି ଝରେଇ ଦେଇ ସେଇ ଅତୀତର ଗୋଟି ଗୋଟି ଅସହାୟ ଦୁଃଖ ଯନ୍ତ୍ରଣା ଦେଉଛି l
-ଆଜି ପୁଣିଥରେ ଛଟପଟ ସେଇ ଅତୀତର ଯନ୍ତ୍ରଣାରେ.. ଆଖି ସବୁ ଶୂନ ହେବାକୁ ଲାଗିଲା l
ଶିରାପ୍ରଶିରାରେ ରକ୍ତ ଜୋରଜୋରରେ ବୋହିବାକୁ ଲାଗିଲା ତା... ପରେ ହଠାତ ଅଚେତ ହୋଇ ଅନ୍ଧାରିଗଡ଼ରେ ଶୋଇପଡ଼ିଲି....!
ହଠାତ ମୋ ମାଆର ଚିତ୍କାରରେ ପୁଣି ଅନେକ ସମୟ ପରେ ଉଠି ପଡିଲି ସେତେବେଳେକୁ ଅଭିଶପ୍ତ ପ୍ରଜାପତି ଆଖି ସାମ୍ନାରୁ କୁଆଡେ ଉଭାନ ହୋଇ ସାରିଥିଲା ll