Bishwa Kalyan Mohapatra

Drama Tragedy Thriller

4.4  

Bishwa Kalyan Mohapatra

Drama Tragedy Thriller

ଅଭିମନ୍ୟୁ -୦୨(ମନର କୁହାଟ)

ଅଭିମନ୍ୟୁ -୦୨(ମନର କୁହାଟ)

5 mins
739


କାହାଣୀର ଅନ୍ତ ନଥାଏ। କେବଳ ଆରମ୍ଭ ହିଁ କାହାଣୀର ଉପକ୍ରମ ଓ ଉପସଂହାର। ଅନ୍ତ ଲାଗୁଥିବା କାହାଣୀ ଛାଡ଼ି ଯାଇଥାଏ ପଦଚିହ୍ନ, ସ୍ମୃତି ପଟୁ ର ମରୁ ବାଲି ରେ ଏକ ନୂତନ ପ୍ରାରମ୍ଭର ଭବ୍ୟ ସ୍ଵାଗତ ପାଇଁ। ଯାହା ତା ଠାରୁ ଢେର ଗୁଣ ଉନ୍ନତ ଏବଂ ନୂତନ ଧରଣର। ତେବେ ମନ କୁହାଟରୁ ପ୍ରଶ୍ନ ଉଠେ, " କାହାଣୀ କେତେ ଜଣଙ୍କୁ ଖରାପ ଲାଗେ କାହିଁକି? " ନିଜ ମତ ପୋଷଣ କରିବାକୁ ଗଲେ ଏହାର ଉତ୍ତର ହେଉଛି ପାଠକର ବଡ଼ ଅଭିଳାଷା। ପାଠକଟି କାହାଣୀରୁ ଯେଉଁ ପ୍ରକାର ମାଧୁର୍ଯ୍ୟ ଆଶା କରିଥାଏ ତାହା ପାଇ ନଥାଏ । ଅଭିଳାଷ କେତେ ପରିମାଣର ଥାଏ ତାହା ପାଠକର ଅଭିଜ୍ଞତା ଉପରେ ନିର୍ଭରଶୀଳ। ଏହି ଅଭିଜ୍ଞତାର ବୃଦ୍ଧି ନିମନ୍ତେ ଏ ଲେଖା ଉତ୍ସର୍ଗୀକୃତ ।

               ଭବିଷ୍ୟତରେ ଏ କାହାଣୀ ର ପ୍ରତିଟି ପୃଷ୍ଠା ଯିଏ ଲେଉଟାଇବ ସେ କେବେ ନିରାଶ ହେବା ଭଳି ମନେ ହେଉନି। କାରଣ ଏ କାହାଣୀ ହେଉଛି ଗୋଟେ ହାରି ଯାଇଥିବା ମଣିଷର। ଜୀବନର ପ୍ରତିଟି ସୋପାନରେ ସେ ହାରି ଯାଇଛି। ଜିତିବାର ସ୍ଵାଦ ଚାଖିବାକୁ ବହୁ ଆଗ୍ରହ ଥିଲେ ମଧ୍ୟ ପ୍ରତିଟି ମୁହୂର୍ତ୍ତରେ ତାକୁ ହାରି ଯାଇଥିବା ମଣିଷର ପରିଚୟ ନିଜ ସହ ବହନ କରିବାକୁ ପଡିଛି।

                 ପ୍ରକୃତରେ ଜୀବନ ଏକ ସଂଗ୍ରାମ ହିଁ ନୁହେଁ। କାରଣ ସଂଗ୍ରାମରେ ହାରି ଯାଇଥିବା ମଣିଷ ପାଖରେ କିଛି ଉଦ୍ଦେଶ୍ୟ ରହିଥାଏ ବଞ୍ଚି ରହିବା ପାଇଁ, କିଛି କରି ଦେଖେଇବାର ସ୍ବପ୍ନ ତା କାନ ପାଖରେ ସୃଷ୍ଟି କରିଥାଏ କିଛି ନୂତନ ଗୁଞ୍ଜରଣ । ମାତ୍ର ଜୀବନରେ ହାରି ସାରିଥିବା ଲୋକର ଆଖି ଆଗରେ ଥାଏ କେବଳ ଅନ୍ଧକାର । ସେଇ ହାରି ଯାଇଥିବା ମଣିଷର ନାମ ହେଉଛି କାହାଣୀର ଶୀର୍ଷକ " ଅଭିମନ୍ୟୁ "। ଏ କାହାଣୀଟି ଅଭିମନ୍ୟୁକୁ କୋଳେଇ ନେଇଥିବା ଗୋଟେ ପରିବାର ସହ ତାର ମିଳନର।

             ଅଭିମନ୍ୟୁ ବାର ବର୍ଷ ବୟସରେ ପୁଣି ଏକ ପରିଚୟ ପାଇଲା। କିଏ କହେ ହରେଇ ଥିବା ଜିନିଷ ପୁଣି ପ୍ରାପ୍ତ କରି ହୁଏନି। ସେ ଏଥର କେବଳ ବାପା , ମା ନୁହେଁ ଗୋଟେ ବଡ଼ ପରିବାର ପାଇଲା। ବାପା ,ମା ,ଦାଦା ,ଖୁଡି ,ଭାଇ ,ଭଉଣୀ ,ଜେଜେ ,ଜେଜେମା ଆଉ ତାକୁ ନେଇ ତାର ପରିକଳ୍ପିତ ପରିବାର ଗଢା ହେଲା। ହେଲେ କାହିଁ କେଜାଣି ସେ ଶତ ଚେଷ୍ଟାରେ ବି ସେମାନଙ୍କୁ ଅନ୍ତରଙ୍ଗ କରି ପାରିଲା ନାହିଁ । କିନ୍ତୁ ପରିବାରର ସମସ୍ତ ସଦସ୍ୟ ତାକୁ ବହୁତ୍ ଭଲ ପାଉ ଥିଲେ। ତେବେ ସେ କାହିଁ ପରିବାର କୁ ଆପଣେଇ ପାରେନା ତାର କାରଣ ଖୋଜି ବୁଲେ ତା ମନ କୁହାଟ ମଧ୍ୟରେ। କାରଣ କ'ଣ ତା ପୁରୁଣା ପରିବାର, ଯାହାଙ୍କ ନାମ ତା ମନ ଲେଖନୀ ରୁ ଧୀରେ ଧୀରେ ଅପସରି ଯିବାକୁ ଲାଗିଛି। ନା ତା ମନରେ ଥିବା ଏକ ଅଜଣା ଭୟ? ଅଜଣା ଭୟ ପୁଣି କ'ଣ? ଏହାର ଆବିର୍ଭାବ କେଉଁଠି ହେଲା? ନିଜ ନାମରେ ଘୃଣା ଭାବ ରଖୁଥିବା ପିଲାର ମନକୁ ବୁଝିପାରି ତ ରମେଶ ବାବୁ ପରିବାରର ଅନୁମତି ନେଇ ତାର ନାମ ପରିବର୍ତ୍ତନ କରାଇଛନ୍ତି। ପତି ରମେଶ ବାବୁ ଏବଂ ପତ୍ନୀ ଭାର୍ଗବୀ ଦେବୀ ପାଳିତ ପୁଅର ନାମ ଅଭିମନ୍ୟୁ ରୁ ବିଶ୍ୱାସ କରାଇଛନ୍ତି। ତେବେ ଅଜଣା ଭୟର ଆରମ୍ଭ କେଉଁଠି ହେଇଛି?  ଅଭିମନ୍ୟୁ ବହୁ ସମୟ ନିଜ ଭିତରେ ମଗ୍ନ। ସେ ଏବେ ନରଣ ପୁର ସହରରେ ଥିବା ନାମୀଦାମୀ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀର ଛାତ୍ର। ବିଦ୍ୟାଳୟରେ ପାଠ ପଢାରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ମାତ୍ର ବହୁ ବାର ବିଦ୍ୟାଳୟରୁ ଗୋଟିଏ ଅଭିଯୋଗ ବିଶ୍ୱାସ ବହୁ ସମୟ ଅନ୍ୟମନସ୍କ ରହୁଛି। ତା' ମନ କୁହାଟ ରେ କ'ଣ ଗୋଟେ ଗୁଞ୍ଜରଣ କରୁଛି ଯେ ସେ ତାହାକୁ କାହାକୁ ଜାଣିବାକୁ ଦେଉ ନାହିଁ। ବିଶ୍ୱାସ ପରିବାରକୁ ଅନ୍ତରଙ୍ଗ ନ କରି ପାରିଲେ ମଧ୍ୟ ସେମାନଙ୍କୁ ବହୁତ୍ ଭଲ ପାଇଛି ଅବଶ୍ୟ ତାହା ପରିବାର ପାଇଁ ଥିବା ପ୍ରେମ ନୁହେଁ , ଗୋଟେ ଅନାଥକୁ ସାହାରା ଦେଇଥିବା ପାଇଁ ପ୍ରେମ। ହେଲେ ଏଥିରେ ଜେଜେ ହରିହର ଅନ୍ତର୍ଭୂକ୍ତ ନୁହେଁ। କାହିଁକି କେଜାଣି ବିଶ୍ୱାସ ତାଙ୍କ ଭିତରେ ନିଜକୁ ପାଇ ପାରେ। ଅନିଚ୍ଛା ସତ୍ତ୍ୱେ ମଧ୍ୟ ଜେଜେଙ୍କୁ ସେ ବହୁତ୍ ଭଲ ପାଏ। 

           ବିଶ୍ଵାସର ମନକୁ ତର୍ଜମା କରିବା ଅସମ୍ଭବ ପ୍ରାୟ , ତାକୁ ବୁଝିବା ସବୁଠୁଁ ଜଟିଳ ବ୍ୟାପାର। ତା' ପ୍ରତିଟି କଥା ସ୍ୱୟଂରଚିତ ହୃଦୟ ଏବଂ ମସ୍ତିଷ୍କର ଅଭିନବ ମିଶ୍ରଣରେ ଚକ୍ରବ୍ୟୁହ ସୃଷ୍ଟି କରି ଶ୍ରୋତାର ମନକୁ ବନ୍ଦୀ କରିଦିଏ। ଲାଗେ ଯେପରି ତାର କଥାର ଗୂଢତତ୍ତ୍ଵ ଶ୍ରୋତା ପାଇଁ ଅଭେଦ୍ୟ। ମାତ୍ର ଏଥିରୁ ଜେଜେ ବାଦ୍। ବିଶ୍ୱାସଙ୍କୁ ସେ ଭଗବାନ ଶ୍ରୀକଷ୍ଣଙ୍କର କାହାଣୀ ଶୁଣାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଜେଜେ ଆଉ ବିଶ୍ୱାସ ଶ୍ରୀକୃଷ୍ଣ , ଅର୍ଜୁନଙ୍କ ଭଳି। ସେମାନଙ୍କ ରହସ୍ୟ କେବଳ ସେମାନଙ୍କ ମଧ୍ୟରେ ସୀମିତ। ଜେଜେଙ୍କର ଏଭଳି କାହାଣୀ କହିବାର ତାତ୍ପର୍ଯ୍ୟ ହିଁ ତାକୁ ଅନାଥ ପରିଚୟରୁ ମୁକ୍ତ କରିବା। ଯେଉଁଠି ସ୍ଵଂୟ ଭଗବାନଙ୍କୁ ନିଜ ପିତା ମାତାଙ୍କ ଠାରୁ ବିଚ୍ଛେଦ ସହ୍ୟ କରିବାକୁ ପଡ଼ିଥିଲା ସେଇଠି ମନୁଷ୍ୟ ଛାର ସଦୃଶ। ଏଥିରେ ବହୁ ପରିମାଣରେ ବିଶ୍ୱାସକୁ ଶାନ୍ତି ମିଳେ ମାତ୍ର ତଥାପି କିଛି ଅପୂର୍ଣ୍ଣ ରହିଥାଏ। ତାର ପୂରଣ ପାଇଁ ଖୋଜି ବୁଲେ ବିଶ୍ୱାସ ସତରେ କଣ ସେ ଶୂନ୍ୟସ୍ଥାନ ପୂରଣ ହେବ ! ଦୁନିଆରେ ଯଦି ସେ କାହାକୁ ସତରେ ଭଲ ପାଇଛି ତାହେଲେ ସେ ହେଉଛନ୍ତି ଜେଜେ , ସେ ଯଦି ଖାଲି ସ୍ଥାନ ପୂରଣ କରି ପାରି ନାହାଁନ୍ତି ତେବେ ସେ ସ୍ଥାନ ପୂରଣ କରିବ କିଏ ? 

               ମାଧବଙ୍କୁ କିଏ ଅବା ବୁଝିବ । ଅଳିକରେ ଲିଖିତ କାହାଣୀକୁ ପ୍ରାୟ ଅଳୀକ କରିବାର ସାମର୍ଥ୍ୟ କାହା ପାଖରେ ନଥାଏ , ନଚେତ୍ ଏ ସାରା ମହୀମଣ୍ଡଳରେ ସମ୍ପୂର୍ଣ୍ଣ ମାନବ ସମାଜ ଖୁସିର ଲହରୀ ରେ ମତୁଆଲା ହୋଇ ଥାଆନ୍ତେ। ଜେଜେଙ୍କ ହଠାତ୍ ଦେହ ଅସୁସ୍ଥ। ହୃଦ୍ ଘାତ ଯୋଗୁଁ ସେ ବିଶ୍ୱାସକୁ ବ୍ୟସ୍ତବହୁଳ ସମାଜରେ ଏକୁଟିଆ କରି ଚାଲିଗଲେ। ତେବେ ସେ ସମ୍ପର୍କ କେବେ ମାଧବ ପାର୍ଥଙ୍କ ର ନଥିଲା। କାରଣ ମାଧବ ପାର୍ଥଙ୍କୁ ଜୀବନ ଯୁଦ୍ଧ ରେ ଜିତାଇ ଦେଇ ଯାଇଥିଲେ। ମାତ୍ର ଜେଜେ ତାହା କରିପାରି ନାହାନ୍ତି। ଶେଷ ଶଯ୍ୟାରେ ଜେଜେ ଶେଷ ଥର ପାଇଁ ବିଶ୍ଵାସକୁ ଜୀବନ ଜୀଇଁବାର ଉପାୟ କହି ଦେଇ ଯାଇଛନ୍ତି। ଜେଜେ ପାଖକୁ ଡାକି କହିଥିଲେ ତୁ ସେତେବେଳେ ଖୁସି ହେବୁ ଯେଉଁ ମୁହୂର୍ତ୍ତରେ ତୁ କଳାକାର ହେଇ ପାରିବୁ। ତୁ ଯାହା ଖୋଲି କହିପାରୁନୁ ତାହା ତୁ କଳା ମାଧ୍ୟମରେ ଏ ସମଗ୍ର ବିଶ୍ଵରେ ଡିଣ୍ଡିମ ପିଟି କହ। ମନ ବହୁତ୍ ସୁସ୍ଥ ଅନୁଭବ କରିବ। ବିଶ୍ୱାସ ବୁଝିପାରୁ ନଥାଏ ସେ କଣ ଅନୁଭବ କରିବ। ଶେଷ କଥା ଜେଜେ ତାକୁ କହିଛନ୍ତି , ଅର୍ଥାତ୍ ବିଶ୍ୱାସ ତାଙ୍କ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର କିଛି ସମୟ ପରେ ସେ ତାଙ୍କୁ ହଜାଇ ଦେବ କେଉଁଠି ତାହା ଆଜିବି ଏକ ପ୍ରଶ୍ନ କରି ଠିଆ ହେଇଛି ସମ୍ମୁଖରେ । ହଠାତ୍ ଜେଜେଙ୍କର କଥା ଅଟକି ଯାଇଛି। ସବୁସ୍ଥାନ ଅନ୍ଧକାର ହେଇ ଯାଇଛି ବିଶ୍ୱାସ ଆଖିରେ। ଦୁଇ ବିନ୍ଦୁ ଅଶ୍ରୁ ଝରି ପଡ଼ିଛି ଜେଜେଙ୍କ ମୁଖ ମଣ୍ଡଳରେ। କିଏ କୁହେ ମଲା ବେଳେ ମନୁଷ୍ୟ କିଛି ସାଙ୍ଗରେ ନେଇ ନଥାଏ , ଏ ଦୃଶ୍ୟ ଦେଖିଲା ପରେ ମନେ ହୁଏ ଜେଜେଙ୍କ ପ୍ରାଣ ସେଇ ଦୁଇ ବିନ୍ଦୁ ଅଶ୍ରୁ ପାଇଁ ଚାତକ ଭଳି ଚାହିଁ ରହିଥିଲା। ଜେଜେଙ୍କ ମାନସ-ସାଗର ଏହି ଦୁଇ ବିନ୍ଦୁ ଅଶ୍ରୁରେ ପରିପୂର୍ଣ୍ଣ। ଦୁଇ ବିନ୍ଦୁ ଅଶ୍ରୁ ପରେ ବିଶ୍ୱାସ ଆଖିରେ କିଏ ସତେ ଯେପରି ବନ୍ଧ ନିର୍ମାଣ କରି ଦେଇଛି। କ୍ରନ୍ଦନର ଭାଳି ତା' ଚତୁଃପାର୍ଶ୍ଵରୁ ଛୁଟି ଆସୁଥିଲେ ବି ସେ ନିସ୍ତବ୍ଧ। ସତେକି ସେ ପାଲଟି ଯାଇଛି ପଥର। ତାର ପ୍ରଥମରୁ ଥିବା ଦୁର୍ବଳତା ହିଁ ଏ ଅବସ୍ଥା ପାଇଁ ଦାୟୀ। ଯାହା ଇଚ୍ଛାପୋଷଣ କରେ ତା' ସେ କାର୍ଯ୍ୟରେ ପରିଣତ କରିପାରେ ନାହିଁ। ନଚେତ୍ ହୁଏତ ତାର କ୍ରନ୍ଦନର ଗୁଞ୍ଜରଣ ଭେଦ କରିଥାଆନ୍ତା ସଭ୍ୟ ସମାଜର ବଧିର ମନୁଷ୍ୟକୁ , ତୁଙ୍ଗ ହିମାଳୟର ଶିଖରକୁ , ଗୋଲକଧାମରେ ଶୟନରତ ଭଗବାନଙ୍କୁ , ଦିଗ୍ ବଳୟର ଶେଷ ସୀମାକୁ , ସମୁଦ୍ରର ସବୁଠୁଁ ଗଭୀରତମ ସ୍ଥାନକୁ । ସେଇ ଗୁଞ୍ଜରଣ ନେଇ ଆସିଥାନ୍ତା ବିପ୍ଲବ ଏବଂ କ୍ରାନ୍ତିକାରୀ ଯୁଗକୁ। ସେଇ ଗୁଞ୍ଜରଣରେ ସୃଷ୍ଟି ହେଇଥାନ୍ତା ବିଶ୍ଵର ସବୁଠୁଁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ଆଉ ଶେଷରେ ସେ କହିଥାଆନ୍ତା ବିଶ୍ୱାସ ହିଁ ଅଭିମନ୍ୟୁ। ଶତଚେଷ୍ଟା ପରେବି ତାର ରୂପାନ୍ତରଣ ସମ୍ଭବ ନୁହେଁ। ଅଭିମନ୍ୟୁ ଗୋଟେ ନାମ ନୁହେଁ ନିଜ ପାଇଁ ଗୋଟେ ଅଭିଶାପ।


Rate this content
Log in

Similar oriya story from Drama