Bishwa Kalyan Mohapatra

Tragedy Inspirational Thriller

4.7  

Bishwa Kalyan Mohapatra

Tragedy Inspirational Thriller

ଅଭିମନ୍ୟୁ - ୦୪(ଗୁମର ଉନ୍ମୋଚନ)

ଅଭିମନ୍ୟୁ - ୦୪(ଗୁମର ଉନ୍ମୋଚନ)

6 mins
803


ଏ ମାନବ ସମାଜର ମନକୁ ବୁଝିବା ସବୁଠୁଁ ଜଟିଳ ବ୍ୟାପାର। ସତରେ କଣ ମନୁଷ୍ୟ କେବେ ଖୁସିରେ ଜୀବନ ଜୀଇଁ ପାରେ? ଯଦି ପାଠକର ଉତ୍ତର ସକାରାତ୍ମକ ଭାବ ପ୍ରଦର୍ଶନ କରେ ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ଖୁସି ଓ ଦୁଃଖ ସମସ୍ତ ଭାବ ସମ୍ପୂର୍ଣ୍ଣ ରୂପେ ମନ ସହ ସଂଶ୍ଳିଷ୍ଟ। ମାତ୍ର ମନ ଗୋଟିଏ ଅତ୍ୟନ୍ତ କ୍ଷୁଦ୍ର ପକ୍ଷ ଧାରଣ କରୁଥିବା ବିହଙ୍ଗମ ଟିଏ। ମନର ଆକାର କଳନା କରି ନିରାକାରର ଆଖ୍ୟା ଦେଲେ କୌଣସି ଦ୍ୟୁବିଧା ଉପୁଜିବ ନାହିଁ। ମନ ହେଉଛି ଏପରି ବିହଙ୍ଗମ ଯାହାର ଉଡ଼ିବାର ସୀମା ଏ ଛାର ମନୁଷ୍ୟ ନିର୍ଦ୍ଧାରଣ କରିବା ପ୍ରାୟ ଅସମ୍ଭବ। ସେଇ ମନ କେବେ ଆକାଶ ବକ୍ଷକୁ ଛେଦ କରି ଉଡ଼ିଯାଇ ଥାଏ ତ କେବେ ପୁଣି ଦୂର ଦିଗନ୍ତ କୁ ଭେଦ କରି ଭ୍ରମଣ କରେ ଦୁର୍ଗମ ଅଞ୍ଚଳ। ତେବେ କିପରି ସୀମିତ କାରଣ ଖୁସି କରାଇପାରେ ମନକୁ। ସେଇ ମନ ଆଲୋକ ଠାରୁ ଅଧିକ ଚଞ୍ଚଳ , ଭ୍ରମର ଠାରୁ ଅଧିକ ପାଗଳ , ପ୍ରଜାପତି ଠାରୁ ଅଧିକ ଚପଳ। ଯଦି ମନୁଷ୍ୟ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମନକୁ ବଶ କରିବା ଶିଖିଯାଏ ତେବେ ଏ ଧରା ଦେବଲୋକ ପାଲଟି ଯିବ। ସମସ୍ତ ମାନବ ଜଣେ ଜଣେ ଦେବାଦେବୀ ରୂପେ ପୂଜା ପାଇବେ। ମାତ୍ର ଏବେ ପ୍ରଶ୍ନ ଆସେ ଯେ ଏ ଦେବାଦେବୀଙ୍କୁ ପୂଜିବ କିଏ? ଏ ଧରାପୃଷ୍ଠରେ ରହୁଥିବା ପଶୁପକ୍ଷୀ ନା ଏ ଧରାପୃଷ୍ଠୁର ଶୋଭା ବର୍ଦ୍ଧନ କରୁଥିବା ବୃକ୍ଷରାଜି , ପାହାଡ , ପର୍ବତ , ନଦୀ , ଝରଣା , ସମୁଦ୍ର ଆଦି।         

            କାହାଣୀର ଶୀର୍ଷକ ଅଭିମନ୍ୟୁ ଚରିତ୍ର ଏବେ ବି ତା ନାମକୁ ନେଇ ଦ୍ବନ୍ଦରେ। ଲାଗେ ସତେ ଯେପରି କିଛି ପ୍ରଶ୍ନର ଉତ୍ତର ଧରାପୃଷ୍ଠରେ ମିଳି ନଥାଏ। ଉତ୍ତର ପାଇବାକୁ ହେଲେ ସେଇ ଲୀଳାମୟ ଈଶ୍ବରଙ୍କ ପାଖକୁ ଯିବାକୁ ପଡିବ। ଅଭିମନ୍ୟୁ କେଉଁ ଅବସ୍ଥାରେ କେଉଁଠି ଅଛି ତାହା ମଧ୍ୟ ଅନୁଭବ କରିବାର ଶକ୍ତି ତା ପାଖରେ ନାହିଁ। ନେତ୍ର ଖୋଲିବାକୁ ଚେଷ୍ଟା କଲା ବେଳେ ସେ ଅସହ୍ୟ ଆଲୋକର ପ୍ରକୋପକୁ ଶଯ୍ୟ ନକରି ପାରି ନେତ୍ର ଭୂରୁକୁ ମିଟି ମିଟି କରୁଥାଏ। ସେ ଆଲୋକ ଅଭିମନ୍ୟୁ କୁ ସ୍ମରଣ କରାଏ ଜେଜେ ଙ୍କ କ୍ଷୁଦ୍ର ଗଳ୍ପରେ ଥିବା ଭଗବାନଙ୍କ ତେଜକୁ। କିଛି ସମୟ ଅତିବାହିତ ହେବା ପରେ ଅଭିମନ୍ୟୁ ପରିବାରର ସମସ୍ତଙ୍କୁ ପାଇଲା ଆଖି ସାମ୍ନାରେ। ଏଥର ମା'ଙ୍କ ଆଖିରେ ଲୋତକର ଧାରା ବହି ଚାଲିଛି। ମାତ୍ର ଏଥର ସ୍ଵରରେ ସମବେଦନା ର ଚିହ୍ନ ନଥିଲା, ଥିଲା ଯଦି କେବଳ କ୍ରୋଧର ଆଉ କଠୋରତାର। ମାଆଙ୍କ ପାଖରୁ ଅଭିମନ୍ୟୁ କେବେ ତାହା ଆଶା କରି ନଥିଲା। "ତୁ କ'ଣ ଚାହୁଁଛୁ ଆମେ ମଧ୍ୟ ସମସ୍ତେ ଜୀଇଁବା ର ଆଶା ଛାଡ଼ି ଦେବୁ। ତୋ ଜେଜେଙ୍କ କ୍ରିୟା କର୍ମ ଏଯାଏଁ ଅସମ୍ପୂର୍ଣ୍ଣ । ସେ ଭାର ସହ ତୋର ଏ ଅବସ୍ଥା ମୋ ସହନଶୀଳତା ର ସୀମା ଲଙ୍ଘନ କରିସାରିଛି ।" 

        ଅଭିମନ୍ୟୁର ମୃତ ପ୍ରତୀତ ଶରୀରକୁ ମୃତଶରୀରରେ ପରିଣତ କରିବା ପାଇଁ ମାଆଙ୍କ ମୁଖ ନିଶୃତ ବାକ୍ୟ ଯଥେଷ୍ଟ ଥିଲା। ଅଭିମନ୍ୟୁ ମନ ମଧ୍ୟରେ ପ୍ରଶ୍ନରେ ପୂର୍ଣ୍ଣ ନଦୀବନ୍ଧ ଭଗ୍ନ ଅବସ୍ଥାରେ ଉପନୀତ। ନଦୀବନ୍ଧରେ ଥିବା ପ୍ରତିଟି ପ୍ରଶ୍ନ ଅଭିମନ୍ୟୁର ମନକୁ ବାରମ୍ବାର ଆଘାତ ଦେଇ ଚାଲିଛି । ଅଭିମନ୍ୟୁ ଶେଷ ନିଷ୍ପତ୍ତି ନେବା ବେଳେ ତା' ମନ କୌଣସି କଠୋରପନ୍ଥୀ ରାଜାଙ୍କ ଠୁଁ କମ୍ ନଥିଲା । ସେ ବର୍ତ୍ତମାନ ଏ ଘରଠୁଁ ବହୁତ୍ ଦୂରକୁ ଚାଲି ଯିବାକୁ ସଂକଳ୍ପବଦ୍ଧ। ଘରର ସମସ୍ତ ସଦସ୍ୟଙ୍କ ଭଲ ପାଇବା ପାଇ ମଧ୍ୟ ପ୍ରତିବଦଳରେ ସେମାନଙ୍କୁ ଅଭି ଦେଇଛି କ'ଣ ? ସେପଟେ ମାଆଙ୍କୁ ସମସ୍ତେ ବୁଝାଇବାରେ ବ୍ୟସ୍ତ। ଏମିତି ଯଦି ଜେଜେ ହରିହରଙ୍କ ସାମ୍ନାରେ ହୋଇଥାଆନ୍ତା ତେବେ କ'ଣ ମାଆ ଜେଜେଙ୍କ କ୍ଷମାର ପାତ୍ରୀ ହୋଇ ପାରିଥାନ୍ତେ ? ସମସ୍ତଙ୍କ ମନ ମଧ୍ୟରେ ଗୋଟିଏ ପ୍ରଶ୍ନ କେମିତି ମାଆ ଭାର୍ଗବୀ ଅଭିମନ୍ୟୁକୁ ଏପରି କହି ପାରିଲେ ? 

         ଜେଜେଙ୍କ ମୃତ୍ୟୁର ଷଷ୍ଠ ଦିନରେ ଅଭିମନ୍ୟୁ ପୂର୍ବ ଅପେକ୍ଷା ଅଧିକା ସୁସ୍ଥ ଅନୁଭବ କଲା। ଆଜି ରାତ୍ରର ଘନ ଅନ୍ଧକାରରେ ଲୁଚିଯିବ କେଉଁଠି ତାହା ତାକୁ ଜ୍ଞାତ ନାହିଁ। ଏତିକି ସ୍ପଷ୍ଟ ଯେ ସେ ଏ ପରିବାରକୁ ଛାଡ଼ି ଚାଲି ଯିବ ବହୁତ୍ ଦୂରକୁ। ଯେପରି ଏ ପରିବାରର ମାନସ ପଟ ରୁ ଲିଭିଯିବ ତା ନାମ। ଅଭି ଅବା ବିଶ୍ୱାସ କେଉଁଟା ତା ପ୍ରକୃତ ନାମ?

              ରାତ୍ରି ଅନ୍ଧକାରର କରାଳ କାଳିମା ମଧ୍ୟରେ ଅଭିମନ୍ୟୁର ନୟନ ଚମକି ଉଠୁଥାଏ। ନୟନ ଭ୍ରୁରୁକୁ ପଡ଼ିବାକୁ ଦେଇ ନଥାଏ ଅଭିମନ୍ୟୁ। ସମସ୍ତେ ନିଦ୍ରାରତ ଥିବା ଅନୁଭବ କରି ସେ ପାଦ କାଢିଥିଲା ଘରର ଏରୁଣ୍ଡି ବନ୍ଧ ବାହାରକୁ। ଅଭିମନ୍ୟୁର ପାଦ ଧୀରେ ଧୀରେ ପବନର ଗତି ଆଡ଼କୁ ଅଗ୍ରସର। ଏବେ ଅପେକ୍ଷାକୃତ ପାଦର ବେଗ ବଢ଼ି ଚାଲିଲା। ଧୀରେ ଧୀରେ ଦୌଡ଼ିବାକୁ ଲାଗିଲା ଅଭିମନ୍ୟୁ। ବର୍ତ୍ତମାନ ସେ ଗତିଶୀଳ , ସ୍ଥିର ପାଲଟିବାକୁ ନାହିଁ ତା ପାଖରେ ସେ ଅତୁଟ ସାହସ। ଜୀବନ ସଂଗ୍ରାମରୁ ସେ ପଳାୟନ କରିବାକୁ ଲାଗିଲା। ରଣଭୂମି ଛାଡ଼ିବା ତା ପାଖରେ ଥିଲା ଏକମାତ୍ର ଉପାୟ। ସତରେ ସୃଷ୍ଟି କେଡ଼େ ବିଚିତ୍ର , ଦ୍ଵାପର ଯୁଗରେ ଅଭିମନ୍ୟୁ , ଜ୍ୟେଷ୍ଠ ମାତା ଦ୍ରୌପଦୀଙ୍କ ସହ ହେଇଥିବା ଅନ୍ୟାୟ ବିରୁଦ୍ଧ ଲଢେଇ ମହାଭାରତର ରଣଭୂମିରେ ପ୍ରାଣବାୟୁ ଦେଇ ଥିବା ବେଳେ , ଆଜିର ଅଭିମନ୍ୟୁ ମାଆ ଭାର୍ଗବୀଙ୍କ କେଇ ପଦ କଥାକୁ ସହ୍ୟ ନ କରିପାରି ଜୀବନ ସଂଗ୍ରାମରୁ ପଳାୟନ କରୁଛି।

             ସକାଳର ସୂର୍ଯ୍ୟ ସଭିଙ୍କ ମନକୁ ପୁରାତନ ଭାବନାରୁ ଦୂରେଇ ଦେଇ ନୂତନ ମାର୍ଗ ଦେଖାଇ ଥାଏ। ସେଥି ପାଇଁ ଅଳସୁଆ ମାନବ ଜାତି , ଉଦିତ ସୂର୍ଯ୍ୟକୁ ଦେଖିବା ପାଇଁ ପରିଭ୍ରମଣର ଆଳରେ ସମୁଦ୍ର ମୁହାଣରେ ବସିରହି ନିରୀକ୍ଷଣ କରେ ଦିଗ୍ ବଳୟ ଆଡ଼କୁ। ଦର୍ଶନ ପରେ ମନ ମଧ୍ୟରେ ସେ ପରିଣତ ହୁଏ ଆଉ ଏକ ନୂତନ ଚରିତ୍ରରେ। ହେଲେ ଅଭିମନ୍ୟୁ ପାଇଁ ଅତୀତ ହେଉଛି ଶୁଷ୍କ ନଦୀ ସଦୃଶ ଏବଂ ଭବିଷ୍ୟତ ନଦୀରେ ଥିବା ଚୋରାବାଲି ସଦୃଶ। ଅଭିମନ୍ୟୁକୁ ସବୁଠୁଁ ଅଧିକା କଷ୍ଟ ଦେଇଛି ନିଜ ବର୍ତ୍ତମାନ , ମରୀଚିକା ସଦୃଶ ମରୁଭୂମିରେ ଜଳ ଆଶାରେ ଗୋଡେଇ ଗୋଡେଇ ନିସହାୟ ରୂପେ ପଡ଼ିଥିବା ପଥିକ ହେଉଛି ଅଭିମନ୍ୟୁ। 

           ପରିବାରର ସମସ୍ତ ସଦସ୍ୟଙ୍କୁ ଆଉ ଅଛପା ନାହିଁ ଯେ ଅଭିମନ୍ୟୁ ବିଦାୟ ନେଇ ସାରିଛି । କୁଆଡେ ଚାଲିଗଲା ଅଭିମନ୍ୟୁ ସେ ଏବେ ମାତ୍ର ପନ୍ଦର ବର୍ଷର ବାଳକ। ମାତ୍ର ତିନି ବର୍ଷ ସେ ଏ ପରିବାର ସହ ବିତେଇଛି। ମାତ୍ର ଜେଜେଙ୍କ ଅନ୍ତରଙ୍ଗ ହୋଇ ଥିବାରୁ ସେ ପରିବାରର ହୃଦୟ ପାଲଟି ଯାଇ ଥିଲା। ଜେଜେ ହରିହରଙ୍କୁ ପୁରା ପରିବାରର ସମସ୍ତ ସଦସ୍ୟ ସ୍ନେହ , ଆଦର , ସମ୍ମାନ ଦେଖେଇ ଥାଆନ୍ତି। କାରଣ ସେ ତାଙ୍କ ଜୀବନ କାଳ ମଧ୍ୟରେ ଉଚ୍ଚ ସିଦ୍ଧାନ୍ତ , ସ୍ୱାଭିମାନ , ନୀତି ଏବଂ ଆଦର୍ଶ ପାଇଁ ବିଖ୍ୟାତ। କେବଳ ନରଣ ପୁର ଗ୍ରାମ ନୁହେଁ ସେ ଆଖପାଖ ଚାରି ପାଞ୍ଚଟି ଗ୍ରାମରେ ହରିହରଙ୍କର ଭାରି ପ୍ରଶଂସା। ମାତ୍ର କିଛି ଲୋକ ତାଙ୍କ ମରିବାର କାରଣ କୋଡ଼ିଏ ବର୍ଷ ତଳେ କରିଥିବା ଭୂଲ୍ ର ପ୍ରାୟଶ୍ଚିତ ବୋଲି କହୁଛନ୍ତି। କେଉଁ ଭୁଲ୍ ଜେଜେ ହରିହର କରି ଥିଲେ? ସେ କଣ ଦୋଷୀ , ସେ ଭୁଲ୍ କଣ କ୍ଷମା ଯୋଗ୍ୟ ନଥିଲା? କେତେକ ଲୋକ ସେ କଥାକୁ ନିଜ ସ୍ୱାଭିମାନ ଏବଂ ପରିବାରର ସମ୍ମାନ ବୃଦ୍ଧିର ଆଳରେ ଜେଜେଙ୍କୁ ଉଚ୍ଚ ବିଚାରବାଦୀ ଆଖ୍ୟା ଦିଅନ୍ତି। 

            ଏ ସୁନା ସଂସାରରେ କାହାର ନଜର ଲାଗି ଗଲା କେଜାଣି? ଦିନ ସାରା ଦାଦା ରାକେଶ ଅଭିମନ୍ୟୁକୁ ଖୋଜି ଖୋଜି ନିରାଶ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପରିବାରର ସମସ୍ତ ସଦସ୍ୟ ମଉନ ବ୍ରତ ପାଳନ କରିଥିବା ମନେ ହୁଏ। ସବୁ ନିରବତା କୁ ଭେଦ କରି ଦାଦା ରାକେଶ ଚିତ୍କାର କରି ଉଠିଲେ "ରମେଶ ଭାଇ , ରମେଶ ଭାଇ"। ହଠାତ୍ ଏ ଚିତ୍କାର ଶୁଣି ରମେଶ ବାବୁ ଚିତ୍କାରର ତାତ୍ପର୍ଯ୍ୟ ପଚାରିଲେ। " ତୁମକୁ ଆଜି ଉତ୍ତର ଦେବାକୁ ହେବ ଅଭିମନ୍ୟୁର ପ୍ରକୃତ ପରିଚୟ ଦେବାକୁ ହେବ।" ରାକେଶ ବାବୁଙ୍କ ବାକ୍ୟରେ ପୂର୍ଣ୍ଣଛେଦ ପଡ଼ିବା ପୂର୍ବରୁ ରମେଶ ବାବୁ କହିଲେ "ବାପା ହାରିହରଙ୍କ କଥା ରକ୍ଷା କରି ତ ମୁଁ ଅଭିମନ୍ୟୁକୁ ଅନାଥ ଆଶ୍ରମରୁ ଏ ଘରକୁ ପାଛୋଟି ଆଣିଥିଲି। ତେବେ ତାର ପରିଚୟର ପ୍ରଶ୍ନ ମୋତେ କାହିଁକି ପଚାରୁଛ।" ପ୍ରତ୍ୟୁତ୍ତରରେ ରାକେଶ ବାବୁ କହିଲେ , " ମୁଁ ପରିବାରର ସଭିଙ୍କୁ ଛୋଟ ବେଳୁ ଦେଖି ଆସିଛି। ବାପାଙ୍କ ଉଚ୍ଚ ସିଦ୍ଧାନ୍ତ କୋଡ଼ିଏ ବର୍ଷ ତଳେ ମୋ ବଡ଼ ଭାଇକୁ ମୋ ଠାରୁ ଅଲଗା କରି ଦେଇ ଥିଲା। ତାହା ପୁଣି ନୀଚ ଜାତିର ଜୀବନସାଥି ଚୟନ କରିଥିବାରୁ। ସେତେବେଳେ ମୁଁ ପାଟି ଖୋଲିବା ସମୟରେ ତୁମେ ହିଁ ନୀତି ଆଦର୍ଶ ଆଳରେ ଚୁପ୍ କରେଇ ଦେଇ ଥିଲ। ତେବେ ପୁଣି କେଉଁ ନୀତି ଆଦର୍ଶକୁ ସାକ୍ଷୀ ରଖି ଗୋଟେ ଅନାଥ ପିଲାକୁ ଘରେ ଆଶ୍ରୟ ଦେଇଥିଲ ତୁମେ ମାନେ? ସେ ଅନାଥ ଅଭିମନ୍ୟୁର ଜାତି ଗୋତ୍ର ତୁମେ ପରୀକ୍ଷା କରେଇ ଥିଲ? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ତର୍ଜମା କରି ପହଞ୍ଚି ଥିଲି ସେଇ ଅନାଥ ଆଶ୍ରମରେ। ଏବେ ସତ କୁହ ଭାଇ ଅଭିମନ୍ୟୁର ପରିଚୟ ଦିଅ ଏ ପରିବାରକୁ। ମୁଁ ସବୁ ସତ୍ୟ ଜାଣି ସାରିଛି ଏବେ ପରିବାରକୁ ଅନ୍ଧାରରୁ ମୁକ୍ତ କର।"          

             ପରିବାରର ସମସ୍ତ ସଦସ୍ୟ ସ୍ତବ୍ଧ ଜେଜେଙ୍କ ମୃତ୍ୟୁ ସବୁ ରହସ୍ୟର ଉନ୍ମୋଚନ କଲା ଭଳି ମନେ ହେଉଛି। ଅଭିମନ୍ୟୁର ସମ୍ପର୍କ କ'ଣ , ଏ ପରିବାର ସହ? ପରିବାରର ସମସ୍ତ ସଦସ୍ୟଙ୍କ ମୁଖକୁ ଚାହିଁଲେ ରମେଶ ବାବୁଙ୍କୁ ମନେ ହୁଏ ଯେପରି ଆଜି ବିଶ୍ଵର ସମସ୍ତ ପୀଡିତ , ପୀଡ଼ା ପାଇବାର କାରଣ , ସମସ୍ତ ନାଚାର ଦୁର୍ବଳ ଶୋଷଣର କାରଣ ଜାଣିବାକୁ ବ୍ୟାକୁଳ। ବିପ୍ଳବର ଆଳରେ ଶୋଷଣର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଶୋଷଣର ସେଇ ବୃହତ୍ କଡ଼ିଟିକୁ ମୂଳତ୍ପୋଟନ କରିଦେବେ ଏ ସମଗ୍ର ସଂସାରରୁ। ଆଉ ନୀତି ଆଦର୍ଶର ଆଳରେ ଅଣଦେଖା କରିହେବ ନାହିଁ। ଉଚ୍ଚ ସ୍ବରରେ ଉତ୍ତର ଦେଲେ ରମେଶ ବାବୁ ," ହଁ ହଁ ଅଭି ମୋ ବଡ଼ ଭାଇ ରଘୁରାମର ପୁଅ। ଆଉ ରଘୁରାମ କି ତା ନୀଚ ଜାତିର ପତ୍ନୀ କେହି ଏ ଦୁନିଆରେ ନାହାନ୍ତି। ଅଭିମନ୍ୟୁ ଏବେ ଅନାଥ।"

              ଏ କଥାଟି ବାକ୍ ଚତୁରତା ଦେଖଉଥିବା ଲୋକକୁ କରି ପାରେ ମୁକ , ଶଶକ କର୍ଣ୍ଣ ଧାରଣ କରିଥିବା ବ୍ୟକ୍ତିକୁ କରିପାରେ ବଧିର , ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ଭୁଲେଇ ଦେଇ ପାରେ ତାଙ୍କ ଜ୍ଞାନର ଗାରିମା , ଅସାଧାରଣ ବ୍ୟକ୍ତିକୁ ପରିବର୍ତ୍ତନ କରେଇ ପରେ ତୁଚ୍ଛ ମାନବରେ। ଏତେ ବଡ଼ ରହସ୍ୟକୁ କିପରି ହରିହର ଆଉ ରମେଶ ବାବୁ ପରିବାର ଠାରୁ ଗୋପନ ରଖି ପାରିଲେ। 


Rate this content
Log in

Similar oriya story from Tragedy