ଅଭିମାନ
ଅଭିମାନ
ପିଲାଦିନେ ଅମ୍ଲାନ ଓ ମୁଁ ଦୁହେଁ ଖୁବ୍ ଭଲ ସାଙ୍ଗ ଥିଲୁ, ଯାହାକୁ କହନ୍ତି ଏଣ୍ଟିମେଣ୍ଟ୍ ଦୋସ୍ତ। ତା’ ମୋ ଭିତରେ ଅନେକ କିଛି ତଫାତ୍ ଥିଲେ ବି ଆମ ବନ୍ଧୁତ୍ୱର ନିବିଡ଼ତା ଭିତରେ ଆମେ ଦୁହେଁ ସବୁବେଳେ ଏକାଠି ଥାଉ। ଅମ୍ଲାନ ଟିକେ ଡରୁଆ, ଭୟାଳୁ ଓ ଲାଜକୁରା ସ୍ବଭାବର, ଆଉ ଗଣିତରେ ଭାରି ଦୁର୍ବଳ କିନ୍ତୁ ମୁଁ ତା’ର ଠିକ ବିପରୀତ। ସାଙ୍ଗ ହିସାବରେ ମୁଁ ତାକୁ ସବୁଥିରେ ସାହାଯ୍ୟ କରେ ସତ ମାତ୍ର ତା’ ସହ ଥଟା ମଜା ଯେପରି ମୋ ଦୈନଦିନ ଜୀବନର ଏକ ଅଂଶବିଶେଷ। ଲାଜକୁରା ଆଉ ଡରୁଆ ହେତୁ ସେ ବେଶୀ କିଛି କରିପାରେନାହିଁ ସେଥିପାଇଁ ତା’ ଉପରେ ମୋର ଭାରି ଜୁଲମ୍। ମୁଁ ତାକୁ ଯେତେ ମାଡ଼ ମାରେ, ଗାଳି କରେ, ହଇରାଣ କରେ ସେଥିରେ ତା’ର କିଛି ଯାଏ ଆସେ ନାହିଁ। ମୁଁ ବି ଜାଣେ ସେ ମୋର ସବୁ ଦୁର୍ଗୁଣକୁ ହସିହସି ସହିଯାଏ। ମୋର ଯାବତୀୟ ରାଗରୁଷା ଦୁଷ୍ଟାମୀ ତା’ ଉପରେ କିଛି ଫରକ ପକାଏନି ସେଥିପାଇଁ ତ ସେ ମୋର ବେଷ୍ଟ୍ଫ୍ରେଣ୍ଡ୍। ହେଲେ ସମୟ ତ କେବେ କାହାକୁ ଅପେକ୍ଷା କରେନି ସେତ ଅବିରତ ଗଡି ଚାଲିଥାଏ ଠିକ ଗୋଟେ ନିମ୍ନମୁଖୀ ଜଳସ୍ରୋତ ପରି। ଏସବୁ ଭିତରେ ଆମର ସ୍କୁଲ ଜୀବନ ସରିଯାଇଥାଏ। ନିଜ ନିଜର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେ ଦୁହେଁ ଆଗେଇ ଚାଲିଥାଉ। ସେ କଳା ଓ ମୁଁ ବିଜ୍ଞାନର ଛାତ୍ର ସେ ବି ପୁଣି ଅଲଗା ଅଲଗା କଲେଜରେ ତେଣୁ ଦେଖା ଦେଖି ବହୁତ କମ୍ ହୁଏ। ଆରି ଭିତରେ ମୋର ଉଚ୍ଚ ଶିକ୍ଷା ପାଇଁ ମତେ ବାହାର ରାଜ୍ୟକୁ ଯିବାକୁ ପଡିଲା ଯେତେ ଦୂରରେ ରହିଲେ ବି ସବୁବେଳେ ସବୁସମୟରେ ଅମ୍ଲାନ କଥା ବହୁତ ମନେପଡେ। ତା’ ସହିତ ବିତାଇ ଥିବା ସବୁସମୟ ଗୋଟେ ଗୋଟେ ଫିଲ୍ମ ପରି ଆଖି ଆଗରେ ନାଚିଉଠେ, କଥା ହବାକୁ ଭାରି ମନହୁଏ କିନ୍ତୁ ଫୋନର ତ ସୁବିଧା ସୁଯୋଗ ନାହିଁ ତେଣୁ ମନ କଥା ମନରେ ହିଁ ମରିଯାଏ।
ଦୀର୍ଘ ତିନିବର୍ଷ ପରେ ମୋର ପାଠପଢ଼ା ସରିଲା। ଘରକୁ ଆସିବା କ୍ଷଣି ବାହାରି ପଡିଲି ଅମ୍ଲାନକୁ ଦେଖାକରିବା ପାଇଁ। ସକାଳୁ ସକାଳୁ ବେଶ୍ ଉତ୍ସାହିତ ମନରେ ବାଡ଼ି ପିଜୁଳି ଧରି ପହଁଚିଗଲି ଅମ୍ଲାନ ଘର ଆଗରେ। ବଡ଼ ପାଟିରେ ଡାକି ଉଠିଲି ଅମ୍ଲାନ ଅମ୍ଲାନ ହେଲେ ଆଶ୍ଚର୍ଯ୍ୟରେ କଥା କେହି ଆସିବାତ ଦୂରର କଥା କାହାର ସ୍ୱର ଶବ୍ଦ ବି ନାହିଁ। ଟିକେ ଚିଡିଯାଇ ସବୁଦିନ ପରି କହିଲି, “କିରେ ଅମ୍ଲାନ ମରିଗଲୁ କିରେ ତତେ କଣ ମୋ ଡାକ ଶୁଣା ପଡୁନି” ତଥାପି ନିସ୍ତବ୍ଦ। ମନେମନେ ଭାବିଲି କାଳେ କିଏ ବ୍ୟସ୍ତ ଥିବେ ସେଥିପାଇଁ ଶୁଣିପାରୁନଥିବେ। ତେଣୁ ନିଜେ ବେଶ୍ ଦମ୍ଭରେ ଘର ଭିତରକୁ ପଶିଗଲି। ଶୁନ୍ଶାନ୍ ଘରଭିତରେ କାହାକୁ ନପାଇ ଚାରିପଟକୁ ଭଲକରି ଥରେ ଆଖି ବୁଲାଇ ଆଣିଲା ବେଳକୁ ଯାହା ଦେଖିଲି ସେଥିରେ ମୋର ଅଧା ହୋସ୍ ଉଡ଼ିଗଲା, ପାଦତଳୁ ମାଟି ଖସିଗଲା ପରି ମନେହେଲା, ଆଖିକୁ ସବୁକିଛି ଅନ୍ଧାର ଦେଖାଗଲା। ମୋ ଆଖିଆଗରେ ଥିଲା ଅମ୍ଲାନର ଏକ ସୁନ୍ଦର ଫୁଲମାଳ ପିନ୍ଧା ଫଟୋ, ପାଖରେ ଦୀପଟିଏ ଜଳୁଥିଲା। ମୋ ହାତରୁ ପିଜୁଳି ଜରିଟି ସଙ୍ଗେସଙ୍ଗେ ଖସି ପଡିଲା। ଆଖିର ଲୁହଠୁ ମନର କୋହ ଢେର ଅଧିକ ଥିଲା। ଅଭିମାନଭରା ସ୍ୱରରେ ମୁଁ କହିଉଠିଲି, “ସତରେ ଅମ୍ଲାନ ତୁ କେଡେ ଧୋକାବାଜଟା ଏତେ ବଡ଼ ଧୋକା ମୋତେ ଦବୁ ବୋଲି ମୁଁ କେବେ ସ୍ବପ୍ନରେ ଭାବି ନଥିଲି”। ଲୁହଭରା ଆଖିକୁ ଲୁଚାଇ ଚାଲିଆସୁଥିବା ବେଳେ ମୁଁ ସ୍ପଷ୍ଟ ଭାବରେ ଶୁଣିପାରୁଥିଲି କବାଟ କୋଣରୁ ପୁତ୍ରଶୋକରେ ଝୁରି ହେଉଥିବା ମାଆର ଛାତିଫଟା କାନ୍ଦର ସ୍ୱର। ମୁଁ ସାହସ କରିପାରୁନଥିଲି ସେ ଲୁହକୁ ପୋଛିଦେବା ପାଇଁ।
