Seetaram Dash

Crime Horror

1.6  

Seetaram Dash

Crime Horror

ଆଉ ଜଣେ ପିଡିତା

ଆଉ ଜଣେ ପିଡିତା

6 mins
483



ଆଶ୍ଵିନ ମାସ ଆସି ଅଧା ହେଲାଣି। ଜମି ନିଗିଡା ହୋଇ ଆସିଲାଣି। ଆଉ ଡେରି ନ କରି ଶୀତ ଦିନିଆ ଫସଲ ଲଗେଇବାକୁ ପଡିବ। ନ ହେଲେ ଫସଲ ପଛୁଆ ହୋଇଯିବ। ତେଣୁ କିଛି ବିହନ ମଞ୍ଜି ଆଣିବାକୁ ବାହାରି ପଡ଼ିଲି ବିରିଡ଼ି ହାଟକୁ। ଚାଷ ପାଇଁ ବିହନ, ଘର ସଉଦା, ପାନ ଗୁଆ କିଣାକିଣି କରି ଫେରିବା ବେଳକୁ ମୁହଁ ସଞ୍ଜ। ଘରେ ଗାଡ଼ି ଖଣ୍ଡେ ନ ଥିବାରୁ ସାଇକେଲ ଆଣି ଆସିଥିଲି। ହାତରେ ଛୋଟ ଟର୍ଚ୍ଚ ଖଣ୍ଡେ। ବିଲୁଆ ଖାଇ ନଈ ବନ୍ଧରେ ଚାରିଆଡ଼ ଶୂନ୍ ଶାନ୍। ତଥାପି ମୋ ମନରେ ଡର ନାହିଁ। କାରଣ ବୋଉ କହେ, ତୋ ଜାତକ ଏବଂ ରାଶିରେ ଭୂତ ପ୍ରେତଙ୍କ ଭୟ ନାହିଁ। ତତେ ସେମାନେ କେବେ ଦେଖା ଦେବେନି। ତା ସହିତ ଜଣେ ସାଧକ ମତେ ଗୋଟେ ଡେଉଁରିଆ ଦେଇଥିଲେ। ଯାହାର ପ୍ରଭାବରେ କେହି ମୋ ପାଖକୁ ପଶି ପାରିବେନି। ନଈ ପଠାର ବିସ୍ତୀର୍ଣ୍ଣ ବାଲୁକା ରାଶିରେ ଦୁଇ ଚାରିଟା କୋକିଶିଆଳି ବୁଲୁଥାନ୍ତି। ନଈ ବନ୍ଧରେ ଥିବା ତାଳ ଗଛର ଶୁଖିଲା ବରଡ଼ା ସାଇଁ ସାଇଁ ପବନରେ ଖଡ଼ ଖଡ଼ ଶବ୍ଦ କରୁଥାଏ। କିନ୍ତୁ ମୋ ମନରେ ଭୟ ନ ଥାଏ। କିଛି ବାଟ ଆସିଛି, ଗୋଟେ ଅଣ୍ଡିରା ବିଲୁଆର ଭୋକିଲା ରଡି ଦୂର ଅରଖ ବୁଦା ମୂଳରୁ ଭାସି ଆସିଲା। ପୁଣି କିଛି ବାଟ ଆସିଛି, ଦେଖିଲି ନଈ ବନ୍ଦରେ ଥିବା ବିଜୁଳି ବତୀ ଖୁଣ୍ଟରେ ଏକ ପେଚା ବସି ବଡ଼ ବଡ଼ ଆଖିରେ ଅନେଇ ଥାଏ, ସତେ ଯେମିତି ମୁଁ ତାର ଶିକାର। ଘରଚଟିଆ ଟିଏ ଚିଂ ଚିଂ ଶବ୍ଦ କରି କାନ ପାଖରେ ଉଡ଼ିଗଲା। ଏବେ ଭୟ ନ ଲାଗିଲେ ବି ମନ ଟା ମୋର ଦବି ଗଲାଣି। ତରବର ହୋଇ ଚାଲିଥାଏ କିପରି ଏ ନଈ ପଠାଟି ସରିବ। 


    ଅଙ୍କା ବଙ୍କା ସର୍ପିଳ ରାସ୍ତା, ତା ସାଙ୍ଗକୁ ଖାଲ ଖମା। ତେଣୁ ସାଇକେଲରେ ଧୀରେ ଧୀରେ ଯିବା ଛଡା ଗତି ନାହିଁ। ଏତିକି ବେଳେ ଦଲକାଏ ପବନ ଜୋରରେ ଭାସି ଆସିଲା। ଧୂଳି ବାଲି ଏବଂ ଶୁଖିଲା ପତ୍ରରେ ମୁଁ ପୁରା ବୁଡ଼ିଗଲି। ଆଖି କାନ ନାକ ଧୂଳିରେ ମୋର ଭର୍ତ୍ତି ହୋଇଗଲା। ହାତରେ ଆଖିକୁ ମଳି ମଳି ଦେଖିଲି, କେହି ଜଣେ ମହିଳା ଧଳା ଲୁଗା ଖଣ୍ଡେ ପିନ୍ଧି ମଝି ରାସ୍ତାରେ ଛିଡା ହୋଇଛି। ଏକ କରୁଣ କ୍ରନ୍ଦନ ଭାସି ଆସୁଛି ତା ମୁହଁରୁ। ମୁଁ ଭୟରେ ଥର ହର। ତଥାପି ମନକୁ ବୁଝାଇଲି, ରାଗ ରୁଷାରେ କେହି ଘରୁ ରାଗି ଚାଲି ଆସିଛି ବୋଧେ। ଗରିବ ଘରେ ତ ବେଶୀ କଳି। ତା ସାଙ୍ଗକୁ ଆଜିକାଲି ଗାଁରେ, ମଦ କବଳିତ କରିସାରିଲେଣି ସମସ୍ତଙ୍କୁ। ନିଶା ପାଣି ପାଇଁ ଅନେକଙ୍କ ଘରେ ଝଗଡା। ମନରେ ସାହସ ବାନ୍ଧି ଟିକେ ପାଖକୁ ଗଲି।


     ନିଜ ମନ ଭିତର ଭୟ ଲୁଚାଇବାକୁ ଯାଇ ମୁଁ ଟିକେ ଚଢା ଗଳାରେ ପଚାରିଲି, କିଏ ତୁମେ? କଣ ପାଇଁ ରାସ୍ତା ମଝିରେ ଠିଆ ହୋଇ କାନ୍ଧୁଛ? ଟିକେ ଟାଣ ଗଳାରେ ସ୍ତ୍ରୀ ଲୋକଟି ଉତ୍ତର ଦେଲା, "ମୁଁ' ରାଣୀ, ରାତିର ରାଣୀ। ବିଲୁଆଖାଇ ନଈ ପଠାର ରାଣୀ"। ମନେ ମନେ ଭାବିଲି ପାଗେଳୀଟିଏ। ବିରକ୍ତ ହୋଇ କହିଲି, ତୋ ମୁଣ୍ଡ ଖରାପ ହୋଇଯାଇଛି ନା କଣ? ଯା ତୋ ବାଟରେ ଯା। ରାସ୍ତାରେ ଗୋଟେ ଯାତ୍ରା ଚଲେଇଛି। ସ୍ତ୍ରୀ ଲୋକଟି ଏକ ବିକଟାଳ କଣ୍ଠରେ ଅଟ୍ଟହାସ୍ୟ କରି କହିଲା, "ମତେ ଚିହ୍ନି ପାରୁନୁ। ଏଇ ବିଲୁଆ ଖାଇ ନଦୀର ବାଲୁକା ଶଯ୍ୟାରେ ତ ମତେ ଖିନଭିନ୍ କରି ମାରିଥିଲ। ଏମିତି ଏକ ମୁହଁ ସଞ୍ଜରେ ମୋ ଶରୀରକୁ ଲୁଟିଥିଲ। ସେଦିନ ମୁଁ କେତେ ବିକଳ ହୋଇ କାନ୍ଦିଥିଲି। ଛାଡି ଦେବା ପାଇଁ କେତେ କାକୁତି ମିନତି କରିଥିଲି ତୁମ ମାନଙ୍କ ପାଖରେ। ହେଲେ ତୁମେ କାମୁକ ପାଷାଣ୍ଡ ମାନେ କଣ ଶୁଣିଲ? ସେଦିନର କାଳ ରାତ୍ରିର ସାକ୍ଷୀ ଏଇ ବିଲୁଆ ଖାଇ ନଦୀ। ମୋ ରକ୍ତରେ ସେଦିନ ରଞ୍ଜିତ ହୋଇଥିଲା ଏଇ ନଦୀର ବାଲୁକା ରାଶି। ତୁମ ଦେହର ଭୋକ ମେଣ୍ଟି ସାରିବା ପରେ ବି ରାକ୍ଷସ ମାନଙ୍କର ମନ ଶାନ୍ତି ହେଲାନି। ମତେ ଜୀବନରୁ ମାରିଦେଲ। ଜଣେ ନିରୀହ ଶିଶୁକୁ ମା ଛେଉଣ୍ଡ କରିଦେଲ। ଜଣେ ସ୍ୱାମୀର ସୁନ୍ଦର ସଂସାର ଉଜାଡ଼ି ଦେଲ। ଶେଷରେ ମୋର ମୃତ ଦେହ ଅନେକ ଦିନ ଯାଏଁ ପଡ଼ି ରହିଲା, ଏଇ ନଈ ପଠାରେ ବିଲୁଆ କୁକୁରଙ୍କ ଆହାର ହୋଇ। ଏତେ ଶୀଘ୍ର ଭୁଲି ଗଲୁ ସେ ସବୁ। ଦେଖ, ମତେ ଭଲ କରି ଦେଖ"।


      ଏତକ କହି ସ୍ତ୍ରୀ ଲୋକଟି ବୁଲିଗଲା ମୋ ଆଡ଼କୁ। ମୋ ହାତରେ ଥିବା ଟର୍ଚ୍ଚ ଟି ଆପେଆପେ ଜାଳି ଉଠିଲା। ତୋଫା ଜହ୍ନ ଆଲୁଅରେ ମୁଁ ଦେଖି ପାରିଲି ସ୍ତ୍ରୀ ଲୋକଟିର ସାମ୍ନା ଭାଗ ସମ୍ପୂର୍ଣ୍ଣ ବସ୍ତ୍ର ହୀନ। ମନୁଷ୍ୟ ନୁହେଁତ, ଅନେକ ଦିନରୁ ମରି ଯାଇଥିବା ଗୋଟେ କ୍ଷତ ବିକ୍ଷତ ଶରୀର ଯେମିତି। ଦେହରୁ ଝରିଥିବା ରକ୍ତ ସବୁ ଶୁଖି କଳା ପଡି ଶରୀରଟି କଦର୍ଯ୍ୟ ରୂପ ଧାରଣ କରିଛି। ବକ୍ଷ ଦେଶ ଛିନ୍ନ ଭିନ୍ନ। ପେଟରେ ବିରାଟ ବିରାଟ କ୍ଷତ। ସତେ ଯେମିତି ମିଶର ଦେଶର ପିରାମିଡ ଭିତରେ ଥିବା ଅନେକ ଦିନର ମମି। ଦେହରେ ଅସଂଖ୍ୟ ଛୋଟ ଛୋଟ କଣା। ଶରୀରକୁ ପିମ୍ପୁଡି, ପୋକ ଜୋକ ଖାଇ କଣା କରି ଦେଇଥାନ୍ତି। ଶୁଖିଲା ମାଂସ ଠାଏ ଠାଏ ଛାଡି ଓହଳି ପଡ଼ିଥାଏ। ଚମଡା ଲୋଚାକୁଚା ହୋଇ ମୋଡି ହୋଇ ଯାଇଥାଏ....


        ଏସବୁ ଦେଖି ମନରେ ମୋର ଭୟ ମାଡି ଆସିଲା। ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲି ତମେ ଏଠି କଣ କରୁଛ? ସେ ଅଜବ ସ୍ତ୍ରୀ ଲୋକଟି ଉତ୍ତର ଦେଲା, "ମୋ ପରି ଆଉ ଜଣେ ଅଭାଗିନୀ ଆସିବାର ଅଛି, ତାକୁ ନେବାର ଅଛି ମୋ ଦୁନିଆକୁ। ତେଣୁ ମୁଁ ତାକୁ ଏ ଯାଗାରେ ଅପେକ୍ଷା କରିଛି।"


    ଏହି ସମୟରେ ଆକାଶରେ ଗୋଟେ ଅଜବ ଶବ୍ଦ ଶୁଣାଗଲା। ମୁଁ ମୁହଁ ବୁଲାଇ ଚାହିଁଲି ଶବ୍ଦ ଆସୁଥିବା ଦିଗକୁ।ଦୂରରୁ ଅନେକ ଦୂରରୁ, ଦୂର ଦିଗବଳୟରୁ ଏକ ଶୁଭ୍ର ପ୍ରଜାପତି ଆମ ପାଖକୁ ଆସୁଥିବାର ଲକ୍ଷ୍ୟ କଲି। ଧୀରେ ଧୀରେ ତାର କାୟା ବଢି ଚାଲିଲା। ଆଶ୍ଚର୍ଯ୍ୟ! ଏକ ବିରାଟ ଶବ୍ଦ ସହ ସେ ଏକ ଯୁବତୀର ରୂପ ଧାରଣ କରି ଆମ ଦୁଇଜଣଙ୍କ ମଝିରେ ଛିଡା ହେଲା। ମୁଁ ଛିଡା ହୋଇଥିବା ଜାଗାରେ ମାଟି ଦୋହଳିଗଲା। ଭୟରେ ମୋ ଦେହ ହାତ ଥରିଲାଣି। ପାଟିରୁ ଶବ୍ଦ ସ୍ଫୁରୁ ନଥାଏ। ଜାଣିଗଲି, ଏବେ ମୋର ବଞ୍ଚିବାର ଆଶା କ୍ଷୀଣ।


   ମନର ଭୟକୁ ମନରେ ଚାପି ରଖି, ଭୂତ ତୋତେ ଦେଖାଯିବେନି ବୋଲି ମନେ ମନେ ଭାବି, ଅଳ୍ପ ଦମ୍ଭଧରି ପଚାରିଲି "ତୁମେ ପୁଣି କିଏ?"


      ବିରାଟ ଏକ ଅଟ୍ଟାହାସ୍ୟ ସହ ସେ ଉତ୍ତର ଦେଲା, "ଶୁଣିବୁ? ଶୁଣିବୁ ମୁଁ କିଏ? ମୋ ଜୀବନର କଳଙ୍କିତ କାହାଣୀ ଶୁଣିବୁ? ତେବେ ଶୁଣ...


    ମୋ ନାଁ ସାଗରିକା। ମୋ ମନରେ ବି ଥିଲା ଅନେକ ଆଶା, ଅନେକ ଅରମାନ। ଆମ ପରିବାରରେ ମୁଁ ଥିଲି ଏକୁଟିଆ ରୋଜଗାରିଆ ଝିଅ। ବାପା ମା'ଙ୍କର ମୁଁ ଥିଲି ଅତି ଅଲିଅଳି। ମୋ ପାଇଁ କେତେ ଆଶା କରିଥିଲେ ସେମାନେ। ମୁଁ ଥିଲି ସେମାନଙ୍କ ସାହା ଭରସା। କିନ୍ତୁ ଆଉ ଜଣେ ଥିଲା, ଯାହାକୁ "ମୁଁ" ଭରସା କରିଥିଲି। ଯାହାକୁ "ମୁଁ" ମୋର ସବୁକିଛି ଭାବିଥିଲି। "ମନର ମଣିଷ" କରି ପୂଜା କରୁଥିଲି ଦିନ ରାତି। କିନ୍ତୁ ସେ? ମିଛ ବିଶ୍ୱାସ ଆଉ ଭରସା ଦେଇ ମତେ ଆପଣାର କରିଥିଲା। ମୁଁ ତାର ପ୍ରେମରେ ପାଗଳ ଥିଲି, କିନ୍ତୁ ସେ ମୋ ରୂପରେ ପାଗଳ ଥିଲା। ମୁଁ ପ୍ରେମର ସାତ ରଙ୍ଗକୁ ଦେହରେ ବୋଳୁ ଥିଲି ସେ କିନ୍ତୁ କାମନାର ନିଆଁରେ ଜଳୁଥିଲା। ମୁଁ ଯାହାକୁ ଦେବତା ଭାବିଥିଲି ସେ ଗୋଟେ ରାକ୍ଷସ ଥିଲା।


      ଦିନେ...ଖୁବ ମିଠା ମିଠା କଥାରେ ସେ କିଣିନେଲା ମୋର ମନ। ମୋ ମନରେ ଭରିଦେଲା ସ୍ୱପ୍ନ। ସ୍ୱପ୍ନରେ ଦେଖାଇଲା ଛଳନାର ଫଗୁଣ। ଆଉ ତା ପରେ ପ୍ରତାରଣାର ପ୍ରୀତି ପରାଣ। ଆଜି ଥିଲା ମୋ ପାଇଁ ଗୋଟେ କାଳ ରାତି। ଜଣେ ସାଙ୍ଗ ଘରକୁ ବୁଲିଯିବାର ବାହାନା କରି ସେ ମତେ ନେଇ ଗଲେ ଏକ ଅଜଣା ଜାଗାକୁ। ତାପରେ ଆରମ୍ଭ ହେଲା ଅମଣିଷର ପାଶବିକ ଅତ୍ୟାଚାର। ଜଣେ ନୁହେଁ, ସେଠି ଥିଲେ ଅନେକ। ମଣିଷ ନୁହେଁ ତ ସେମାନେ, ସତେ ଯେମିତି ଗୋଟେ ଗୋଟେ ରାକ୍ଷସ। ତାର ମୁନିଆ ମୁନିଆ ଦାନ୍ତ ଆଉ ନଖରେ ମୋର ସାରା ଶରୀରକୁ କରି ଚାଲିଲେ କ୍ଷତାକ୍ତ। ମୋ ଦେହ ହାତରୁ ଝରୁଥାଏ ରକ୍ତର ଅବିରତ ଧାର। କିନ୍ତୁ ନର ରାକ୍ଷସ ମାନେ ତାଙ୍କ କାମନା ବାସନାର ଅଗ୍ନିକୁ ଶାନ୍ତ କରିବାକୁ ଯାଇ ମୋ ସହିତ ବାରମ୍ବାର କରି ଚାଲିଲେ ଦୁଷ୍କର୍ମ। ଅତ୍ୟଧିକ କଷ୍ଟ ସହି ମୋ ଶରୀର ହୋଇଗଲା ଅବଶ ଏବଂ ପ୍ରାଣହୀନ। ମୋର ହାତ ଗୋଡ଼ ବାନ୍ଧି ଗୋଟେ ଅଖାରେ ଭର୍ତ୍ତି କଲେ ପିଶାଚ ମାନେ। ମୋ ଆତ୍ମା ମୁକୁଳି ଗଲା ମୋ ଶରୀର ଭିତରୁ। ତା ପରେ? ତାପରେ ମୁଁ ଚାଲି ଆସିଲି ଏ ଅଫେରା ଦୁନିଆକୁ। ଦେଖ ମତେ, ଭଲ କରି ଦେଖ" ।


    ଝିଅଟି ପ୍ରଥମେ ଛିଡା ହୋଇଥିଲା ରାଣୀ ଆଡକୁ ମୁହଁ କରି। ଏବେ ବୁଲିଗଲା ମୋ ଆଡ଼କୁ।ଟର୍ଚ୍ଚ ଲାଇଟ ଏବଂ ସେଇ ତୋଫା ଜହ୍ନ ଆଲୁଅରେ ମୁଁ ଦେଖିଲି, ତା ଦେହ ସାରା ଖାଲି ତାଜା ରକ୍ତ ଆଉ ରକ୍ତ। ଦେହର ଅନେକ ଜାଗାରେ ବିରାଟ ବିରାଟ ଖଣ୍ଡିଆ ଘା। ସାଗରିକା ଦେହର ନରମ ମାଂସର ଖଣ୍ଡିଆ ଗୁଡିକ ରକ୍ତରେ ଲାଲ ହୋଇ ବିକୃତ ଦେଖା ଯାଉଥାଏ। ନଖ ରାମ୍ପୁଡ଼ା ଦାଗ ସହ ଠାଏ ଠାଏ ଦାନ୍ତର କାମୁଡ଼ା ଦାଗରୁ ରକ୍ତ ବୋହି ଏକ ସଦ୍ୟ କାଟିଥିବା ବୋଦାର ବେକରୁ ବାହାରୁଥିବା ରକ୍ତ ପରି ଠପ ଠପ ହୋଇ ପଡୁଥାଏ। ସତେ ଯେମିତି କେହି ହିଂସ୍ର ଜନ୍ତୁ ପୁଳା ପୁଳା ମାଂସ କାମୁଡି ଖାଇ ଯାଇଛି ସାରା ଶରୀରରୁ। ଦେହରୁ ରକ୍ତ ଝରି ଆଖ ପାଖର ମାଟି ଭିଜି ଗଲାଣି। ଆଉ ଆଖିରୁ ବି ଝରୁଛି ଅନେକ ଲୁହ। ଭୟରେ ମୋର ବେହୋସ ହେବା ଅବସ୍ଥା। କଣ କରିବି? କଣ କରିବି ଏ ବିଷମ ପରିସ୍ଥିତିରେ? ମନେ ମନେ ହନୁମାନଙ୍କୁ ସ୍ମରଣ କରି ଦୁଇ ଚାରି ପାଦ ପଛକୁ ଫେରି ଆସିଲି। ମନେ ମନେ ଗାଇବାକୁ ଲାଗିଲି ହନୁମାନ ଚାଳିସା ,"ଭୂତ ପିଶାଚ ନିକଟ ନେହିଁ ଆବେ, ମହାବୀର ଜବ ନାମ ଶୁନାବେ"...


ନିଜକୁ ରାତିର ରାଣୀ କହୁଥିବା ପ୍ରଥମ ମହିଳାଟି ସାଗରିକାକୁ ସାନ୍ତ୍ୱନା ଦେଇ ନେଇଗଲା ବିଲୁଆ ଖାଇ ନଦୀ ପଠା ଭିତରକୁ। ତା ପରେ, ଏକ ଭୟଙ୍କର ଶବ୍ଦ କରି ଉଭେଇ ଗଲେ ଦୁହେଁ।


    ସେ ଶବ୍ଦରେ ମୋ କଲିଜା ପାଣି ହୋଇଗଲା। ମୁଁ ବିକଳରେ ଚିତ୍କାର କରି ଉଠି ବସିଲି। ଚାରିଆଡେ ହାତ ମାରି ଜାଣିଲି, ମୁଁ ମୋ ଘରେ ଅଛି। ଏବେ ଜାଣିଲି ଏ ସବୁ ସ୍ୱପ୍ନ ଥିଲା। ମୁଁ ସ୍ୱପ୍ନ ଦେଖୁଥିଲି। ଦେହ ହାତ ଝାଳରେ ଓଦା। ଘଣ୍ଟା ଦେଖି ଜାଣିଲି ରାତି ପାହିବାକୁ ବସିଲାଣି। ମନ ଭଲ ଲାଗିଲାନି। କଣ ପାଇଁ ଏ ଦୁଃସ୍ୱପ୍ନ। କଣ କିଛି ଅସୁବିଧା ହେବକି? ମନକୁ ବାର ଆଡୁ ପାପ ଛୁଇଁଲା। ବଡ଼ ଝିଅ ହଷ୍ଟେଲରେ ରହି ପଢୁଛି। ତା କଥା ବହୁତ ମନେ ପଡ଼ିଲା। ଡରି ଡରି ଫୋନ କଲି। ଚାରି ପାଞ୍ଚ ଥର ଫୋନ ରିଙ୍ଗ ହୋଇ କଟିଲା ପରେ ଝିଅ ଫୋନ ଧରିଲା। ସେପଟୁ ଝିଅ ନିଦ ଭରା ସ୍ୱରରେ ପଚାରିଲା, ବାପା କଣ ହେଲା? ମୁଁ କହିଲି ନାଇଁ ଏମିତି ଫୋନ କରିଦେଲି। ତୋର ସବୁ ଭଲ ତ? ସେ କହିଲା, "ହଁ, ଭଲ ସବୁ। ରାତି ପାହିନି, ତମେ ଶୋଇପଡ। ମୁଁ ଉଠିଲେ ଫୋନ କରିବି।" ମୋ ଦେହରେ ଏବେ ଟିକେ ଜୀବନ ପଶିଲା। ଆଖି ବନ୍ଦ କରି ପଡି ରହିଲି। 


    ସମୟ କେତେ ହେବ କେଜାଣି? ହଠାତ ଦାଣ୍ଡ ପଟୁ ପାଟି ଶୁଭିଲା। ସମସ୍ତେ ଦଉଡା ଦଉଡି ହୋଇ ସବୁ ନଦୀ ପଠା ଆଡକୁ ଧାଉଁ ଥାନ୍ତି। କିଏ ଜଣେ ଆସି ଖବର ଦେଇଥିଲା, "ଆମ ଗାଁ ଠୁଁ କିଛି ଦୂରରେ ବିଲୁଆ ଖାଇ ନଦୀ ପଠାରେ ଜଣେ ଝିଅକୁ ମାରି ତା ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଛନ୍ତି। "


ଆମେ ସବୁ ଦୌଡା ଦୌଡ଼ି ହୋଇ ଗଲୁ। ସେଠି ଅନେକ ଭିଡ଼। ଖାଲି ଲୋକଙ୍କ ମୁଣ୍ଡ ମାଳ ଆଉ ପୋଲିସ। ଭିଡ଼ ଭିତରେ ମତେ କିଛି ଦିଶୁ ନ ଥିଲା...ମୁଁ ଗତ ରାତିରେ ଦେଖିଥିବା ସ୍ୱପ୍ନ କଥା ଭାବୁଥିଲି....ପୋଲିସ ଅଖା ଭିତରୁ ଶବ ବାହାର କରୁଥିଲା। ମୋର କିନ୍ତୁ ଆଉ ସେ ଶବ ଦେଖିବାକୁ ଇଚ୍ଛା ନଥିଲା....


  କାରଣ, ତାକୁ ମୁଁ କାଲି ରାତିରେ ସ୍ୱପ୍ନରେ ଦେଖି ସାରିଥିଲି....


Rate this content
Log in

Similar oriya story from Crime