Kulamani Sarangi

Inspirational

3  

Kulamani Sarangi

Inspirational

ଆତ୍ମଦହନ

ଆତ୍ମଦହନ

2 mins
7.5K


ସୁଜାତା ଲେଖିଥିଲା "ମୋ ଚରିତ୍ରପତ୍ର ଉପରେ 'କଳଙ୍କିନୀ' ଷ୍ଟାମ୍ପ ମାରି ତମେ ଯେଉଁଦିନ ସେ ପତ୍ର ସାଇ ପଡିଶାଙ୍କ ହାତରେ ଧରେଇ ଦେଇ ,ମୋ ମୁହଁ ନ ଚାହିଁବାର ପ୍ରତିଜ୍ଞା ନେଇ ଚାଲିଗଲ,ସେଦିନ ମୁଁ କଲିଜାରେ ପଥର ରଖି ,ଅପରିସୀମ ବେଦନାକୁ ଛାତିତଳେ ଚାପିଧରି ଅନ୍ଧକାର ଭବିଷ୍ୟତ ପଥରେ, କୁନିପୁଅଟିର ହାତଧରି ଏକାକି ଆଗେଇ ଯିବାର ଦୃଢ ସଂକଳ୍ପ ନେଲି। ତମେ ସିନା ପୁଅ ପିଲା ବୋଲି ,ଦୁନିଆଯାକର ପାପ କରି ମଧ୍ୟ ପିତଳ ହଣ୍ଡା;ମାଜି ଦେଲେ ଚିକ୍ ଚିକ୍;ମୁଁ ପରା ଝିଅ ପିଲା,ମତେ ସେ ଅଧିକାର ଦବ କିଏ?ସୁନା ହେଲେ ବି ଶହେଥର ନିଆଁରେ ଦାଉ ଦାଉ ହେଇ ଜଳିଲେ ମଧ୍ୟ,ସ୍ୱାମୀ ମତେ ଯେବେ କଳଙ୍କିନୀ ଆଖ୍ୟା ଦେଲା,ତାହେଲେ ଖୋଟା ସିକ୍କା ଠାରୁ ମଧ୍ୟ ମୁଁ ହୀନ। ତମର ଏ ମହାନ୍ ଅବଦାନ ମୁଁ କଣ ଭୁଲି ପାରିବି ଅନିକେତ୍?ଭୁଲି ପାରିବି ଯେ ସମାଜ ମତେ 'ଛାଡୁରୀ' ଆଖ୍ୟାଦେଇ ଖୋଲା ତିଜୋରୀ ବୋଲି ଧରନେଲା ବୋଲି? ତମର ଜଣେ ମଦ୍ୟପ ସ୍ତାବକକୁ ଥରେ ରାସ୍ତାରେ ଅଟକେଇ ପଚାରିଲି "ବିପୀନ,ତୁ ପରା ଗୋଟେ ଝିଅର ବାପ ହେଲୁଣି?ପର ଝିଅ ନାଁରେ ଏମିତି ଦୁର୍ନାମ କେମିତି ଦେଇପାରୁଚୁ?" ସେ ମତେ କହିଲା "ନାନୀ,ଆମର କ'ଣ ଭୁଲ୍?ତମ ସ୍ୱାମୀ ଯେବେ ତମର ବଦନାମ କରିବେ,ତାହେଲେ କିଏ ବିଶ୍ୱାସ ନକରିବ? ମୁଁ ନିଜେ ନିଜକୁ ଆଇନାରେ ଆଜିଯାଏ ଭଲ ଭାବେ ଦେଖିନି।ତମଠୁ ଦିନେ ଶୁଣିଥିଲି ଯେ ମୁଁ କୁଆଡେ ଖୁବ୍ ସୁନ୍ଦରୀ।ମୋ ରୂପ ଯୋଗୁଁ ମତେ ତମେ ଭଲପାଇ ବସିଲ।ପିଲାବେଳେ କରିଥିବା ମୋର ଏକ ସାମାନ୍ୟ ଭୁଲକୁ ତମେ ସେ ଦିନ ବିଶାଳ ହୃଦୟରେ କ୍ଷମା ଦେଇ କହିଥିଲ "ଅପରିପକ୍ୱ ବୟସରେ ଏମିତି ହୁଏ।ତାହା ଆମ ଭଲପାଇବା ବାଟରେ କେବେ ଆସିବନାହିଁ।"

ବିବାହ ବେଦୀରେ ହୋମ ଅଗ୍ନି ଆଗରେ ପୁରୁଷ ପରା ଶପଥ କରେ ନାରୀର ସାତ ଭୁଲ୍ କ୍ଷମା କରିବାପାଇଁ। କିନ୍ତୁ କ'ଣ କଲ ତମେ? ମୋର ପିଲାଦିନର ସେଇ ଛୋଟ ଭୁଲକୁ ମତେ ବାରମ୍ବାର ମନେପକେଇ ଅତ୍ୟାଚାର କରିଚାଲିଲ ମୋ ଉପରେ। ମୋ ଶରୀର ଉପରେ ତମର ଭୋକ ମରିଗଲାପରେ ତମେ ବଦଳିଗଲ। କୁହ ଦେଖି,କଣ ଅଛି ଏ ଶରୀରରେ? ପେଟ ଚିରିଲେ ପାଇବ ଗୁହ,ମୁତ,ଅନ୍ତ ବୁଜୁଳା।ତାକୁ ତମେ ଭଲ ନପାଇ ମନକୁ ମୋର ଭଲପାଇ ପାରିଲନି?ପ୍ରତିଶୃତି ବେଳେ ତୁମକୁ ମୁଁ ମନ ଦେଇଥିଲି,ଦେହ ନୁହେଁ। ମତେ ବଦନାମ କରିବାକୁ ମୋର ଭାଇ,ଦାଦା,କାକାଙ୍କ ସହିତ ମୋ ନାଁ ଯୋଡି ମୋ କୋମଳ ମନକୁ ତମେ ବିଦୀର୍ଣ୍ଣ କରିଦେଲ।ଅପବାଦର ବୋଝ ସହିବା ମୋ ପକ୍ଷରେ ଅସମ୍ଭବ ଥିଲା ଅନିକେତ୍।ତଥାପି ତମର ମଦ୍ୟପାନ ଓ ଅନ୍ୟ ଝିଅ ମାନଙ୍କ ସମ୍ପର୍କକୁ ଆଡଆଖି କରି ମୁଁ ସବୁ ସହିଯାଉଥିଲି।କେବଳ କୁନି ପୁଅର ଭବିଷ୍ୟତକୁ ଆଖି ଆଗରେ ରଖି ତମର ଅତ୍ୟାଚାର ମୁଣ୍ଡପାତି ସହିଯାଉଥିଲି।କିନ୍ତୁ ତମକୁ କ'ଣ ଅଟକେଇ ପାରିଲି? ଆଜି ତମ ପୁଅର ବୟସ ବଢୁଚି ଅନିକେତ।ସିଙ୍ଗିଲ୍ ପ୍ୟାରେଣ୍ଟ ଥିବା ପିଲାମାନଙ୍କର ମାନସିକ ସନ୍ତୁଳନ ରକ୍ଷା କରିବା କେତେ କଷ୍ଟ ,ତାହା ତୁମପରି ଦାୟୀତ୍ୱହୀନ ଲୋକ ବୁଝିବ କୁଆଡୁ?

ତମେ ସିନା ଯୌନ ପିପାସା ମେଣ୍ଟାଇ ଦେଇ ପିଲାକୁ ଛାଡି ଚାଲିଗଲ,ତା ମନରେ ଯେତେ ପ୍ରଶ୍ନ,ତାର ଉତ୍ତର ଦବ କିଏ?ବାହାରେ ଯେତେବେଳେ ସେ ମା'ବିଷୟରେ ଶୁଣୁଚି,ପ୍ରଶ୍ନବାଚୀ ଆଖିରେ ସେ ମୋ ମୁହଁକୁ ଅନେଇ ରହୁଚି। ଅନ୍ୟମନସ୍କ ରହୁଚି ଅନେକ ସମୟରେ। ତାକୁ କିଏ ଦବ ବାପର ପରିଚୟ? ଆମର ବିବାହ ବିଚ୍ଛେଦ ଆବେଦନ କୋର୍ଟରେ ସେମିତି ଚାରିବର୍ଷଧରି ପଡିଚି। କ'ଣ ଅଛି ସେଥିରେ? ଭଙ୍ଗା ମନ ଆଉ ଫଟା ଆଇନାକୁ କୋର୍ଟ କ'ଣ ଯୋଡି ପାରିବ। ଶୁଣୁଚି,ତମେ ଆଉ କାହା ସହିତ ଘର ସଂସାର କରି ରହିଚ।ଯେଉଁଠି ଅଛ ଭଲରେ ଥାଅ।ମୁଁ ଛୋଟ ଚାକିରୀଟିଏ କରି ମୋ ଛୋଟ ଘରସଂସାର ଭଲରେ ଚଳେଇ ନଉଚି।ତମଠାରୁ ସହାୟତା ପାଇଁ ଇଚ୍ଛା ବା ମାନସିକତା ନାହିଁ। ଅଢେଇ ଦିନିଆଁ ଜୀବନ।ମଧ୍ୟାନ୍ତର ବିତିଗଲାଣି।ବାକି ଦିନ ସେମିତି କଟିଯିବ।ଆଜି ହଠାତ୍ ତମ କଥା ମନେ ପଡିଲା ବୋଲି ,ଦି'ଧାଡି ଗାରେଇ ଦେଲି;ମନ ହାଲୁକା କରିବାକୁ।ଅଳ୍ପ ସମୟ ପରେ ଚିରି ଦେବି ଯେ।"


Rate this content
Log in

Similar oriya story from Inspirational