STORYMIRROR

Bimala Sankar Dash

Inspirational Children

3  

Bimala Sankar Dash

Inspirational Children

ଆଶୀର୍ବାଦ

ଆଶୀର୍ବାଦ

3 mins
384

ମିଶ୍ରବାବୁ ତାଙ୍କ ଛୋଟ ପୁଅ ଆର୍ୟାନକୁ ଖୁବ୍ ସଂସ୍କାରୀ କରି ଗଢି ତୋଳୁଥିଲେ । ଗୁରୁଜନଙ୍କୁ ସବୁବେଳେ ଯୋଡହସ୍ତରେ ପ୍ରଣାମ୍ କରିବାକୁ ଉପଦେଶ ଦେଉଥିଲେ । ଆର୍ୟାନ ଦିନେ ପଚାରିଲା- ନମସ୍କାର କଲେ କି ଲାଭ ହୁଏ । 

ମିଶ୍ରବାବୁ ପ୍ରଣାମ୍ କରିବାର ମହତ୍ତ୍ଵ ସଂପର୍କରେ ବୁଝାଇବାକୁ ଲାଗିଲେ । ପୁଅକୁ ଅଧିକ ପ୍ରେରିତ କରିବା ପାଇଁ ମିଶ୍ରବାବୁ ଜଣେ ମହାନ ମୁନୀ ବାଳାର୍କ ଶମ୍ଭୂମୁନିଙ୍କ କାହାଣୀ କହିଲେ । 

ମୁନୀଙ୍କ ଏପରି ନାମର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ କହିଲେ ବାଳାର୍କର ଅର୍ଥ ହେଲା ସକାଳର ସୂର୍ଯ୍ୟ, ଯାହାଙ୍କ କଅଁଳ ସୂର୍ଯ୍ୟ କିରଣରେ ସେଇ ମୁନୀ ଆଜି ଜୀବିତ, ଶମ୍ଭୂ ନାମ ମହାଦେବଙ୍କ ବରଲାଭ କରିଥିବାରୁ ସେଇ ମୁନୀଙ୍କ ନାମରେ ଶମ୍ଭୂ ପଦ ଯୋଡା ଯାଇଛି । 


ଆର୍ୟାନ ଉତ୍ସୁକତାର ସହ ଏଇ ମୁନୀଙ୍କ ବିଷୟରେ ଜାଣିବାକୁ ଚାହିଁଲା । 


ମିଶ୍ର ବାବୁ କହିଲେ- ଜଣେ ଋଷି ଦମ୍ପତ୍ତି ସନ୍ତାନ ପ୍ରାପ୍ତି ପାଇଁ ଶିବଙ୍କୁ ଆରାଧନା କଲେ । ଅକର୍ମ କର୍ମଦାୟକ ମହାଦେବ ସେମାନଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପୁତ୍ର ସନ୍ତାନଟିଏ ଦେଲେ, କିନ୍ତୁ ସେଇ ପିଲାଟିର ଆୟୂଷ କେବଳ ତିନି ବର୍ଷ ପାଇଁ ଥିଲା । ଋଷି ସୁଖ ଓ ଦୁଃଖରେ ଅଧୀର ହୋଇ ଅତି ଯତ୍ନର ସହ ସେଇ ପୁଅଟିକୁ ପାଳିଆସୁଥିଲେ । ପିଲାଟିକୁ ଋଷି, ଘରକୁ ଯେଉଁ ଅତିଥି ବି ଆସନ୍ତି ସେମାନଙ୍କୁ ପ୍ରଣାମ୍ କରିବାକୁ ଅଭ୍ୟସ୍ତ କରାଇଥିଲେ । ପିଲାଟି ଘରକୁ ଯିଏ ବି ଆସନ୍ତି ତାଙ୍କ ପାଦ ଛୁଇଁ ପ୍ରଣାମ୍ କରେ ।


 ଦିନେ ନାରଦ ସେଇ ଋଷିଙ୍କ ଆଶ୍ରମ ଦେଇ ଯାଉଥିଲେ । ଅଭ୍ୟାସବଶତଃ ପିଲାଟି ନାରଦଙ୍କୁ ଚିହ୍ନି ନ ଥିଲେ ବି ତାଙ୍କ ପାଦଛୁଇଁ ପ୍ରଣାମ କଲା । ନାରଦ ପିଲାଟିକୁ ଚିରଞ୍ଜୀବି ବୋଲି ଆଶୀର୍ବାଦ କଲେ । ଚିରଞ୍ଜୀବି ପଦ ଶୁଣିବା ପରେ ଋଷିବର କୁଟୀରରୁ ଆସି ନାରଦଙ୍କୁ ପ୍ରଣାମ୍ କରି କହିଲେ- କାହିଁକି ଥଟ୍ଟା କରୁଛନ୍ତି ଆପଣ । ଆଜି ପିଲାଟିର ଠିକ୍ ତିନିବର୍ଷ ପୂରଣ ହେଉଛି, ସୂର୍ଯ୍ୟାସ୍ତ ହୁଅନ୍ତେ ପିଲାଟିର ପ୍ରାଣବାୟୁ ଉଡିଯିବ । ଆପଣଙ୍କ ଏଇ ଆଶୀର୍ବାଦ ପିଲାଟି ପାଇଁ କେବଳ ଥଟ୍ଟା ପରି । 


ମହାମୁନୀ ନାରଦ ଯୋଗବଳେ ସବୁକଥା ଜାଣି ପାରିଲେ । ସୂର୍ଯ୍ୟାସ୍ତ ହେଲେ ପିଲାଟି ଚାଲିଯିବ, ଚିରଞ୍ଜୀବି ଆଶୀର୍ବାଦ ନିଷ୍ଫଳ ହେବ ଆଉ ନାରଦଙ୍କ ମାନ ସମ୍ମାନ ଆଉ ରହିବନି । ଏଇ ନାରଦପଦରେ କଳଙ୍କ ଲାଗିବ । 

ମୁନି ନାରଦ ତ ମାୟାଧର । ସେ ନିଜ ଆଶୀର୍ବାଦକୁ ସାର୍ଥକ କରିବା ପାଇଁ କୌଶଳ କରି ବ୍ରହ୍ମାବିଷ୍ଣୁ ମହେଶ୍ବରଙ୍କୁ ଛଦ୍ମ ରୂପରେ ସେ ସ୍ଥାନକୁ ପାଛୋଟି ଅଣାଇଲେ । ପିଲାଟି ସେମାନଙ୍କୁ ମଧ୍ୟ ପ୍ରଣାମ୍ କଲା । ବ୍ରହ୍ମା ବିଷ୍ଣୁ ଦୁହେଁ ପିଲାଟିକୁ ଚିରଞ୍ଜୀବି ଭବ ବୋଲି ଆଶୀର୍ବାଦ କଲେ । ନାରଦ ଠିକ୍ ଏ ସମୟକୁ ଅପେକ୍ଷା କରି ଚାହିଁଥିଲେ । ସୂର୍ଯ୍ୟ ଅସ୍ତ ଯାଏଁ ଆୟୂଷଥିବା ପିଲାଟି ଚିରଞ୍ଜୀବି କେମିତି ହୋଇପାରିବ ସେ ରହସ୍ୟ ପଚାରିଲେ । ନାରଦଙ୍କ ମୁଖରୁ ଏକଥା ଜାଣି ସ୍ୱୟଂ ବ୍ରହ୍ମା ଚକିତ ଓ ଦୁଃଖ ପ୍ରକାଶ କଲେ । 


ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ଡକାଇ ପିଲାଟିର ଆୟୂଷ ବଢାଇବାକୁ ପ୍ରାର୍ଥନା କଲେ । ମହାଦେବଙ୍କ ପାଖରେ ବି ସେ କ୍ଷମତା ନଥିଲା । ଏଣୁ ଏହାର ନିଦାନ ନିମନ୍ତେ ତ୍ରିନାଥ ଠାକୁର ସୂର୍ଯ୍ୟଙ୍କୁ ଡକାଇ ଆଣି ସକଳ ବୃତ୍ତାନ୍ତ କହିଲେ । 


ସୂର୍ଯ୍ୟ ଦେବ କହିଲେ- ସେ ଚାହିଁଲେ ଆଉ ସୂର୍ଯ୍ୟାସ୍ତ ହେବନି, ଚିରଦିନ ତାଙ୍କ କିରଣ ଦେଇ ପିଲାଟିକୁ ବଞ୍ଚାଇ ରଖିପାରିବ । କିନ୍ତୁ ସୂର୍ଯ୍ୟାସ୍ତ ନ ହେଲେ ଏ ସୃଷ୍ଟି, ଏ ଜଗତ ଆଉ ତିଷ୍ଠି ରହିବନି । 


ଶେଷରେ ବ୍ରହ୍ମା ଉପାୟ ବତାଇ କହିଲେ ସୂର୍ଯ୍ୟାସ୍ତ ପରେ ପିଲାଟିକୁ ବାଳାର୍କ କିରଣ ଦେଇ ବଞ୍ଚାଇ ରଖାଯାଇ ପାରିବ । ସେଦିନଠାରୁ ସେଇ ପିଲାଟି ଉପରେ ସବୁଦିନ ସୂର୍ଯ୍ୟଙ୍କ କଅଁଳ କିରଣ ପଡୁଥିଲା, ତା' ପାଇଁ କେବେ ଆସୁ ନ ଥିଲା ସୂର୍ଯ୍ୟାସ୍ତ । ଏଣୁ ପିଲାଟି ଦୀର୍ଘାୟୁ ହୋଇ ଯଶମାନ କିର୍ତ୍ତୀ ରଖି, ବାଳାର୍କ ଶମ୍ଭୂ ମୁନୀ ରୂପେ ସଂସାରରେ ଖ୍ୟାତି ଅର୍ଜନ କଲେ । ଏସବୁ ସମ୍ଭବ ହେଲା କେବଳ ନମସ୍କାର ପାଇଁ । 

ଆର୍ୟାନ ଏ ପ୍ରେରଣାପ୍ରଦ କାହାଣୀ ବାପାଙ୍କ ଠାରୁ ଶୁଣିବା ପରେ ଗୁରୁଜନଙ୍କୁ ଭକ୍ତି ପୂତ ଭାବେ ନମସ୍କାର କରିବାରେ କେବେ ହେଳା କରୁନଥିଲା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational