ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ଆଶ୍ଚର୍ଯ୍ୟ ଚିତ୍ରକର -୩

ଆଶ୍ଚର୍ଯ୍ୟ ଚିତ୍ରକର -୩

3 mins
7.4K


ଡ଼ଃ ବିଭୁତି ପଟ୍ଟନାୟକ

ମଝିଆ ପୁଅ ଘର ଛାଡ଼ି ଚାଲିଗଲା ପରେ ତା’ର ଫେରି ଆସିବାର ସମ୍ଭାବନା ଯେତେଦିନ ଥିଲା, ସେତେଦିନ ପର୍ଯ୍ୟନ୍ତ ସେ ନ ଫେରିବା ଯୋଗୁଁ ମନ ଭୀଷଣ କଷ୍ଟ ହେଉଥିଲା । ଅସହ୍ୟ ଦୁଃଖ । କିନ୍ତୁ ବର୍ଷେ ଯାଏ ଅପେକ୍ଷା କରି ବି ସେ ଯେତେବେଳେ ନ ଫେରିଲା, ଫେରି ନ ଆସିବାର ଦୁଃଖ ଧୀରେ ଧୀରେ ଦେହସୁହା ହୋଇଗଲା ।

ରାଗରେ ଘର ଛାଡ଼ି ଚାଲି ଯାଇଥିବା ପୁଅକୁ ଝୁରି ଝୁରି ମାଆ ମନ୍ଦାକିନୀ ଶୁଖିଶୁଖି କଣ୍ଟା ହୋଇ ଗଲେଣି । ଯଦି ମାଆକୁ ମରଣ ପୂର୍ବରୁ ଦେଖିବାକୁ ଚାହେଁ, ତାହା ହେଲେ ଆଉ ଡେରି ନ କରି ଅଜୟ ଶୀଘ୍ର ଫେରିଆସୁ ବୋଲି ବଡ଼ଭାଇ ସଞ୍ଜୟ, ସାନଭାଇ ଅକ୍ଷୟ ଆଉ ସାନ ଭଉଣୀ ଇତି ନାମରେ ଇଂରେଜୀ ଏବଂ ଓଡ଼ିଆ କାଗଜରେ ବିଜ୍ଞାପନ ଛପା ହୋଇଥିଲା ।

ସଞ୍ଜୟ କାନପୁର ଆଇ.ଆଇ.ଟି.ରେ ଅଜୟର ଅନ୍ତରଙ୍ଗ ସହପାଠୀମାନଙ୍କଠାରୁ ତା’ ସମ୍ପର୍କରେ ଖୋଜ୍ ଖବର ନେଇଥିଲା । ସହପାଠୀ ଛାତ୍ର ଏବଂ ତା’ର ପ୍ରଫେସରମାନେ ସେ କାହିଁକି ଫାଇନାଲ୍ ପରୀକ୍ଷା ନ ଦେଇ ଇନ୍‌ଷ୍ଟିଚ୍ୟୁଟ ଛାଡ଼ି ଚାଲିଗଲା ତା’ର କାରଣ ଅନୁମାନ କରିପାରିଲେ ନାହିଁ । କେବଳ ଗତଥର ବ୍ୟତୀତ ଅନ୍ୟ ସବୁ ପରୀକ୍ଷାରେ ସେ ରେକର୍ଡ ଭଙ୍ଗା ସଫଳତା ପାଇଥିଲା । ଯଦି ସେ କମ୍ପ୍ୟୁଟର ଇଞ୍ଜିନିୟରିଂରେ କ୍ୟାମ୍ପସ ଛାଡ଼ି ଚାଲି ଯାଇ ନଥାନ୍ତା, ଇନ୍‌ଷ୍ଟିଚ୍ୟୁଟରେ ସେ ନିଶ୍ଚୟ ପ୍ରଥମ ସ୍ଥାନ ଦଖଲ କରିଥାଆନ୍ତା ।

କାନପୁରରେ କ୍ୟାମ୍ପସ୍ ବାହାରେ ତା’ର କେହି ଅନ୍ତରଙ୍ଗ ବନ୍ଧୁ ବା ବାନ୍ଧବୀ ଥିଲେ- ଯେଉଁମାନେ ଅଜୟର ବର୍ତ୍ତମାନ ଅବସ୍ଥାନ ସମ୍ପର୍କରେ କିଛି ଖବର ଦେଇପାରିବେ । – ସଞ୍ଜୟ ଜାଣିବାକୁ ଚାହିଁଥିଲା ।

କ୍ୟାମ୍ପସ୍ ଭିତରେ ପାଠପଢ଼ା ଛଡ଼ା ଅନ୍ୟ କୌଣସି ଇଭେଣ୍ଟସ୍‌ରେ ସେ ଅଂଶ ଗ୍ରହଣ କରୁ ନଥିଲା । ତା’ର କୌଣସି ଗାର୍ଲଫ୍ରେଣ୍ଡ ଥିବା କଥା ସେମାନଙ୍କୁ କାହାକୁ ଜଣାନାହିଁ । କାନପୁର ରେଳଷ୍ଟେସନ ବ୍ୟତୀତ ତାକୁ କେହି ଅନ୍ୟତ୍ର ଯିବାର ଦେଖି ନାହାନ୍ତି । ପାଠପଢ଼ାଟ ତା’ର ଏକାମାତ୍ର ନିଶା ଥିଲା- ସେ ଅନ୍ୟ ନିଶାର ପାଖ ମଧ୍ୟ ମାଡୁ ନଥିଲା । ହଁ, ଗତ ବର୍ଷଠାରୁ ସେ କିପରି ଅନ୍ୟମନସ୍କ ଦେଖାଯାଉଥିଲା, ଆଗଭଳି ଲେକ୍ଚର୍ ଶୁଣିବାରେ ତା’ର ଏକାଗ୍ରତା ନ ଥିଲା । ଗତ ବର୍ଷ ପରୀକ୍ଷା ଖାତାରେ ଗାରଟିଏ ନ ପକାଇ, ବ୍ଲାଙ୍କ ଛାଡ଼ି ଦେଇଥିଲା । କେବଳ ପ୍ରଥମ ପୃଷ୍ଠାରେ ଛୋଟ ଛୋଟ ଅକ୍ଷରରେ ଲେଖିଥିଲା- କମ୍ପ୍ୟୁଟର ଇଞ୍ଜିନିୟର ହେବା ପାଇଁ ମୁଁ ଜନ୍ମ ହୋଇ ନାହିଁ ।

ବ୍ଲାଙ୍କ୍ ପେପର ଦେବାର କାରଣ ପଚାରିଲେ ସେ କହୁଥିଲା, ଶୂନ୍ୟତା ହିଁ ପୂର୍ଣ୍ଣତା । ଜୀବନରେ ଶୂନ୍ୟତା ନ ଥିଲେ, ପୂର୍ଣ୍ଣତା ଆସେ ନାହିଁ । ଶୂନ୍ୟରୁ ହିଁ ଜୀବନ ଆରମ୍ଭ, ଶୂନ୍ୟତାରେ ଶେଷ ।

ତା’ର ପ୍ରଫେସର କହିଲେ, “ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ସେ ନିଶ୍ଚୟ ଭଲ ରେଜଲ୍ଟ କରିବ ଏବଂ ବାପା ତାକୁ ଇଞ୍ଜିନିୟର ନ କରି ଛାଡ଼ିବେ ନାହିଁ ବୋଲି ତା’ର ଭୟ ଥିଲା ।

ସଞ୍ଜୟ ବୁଝି ପାରୁଥିଲା ବାପା ତା’ର ଇଚ୍ଛା ବିରୋଧରେ ଇଞ୍ଜିନିୟରିଂ ପଢ଼ାଇବା ପାଇଁ କାନପୁର ଆଇ.ଆଇ.ଟି. ରେ ନାମ ଲେଖାଇଥିବାରୁ ଶେଷ ଆଡ଼କୁ ସେ ବିଦ୍ରୋହୀ ହୋଇ ଉଠିଥିଲା । ବ୍ଲାଙ୍କ ପେପର ଦେଇ ବାପାଙ୍କ ଜବରଦସ୍ତିର ପ୍ରତିବାଦ କରିଥିଲା ।

ସଞ୍ଜୟ କାନପୁରରୁ ଫେରି ଅଜୟ ଗତ ସେମିଷ୍ଟାର୍ ଟେଷ୍ଟରେ ବ୍ଲାଙ୍କ୍ ପେପର ଦେଇଥିବା କଥା କହିଲାବେଳେ ନୀଳମାଧବଙ୍କ ମୁହଁରେ ଏକ ଅପରାଧବୋଧର ମଳିନ କାୟା ବିସ୍ତାର କରିଥିଲା । ନିଜର ଇଚ୍ଛାକୁ ମଝିଆ ପୁଅ ଉପରେ ଚାପି ଦେଇଥିବାର ପରିଣତି କଥା ଚିନ୍ତା କରି ସେ ଭିତରେ ଭିତରେ ଭାଙ୍ଗି ପଡ଼ିଥିଲେ । ସେଇ ମାନସିକ ଯନ୍ତ୍ରଣା ଶେଷରେ ତାଙ୍କର ମୃତ୍ୟୁର କାରଣ ହୋଇଥିଲା ।

ଅଜୟ ଘରଛାଡ଼ି କୁଆଡ଼େ ଚାଲିଗଲା, ଫେରିଲା ନାହିଁ, ନୀଳମାଧବ ମଧ୍ୟ ଅନୁତାପ ଅନଳରେ ଦଗ୍ଧ ହୋଇ ପାଉଁଶ ହୋଇଗଲେ ।

ଏମ୍.ବି.ବି.ଏସ୍. ଡିଗ୍ରୀ ଆଣିଲା ପରେ ସଞ୍ଜୟର ବାହାଘର ହୋଇଗଲା । ସରକାରୀ ସର୍ଜନ ଭାବରେ ନିଯୁକ୍ତି ପାଇ ସେ ଅନୁଗୁଳ ଚାଲିଗଲା ।

ବି.ଏ. ପାସ୍ କଲା ପରେ ଇତିର ଜଣେ ଆଇ.ପି.ଏସ୍. ଅଫିସର୍‌ଙ୍କ ସାଙ୍ଗରେ ବିବାହ ହେଲା । ବାହାଘରର ସମସ୍ତ ଖର୍ଚ୍ଚ ବାପାଙ୍କ ଅବର୍ତ୍ତମାନରେ ବହନ କରିଥିଲା ସଞ୍ଜୟ ।

ମନ୍ଦାକିନୀ ଏକୁଟିଆ ରହିଲେ ଅଜୁ କଥା ଭାବି ଭାବି ଦିନରାତି ଲୁହ ଗଡ଼ାଇବେ ବୋଲି ସଞ୍ଜୟ ତାଙ୍କୁ ସଙ୍ଗରେ ଅନୁଗୁଳ ନେଇଯିବାକୁ ବସିଥିଲା ।

ମନ୍ଦାକିନୀ ରାଜି ହେଲେ ନାହିଁ ।

ସାନପୁଅ ବାହାଚୋରା ହୋଇ ଘରସଂସାର ନ କଲା ପର୍ଯ୍ୟନ୍ତ ସେ ଏ ଘର ଛାଡ଼ି ଯମ ଡାକିଲେ ବି ମରିବାକୁ ଯିବେ ନାହିଁ ବୋଲି ଜିଦ୍ ଧରି ବସିଲେ ।

ଚାକିରୀ ନ କଲେ ବାହା ହେବ ନାହିଁ ବୋଲି ଅଡ଼ି ବସିଥିଲା ଅକ୍ଷୟ । କିନ୍ତୁ ମନ୍ଦାକିନୀଙ୍କ ଚାପରେ ଗତବର୍ଷ ସେ ବାହା ହୋଇଥିଲା, ଏ ବର୍ଷ ୟୁକୋ ବ୍ୟାଙ୍କରେ କିରାଣି ଚାକିରି ପାଇଯାଇଛି ।

ଗତବର୍ଷ ବଡ଼ ପୁଅର ଝିଅ ହୋଇଥିଲା, ଏ ବର୍ଷ ଇତି କୋଳକୁ ଗୋଟିଏ ପୁତ୍ର ସନ୍ତାନ ଓହ୍ଲାଇ ଆସିଛି । ସାନ ପୁଅର କଅଣ ପିଲାପିଲି ହେବେ ।

ନିଜ ନିଜ ପିଲାଛୁଆଙ୍କ ଜଞ୍ଜାଳରେ ବ୍ୟସ୍ତ ରହି ସମସ୍ତେ ଅଜୁ କଥା ଭୁଲି ଯାଇଛନ୍ତି ।

କେବଳ ଫୁଲିପାରି ନାହାନ୍ତି ମନ୍ଦାକିନୀ ।

ଶ୍ରାବଣ ପୂର୍ଣ୍ଣମୀ ଆସିଲେ ମଝିଆ ପୁଅ ମନେପଡ଼େ । ସେ ମନ୍ଦିରରେ ପୂଜା ଦିଅନ୍ତି । ପ୍ରାର୍ଥନା କରନ୍ତି- ସେ ଯେଉଁଠି ଥାଉ- ଭଲରେ ଥାଉ ।

ସ୍ୱାମୀ ଗଲେ, ସେ ମଧ୍ୟ ଯିବେ । ଯିବା ପାଇଁ ତ ସେମାନେ ଆସିଥିଲେ । କିନ୍ତୁ ନୀଳମାଧବ ଗଲା ବେଳକୁ ହଜି ଯାଇଥିବା ପୁଅକୁ ମନେ ମନେ ହେଜି ହେଉଥିଲେ । ମନ୍ଦାକିନୀ ଦିନ ରାତି ମନେ ମନେ ପୁଅର ନାମକୁ ଜପି ହେଉଛନ୍ତି, କିନ୍ତୁ ତା’ର ଠିକଣା ଖୋଜି ପାଉ ନାହାନ୍ତି । ତା’ର ନାମ ଅଛି, ଠିକଣା ନାହିଁ ।


Rate this content
Log in

Similar oriya story from Classics