Nityananda Nandi

Inspirational

3  

Nityananda Nandi

Inspirational

ଆଶା

ଆଶା

6 mins
255


ନୂଆ କଲଭର୍ଟ ଉପର ଦେଇ ପ୍ରତିଦିନ ଅଫିସ ଯାଆନ୍ତି ଆଲୋକ ବାବୁ। ପାଖକୁ ଲାଗି ଭଙ୍ଗା ରୁଜା ପୋଲଟିଏ। ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ପୋଲଟି। 


ପୋଲଟି କିନ୍ତୁ ଆକର୍ଷଣର ବିନ୍ଦୁ ନ ଥିଲା ଆଲୋକ ବାବୁଙ୍କ ପାଇଁ। ଛୋଟ ଛୁଆଟିଏ ପୋଲ ତଳେ ଛିଡା ହୋଇ ଅନେଇ ଥାଏ ଆଲୋକ ବାବୁଙ୍କ କାର ଭିତରକୁ। ପ୍ରଥମ ଦେଖାରୁ ଆକର୍ଷଣ। ପାଞ୍ଚ ଛଅ ବର୍ଷର ଛୁଆଟା। ଅସହାୟତା କିନ୍ତୁ ଲୁଚି ଯାଉଥାଏ ତା ଗୁଲୁ ଗୁଲିଆ ହସ ଭିତରେ। କେତେ ବା ବୟସ, ଦୁଃଖର ଅର୍ଥ ବୁଝିବ ! ପୋଷାକରୁ ପୁଅ ପରି ଲାଗୁ ଥିଲା ସିନା ଦୁଇଟି ବେଣୀ କିନ୍ତୁ ଝୁଲୁ ଥିଲା ମଥାର ଦୁଇ ପଟରୁ। ପୋଲ କାନ୍ଥରେ ଟଙ୍ଗା ହୋଇଥିବା ଆସବା ପତ୍ର, ଛିଣ୍ଡା ଲୁଗା ପଟାରୁ ସ୍ପଷ୍ଟ ଜାଣି ପାରୁଥିଲେ ଆଲୋକ ବାବୁ, ଛୁଆଟାର ମା ନାହିଁ। ତା ବାପା ତାକୁ ଏମିତି ଛାଡି ଦେଇ ପ୍ରାୟ ଆଖ ପାଖରେ କାମ ଧନ୍ଦା କରେ।


ଛୁଆଟା ବି ଜାଣି ପାରୁଥିଲା ଜଣେ ଅଙ୍କଲ ତାଙ୍କୁ ଦେଖି ଖୁସି ହୁଅନ୍ତି, ଛୋଟ ଛୁଆମାନେ ବି ଭାରି ସ୍ନେହ ପିପାସୁ। ହଳଦୀ ପତ୍ରରୁ ବାସ୍ନା ଆସିଲେ ମାର୍ଗଶିର ମାସ ପିଠା ସବୁ ମନେ ପଡ଼ିଯାଏ। ହସିଦେଲେ ଛୋଟ ଛୁଆଟି ହସିଦିଏ। ମୂଷଳ ଧାରାରେ ବର୍ଷା ହେଲେ ଭେଳାକୁ ଭେଳା କାଗଜ ଡଙ୍ଗା, କୁଆଡୁ ଆସେ କେଜାଣି। ସମ୍ପର୍କ ସବୁ ପ୍ରକାଶିତ ହୁଏ, ବୋଧହୁଏ ଏମିତି... ଆଲୋକ ବାବୁ ଆସିଲା ବେଳକୁ ଛୁଆଟା ଛିଡା ହୋଇ ରହିଥାଏ। ସମ୍ପର୍କ ତରାଜୁର ଦୁଇ ପାଖରେ ମେଞ୍ଚା ମେଞ୍ଚା ସ୍ନେହ ଆଉ ସ୍ନେହ।


ଅଙ୍କଲଙ୍କ ଗାଡି ପାଇଁ ସେ ବି ଅପେକ୍ଷା କରି ରହୁଥିଲା ପ୍ରତିଦିନ। ପ୍ରଥମେ ପ୍ରଥମେ ଲାଜ କରୁଥିଲା ଆଲୋକ ବାବୁଙ୍କୁ ଦେଖି। ଧୀରେ ଧୀରେ ହାତ ହଲେଇ ଟା ଟା କରିବାକୁ ଆରମ୍ଭ କଲା ସେ ଆଲୋକ ବାବୁଙ୍କ ସହିତ।


ଆଲୋକ ବାବୁ ମଧ୍ୟ କଲଭର୍ଟ ଆସିଲେ ଗାଡି ଧୀରେ କରି ଦିଅନ୍ତି, ଟାଟା କରନ୍ତି ଛୁଆଟିକୁ। ସର୍ବ ଶେଷରେ ସକାଳ ହିଁ ଆସେ ରାତି ଯେତେ ଲମ୍ବା ହେଲେ ବି। ନଦୀ ଆଜି ନ ହେଲେ ବି କାଲି ମିଶେ ସମୁଦ୍ର ସହିତ। ସମ୍ପର୍କଟା ପରିପକ୍ୱ ଲାଗେ, କିଛି କରିବାକୁ ଇଛା ହୁଏ। କିଛି କହିବାକୁ ଇଚ୍ଛା ହୁଏ । ମନ ଭିତରେ ଲୁଚି ରହିଥିବା କଥା ସବୁ ଉତ୍ତପ୍ତ ଲାଭା ପରି ବିଛୁରିତ ହୁଏ, ମନ ଭରି ଗପିବାକୁ ଇଛା ହୁଏ କାହିଁକି କେଜାଣି ?


ଦିନେ ହଠାତ ଗାଡି ରଖି ଦେଇ ପଚାରିଲେ, ବାବୁ ! ଆଉ କିଏ ରହନ୍ତି ତୋ ସାଥରେ, ତୋ ନାଆଁ କଣ ?? 

ନା ଆଲୋକ ବାବୁ ଯାହା କହିଲେ ସେ ବୁଝିଲା, ନା ସେ ଯାହା କହିଲା ଆଲୋକ ବାବୁ ବୁଝିଲେ । ହାତରେ ଧରିଥିବା କାଗଜ ଡଙ୍ଗାକୁ ହସି ହସି ଧରେଇଦେଲା ଆଲୋକ ବାବୁଙ୍କୁ। ଅଫିସରେ ପହଞ୍ଚି କାଗଜ ଡଙ୍ଗାକୁ ଖୋଲି ଦେଖିଲେ, ଏ କଣ ! ଏଇଟା ତ କ୍ୟାନସର ରିପୋର୍ଟ। ରେଣୁ ଛବାରିଆ, ଛୁଆଟିର ମାଆ ହେଇଥିବ ନିଶ୍ଚୟ। ମାଆ ଛେଉଣ୍ଡ ଛୁଆଟା। ସେ କୁଆଡୁ ବୁଝିବ ଏଇଟା ମାଆର ରିପୋର୍ଟ ବୋଲି। ଅଦରକାରୀ କାଗଜଟିଏ ଭାବି ଭାଙ୍ଗି ମୋଡି ଡଙ୍ଗାଟିଏ ବନେଇଛି ସେ। ଆଲୋକ ବାବୁ ଭାଙ୍ଗି ପଡ଼ିଲେ, ମୃତ ମାଆର ସ୍ନେହକୁ ଆବିଷ୍କାର କରୁଥିଲେ ଆଲୋକ ବାବୁ ସେଇ କାଗଜ ଡଙ୍ଗା ଭିତରେ। ସତେ ଯେମିତି ତା ମାଆ ନିଜ କ୍ୟାନସର ରିପୋର୍ଟ ଭିତରେ ଏବେ ବି ବଞ୍ଚିଛି , ଡଙ୍ଗାଟିଏ ହୋଇ ଖେଳୁଛି ନିଜ ପୁଅ ସାଥିରେ..


ମିସେସଙ୍କୁ ସବୁ କଥା କହିଲେ ଆଲୋକ ବାବୁ ସେଇ ଛୁଆ ବାବଦରେ, ଦେଇଥିବା କାଗଜ ଡଙ୍ଗାର ସେଇ ଭଙ୍ଗା ମୋଡା କାଗଜଟିକୁ ଦୀପାଙ୍କୁ ବଢେଇ ଦେଇ କ୍ୟାନସରରେ ପୀଡିତ ହୋଇ ତା ମାଆ ମରି ଯାଇଛି ବୋଲି କହୁ କହୁ ଭାବପ୍ରବଣ ହୋଇ ଉଠିଲେ ଆଲୋକ ବାବୁ। ମୋବାଇଲରେ ଉଠେଇ ଥିବା ଫଟୋ ସବୁ ଦେଖେଇଲେ ପତ୍ନୀ ଦୀପାଙ୍କୁ। ଆଖିପତା ପଡୁ ନ ଥାଏ ଜମାରୁ। ଭାବପ୍ରବଣ ହୋଇ ପଡିଲେ ଦୀପା। ନିଃସନ୍ତାନ ମାନେ ବୋଧହୁଏ ଏମିତି, ହୃଦୟରେ ସଞ୍ଚିତ ସମସ୍ତ ସ୍ନେହ ମମତାର ବିସ୍ଫୋରଣ ହୁଏ, ଟିକିଏ ଉଷ୍ମତା ପାଇଲେ। ଏତେ ବଡ ଆକାଶଟା, ନା ଗର୍ବ ନା ଅହଙ୍କାର। ସର୍ବ ସମକ୍ଷରେ କାନ୍ଦେ, ସାରା ପୃଥିବୀ ଭିଜିଯାଏ ଆକାଶର ସେଇ ବେଦନାପ୍ଲୁତ ଅଶ୍ରୁ ଧାରାରେ..


ଚାହା ପିଉ ପିଉ ଅନେକ କଥା ଗପିଲେ ତା ବାବଦରେ। ମନେ ମନେ ଇଚ୍ଛା ହେଲା ମା ଛେଉଣ୍ଡ ଛୁଆଟାକୁ ନିଜର କରି ନେବାକୁ। ଭାଷା ନ ବୁଝିଲେ କଣ ହେଲା, ଧୀରେ ଧୀରେ ଆମ ଭାଷା ଶିଖିଯିବେ ସେମାନେ। ତା ବାପା ଆମ ଫାର୍ମ ହାଉସରେ କାମ କରିବ। ଟିକିଏ ଅବସର ପାଇଲେ ପିଲାଟିକୁ ଦେଖନ୍ତି ଦୀପାଞ୍ଜଳୀ, ମୋବାଇଲ ଆଲବମ ଭିତରେ। ତା ଚେହେରା, ଦୁଇ ପାଖରେ ଝୁଲୁଥିବା ଦୁଇଟି ବେଣୀ ଆକର୍ଷଣ କରେ ଦୀପାଞ୍ଜଳୀଙ୍କୁ। ବାପା ଛାଡି ଚାଲିଯାଏ କାମକୁ। ବିଚରା ଛୁଆଟା କଣ କରୁଥିବ ଦିନ ସାରା , କଣ ଖାଉଥିବ କେଜାଣି।


ଅଫିସ ଯିବା ସମୟରେ ଦୁଇଟି ଖାଇବା ବେଗ ଧରେଇ ଦେଇ ହସି ହସି କହିଲେ "ଇଉଜ୍ ଏଣ୍ଡ ଥ୍ରୋ ପାକେଟଟି ସେଇ ଛୁଆକୁ ଦେବ । ତାକୁ ଏତେ ପ୍ରଶଂସା କରୁଛ, ଗୋଟେ ଓଳି ଖାଇବାକୁ ଦେଲେ କେତେ ଖୁସି ହେବ କହିଲ"। ଆଲୋକ ବାବୁଙ୍କ ମନଟା ଖୁସିରେ ଭରି ଗଲା ଯେମିତି। କିଛି ନ କହି ହସି ଦେଲେ। କେତେ ଲମ୍ବା ଅପେକ୍ଷା ପରେ ବସନ୍ତ ଆସିଲେ ଉତ୍ସବ ପୂର୍ଣ୍ଣ ହୋଇଉଠେ ପୃଥିବୀଟା। ଅନେକ ଦିନ ପରେ ଦୀପାଙ୍କ ମୁହଁରେ ଖୁସି ଦେଖି ଅବାକ୍ ହେଇଗଲେ ଆଲୋକ ବାବୁ। ଛୁଆଟା ଆହୁରି ନିଜର ଲାଗିଲା ଆଲୋକ ବାବୁଙ୍କୁ। 


ସେଇ ଦିନଠୁ ଛୋଟ ଛୁଆ ପାଇଁ କିଛି ନା କିଛି ପଠାନ୍ତି ଦୀପାଞ୍ଜଳୀ। ଛୁଆଟା ବି ଅପେକ୍ଷା କରି ରହିଥାଏ ଆଲୋକଙ୍କ ପାଇଁ। ଧରି ନେଇ ତା ଭାଷାରେ କଣ କହିଦିଏ, ଖୁସିରେ ଦୌଡ଼ି ଚାଲି ଯାଏ ପୋଲ ତଳକୁ। ପାକେଟ ଖୋଲି ଖାଇ ବସେ। କି ଆତ୍ମତୃପ୍ତି ! ମାଆ ଛେଉଣ୍ଡ ଛୁଆଟା ହସିଦେଲେ ଲାଗେ ଯେମିତି ପୃଥିବୀଟା ହସୁଛି। ଛୁଟି ଦିନରେ ବି ଦୀପାଞ୍ଜଳୀ ବସେଇ ଦିଅନ୍ତି ନାହିଁ ଆଲୋକ ବାବୁଙ୍କୁ, ଯେତେ ପର୍ଯ୍ୟନ୍ତ ଖାଦ୍ୟ ପୁଡିଆଟା ଛୁଆକୁ ଦେଇ ଆସି ନାହାନ୍ତି। ସେ ବି ଚାତକ ପରି ଅନେଇ ଥାଏ ଆଲୋକ ବାବୁଙ୍କ ଆସିବା ରାସ୍ତାକୁ । ସେ କାହିଁକି ବୁଝିବ କୋଉ ଦିନ ଛୁଟି ବୋଲି..

ଦୀପାଞ୍ଜଳୀ ଦିନେ ଯାଇ ଦେଖି ଆସିଲେ ଛୁଆଟି କୁ। ଅନେକ କଥା ଗପିଲେ ତା ସହିତ। ଛୁଆଟା ବି ଅନେକ ଗପିଲା ତା ଭାଷାରେ। ଗାଲକୁ ଟାଣି ଦେଇ ସ୍ନେହ କଲେ ଦୀପାଞ୍ଜଳୀ। ପାଞ୍ଚୋଟି କେଡବୋରିସ ଧରେଇ ଦେଲେ ତା ହାତରେ। ତା ବାପାଙ୍କୁ ବୁଝେଇ ସୁଝେଇ ଛୁଆଟିକୁ ନିଜ ପାଖରେ ରଖିବାର ଇଚ୍ଛା ଆହୁରି ବଳବତ୍ତର ହୋଇ ଉଠୁଥିଲା ଦୀପାଞ୍ଜଳୀଙ୍କ ମନ ଭିତରେ..


ସବୁଦିନ ସମାନ ଯାଏନି।


ସବୁଦିନ ପରି ଆଲୋକ ବାବୁ ଗାଡ଼ି ଧୀରେ କରିଦେଲେ କଲଭର୍ଟ ପାଖରେ। ହଠାତ୍ ଦେଖିଲେ ପୋଲଟା ଆଉ ନାହିଁ। ସରକାର କାଲି ରାତିରେ ଭାଙ୍ଗି ଦେଇଛନ୍ତି ବୋଧହୁଏ..


ବଜ୍ର ପଡ଼ିଲା ଆଲୋକ ବାବୁଙ୍କ ମଥା ଉପରେ। ଛୁଆଟା କୁଆଡେ ଗଲା। ଠିକ୍ ଜାଗାକୁ ବିସ୍ଥାପିତ ହୋଇଥିବ କି ନା... କେଜାଣି ??? ସମ୍ପର୍କର ଆରମ୍ଭ ହିଁ ଶେଷ। ବିଶ୍ୱାସ କରି ପାରୁନଥିଲେ ଆଲୋକ ବାବୁ। ଇଚ୍ଛା ବିରୁଦ୍ଧରେ କିଛି ଘଟିଗଲେ ମନଟା ଚୂର ଚୂର ହୋଇ ଯାଏ। ସାହାସ ହୁଏନି ଉଠି ପଡି ଆଉ ଥରେ ଛିଡା ହେବାକୁ। ନା ବୁଝେଇ ହୁଏ ମନକୁ ନା ହୃଦୟକୁ...ଦୁଶ୍ଚିନ୍ତାରେ ଝାଳେଇ ଗଲେ ସେ।


ଅଫିସ ଯିବା ରାସ୍ତା ବଦଳି ଦେଇଛନ୍ତି ଆଲୋକ ବାବୁ, ସେଇ ରାସ୍ତା ଦେଇ ଗଲେ ଭାରି ମନେ ପଡିବ । କଷ୍ଟ ହେଲେ ବି ଧୀରେ ଧୀରେ ଭୁଲି ଯିବାକୁ ପଡିବ ଛୁଆଟିକୁ। ଖୁସି ରହିବା... ନା ଚିରସ୍ଥାୟୀ ନା ବ୍ୟକ୍ତିଗତ ଅଧିକାର । ପରିସ୍ଥିତି ସଙ୍ଗେ ତାଳ ମିଳେଇ ନାଚିବାକୁ ହୁଏ, ଖୁସିରେ ହେଉ ଅବା ଦୁଃଖରେ...ତାହା ହିଁ ବୋଧହୁଏ ଜୀବନ।


ଦୀପାଞ୍ଜଳୀ ମନେ ମନେ କାନ୍ଦନ୍ତି। ଆଲୋକ ବାବୁଙ୍କ ପାଇଁ ଟିଫିନ୍ ପେକ୍ କରୁ କରୁ ଅଚାନକ ଦୁଇଟୋପା ଲୁହ ବୋହି ଆସେ ଗାଲ ଉପରକୁ। ହାତ ପାନ୍ତାରେ କିଛି ଗୋଟାଏ ପାଇ ସାରି ଅଚାନକ ହରେଇଦେବା ଭାରି କଷ୍ଟ ଦାୟକ। ବିଚରା ଛୁଆଟା କଥା ଭାରି ମନେ ପଡେ । ସ୍ନେହର ଛିଟା ବି ଯାଇ ନ ଥିବ ତା ଗାଲ ଉପରୁ। ଅଚାନକ ଆଲୋକ ବାବୁଙ୍କୁ ଦେଖିଲେ ହସି ଦିଅନ୍ତି ଦୀପାଞ୍ଜଳୀ, ଯେମିତି କି କିଛି ଘଟି ନାହିଁ। ଛଅ ମାସ ବିତି ଗଲାଣି ଏହା ଭିତରେ।


ସେଦିନ ରବିବାର। ହଠାତ ଅଜଣା ଲୋକର ଫୋନ ଦେଖି ଫୋନ ଉଠେଇବାକୁ କୁଣ୍ଠାବୋଧ କରୁଥିଲେ ଦୀପାଞ୍ଜଳୀ। କାହିଁକି କେଜାଣି ମନ ବଳିଲା ଫୋନଟିକୁ ଉଠେଇବା ପାଇଁ ଏବଂ ସତକୁ ସତ ଫୋନ ଉଠେଇଲେ ସେ।

ଜଣେ ଭଦ୍ରଲୋକ ସେ ପଟରେ..ହିନ୍ଦୀରେ କଥା ହେଲେ। ଦୀପାଞ୍ଜଳୀ ହିନ୍ଦୀ ବୁଝି ପାରନ୍ତି...


"ମାଡମ, କି ସଂଯୋଗ ଦେଖନ୍ତୁ। ୱାଟସପରେ ବୁଲୁଥିବା ଫଟୋକୁ କାଲି ହିଁ ଦେଖିଲି। ଏତେ ଡଉଲ ଡାଉଲ ଛୁଆକୁ ଦେଖିଲେ ମନ ଦେଇ କିଏ ନ ଦେଖିବ କହିଲ। ଆଜି ସେଇ ଛୁଆକୁ ଦେଖିଲି ଆମ ଘର ପାଖ ଯାଯାବର ବସ୍ତି ଭିତରେ। ଅବିକଳ ସେଇ। ଫଟୋଟିଏ ନଉ ନଉ ପଲିଥିନ କୁଡିଆ ଭିତରକୁ ପଶି ଗଲା। ତା ବାପା, ଅତି ବେଶୀରେ ପଇନ୍ତିରିଶ ହେବ, ଛିଡା ହୋଇଥିଲା କୁଡିଆ ପାଖରେ। ଛୁଆର ମାଆ ନାହିଁ ବୋଲି ସେ କହୁଥିଲା। ଆଗରୁ କୋଉଠି ରହୁଥିଲା ବୋଲି କହିଲା ଯେ, ମୁଁ କିନ୍ତୁ ବୁଝି ପାରିଲି ନାହିଁ। ସରକାର କୁଆଡେ ତା ଘର ଭାଙ୍ଗି ଦେଲେ, ସେଇଠୁ ସେ ଟ୍ରେନ ଧରି ପଳେଇ ଆସିଛି। ସିନ୍ଧି ଭାଷାରେ କଥା ହେଉଥିଲା ସେ, ମୁଁ ସିନ୍ଧି ବୁଝିପାରେ ବୋଲି କିଛି ଅସୁବିଧା ହେଲାନି। ଫଟୋ ଦେଖେଇଲି। କହିଲା ହଁ ଇଏ ମୋ ପୁଅ ଅଭ୍ୟାନ୍। 

ମୁଁ କୁରୁକ୍ଷେତ୍ର, ହରିୟାନାରୁ କହୁଛି। ଆମ ଘର ପାଖ ବସ୍ତିରେ ରହୁଛି ଛୁଆଟା। ୱାଟସପ୍ ମେସେଜ ପଢି ଯାହା ବୁଝିଲି ଆପଣ ମାନେ ସେଇ ଛୁଆଟିକୁ ମନେ ମନେ ଖୋଜୁଛନ୍ତି, ଆସନ୍ତୁ !! ସେମାନଙ୍କ ସହ ମିଶେଇ ଦେବି।"


ହଁ, ଘର ଭାଙ୍ଗିବା କଥା କହିଛି ମାନେ ଆଉ କଛି ସନ୍ଦେହ ନାହିଁ। ନିଶ୍ଚୟ ସେଇ ଛୁଆଟା !!! 

ପରେ କଥା ହେବି କହି ଫୋନଟାକୁ ରଖିଦେଲେ ଦୀପାଞ୍ଜଳୀ।

*******

ଟ୍ରେନ ଚାଲିଥାଏ କୁରୁକ୍ଷେତ୍ର ଅଭିମୁଖେ, ପ୍ରାୟ ଦୁଇ ଦିନର ରାସ୍ତା। ଗୋଟାଏ ବେଗରେ ପାଣି ବୋତଲ, ଶୁଖିଲା ପରଠା, ଆଚାର ନିଜ ପାଇଁ। ଆଉ ଗୋଟେ ବେଗ ଭିତରେ ପେଁକାଳି, ପ୍ଲାଷ୍ଟିକ ଖେଳନା, ଟୋପି, ଚଷମା, ପେଣ୍ଟ ସାର୍ଟ, ଚିପ୍ସ, ବାଦାମ ଆହୁରି ଅନେକ କିଛି, ଅଭ୍ୟାନ ପାଇଁ।

ଆଲୋକ ବାବୁ ଖବର କାଗଜ ପଢ଼ୁଥାଆନ୍ତି ନିଶ୍ଚିନ୍ତରେ।ଦୀପାଞ୍ଜଳୀ ଭାବୁ ଥାଆନ୍ତି..ଆମେ ଆଉ ଭଦ୍ର ଲୋକର ଟ୍ରାପ ଭିତରେ ପଡି ଯାଉନୁ ତ !!! 

ସେମାନେ କଣ ଆସିବେ ଆମ ସାଥିରେ ??? ଏମିତି ଅନେକ ପ୍ରଶ୍ନ ରେଳଗାଡ଼ିର ଛୁକ୍ ଚ୍ଛୁକ ଶବ୍ଦରେ ଯାଇ ଧକ୍କା ଖାଉଥିଲା।

ସ୍ୱପ୍ନ ସବୁ ସତ ହୁଏ, ଆଶା ସବୁ ପୂରଣ ହୁଏ ବୋଲି ଜେଜେମାଆଙ୍କ ପାଖରୁ ଶୁଣିଥିଲେ ଦୀପାଞ୍ଜଳୀ। 

"ଅଭ୍ୟାନର ବାପା ଆମ ଫାର୍ମ ହାଉସରେ କାମ କରିବ। ଅଭ୍ୟାନ ରହିବ ମୋ ସହିତ, ପାଠ ପଢିବ। ବାରିଷ୍ଟର ହବ। ଜନ୍ମ ନ ଦେଲେ କଣ ହେଲା, ମାଆଟିଏ ତ ହେଇ ପାରିବି.. କେଜାଣି କଣ ହେବ ଆଗକୁ"

ଗାଡି ଷ୍ଟେସନ ଛାଡୁଥିଲା, ଗାଡି ହର୍ଣ୍ଣ୍ ଶୁଣି ଚମକି ପଡିଲେ ଦୀପାଞ୍ଜଳୀ... କୁରୁକ୍ଷେତ୍ର ପହଞ୍ଚିବାକୁ ଆହୁରି ଦିନଟିଏ ବାକି ଅଛି। ପର୍ସ୍ ଭିତରୁ କାଗଜ ଡଙ୍ଗା ବାଲା କ୍ୟାନସର ରିପୋର୍ଟକୁ ଖୋଲି ଦେଖୁଥିଲେ ସେ। ରେଣୁ ଛବାରିଆ, ଆଭ୍ୟାନର ମାଆ, ତାକୁ ଏକୁଟିଆ ଛାଡ଼ିଦେଇ ଚାଲି ଯାଇଛି ସେ ଆର ପାରିକୁ।

"ଆଶା ତ ଅନେକ ମନ ଭିତରେ ଛୁଆଟିକୁ ପାଳିବି ବୋଲି !!! କଣ ହେବ କେଜାଣି ???" ଆଖି ଜକେଇ ଆସିଲା...ଅନ୍ୟ ମନସ୍କ ହୋଇ ମୁକ୍ତ ଆକାଶ ଆଡେ ଅନେଇଥିଲେ ଦୀପାଞ୍ଜଳୀ।



Rate this content
Log in

Similar oriya story from Inspirational