STORYMIRROR

Jyotirmayee Panda

Drama Romance Tragedy

3  

Jyotirmayee Panda

Drama Romance Tragedy

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୮)

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୮)

5 mins
165

ଏମିତି ବା କେତେଦିନ ଯାଏଁ ଚାଲି ଥାଆନ୍ତା , ଶେଷରେ ଆଉ କୌଣସି ବାହାନା ହିଁ ନଥିଲା ପ୍ରିୟାଙ୍କ ପାଇଁ , ବାପାଙ୍କର ପ୍ରଶ୍ନ ପରେ ପ୍ରଶ୍ନ , ତୁ କଣ କାହାକୁ ଭଲ ପାଉଛୁ କି ? ଯଦି ପାଉଛୁ ତେବେ କହ ମୁଁ ତତେ ତା ସହିତ ବିବାହ କରିବାର ବ୍ୟବସ୍ଥା କରେଇବି । ଏମିତି ଆଉ କେତେ ବି ଲୁଚେଇ ପାରିଥାନ୍ତେ ପ୍ରିୟା??, ତେବେ ଜଣେଇ ଦେଲେ ବାପାଙ୍କୁ ନିଜ ମନର କଥା । ବାପା ସବୁ ଶୁଣି କିଛି ସମୟ ଦେବାକୁ କହିଥିଲେ , ଆଉ କହିଥିଲେ ଯଦି ପ୍ରେମ୍ କୋଉ ଗୋଟେ ଚାକିରୀ କରି ପାରନ୍ତି ତେବେ ମୋର କୌଣସି ଅସୁବିଧା ନାହିଁ। ଆଉ ଯଦି ସେ ତିନିମାସ ଭିତରେ ଚାକିରୀ ନ ପାଇବେ ତେବେ ତୋର ଯୋଉଠି ବି ଭଲ ପ୍ରସ୍ତାବ ଆସିବ ମୁଁ ସେଇଠି ହିଁ ବାହାଘର ଠିକ୍ କରିନେବି ଏ ପ୍ରତିଶ୍ରୁତି ତତେ ରଖିବାକୁ ପଡ଼ିବ ।

ସମୟର ବ୍ୟବଧାନକୁ ନେଇ ପ୍ରିୟା ସବୁବେଳେ ପ୍ରେମ୍ ଙ୍କୁ ମନେ ପକଉଥାଆନ୍ତି। କିନ୍ତୁ ତଥାପି ପ୍ରେମ୍ ନାଚାର୍ ଥାଆନ୍ତି । ବୋଧେ ସେତେବେଳେ ତାଙ୍କର ଭାଗ୍ୟ ହିଁ ତାଙ୍କୁ ସାତ୍ ଦିଏନି। ଯେଉଁଥିପାଇଁ ସେ ତାଙ୍କର ବାରଂବାର ପ୍ରଚେଷ୍ଟା ଫଳରେ ବି କୋଉଠି ଗୋଟେ ଭଲ ଚାକିରୀ ଟିଏ ପାଆନ୍ତି ନାହିଁ । ଶେଷରେ ପରିବାରର ସଂପୂର୍ଣ୍ଣ ଭାରକୁ ନେଇ ସେ ଛୋଟ ଫାଷ୍ଟ୍ ଫୁଡ୍ ଦୋକାନ ଟିଏ ଆରମ୍ଭ କରନ୍ତି । ଯାହାକୁ ନେଇ ପ୍ରିୟାଙ୍କ ବାପା ପ୍ରିୟାଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ ନିଷ୍ପତ୍ତି ନିଅନ୍ତି । ତଥାପି ପ୍ରିୟା ନିଜ ବାପାଙ୍କୁ ବୁଝେଇବା ପ୍ରୟାସରେ ରୁହନ୍ତି , ହେଲେ ବାପା ପ୍ରିୟାକୁ ପ୍ରେମ୍ ସହିତ ଦେଖା କରିବା କଥା କୁହନ୍ତି ତା ସହିତ ଦେଖା ହେବା ପରେ ଉଭୟଙ୍କ ଭଲ ପାଇବାକୁ ନେଇ ବହୁତ୍ କିଛି କହିବା ସହିତ ବୁଝାଇବାକୁ ଚେଷ୍ଟା କରନ୍ତି ।

ପ୍ରିୟାଙ୍କ ବାପା ପ୍ରେମ୍ ସହିତ ଏକୁଟିଆ ନିଜ କକ୍ଷରେ କଥାହେଇ କୁହନ୍ତି , କୋଉ ଭଲ ପାଇବା କଥା କହୁଚ? ନିଜେ ଏମିତି ଅଭାବ ଭିତରେ ଅଛ , ଆଜି ତମକୁ ଏ ଭଲ ପାଇବା ଦେଖା ଯାଉଚି ହେଲେ ଯେତେବେଳେ ପେଟ ପୋଡ଼ି ଯାଉଥିବ ସେତେବେଳେ କୋଉ ଭଲ ପାଇବା ଥିବ ? ଏ ଅଭାବ ଅନଟନ ଭିତରେ ସେତେବେଳେ ତୁମର ଭଲ ପାଇବା ଯେ କୋଉଠି ହଜିଯିବ ତାର କିଛି ଠିକଣା ନଥିବ । କଣ ଏ ଦୋକାନ କରି ନିଜର ସଂସାର ବଢେଇବ ? ଏ ଦୋକାନ କରି କେତେ ରୋଜଗାର କରୁଚ ତମେ ? ମୋ ଝିଅର ଖର୍ଚ୍ଚ ତମେ ଉଠେଇ ପାରିବ ଏ ଦୋକାନ କରି ? ତା ସହିତ ତୁମ ପରିବାରର ବୋଝ ବି ଅଛି ତମ ଉପରେ , ତୁମ ଭଉଣୀ ମାନଙ୍କ ବିବାହ , ମା'ଙ୍କ ଔଷଧ , ଏସବୁରେ କେତେ ଟଙ୍କା ଆଉ ବଞ୍ଚିବ ଯେ ତମେ ମୋ ଝିଅକୁ ଭଲରେ ଚଳେଇ ପାରିବ ? ଖାଲି ଭଲ ପାଇଦେଲେ ହବନି , ଭଲ ପାଉଥିବା ଲୋକର ଖୁସି ବି ଦେଖିବା ଦରକାର୍ । ତମର କେତେ ରୋଜଗାର ରହିବ ଯେ ତମେ ଭଲରେ ଦୁଇ ମୁଠା ଖାଇବାକୁ ଦେଇ ପାରିବ ମୋ ଝିଅକୁ ?

ଏମିତି ଅଭାବ ଅନଟନ ଲାଗି ରହିବ ଆଉ ଶେଷରେ ଉଭୟ କଷ୍ଟ ପାଇବ, ଛଟପଟ ହେବ ଏ ସମ୍ପର୍କରୁ ବାହାରିବା ପାଇଁ । ଲାଭ କଣ ହେବ?? ତାଠୁ ତ ଭଲ ଏଇଟା ରହିବ କି ନିଜେ ନିଜର ପରିବାର କଥା ପ୍ରଥମେ ଚିନ୍ତା କର , କାହିଁକି ନା ଏବେ ତୁମ ପାରିବାର ପାଇଁ ତୁମ ଅବସ୍ଥିତି ଟା ଜରୁରୀ । ଆଉ ଏପଟେ ପ୍ରିୟାକୁ ଭଲ ପାତ୍ର ଦେଖି ବିବାହ କରିବାଟା ମୋର ଆବଶ୍ୟକ କାରଣ ସେ ମୋର ଗୋଟେ ବୋଲି ଅଲିଅଳି ଝିଅ , ତ ମୁଁ ତାର ଖୁସି ପ୍ରଥମେ ଦେଖିବି , କେବଳ ସେଇଥିପାଇଁ ହିଁ ତ ମୁଁ ପ୍ରଥମେ ତୁମକୁ ସୁଯୋଗ ଦେଇଥିଲି। ହେଲେ ଆଉ ବେଶୀ ସମୟ ଅପେକ୍ଷା କରିବାଟା ମୋ ପକ୍ଷରେ ସମ୍ଭବ ନୁହେଁ । କିଏ କହି ପାରିବ କାଲିକି କଣ ହେବ ? ମୁଁ ଚାହେଁନି ମୋର ଏ ଦୁନିଆରୁ ବିଦାୟ ନେବା ପରେ ମୋ ଝିଅ ସଂପୂର୍ଣ୍ଣ ଏକାକାର ହେଇଯାଉ । ମୁଁ ତାକୁ ଭଲରେ ଭଲରେ ଭଲ ଘର , ଭଲ ବର ଦେଖି ବିଦା କରିବାକୁ ଚାହେଁ , ତା ଖୁସି ଦେଖିଲେ ମୁଁ ହସି ହସି ଆଖି ବୁଜିଦେବି।  

ଆଉ ସେ ପଗେଳି ଯେଉଁଟାକୁ ଖୁସି ଏବେ ଭାବୁଚି ସେଇଟା ଖୁସି ନୁହେଁ ଗୋଟେ ମରୀଚିକା। ସିଏ ଏବେ ସେଇ ମରୀଚିକା ପଛରେ ହିଁ ଗୋଡାଉଛି। ଆଉ ମୁଁ ତାର ବାପା ହେଇକି ତା ପାଇଁ ଖରାପ୍ କେମିତି ଚିନ୍ତା କରି ପାରିବି ଯେ । ତମେ ତାକୁ ଟିକେ ବୁଝାଅ ମୁଁ ତୁମକୁ ହାତ ଯୋଡୁଛି। ସେ ପାଗେଳି ଜାଣି ପାରୁନି ତା ପାଇଁ କୋଉଟା ଏବେ ଠିକ୍ ରହିବ। ସେ ତମ ପ୍ରେମରେ ପୁରା ଅନ୍ଧ । ଆଉ ମୁଁ ଚାହେଁନି ସେ ତମକୁ ବିବାହ କରି ଅଭାବ ଅନଟନ ଭିତରେ ଜୀବନ କାଟୁ । ତମେ କେବେ ତମ ଜୀବନରେ ସଫଳତା ହାସଲ କରିବ କି ନା ସେଇଟା ମତେ ଜଣା ନାହିଁ । ଆଉ ମୁଁ ସେବେ ଯାଏଁ ମୋ ଝିଅକୁ ବସେଇ ରଖି ପାରିବିନି । ତା ପାଇଁ ବହୁତ୍ ବଡ଼ ବଡ଼ ଘରୁ ପ୍ରସ୍ତାବ ଆସୁଚି ଆଉ ମୁଁ ତା ବାହାଘର ୟା ଭିତରେ ଯେମିତି ହେଲେ ବି କରିଦେବି ।

ମତେ ପୁଅ ତମେ ଭୁଲ୍ ବୁଝନି , ତୁମେ ଯଦି ପ୍ରକୃତରେ ମୋ ଝିଅକୁ ଭଲ ପାଉଥିବ ତେବେ ସ୍ୱାର୍ଥପର ନ ହେଇକି ପ୍ରଥମେ ତମେ ତମ ଭଲପାଇବାର ଖୁସିକୁ ହିଁ ଦେଖିବ । ତମ ସହିତ ରହିଲେ ତା ଭବିଷ୍ୟତ କେବେବି ନିରାପଦ ନୁହେଁ, ଯୋଉଟାକି ଗୋଟେ ବାପା ହିସାବରେ ମତେ ଜଳ ଜଳ ହେଇ ଦେଖା ଯାଉଛି । ହଁ ତମେ ଯଦି ଏ ତିନିମାସ ଭିତରେ ଗୋଟେ ଭଲ ଚାକିରୀ ହାସଲ କରି ଦେଖେଇ ଥାଆନ୍ତ ତେବେ ହୁଏତ ମୁଁ ତୁମ ସହିତ ମୋ ପ୍ରିୟାର ହାତକୁ ଛନ୍ଦି ପାରି ଥାଆନ୍ତି । କିନ୍ତୁ ଏବେ ଏ ପରିସ୍ଥିତିରେ ତ ଯମା ବି ନୁହେଁ । ଆଶା କରୁଛି ତମେ ମତେ ଆଉ ମୋ କଥାର ଭିନ୍ନ ଅର୍ଥ କିଛି ନ ବାହାର କରି , ତାକୁ ଭଲରେ ଗ୍ରହଣ କରି ପାରୁଥିବ ।

ଏତିକି କଥାବାର୍ତ୍ତା ସରିବା ପରେ ଚାଲି ଆସିଛନ୍ତି ପ୍ରିୟା ଆଉ କହିଛନ୍ତି ବାପା ତମକୁ ପ୍ରେମ୍ କେମିତି ଲାଗିଲେ ?ତମେ ଆମ ବାହାଘର ପାଇଁ ରାଜି ହେବ ନା ? ପ୍ରିୟାର ବାପା ପ୍ରିୟାକୁ ପ୍ରତିଉତ୍ତରରେ କହିଲେ , ମୁଁ ସବୁକିଛି ପ୍ରେମ୍ କୁ ବୁଝେଇ ଦେଇଚି , ତୁ ଯେତେ ଶୀଘ୍ର ପ୍ରେମ୍ ଠୁ ସବୁକିଛି ବୁଝିଯିବୁ ସେଇଟା ତୋ ପାଇଁ ସେତିକି ଭଲ ହେବ । ତେବେ ଏମିତି କଥାବାର୍ତ୍ତା ବୁଝାମଣା ଭିତରେ ଆସି ଯାଇଚି ପ୍ରିୟାଙ୍କର ବାହାଘରର ପୂର୍ବଦିନ ଯାହାକୁ ଆମେ ମଙ୍ଗନର ଦିନ ବୋଲି କହୁ । ମଙ୍ଗନର କାର୍ଯ୍ୟ ସବୁ ସରିବାପରେ ଥକି ଯାଇ ପ୍ରିୟା ନିଜ କକ୍ଷକୁ ବିଶ୍ରାମ ପାଇଁ ଯାଇଛନ୍ତି । ସେତେବେଳକୁ ପ୍ରାୟ ରାତି ୨ଟା , ହଠାତ୍ ତାଙ୍କର ନଜର ପଡିଚି ଡ୍ରେସିଂ ଟେବୁଲ୍ ଉପରେ ଥିବା ବାହାଘର ଓଢନି ଉପରେ , ଓଢନିକୁ ନିଜ ମୁଣ୍ଡରେ ପକେଇ ଦର୍ପଣରେ ନିଜକୁ ଦେଖନ୍ତି ତ, ସଙ୍ଗେ ସଙ୍ଗେ ଭାବନ୍ତି କଣ ସତରେ ମୁଁ ଆଜି ପରଠୁ ଆଉ କାହାର ହେଇଯିବି , କଣ ସତରେ ମୁଁ ଭୁଲିଯିବି ମୋର ପ୍ରେମ୍ କୁ , ବାପାଙ୍କୁ ଦେଇଥିବା ପ୍ରତିଶୃତିକୁ ରଖିବା ପାଇଁ କଣ ମୁଁ ମୋର ସବୁ ଖୁସିକୁ ଜଳାଞ୍ଜଳୀ ଦେଇଦେବି ?

ନା ଏମିତି ମୁଁ କରି ପାରିବିନି , ପ୍ରେମ୍ ସିନା ନୀରବ ଅଛନ୍ତି କିନ୍ତୁ ତାଙ୍କ ମୁହଁରୁ ସ୍ପଷ୍ଟ ଜଣା ପଡୁଛି ଯେ ସେ ଯନ୍ତ୍ରଣା ଭିତରେ ଅଛନ୍ତି , ସେଦିନ ବାପାଙ୍କର ସେଇ କଥାକୁ ନେଇ ସେ ସିନା ମୋ ବିବାହକୁ ହସି ହସି ସ୍ବୀକାର କରୁଛନ୍ତି କିନ୍ତୁ ସେ ଯେ ଭିତରୁ କେତେ ଭାଙ୍ଗି ପଡିଛନ୍ତି ସେଇଟା କେହି ନ ଜାଣିଲେ ବି ମୁଁ ଜଣେ ଆଉ ଆମ ଗୋଷ୍ଠୀର ବନ୍ଧୁଙ୍କୁ ବି ଅଛପା ନାହିଁ । ତେବେ ମୁଁ ଅନ୍ତତଃ ଶେଷ ଥରକ ପାଇଁ ତାଙ୍କ ସହିତ କଥା ହେବାକୁ ଚାହେଁ ତାଙ୍କୁ ଦେଖା କରିବାକୁ ଚାହେଁ , ମନରେ ବିଚାରି ସଙ୍ଗେ ସଙ୍ଗେ ଫୋନ୍ ଲଗାଇଛନ୍ତି ପ୍ରେମ୍ ଙ୍କୁ ଆଉ ଦେଖା କରିବାକୁ କହିଛନ୍ତି ତାଙ୍କୁ ସେଇ ରାତି ୨ଟାରେ ଏକ ନିରୋଳା ସ୍ଥାନରେ । କିଛି ସମୟ ବ୍ୟବଧାନରେ ଉଭୟ ଦେଖାହେଇଛନ୍ତି । ଆଉ ପ୍ରିୟା ପ୍ରେମ୍ ଙ୍କୁ ଜାବୁଡ଼ି ଧରି ବହୁତ୍ କନ୍ଦିଛନ୍ତି । ଯାହାକୁ ଦେଖି ପ୍ରେମ୍ କହିଛନ୍ତି ଏସବୁ କଣ ଚାଲିଚି ,କାଇଁ କାନ୍ଦୁଛ ? ମନା କରିଚି ନା ମୋ ଆଗରେ କେବେ ବି କାନ୍ଦିବ ନାହିଁ ବୋଲି , ତେବେ ଏସବୁ ପୁଣି କଣ ?

ପ୍ରିୟା କାନ୍ଦି କାନ୍ଦି କହୁଛନ୍ତି ଚାଲ ଆମେ ଏଠାରୁ ଏବେ ପଳେଇବା, ମୋର କିଛି ବି ଦରକାର୍ ନାହିଁ ତମେ ମତେ ଯେମିତି ରଖିବ ମୁଁ ସେମିତି ରହିବାକୁ ରାଜି । ମତେ ଖାଲି ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇ ପାରିବ ନା, ସେତିକି ମୋ ପାଇଁ ବଡ଼ କଥା। ବାପା ଯେମିତି କହୁଛନ୍ତି ସେମିତି ମୁଁ କିଛି ବି ଡିମାଣ୍ଡ କରିବିନି ତମକୁ , ତମେ ଯେତିକି ଦେବ ସେତିକିରେ ସର୍ବଦା ସନ୍ତୁଷ୍ଟ ହେଇ ରହିବି । ମତେ ନେଇଚାଲ ତମ ସହିତ , ତମକୁ ଛାଡି ଆଉ କାହାକୁ ବିବାହ କରିବାର ପ୍ରଶ୍ନ ବି ଉଠୁନି । ମୁଁ ପାରିବିନି ସେମିତି , ମୁଁ ମରିଯିବି ସତ କହୁଚି ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama