ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୪)
ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୪)
ମତେ ଏବେ ଲାଗୁଚି ବୋଧେ ରିନା ମାଧ୍ୟମରେ ସେ ଡ୍ରିଙ୍କ ରଖିବା ଚକ୍ରାନ୍ତଟା ତମର ଥିଲା । ଏମିତି କରିଥିଲ ମତେ ଏଠାକୁ ଆଣି ଏସବୁ କରିବା ପାଇଁ ଛି ଛି ଭାବିଲା ବେଳକୁ ମତେ ମୋ ନିଜ ଉପରେ ଘୃଣା ଲାଗୁଚି , ତମେ ପୁଣି ଏମିତି ଚିନ୍ତାଧାରାରେ , ଆରେ ହଁ ମୁଁ ତ ବୋକି ବୋଲି କଥାବାର୍ତ୍ତା ଭିତରେ ନିଜର ହୋସ୍ ହରେଇ ଫଶିଗଲି , ନଚେତ୍ ମୋର ସେଇଠି ହିଁ ଭାବିବାର ଥିଲା ଡ୍ରିଙ୍କ ଯଦି ରିନା ଆଣିଚି ତେବେ ନ ପିଇକି ଥୋଇଦେଇ ଯାଉଚି କାହିଁକି । ହେଲେ ତମେ ଗୋଟେ କଥା ମନେରଖ ତମେ ଯେତେ ଚେଷ୍ଟା କଲେ ବି ସେମିତି କିଛି କରି ପାରିବ ନାହିଁ । ମୁଁ ମରିଯିବି ପଛକେ ତମକୁ ସେମିତି କିଛି କରିବାକୁ ଦେବିନି।
ଉତ୍ତରରେ ପ୍ରେମ୍ କହିଲେ , କଣ କହିଲ ତମେ ମୁଁ ଚକ୍ରାନ୍ତ କରି ତମକୁ ଏଠାକୁ ନେଇ ଆସିଛି ? ଓଃ ମତେ ଆଉ କୌଣସି ଜାଗା ମିଳିଲାନି ତ ମୁଁ ଏ ଟାପୁ କୁ ତୁମକୁ ଆଣିଲି ନ ଖାଇ ନ ପିଇ ହଇରାଣ ହେଇ ଏ ନୀଚ କାମ କରିବାକୁ , ତମେ କେବେ ବି ମତେ ବୁଝି ପାରିବ ନାହିଁ । ସେଦିନ ବି ସେମିତି ମୋ କଥାର ଭିନ୍ନ ଅର୍ଥ ନେଇଥିଲ ଆଉ ଆଜି ବି ଠିକ୍ ସେମିତି ମୋ କଥାକୁ ଭୁଲ୍ ବୁଝୁଛ । ବୟସ ସିନା ବଢ଼ି ଗଲାଣି କିନ୍ତୁ ଏବେ ବି ତମେ ସେଇ ପିଲାଳିଆମୀ ମନବୃତ୍ତି ନେଇକି ଅଛ ।
ପ୍ରେମ୍ ଙ୍କ ମୁହଁରୁ ଏତେ କଥା ଶୁଣି ପ୍ରିୟା କହିଲେ , ହଁ ହଁ ଠିକ୍ କହିଲ ମୁଁ ସେଦିନ ବି ଭୁଲ୍ ବୁଝିଥିଲି ଆଉ ଆଜି ବି , ସବୁ ଭୁଲ୍ ତ ମୋର ,ମୁଁ ଯେମିତି ଏକ ତରଫିଆ ତମକୁ ଭଲ ପାଉଥିଲି । ତମର ଯେମିତି ଟିକେ ବି ଇଚ୍ଛା ନଥିଲା ମୋ ସହିତ ସଂସାର ଗଢ଼ିବା ପାଇଁ । ମୁଁ ଖାଲି ଚାଲି ଆସିଥିଲି ସବୁକିଛିକୁ ତୁଚ୍ଛ କରି ତୁମ ପାଖକୁ , ତୁମେ ଯେମିତି ମୋ ପାଇଁ ସ୍ବପ୍ନ ଦେଖି ନଥିଲ ? ଆରେ ମତେ ସେଦିନ ଭଲ ଭାଷଣ ଦେଇ ବିଦା କରି ଦେଇଥିଲ , ତେବେ କୁଆଡେ ଗଲା ତମର ସେ କଥା । ଆଜି ସେଇ ମଣିଷ ଏମିତି କେମିତି ବଦଳି ଗଲା ମ । ସେଦିନ ତ ବେଶ୍ ଭଲପାଇବା ଉପରେ ନୀତିଶିକ୍ଷା ଦିଆ ହେଉଥିଲା , ଆଉ ଆଜି ହୁଁ ସବୁ ପୁଅ ସମାନ୍ କିଛି ଫରକ୍ ନାହିଁ।
ଏମିତି କଟୁ କଥା ଶୁଣି ପ୍ରେମ୍ କହିଲେ , ଦେଖ ମୁଁ ପୂର୍ବ କଥାକୁ ଏଠି ଆଲୋଚନା କରିବାକୁ ଚାହୁଁନି , ମୁଁ କେତେ ଠିକ୍ କେତେ ଭୁଲ୍ ସେଇଟା ତମେ ଆପେ ଆପେ ବୁଝିଯିବ , ଆଉ ତୁମ ଓଢ଼ନୀ ମାଗିବାକୁ ନେଇକି ତମେ ଯେଉଁ ଭ୍ରାନ୍ତ ଧାରଣା ମନରେ ରଖିଥିଲ ତାକୁ କାଢିଦିଅ। ମୁଁ ଏଇଥି ପାଇଁ ଓଢ଼ନୀ ମଗୁଥିଲି କାରଣ ତୁମ ଓଢ଼ନୀର ରଙ୍ଗ ନାଲି ଅଛି , ତେବେ ଯଦି ସେଇ ଓଢନୀରୁ କିଛି ଚିରିକି ତାକୁ ଛୋଟ କରିଦେବି , ତୁମକୁ ପକେଇବାରେ ହୁଏତ ଏତେଟା କିଛି ଅସୁବିଧା ହେବନି । ବାକି ସେଇ ଯୋଉ ଚିରିଥିବା ଅଂଶକୁ ମୁଁ ଏକ ବାଉଁଶ ଫାଳରେ ବାନ୍ଧି ଏ ବାଲିରେ ପୋତିଦେବି । ଯାହାଫଳରେ ଉଡୁଥିବା ଓଢନୀକୁ ଦେଖି ହୁଏତ କିଏ ଦୂରରୁ କିଛି ସାହାଯ୍ୟର ହାତ ବଢ଼େଇ ପରେ । ନଚେତ୍ ଯଦି ଆମର ସାଙ୍ଗ କି ପରିବାର ଲୋକେ ଆମକୁ ଖୋଜନ୍ତି ତେବେ ସୁରାଗ ପାଇବାରେ ଏ ଓଢନୀର ଚିରା ଯାଇଥିବା କିଛି ଅଂଶଟି ସହାୟ ହେଇପାରେ ।
ସବୁକିଛି ପ୍ରେମ୍ ଙ୍କ ମୁହଁରୁ ଶୁଣିବା ପରେ , ପ୍ରିୟା ମୁଣ୍ଡ ତଳକୁ କରି ଦେଇଛନ୍ତି , ଆଉ ନମ୍ର ସ୍ଵରରେ କହିଛନ୍ତି , ସତରେ ମୁଁ ତୁମକୁ କେବେବି ବୁଝି ପାରିଲିନି । ବୋଧେ ସେଇଥି ପାଇଁ ଆମର ଅଲଗା ହେବାଟା ଠିକ୍ ଥିଲା । ଠିକ୍ କହୁଥିଲ ତମେ ସେତେବେଳେ ବି ମୁଁ ଅବୁଝା ଥିଲି ଆଉ ଏବେ ବି । ଫରକ୍ ଖାଲି ଏତିକି ଯେ ସେତେବେଳେ ତୁମେ ଥିଲ ମୋ ସହିତ ମତେ ବୁଝେଇବା ପାଇଁ ଆଉ ଏବେ , ଏବେ ତ ମୁଁ ନିଜେ ନିଜକୁ ବୁଝେଇ ବୁଝେଇ ଥକି ପଡ଼ୁଛି । ପ୍ରକୃତରେ ମୁଁ ଏବେ ଯାଏଁ ବି ବୁଝି ପାରୁନି ଯେ ମୋର ଭୁଲ୍ ଟା କୋଉଠି ରହିଗଲା । କିନ୍ତୁ ହଁ ମତେ ବେଳେବେଳେ ଲାଗୁଚି ଯେମିତି ମୁଁ ମୋ ନିଷ୍ପତ୍ତି ନେବାରେ ଟିକେ ତରବର୍ ହେଇଗଲି।
ପ୍ରେମ୍ ଉତ୍ତରରେ କହିଲେ , ଛାଡ ସେସବୁ ପୁରୁଣା କଥାକୁ , କଣ ମିଳିବ ଆଉ ସେଥିରୁ , ଏବେ ବରଂ ଏଠାରୁ କେମିତି ବାହାରିବା ସେଇଟା ଚିନ୍ତା କରିବାଟା ଆମ ପାଇଁ ମୁଖ୍ୟ । ହଉ ଦିଅ ତମ ଓଢନୀ ମୁଁ ଚିରିକି ବାନ୍ଧିବାର ବ୍ୟବସ୍ଥା କରେ । ଏତିକି କହି ବାଉଁଶ ଗୋଟେ ସଂଗ୍ରହ କରି ଆଣିଛନ୍ତି ପ୍ରେମ୍ , ଆଉ ପ୍ରିୟାଙ୍କ ଓଢାନୀର ଚିରା ଯାଇଥିବା କିଛି ଅଂଶକୁ ସେଇ ବାଉଁଶରେ ବାନ୍ଧି , ବାଉଁଶକୁ ନେଇ ବାଲିରେ ପୋତି ଦେଇଛନ୍ତି । ପବନର ବେଗକୁ ନେଇ ସେଇ ଓଢନୀର ଅଂଶଟି ଉଡିବାରେ ଲାଗିଚି ।
ଏପଟେ ବନ୍ଧୁ ମିଳନର ମାହଲ ହଠାତ୍ ଫିକା ପଡିଚି , ପ୍ରେମ୍ ଆଉ ପ୍ରିୟାଙ୍କ ହଜିଯିବାର ଖବରକୁ ନେଇ । କେହିବି ଟିକେ ଖବର ଲଗେଇ ପାରି ନାହାଁନ୍ତି ଯେ ଉଭୟ କୋଉଠି ଅଛନ୍ତି , ଉଭୟ ଏକା ସାଙ୍ଗରେ ଅଛନ୍ତି କିମ୍ବା ଅଲଗା ଅଲଗା ନିଜ ମାର୍ଗରେ ଅଛନ୍ତି। ସମସ୍ତେ ବେଶୀ ଚିନ୍ତିତ ପ୍ରିୟା ପାଇଁ ହେଉଛନ୍ତି କାରଣ ପ୍ରିୟା ନିଜର ଫୋନ୍ କୁ ଅନ୍ୟଜଣେ ବାନ୍ଧବୀକୁ ଧରେଇ ଯାଇଚି। ଯଦି ସେ ନିଜ ଇଚ୍ଛାରେ ଯାଇ ଥାଆନ୍ତା ତେବେ ନିଜ ଫୋନ୍ ସାଙ୍ଗରେ ନେଇକି ହିଁ ଯାଇ ଥାଆନ୍ତା । ବାକି ରହିଲା କଥା ପ୍ରେମ୍ ହଜିବାର , ସେ ତ ଏମିତିରେ ବି କାହା ସହିତ ଏ ବନ୍ଧୁମିଳନର ଏତେବଡ଼ ଅବସରରେ କଥାବାର୍ତ୍ତା କରୁ ନଥିଲା , ହୁଏତ ସେ ଏକା କୋଉଠି ଗୋଟେ ରହି ଯାଇଥିବ , ଆଉ ସେ ତ ପୁଅ ପିଲାଟା ଘରକୁ ଫେରି ବି ଯାଇ ପାରିବ ଏମିତି ଭାବି କେହି ଏତେଟା ତା'କଥା ଚିନ୍ତା କରୁ ନାହାଁନ୍ତି ସତ, କିନ୍ତୁ ସମସ୍ତେ ତାକୁ ଫୋନ୍ ଲଗାଇଛନ୍ତି । ହେଲେ ଦୁର୍ଭାଗ୍ୟ ବଶତଃ ଫୋନ୍ ଟି କେବଳ ସ୍ୱିଚଅଫ୍ ହିଁ ଦେଖୋଉଚି ।
ଏପଟେ କିନ୍ତୁ ପ୍ରିୟାର ଫୋନ୍ କୁ ନିଜ ପରିବାର ଲୋକଙ୍କର ଫୋନ୍ ଯେ ବାରଂବାର ଆସି ଚାଲିଚି । କଣ ଯେ ହେବ ଆଉ ସାଙ୍ଗମାନେ ଯେ କଣ କରିବେ , ଫୋନ୍ ଉଠେଇକି ସତ କହିବେ କି ନାହିଁ , ସେ ବିଷୟରେ କିଛି ବି ଜାଣି ପାରୁ ନାହାନ୍ତି । ତେବେ ବର୍ତ୍ତମାନ ପାଇଁ ଫୋନ୍ ନ ଉଠେଇବାଟା ଠିକ୍ ରହିବ ବୋଲି ଚିନ୍ତା କରିଛନ୍ତି । ଆଉ ଖୋଜିବାରେ ଲାଗିଛନ୍ତି ଉଭୟଙ୍କୁ , ବହୁତ୍ ଖୋଜାଖୋଜି ପରେ ବନ୍ଧୁମାନଙ୍କ ଭିତରୁ ଜଣେ ବନ୍ଧୁ କହିଛନ୍ତି , ଆଉ ଏମିତି ହେଇନି ତ ଯେ ଉଭୟ ପ୍ରେମ୍ ଏବଂ ପ୍ରିୟା ଏକାଠି କୁଆଡେ ଯାଇଛନ୍ତି ?ଉତ୍ତରରେ ଅନ୍ୟଜଣେ ବନ୍ଧୁ ସେମାନଙ୍କ ଭିତରୁ କହିଛି , ହଁ ସେମିତି ବି ହେଇପାରେ , କିନ୍ତୁ ଯଦି ସେମିତି ହେଇଥାନ୍ତା ତେବେ ପ୍ରେମ୍ ପାଖରେ ତ ତା'ର ଫୋନ୍ ଅଛି , ସେ ଆମକୁ ଖବର ଦେଇ ପାରି ଥାଆନ୍ତା । ଆଛା ଏମିତି ବି ହେଇପାରେ ଯେ ହୁଏତ ସେମାନେ ଏକାଠି ହିଁ ନାହାଁନ୍ତି , ଯଦି ଏକାଠି ଯିବାର ଚିନ୍ତାଧାରା ପୂର୍ବରୁ ଥାଆନ୍ତା ତେବେ ପ୍ରିୟା ନିଜର ଫୋନ୍ କାହିଁକି ଛାଡ଼ିକି ଯାଇ ଥାଆନ୍ତା ?
ସେ ଭିତରୁ ଅନ୍ୟଜଣେ ବନ୍ଧୁ କହୁଛନ୍ତି , ଲାଗୁଚି ବୋଧେ ଏମିତି ହେଇଛି କେହି ଜଣେ ପ୍ରିୟାକୁ ଏକୁଟିଆ ବୁଲୁଥିବାର ଦେଖି ଉଠେଇ ନେଇଛି ଆଉ ନଚେତ୍ ପ୍ରିୟା ହଠାତ୍ କୌଣସି ଅସୁବିଧାରେ ପଡ଼ି ଯାଇଛି । ହେଲେ ଭଗବାନ୍ କରନ୍ତୁ ସେମିତି କିଛି ନ ହେଇଥାଉ ଆଉ ଉଭୟ ହିଁ ସୁରକ୍ଷିତ ଥାଆନ୍ତୁ । ଆଛା ଟିକେ ଚିନ୍ତା କରି କହିଲ କାଲି ରାତି ଶେଷରେ କିଏ ଉଭୟଙ୍କୁ ଦେଖିଥିଲା ? ଆଉ କୋଉଠି ଦେଖିଥିଲା ।
ଜଣେ ବନ୍ଧୁ ସେମାନଙ୍କ ଭିତରୁ କହିଛି , ଆମ ଜାଣିବାରେ ସେ ଦୁହିଁଙ୍କ ଭିତରୁ ପ୍ରେମ୍ ତ ପାର୍ଟିରେ ନଥିଲା । ସେ ତା'ର ନିଜ ଭିତରେ ନିଜେ ହଜି ରହୁଥିଲା । ଲାଗୁଥିଲା ଯେମିତି ସେ ପୁରୁଣା ସ୍ମୃତି ଆଉ ଆଘାତରୁ ଏବେ ବି ଫେରିନି । ହେଲେ ପ୍ରିୟା ତ ଆମ ସହିତ ଥିଲା ସେ ତ ପାର୍ଟି ଭିତରେ ନାଚୁଥିଲା ଆଉ ମନ ଭରି ପାର୍ଟିକୁ ଉପଭୋଗ କରୁଥିଲା । ତେବେ ପୁଣି ହଠାତ୍ କୁଆଡେ ହଜିଗଲା ଆଉ କେହି ବୋଧେ ଦେଖି ନାହାଁନ୍ତି । ପରେ ପରେ ରିନା ସମସ୍ତଙ୍କ ଆଗରେ କହିଲା , ମୁଁ ଦେଖିଚି ଉଭୟ କୂଳରେ ଥୁଆ ହେଇଥିବା ଏକ ବୋଟ୍ ଉପରେ ବସିଥିଲେ । ଉଭୟଙ୍କ ଭିତରେ ବହୁତ୍ ସମୟ ଧରି କଥାବାର୍ତ୍ତା ଚାଲିଥିଲା ।
ରିନାର କଥାକୁ ଶୁଣିବା ପରେ ବନ୍ଧୁ ମାନଙ୍କ ମଧ୍ୟରୁ ଜଣେ ହସି ହସି କହୁଥିଲେ , ତେବେ ତାଙ୍କୁ ଖୋଜୁଛ କଣ ପାଇଁ ? ଉଭୟ ଏବେ ଗୋଟେ ମଉକା ପାଇ ଯାଇଥିବେ , ଉଭୟଙ୍କ ସହଯୋଗିତାକୁ ଉଭୟ ଏବେ ଉପଭୋଗ କରୁଥିବେ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

