ଯମରାଜ ଫେରିଗଲେ
ଯମରାଜ ଫେରିଗଲେ
ନିଶୀଥ ଅନ୍ଧାରେ କିଏ ଆହ୍ୱାନ କଲା ପରି ପ୍ରତୀତ ହେଲା,
ନୟନ ଉନ୍ମୀଳି ଦେଖେ ସମ୍ମୁଖେ ଧର୍ମରାଜ ବିରାଜିତ,
କରେ ପାଶ, ନୟନେ ଅନଳ, ବଦନେ ଗମ୍ଭୀର ସ୍ମିତ,
ମୁଁ ଭାବିଲି ମୋ ଆୟୁ ସମାପ୍ତ, ଏବେ ପ୍ରସ୍ଥାନ କରିବାକୁ ହେବ।
ଶରୀର କମ୍ପିଲା, ବଦନ ଶୁଷ୍କ ହେଲା, କଣ୍ଠ ରୁଦ୍ଧ ହେଲା
ଜନନୀର ବଦନ, ଗୃହର ସ୍ମୃତି, ସବୁ ମାନସପଟ୍ଟରେ ଭାସିଲା
କାଳ କହିଲେ - ଚାଲ, ଆୟୁ ସମାପ୍ତ।
ମୁଁ କହିଲି - କ୍ଷଣେ ରୁହ, ମୋତେ ସ୍ପର୍ଶେ କି ଲାଭ?
ମୋ ପ୍ରାଣ ମୋ ଦେହେ ନାହିଁ ହେ ଅନ୍ତକ!,
ଯାହା ନେବାକୁ ଆସିଛ ତାହା ମୃତ୍ତିକା ପିଣ୍ଡ।
ମୋର ପ୍ରାଣ ତାର ପୁରାତନ ପ୍ରେମ-ଲିପିରେ,
ଯଥା ଲେଖା ଥିଲା - "ତୁମେ ମୋର ପ୍ରାଣ"।
ତାର ରୋଷେ, ପ୍ରଣୟ-କୋପେ, ସ୍ମିତରେ
ମୋର ପ୍ରାଣ ତାର ମିଥ୍ୟା ପ୍ରତିଶ୍ରୁତିର ଛଳନାରେ।
ତାର ଅଲୀକ ହୃଦ-ପ୍ରାଚୀରେ।
ଯଦି ନେବାର ଅଛି, ତାର ଦ୍ୱାରକୁ ଯାଅ,
ଚରଣେ ପଡି ଭିକ୍ଷା ମାଗ।
ଅନ୍ତକ ସ୍ତବ୍ଧ ହେଲେ, ନତମସ୍ତକ ହେଲେ,
କହିଲେ - ଏପରି ପ୍ରେମ ଆଗେ ମୃତ୍ୟୁ ବି ପରାଜିତ।
ପ୍ରାଣ ମୋର ମୋ ପାଶେ ନାହିଁ, ଅଛି ତା ନୟନେ,
କାଳ ଫେରିଲା ଲାଜେ, ପ୍ରେମ ଜିତିଲା ମରଣେ।
ଅକସ୍ମାତ୍ ନିଦ୍ରାଭଙ୍ଗ ଯାଏ, ଦେଖେ ଶୂନ୍ୟତା,
କେବଳ ଅନ୍ଧକାର ଓ ମୁଁ।
ସେତେବେଳେ ବୁଝିଲି, ସେ କାଳ ନୁହେଁ,
ସେ ଥିଲା ମୋ ଅନ୍ତର ଭୟ,
ମୃତ୍ୟୁ ବାହ୍ୟରେ ନାହିଁ, ମୃତ୍ୟୁ ବିରାଜେ ମନ ମଧ୍ୟରେ,
ଭୟକୁ ଜିଣିଲେ କାଳ ବି ପରାଜିତ ହେବ।
ସ୍ୱପ୍ନେ ଆସିଥିଲେ ଯମ, ସତ୍ୟେ ଥିଲା ମୋ ଭୟ,
ନିଜ ଭୟକୁ ଜିଣିଲେ ମଣିଷ ମୃତ୍ୟୁକୁ ଜିଣେ।।
ଅଲୀକ ହେଲେ ବି ପ୍ରେମ ମୋର ବିଜୟୀ ହୋଇଥିଲା
ପରାଜିତ ହୋଇଥିଲେ ଧର୍ମରାଜ
ଥିଲା କେବଳ ମିଳନର ପରିପୂର୍ଣତା......
ଯେ ଅନୁପସ୍ଥିତ ତାକୁ ନେଇ ଯେଉଁ ସ୍ୱପ୍ନ ରଚିଥିଲି,
ସେହି ଅଲୀକ ସ୍ୱପ୍ନ ମଧ୍ୟରେ ହିଁ ସମଗ୍ର ଜୀବନ ଜୀଇଁ ଥିଲି।।
