ଯୌଥ ପରିବାର
ଯୌଥ ପରିବାର
ଏକତାର ବଳ ଯୌଥ ପରିବାର
ହସ ଖୁସି ଭରା ପରିପୂର୍ଣ୍ଣ ସଂସାର ।
ଉନ୍ନତ ବୁଝାମଣା ଥାଏ ନିରନ୍ତର
ସେବା ତ୍ୟାଗ ରଖିଥାଏ ବଳବତ୍ତର।
ବାଦ ବିବାଦରେ ହୁଏନା ମନାନ୍ତର
ମନ ସ୍ଵଚ୍ଛ ନିର୍ମଳ ଥାଏ ସଭିଁଙ୍କର ।
ଘର ପରିବେଶ ଲାଗେ ପବିତ୍ର ମନ୍ଦିର
ପିତାମାତା ସେ ଘରେ ଜୀବନ୍ତ ଠାକୁର।
ଟଣା ଓଟରାର କିଛି ନ ଥାଏ ଡର
କେହି ହୁଏ ନାହିଁ ସେଠ ସ୍ଵାର୍ଥପର ।
ଦୃଢ଼ ମନୋବଳ ଥାଏ କୁଟୁମ୍ବ ଯାକର
ଦୁଃଖରେ ସୁଖରେ ହୁଅନ୍ତିନି ଅସ୍ଥିର ।
ଧୈର୍ଯ୍ୟ ସାହାସ ରଖିଥାନ୍ତି ପ୍ରଚୁର
ମାନି ଚଳୁଥାନ୍ତି ମୁରବୀଙ୍କ ବିଚାର ।
ଆପତ୍ତି ଅଭିଯୋଗ ନ ଥାଏ କାହାର
ଦେଖାନ୍ତି ସୁନ୍ଦର ମାର୍ଜିତ ବ୍ୟବହାର ।
ବିଶୃଙ୍ଖଳା ପ୍ରାୟ ହୁଏନା ବାରମ୍ଵାର
ପୁନେଇଁ ପରବେ ଉତ୍ସବ ମୁଖର ।
ଆନନ୍ଦରେ ନାଚେ ଅଗଣା ଘର
ଆଦର୍ଶ ଅନୁଶାସନ ରହିଥାଏ ଚିର ।
କାହା ପ୍ରତି କେହି ହୁଏନା କୋଠର
ପର କେହି ନୁହଁନ୍ତି ସବୁ ଆପଣାର ।
ସମସ୍ତଙ୍କର ଥାଏ ସମାନ ଅଧିକାର
ପିଲାରୁ ବୟସ୍କ ଏକ ଭାବ ଭାବନାର ।
ଲାଗିଥାଏ ଅତୁଟ ବନ୍ଧନର ଡୋର
ଘର ପ୍ରତିଥାଏ ସଭିଁଙ୍କର ଆଦର ।
ପରସ୍ପର ଦିଅନ୍ତି ପରସ୍ପରକୁ ନଜର
ଶ୍ରମ ସାଧନାରେ କରନ୍ତି ସବୁ ସୁନ୍ଦର ।
ଏବେ ଆଉ ନାହିଁ ସେ ଯୌଥ ପରିବାର
ଆତ୍ମ ନିର୍ଭରଶୀଳ ହୁଅନ୍ତି ଯେ ଯାହାର ।
ଜୀବନ ଯାତ୍ରା ହୁଏ ଆଜି କଷ୍ଟକର
ମୌଳିକତା ରହୁନାହିଁ ସମାଜର ।
ଝୁରି ହୁଏ ସିନା ମନେ ମନେ ତାର
ପ୍ରଶ୍ନ କରେ ନିଜକୁ ପାଏନା ଉତ୍ତର ।
ଏକା ଏକା ବଞ୍ଚି ମଣିଷ ହୁଏ ନିଷ୍ଠୁର
ନିଜର ଭୁଲ୍ ନିଜେ କରେନା ସ୍ଵୀକାର।
