ଯୌଥ ପରିବାର ବୈକୁଣ୍ଠ ସମାନ
ଯୌଥ ପରିବାର ବୈକୁଣ୍ଠ ସମାନ
ଆଧୁନିକତାର ପରଶେ ବିସ୍ମୃତ
ହୋଇଛି ସଂସ୍କୃତି ରାଜି
ଅପସଂସ୍କୃତିର ଦୁନ୍ଦୁଭି ବାଜୁଛି
ଶାନ୍ତି ତ ଯାଇଛି ହଜି |
ସମାଜରେ ଆଉ ନାହିଁ କେଉଁଠାରେ
ପରିବାର ଏକ ହୋଇ
ଯେତେ ଭାଇ ସେତେ ଭିନ୍ନ ପରିବାରେ
ରହିଲେ ସ୍ୱାର୍ଥକୁ ନେଇ |
ନାହିଁ ଆଉ ସ୍ନେହ ଭାଇ ଭାଇ ମଧ୍ୟେ
ହିଂସାର ପ୍ରଲେପ ବୋଳା
ନିଜ ପତ୍ନୀ ଆଉ ସନ୍ତାନ କେବଳ
ଆଖିର କୁହୁକ ହେଲା |
ପିତା ମାତା ଅବା ଜେଜେ ଜେଜେ ମାଆ
ଦାଦା ଖୁଡି ପରିବାରେ
କାହାରି ମଧ୍ୟେ ତ ନାହିଁ ସୁସମ୍ପର୍କ
ଦିନ ଯାଏ ଅଶାନ୍ତିରେ |
ପ୍ରତି ପରିବାର ଭାଙ୍ଗିବା ମୂଳରେ
ପରିବାର ମୁଖ୍ୟ ଦାୟୀ
ସବୁ ସଦସ୍ୟଙ୍କୁ ଅସମାନ ଦୃଷ୍ଟି
କେବେ ହେବ ନାହିଁ ସହି |
ପିତା ମାତା ହୋଇ ସନ୍ତାନଙ୍କ ମଧ୍ୟେ
ବିଭେଦ କରିଲେ ସୃଷ୍ଟି
ପରିବାର କେବେ ଏକତାର ସୂତ୍ରେ
ରହି ପାରିବକି ତିଷ୍ଠି ?
ଯେଉଁ ପରିବାରେ ବୋହୁଟିଏ ଆସି
ହୁଏନା ଘରର ଝିଅ
ପର ଝିଅ ପରି ବ୍ୟବହାର ହେଲେ
ସୃଷ୍ଟିହୁଏ ଭିନ୍ନେ ଖିଅ |
ପରିବାରେ ଯେବେ ଭୁଲ ବୁଝାମଣା
କାହା କାହା ମଧ୍ୟେ ହୁଏ
ସମାଧାନ ଯଦି ନହୁଏ ତାହାର
ପରିବାର ଭାଙ୍ଗିଯାଏ |
ଯୌଥ ପରିବାର ବୈକୁଣ୍ଠ ସମାନ
ବହେ ମମତାର ଧାରା
ଏକତାର ବଳେ ଜୟ ସବୁଠାରେ
ନଥାଏ ବିପଦ ଜରା |
