ଉତ୍କଳ ପ୍ରଦୀପ
ଉତ୍କଳ ପ୍ରଦୀପ
ସୁଜଳା ସୁଫଳା ଉତ୍କଳ ମାଆର
ଅମୃତମୟ ସନ୍ତାନ
ତ୍ୟାଗ କରି ସ୍ୱାର୍ଥ ହୁଅ ଏକଜୁଟ
ରଖିବାକୁ ମାଆ ମାନ ।
ଭୁଲିଯାଇଛ କି ଅତୀତ ଗୌରବ
ବାପା ଦାଦିଙ୍କର କିର୍ତ୍ତୀ
ରଣାଙ୍ଗନେ ସଦା ହେଉଥିଲେ ଉଭା
ମନୁ ତେଜିକରି ଭୀତି ।
ନଥିଲା ବନ୍ଧୁକ ନଥିଲା ବି ତୋପ
ତରବାରୀ କରେ ଧରି
ଶତ୍ରୁକୁ ବିନାଶ କରୁଥିଲେ ବୋଲି
ବୀର ରୂପେ ପଡେ ହୁରି ।
କର୍ମରେ ବିଶ୍ୱାସ ମନରେ ଉଚ୍ଛ୍ୱାସ
ସେବା ମନୋଭାବ ହୃଦେ
ଭ୍ରାତୃଭାଵ ଡୋରେ ବନ୍ଧା ହୋଇ ସର୍ବେ
ଚଳୁଥିଲେ ମହାନନ୍ଦେ ।
ସ୍ନେହଶ୍ରଦ୍ଧା,ପ୍ରେମ ଅବା ଭକ୍ତିରସ
ପ୍ରାଣେ କରିଥିଲା ଘର
ଛଳନା କପଟ କିବା ଅହଂକାର
ନଥିଲା ମନରେ କା'ର ।
ପବିତ୍ର ଭୂମିର ପବିତ୍ରତା ଆଜି
ହୋଇଲାଣି ନଷ୍ଟଭ୍ରଷ୍ଟ
ଅତୀତର ସ୍ମୃତି ହୋଇଲାଣି ଲୁପ୍ତ
ଭୋଗୁଅଛି ମାଆ କଷ୍ଟ ।
ଅନ୍ୟାୟ,ଅନୀତି,ଚୋରି,ଡକାୟତି
ବଳାତ୍କାର ଭଳି ପାପ
ବିବେକକୁ ତୁମ୍ଭ କରିଲାଣି ଗ୍ରାସ
ନାହିଁ ମନେ ପଶ୍ଚାତାପ ।
ଜାଗିଉଠ ସର୍ବେ ଉତ୍କଳ ପ୍ରଦୀପ
ଅନ୍ଧକାର କର ନାଶ
ଜାତିପ୍ରୀତି ବହ୍ନି ଜଳିଉଠୁ ମନେ
ମାଆ ହିତେ ଦିଅ ଝାସ ।
ହସିବ ଉତ୍କଳ ହସିବେ ଜନତା
ରହିବ ମାଆର ଟେକ
ନଥିବ ଅଭାବ ଶୋଷଣ କଷଣ
ନଥିବ କିଞ୍ଚିତ ଦୁଃଖ ।