ଉତ୍କଳ ଗୌରବ ମଧୁସୂଦନ
ଉତ୍କଳ ଗୌରବ ମଧୁସୂଦନ
ଗଉରବ ତୁମେ ଏ ଜାତିର
ଉତ୍କଳ ଜନନୀ ବରପୁତ୍ର
ମାଆର ଆଖିରୁ ଲୁହ ପୋଛିଦେଇ
ଓଠେ ଭରି ଦେଲ ନୂଆ ସ୍ୱର ।
ହଜିଯାଇଥିଲା ପରିଚୟପରିଚୟ
ଛନ୍ଦ ହରା ଥିଲା ତାଳ ଲୟ
ମାଟିର ଛାତିରେ ତାତିର ଡହକ
ଜାତି ହୋଇଥିଲା ଅସହାୟ ।
ଉତ୍କଳ କଳିଙ୍ଗ ବିକଳାଙ୍ଗ
ମଉଳା ଫୁଲର ଫିକା ରଙ୍ଗ
ଯୁଗ ଯୁଗର ଏ ଆମ ମିଠା ଭାଷା
ପଡୋଶୀ କରିଲେ ଦହଗଞ୍ଜ ।
ସତ୍ୟଭାମାପୁର ମଫସଲ
ସେ ଗାଁଆକୁ ତୁମେ ଧନ୍ୟ କଲ
ସାତ ଦରିଆର ସେପାରିକୁ ଯାଇ
ତୁମେ ପରା ବାରିଷ୍ଟର ହେଲ ।
ଆଇନକୁ ସିନା ପେଶା କଲ
ଭାଷା ପାଇଁ ତୁମେ ଲଢୁଥିଲ
ସ୍ବତନ୍ତ୍ର ଉତ୍କଳ ଗଠନ ପାଇଁକି
ତୁମେ ମୂଳଦୁଆ ଦେଇଥିଲ ।
ଗଢିଲ ଉତ୍କଳ ସମ୍ମିଳନୀ
ସ୍ବତନ୍ତ୍ରତା ପାଇଁ ଦେଲ ଧ୍ବନି
ମାଆ ପଣତରେ ମୁଣ୍ଡ ଗୁଞ୍ଜିବାକୁ
ଖୋଜିଲ ସବୁଠି ମାଆ କାନି ।
ଜାତି ଇତିହାସ ନିରିଝର
ପାଇବାକୁ ଅମୃତର ଧାର
କୋଟି ଓଡିଆଙ୍କ ପ୍ରାଣରେ ଭରିଲ
ନବିନ ଉଷାର ନୂଆ ମନ୍ତ୍ର ।
ମାଆ କାନ୍ଦୁଥିଲା କଇଁ କଇଁ
ରୂପ ଭେକ ହତଶିରି ହୋଇ
ସେ ଆଖିରୁ ଲୁହ ପୋଛିଦେବା ପାଇଁ
ଯୁଝିଥିଲ ମନ ପ୍ରାଣ ଦେଇ ।
ଓଡ଼ିଆ ଜାତିକୁ ଉଠାଇଲ
ଜାତି ପ୍ରେମ ବହ୍ନି ଜଳାଇଲ
ଉଠରେ ଉଠରେ ଉତ୍କଳ ସନ୍ତାନ
କାନେକାନେ ତୁମେ କହିଗଲ ।
ତୁମ ଲାଗି ଆଜି ଏଇ ଜାତି
ଗରବ କରେ ଫୁଲାଇ ଛାତି
ସ୍ବତନ୍ତ୍ର ଓଡ଼ିଶା ସାସ୍ତ୍ରିୟ ତା ଭାଷା
ଜଗତ ଗାଉଛି ତାର ଖ୍ୟାତି ।
ଆମ ଚାରୁକଳା କାରୁକଳା
ଦିନୁଦିନ ମରି ଯାଉଥିଲା
ତୁମ ଲାଗି ତାର ସବୁଠି ଆଦର
ବିଶ୍ବ ଦରବାରେ ବଢିଗଲା ।
ପାରିବୁନି ସୁଝି ତୁମ ଋଣ
ଥିବାଯାଏ ଆମ ଏଇ ପ୍ରାଣ
ଉତ୍କଳ ଗୌରବ ହେ ମଧୁସୂଦନ
ପ୍ରଣତି ଚରଣେ ବାରେ ଘେନ ।