ତୁଟିଯାଉ ମୋର ମୋହ
ତୁଟିଯାଉ ମୋର ମୋହ
ଲୋଡ଼ା ନାହିଁ ମୋର କୋଟିଏ ଆୟୁଷ
କାହିଁକି ଲୋଡିବି କୁହ,
ଦେଇ ଦିଅ ଯଦି ଟିକିଏ ପରଶ
ତୁଟି ଯିବ ସବୁ ମୋହ,
ଏମିତି କିଛି ତ ଦିଅ
ନିଶ୍ବାସଠୁ ବଳି କ୍ଷୀଣ ମୋ ଆୟୁଷ
କରୁଣା ଯେ କରିଦିଅ ।
ତୁଟି ଯାଉ ମୋର ମୋହ
କି କରିବି କୁହ କୁବେରର ଧନ
ତୁମେ ମୋ ସର୍ବ ସମ୍ପଦ,
ଅଦୃଶ୍ୟରେ ପଛେ ପାଶେ ପାଶେ ଥିଲେ
ପୁରି ଉଠିବ ମୋ ହୃଦ,
ଜାବୁଡ଼ି ଧରିଛି ନାମ
ସେହି ବ୍ରହ୍ମ ନାମ ମୋ କୁବେର ଧନ
କରୁଣା ଯେ କରିଦିଅ ।
ତୁଟି ଯାଉ ମୋର ମୋହ
ମାନ ସନମାନ ମୋ ପାଇଁ ସମାନ
ଲୋଡେ ନାହିଁ କେବେ ମାନ,
ବାହ୍ୟ ଆବରଣ ଯେତେ ବା ସୁନ୍ଦର
କି ଅନ୍ତ ଶୋଭା ବର୍ଦ୍ଧନ ,
ଗୋଡାଇ କି ଲାଭ ପୁଣ
ଚରଣ କିଙ୍କର କରିନିଅ ପ୍ରଭୁ
କରୁଣା ଯେ କରିଦିଅ ।
ତୁଟିଯାଉ ସବୁ ମୋହ
ଧନ,ମାନ,ଜନ,ଆୟୁଷର ଲୋଭ
ମୋ ମନେ ସ୍ଥାନ ନ ନେଉ,
ଶରୀର ଅଳିକ ସଂସାର ଅଳିକ
ଆତ୍ମା ତବ ପଦେ ରହୁ,
ଏହି କୃପା ମହାବାହୁ
ତବ ରୂପ ତବ ନାମ ତବ ଧ୍ୟାନେ
ହୃଦେ ପୂର୍ଣ୍ଣ କରିଦିଅ
କରୁଣା ଯେ କରିଦିଅ ।
ତୁଟିଯାଉ ସବୁ ମୋହ