ତୁମପାଇଁ ସଖୀ
ତୁମପାଇଁ ସଖୀ
ତୁମରି ଆଖିର ଜ୍ୟୋତି ମୋ ଆକାଶୁ
ଝରିଯିବ ସଖୀ ଆଲୋକ ହୋଇ
ତୁମରି ଦେହର ଚାରୁ ଚିତ୍ରପଟେ
ଲେଖିବି କବିତା ପୀରତି ବହି I
ତୁମରି କଣ୍ଠରେ ସ୍ୱରଦେଇ ସଖୀ
ଜୀବନ ଗୀତିକା ଗାଇବି ନିତି
ତୁମରି ମଥାରେ ଢାଳିଦେବି ସଖୀ
ମୋ ହୃଦୟ ତଳ ଅସରା ପ୍ରୀତି I
ତୁମରି ଗହଳ କେଶ ତଳେ ସଖୀ
ସାଇତି ରଖିବି ଅନ୍ଧାର ରାତି
ତୁମରି ଆଖିରେ ଦେଖିବି ଦୁନିଆ
ତୁମ ଖୁସି ପାଇଁ ପାତିବି ଛାତି I
ତୁମରି ଓଠରେ ଓଠ ଥାପି ସଖୀ
ପିଇବି ମଦିରା ଘାରିବ ନିଶା
ଦିଗହରା ମୋର ଜୀବନ ସରଣୀ
ତୁମରି ପ୍ରେମରେ ପାଇବ ଦିଶା I

